Unknown

 

 

 

 

 

 

 

 

୫୪ତମ ସଂଖ୍ୟା କୋଣାର୍କ ୧୯୮୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର

 

ସମ୍ପାଦକ : ଶ୍ରୀ ରାଧାମୋହନ ଗଡ଼ନାୟକ

ପରିଚାଳନା ସମ୍ପାଦକ : ଶ୍ରୀ ଚିନ୍ତାମଣି ବେହେରା

 

ପ୍ରକାଶକ:

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ମୁଦ୍ରଣ :

ପ୍ରଜାତନ୍ତ୍ର ପ୍ରେସ୍‍

କଟକ-୭୫୩୦୦୨

 

ସୂଚୀପତ୍ର

ବିଷୟ

ସାରଳା ଦାସଙ୍କ ‘ରାଧାଚକ୍ର’–

ଏକ ସମୀକ୍ଷାତ୍ମକ ଅଧ୍ୟୟନ

ଶ୍ରୀ ଉଦୟନାରାୟଣ ପାଢ଼ୀ

ଅଢ଼େଇ କୋଟି ମଣିଷ, ଆଠ ନଡ଼ିଆ ଗଛ,

ଦେଶର ନାମ କେରଳ

ଡକ୍‌ଟର କୃଷ୍ଣ ପ୍ରସାଦ ମିଶ୍ର

ଆଧୁନିକ ଓଡ଼ିଆ ନାଟକରେ ଯୁଗ ବିଭାଗ

ଡକ୍‌ଟର ହେମନ୍ତ କୁମାର ଦାସ

ଫକୀର ମୋହନଙ୍କ ଅଜ୍ଞାତ ରଚନା–

‘ଆଳିମାଳିକା’

ଡକ୍‌ଟର ଦୁର୍ଗାପ୍ରସନ୍ନ ପଣ୍ଡା

ମହାକବି ଭାସ

ଡକ୍‌ଟର କୁଞ୍ଜବିହାରୀ ତ୍ରିପାଠୀ

ଓଡ଼ିଆ ଲୋକସମାଜ ଓ ସୂର୍ଯ୍ୟପୂଜା

ଶ୍ରୀ ନଗେନ୍ଦ୍ର ନାଥ ମହାପାତ୍ର

ଓଡ଼ିଆ ରାମାୟଣର ପୃଷ୍ଠଭୂମି ଓ ମହାକବି

ସାରଳା ଦାସ

ଶ୍ରୀ ନୀଳମଣି ମିଶ୍ର

ରାଣୀ କର୍ପୂରଶ୍ରୀ

ଶ୍ରୀ ଯଜ୍ଞ କୁମାର ସାହୁ

ଅମର ଶହୀଦ

ଶ୍ରୀ ରାଧାମୋହନ ଗଡ଼ନାୟକ

୧୦

ପଦଚିହ୍ନ

ଶ୍ରୀ ଦୁର୍ଗାଚରଣ କୁଅଁର

୧୧

ଦେବର୍ଷି ନାରଦ

ଅଧ୍ୟାପକ ରାଜକିଶୋର ମିଶ୍ର

୧୨

ଓଡ଼ିଶୀ ନୃତ୍ୟ ସମ୍ପର୍କରେ କେତେକ

ଭ୍ରମାତ୍ମକ ତଥ୍ୟର ପ୍ରତିବାଦ

ନୀଳମାଧବ ପାଣିଗ୍ରାହୀ

୧୩

ଏକାଡେମୀ ସମାଚାର

 

୧୪

ସମ୍ପାଦକୀୟ

 

 

***

 

କୋଣାର୍କ ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ଚାରିଗୋଟି ସଂଖ୍ୟା ନିୟମିତ ଭାବେ ମାର୍ଚ୍ଚ, ଜୁନ୍‍, ସେପ୍ଟେମ୍ବର ଓ ଡିସେମ୍ବର ମାସରେ ପ୍ରକାଶିତ ହେବ ଏବଂ ପ୍ରତି ସଂଖ୍ୟାର ମୁଲ୍ୟ ଟ ୪୦୦୦ ରହିବ । ଯେଉଁମାନେ ଟ ୧୫୦୦ ଦେଇ ବାର୍ଷିକ ଗ୍ରାହକ ହେବେ, ସେମାନଙ୍କ ନିକଟକୁ ଏକାଡେମୀ ପକ୍ଷରୁ ପ୍ରକାଶିତ ସଂଖ୍ୟାମାନ ପ୍ରେରିତ ହେବ । ବିଶେଷ ସଂଖ୍ୟାଗୁଡ଼ିକର ମୁଲ୍ୟ ସ୍ୱତନ୍ତ୍ର ଭାବରେ ନିର୍ଦ୍ଧାରିତ ହୋଇପାରେ । କିନ୍ତୁ ବାର୍ଷିକ ଗ୍ରାହକମାନଙ୍କୁ ଏଥିପାଇଁ ଅଧିକ ମୁଲ ଦେବାକୁ ପଡ଼ିବ ନାହିଁ ।

୨.

‘କୋଣାର୍କ’ରେ ସମୀକ୍ଷା ଓ ଗବେଷଣା-ଧର୍ମୀ ପ୍ରବନ୍ଧ ସହିତ ଏଣିକି ସୀମିତ ଓ ନିୟମିତ ଭାବରେ କେତୋଟି କବିତା, ଗଳ୍ପ ଓ ଗ୍ରନ୍ଥ-ସମୀକ୍ଷା ମଧ୍ୟ ସ୍ଥାନ ପାଇବ । ତେଣୁ ସୃଜନଶୀଳ ଲେଖକ ଓ ଆଲୋଚକମାନେ ଏକାଡେମୀର ସମ୍ପାଦକଙ୍କ ନିକଟକୁ କବିତା, ଗଳ୍ପ, ପ୍ରବନ୍ଧ ଓ ଗ୍ରନ୍ଥ-ସମୀକ୍ଷା ଇତ୍ୟାଦି ପଠାଇବାକୁ ଅନୁରୋଧ । ପ୍ରକାଶ ଥାଉକି, ଗ୍ରନ୍ଥ-ସମୀକ୍ଷା ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟି କୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ଆବଶ୍ୟକ ।

୩.

‘କୋଣାର୍କ’ରେ ପ୍ରକାଶିତ ପ୍ରବନ୍ଧ, ଆଲୋଚନା, କବିତା, ଗଳ୍ପ ଓ ଗ୍ରନ୍ଥ-ସମୀକ୍ଷା ଇତ୍ୟାଦି ପାଇଁ ଟ ୧୦୦,୦୦ (ଶହେ ଟଙ୍କା) ଲେଖାଏଁ ପାରିତୋଷିକ ପ୍ରଦାନ କରାଯିବ ।

୪.

ନିଜ ଦେଶର ବା ବିଦେଶର ଅନ୍ୟାନ୍ୟ ଭାଷାରେ ରଚିତ ସାହିତ୍ୟ ସମ୍ପର୍କରେ ଆଲୋଚନା ଏବଂ ବିଭିନ୍ନ ସାରସ୍ୱତ ପ୍ରତିଷ୍ଠାନଗୁଡ଼ିକର କୃତି ସମ୍ୱନ୍ଧରେ ପ୍ରକାଶଯୋଗ୍ୟ ସଂକ୍ଷିପ୍ତ ସମାଚାର ମଧ୍ୟ କୋଣାର୍କ ପୃଷ୍ଟାରେ ସ୍ଥାନ ପାଇବ ।

୫.

‘କୋଣାର୍କ’ରେ ପ୍ରକାଶ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ରଖିବା ପାଇଁ ଲେଖକ-ଲେଖିକାମାନଙ୍କୁ ଅନୁରୋଧ । ଅମନୋନୀତ ଲେଖା ଫେରାଇ ଦେବାର ବ୍ୟବସ୍ଥା ନାହିଁ । ଲେଖା ମନୋନୀତ ହେଲେ ସଂପୃକ୍ତ ଲେଖକ-ଲେଖିକାଙ୍କୁ ତାହା ଜଣାଇ ଦିଆଯିବ ।

୬.

ଲେଖା ନିର୍ବାଚନର ଦାୟିତ୍ୱ ସଂପୂର୍ଣ୍ଣ ରୂପେ ସଂପାଦକଙ୍କ ରୁଚି ଓ ବିଚାର ଉପରେ ନିର୍ଭରଶୀଳ । ଅନ୍ୟସବୁ ପ୍ରକାର ଯୋଗାଯୋଗ ଓ ପତ୍ରାଳାପ ଏକାଡେମୀର ସଂପାଦକଙ୍କ ସହିତ କରିବା ପାଇଁ ଅନୁରୋଧ ।

୭.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କର ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

 

***

 

 

ସାରଳା ଦାସଙ୍କ ‘ରାଧାଚକ୍ର’–ଏକ ସମୀକ୍ଷାତ୍ମକ ଅଧ୍ୟୟନ

ଶ୍ରୀ ଉଦୟନାରାୟଣ ପାଢ଼ୀ

 

କୃଷ୍ଣ ସିଂହଙ୍କ ମହାଭାରତ ପରି ସାରଳା ଦାସଙ୍କ ମହାଭାରତ ସଂସ୍କୃତ ମହାଭାରତର ଅବିକଳ ଅନୁବାଦ ବା ଅନୁକୃତି ନୁହେଁ । ସଂସ୍କୃତ ମହାଭାରତର କଥାବସ୍ତୁକୁ ଗ୍ରହଣ କରି ସାରଳା ଦାସ ‘ଉତ୍କଳର ସମସାମୟିକ ଆଧ୍ୟାତ୍ମିକ ପୃଷ୍ଠଭୂମି ଓ ସାଂସ୍କୃତିକ ପରାମ୍ପରାର ପ୍ରେରଣାରେ’’ ଯେଉଁ ପ୍ରକାଣ୍ଡ ଗ୍ରନ୍ଥ ପ୍ରଣୟନ କରି ଯାଇଛନ୍ତି, ତାହା ଯେ ଏକ ନୂତନ ଓ ମୌଳିକ ମହାକାବ୍ୟ, ଏଥିରେ ଅଣୁମାତ୍ର ସନ୍ଦେହର ଅବକାଶ ନାହିଁ । ସୁତରାଂ ସଂସ୍କୃତ ମହାଭାରତରେ ବର୍ଣ୍ଣିତ ଅନେକ ବିଷୟର ପରିବେଷଣ ସାରଳା ମହାଭାରତରେ ଭିନ୍ନ ରୂପରେ ହୋଇଥିବାର ପରିଦୃଷ୍ଟ ହୁଏ । ସାରଳା ଦାସ ସ୍ୱୀୟ ମହାଭାରତରେ ଭିନ୍ନ ରୂପରେ ହୋଇଥିବାର ପରିଦୃଷ୍ଟ ହୁଏ । ସାରଳା ଦାସ ସ୍ୱୀୟ ମହାଭାରତର ‘‘ଆଦି ପର୍ବ’’ରେ ଦୌପଦୀ ସ୍ୱୟମ୍ବର ପ୍ରସଙ୍ଗରେ ଯେଉଁ ରାଧାଚକ୍ରର ଅବତାରଣା କରିଅଛନ୍ତି, ତାହାର ଉଲ୍ଲେଖ ବ୍ୟାସ ଦେବଙ୍କ ମହାଭାରତରେ ଦେଖିବାକୁ ମିଳେ ନାହିଁ । ରାଧାଚକ୍ର ସାରଳା ଦାସଙ୍କ ମୌଳିକ କଳ୍ପନାରୁ ଉଦ୍‌ଭୂତ ନା କୌଣସି ପ୍ରାମାଣିକ ଶାସ୍ତ୍ରୀୟ ପରଂପରା ଉପରେ ପ୍ରତିଷ୍ଠିତ, ଏହା ହେଉଛି ପ୍ରସ୍ତୁତ ପ୍ରବନ୍ଧର ଆଲୋଚ୍ୟ ବିଷୟ ।

 

ସାରଳା-ମହାଭାରତରେ ରାଧାଚକ୍ରର ବର୍ଣ୍ଣନା :

ଗୁରୁ ଦ୍ରୋଣ କୃତ ଅପମାନର ପ୍ରତିଶୋଧ ନେବା ପାଇଁ ଜାମାତୃ-ପଦରେ ଅର୍ଜୁନଙ୍କୁ ବରଣ କରିବା ଉଦ୍ଦେଶ୍ୟରେ ବ୍ୟାସଦେବଙ୍କ ପରାମର୍ଶ ଅନୁଯାୟୀ ପାଞ୍ଚାଳରାଜ ଦ୍ରୁପଦ ରାଧାଚକ୍ର ନାମକ କୂଟଲକ୍ଷ୍ୟ ସ୍ଥାପନ କରିଥିଲେ (୧) । ସ୍ୱୟଂବର ସଭାରେ ସମାସୀନ ଚାରି ଊଣା ଲକ୍ଷେ ରାଜାଙ୍କ ସମକ୍ଷରେ ଦ୍ରୁପଦ ରାଧାଚକ୍ରର ଗଠନ ଓ ଭେଦନ ରୀତିର ବର୍ଣ୍ଣନା ନିମ୍ନମତେ କରିଅଛନ୍ତି-

 

‘‘ରାଧାଚକ୍ରେ ବୁଲଇ ଯେ ସହସ୍ରେକ ଧାର

କନକର ମୀନ ଅଛି ତହିଁର ଉପର ।।

କୁରାଳ ଚକ୍ର ପ୍ରାୟେ ଯେ ବୁଲଇ ଅନ୍ତରୀକ୍ଷେ

ତଳେ ଧନୁ ୟେକ ଅଛଇ ବଳ ୟେକ ଲକ୍ଷେ ।।

 

ରାଧାଚକ୍ର ବୁଲୁଅଛି ସାତତାଳ ଉଚ୍ଚେ

ତାଳେକ ଉପରେ କନେକ ପଟାୟେ କଣ୍ଟିଲା ଅଛି ସଞ୍ଚେ ।।

ଲକ୍ଷେ ବଳ ଧନୁ ଧରି ସେ ପଟାର ଉପରେଣ ଉଠି

ତହିଁର ତଳେ ଥୋଇଲା ଅଛି ତୀର୍ଥଜଳ ଘଟୀ ଗୋଟୀ ।।

 

ତଳକୁ ହେବ ଚକ୍ର ଭେଦି ମୀନ ବାମ ଚକ୍ଷୁ ଯିବ ଫୁଟି ।।

ୟେହେନ୍ନେକ ସରୂପେ ଯେଉଣ କ୍ଷତ୍ରୀ ଲାଖ ବିନ୍ଧିବ

ମୋହୋର ଦୁହିତା ଦୌପଦୀକି ସେ ପ୍ରଦାନ ହୋଇବ ।।’’ (୨)

 

ଦୁଇଜଣ ବିଶିଷ୍ଟ ପଣ୍ଡିତଙ୍କ ମତ :

ଆଂଶିକ ଭାବରେ ହେଉ ବା ସାମଗ୍ରିକ ଭାବରେ ହେଉ ସାରଳା-ସାହିତ୍ୟର ଆଲୋଚନା କ୍ଷେତ୍ରରେ ଯେଉଁମାନେ ଲେଖନୀ ଚାଳନା କରିଅଛନ୍ତି । ସେ ଦୁହେଁ ହେଲେ ସାରଳା-ମହାଭାରତର ଆଦି ସମୀକ୍ଷକ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ଓ ବିଶିଷ୍ଟ ଗବେଷକ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ । ପଣ୍ଡିତ ଗୋପୀନାଥ ନନ୍ଦ କହନ୍ତି, ‘‘ମୂଳରେ ଉକ୍ତ ଅଛି କି, ଦ୍ରୂପଦ ରାଜା ଆପଣାର ସଂପ୍ରାପ୍ତବୟସ୍କ ଦୁହିତା ଦୌପଦୀଙ୍କର ସ୍ୱୟମ୍ୱରରେ ଗୋଟିଏ ସୁଦୃଢ଼ ଧନୁ ଓ ଆକାଶ ନିହିତ କୃତ୍ରିମ ଯନ୍ତ୍ରୋପରି ଗୋଟତିଏ ଚଳ ଲକ୍ଷ୍ୟ ପ୍ରସ୍ତୁତ କରିଥିଲେ । ସାରଳା ଦାସ କବି ‘‘ବୈହାୟସ କୃତ୍ରିମ ଯନ୍ତ୍ର’’ ମୂଳରେ ଏହି କଥାଟିକି ମାତ୍ର ନେଇ ସ୍ୱକୀୟ କଳ୍ପନା ଶକ୍ତିର ବଳରେ ଲକ୍ଷ୍ୟଟିକି ସଙ୍ଗତ ରୂପେ ଭିନ୍ନ ପ୍ରକାର କରି ଅଛନ୍ତି’’ (୩) । କିନ୍ତୁ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ ସାରଳା ମହାଭାରତ, ସଂସ୍କୃତ ମହାଭାରତ ଓ ଜୈନ ହରିବଂଶ ଅଧ୍ୟୟନ କରି ମତ ପ୍ରଦାନ କରନ୍ତି ଯେ, ‘‘ପୂର୍ବୋକ୍ତ ତିନିଗୋଟିଯାକ ଗ୍ରନ୍ଥର ବର୍ଣ୍ଣନା ପଢ଼ିଲା ପରେ ଧାରଣା ଜନ୍ମେ ଯେପରିକି ସାରଳା ବ୍ୟାସଙ୍କ ମହାଭାରତ ଓ ଜୈନ ହରିବଂଶର କଥାବସ୍ତୁକୁ ଏକାଠି କରି ନିଜ କଳ୍ପନାନୁସାରେ ମଧ୍ୟମ ପ୍ରକାରର ବର୍ଣ୍ଣନାଟିଏ ନିଜ ଗ୍ରନ୍ଥରେ ଦେଇ ଅଛନ୍ତି । .........ଏହି ହେତୁ ମନେ ହୁଏ -ସାରଳା ‘‘ରାଧା’’ ଶବ୍ଦଟିକୁ ଜୈନ ହରିବଂଶୀୟ ଆଖ୍ୟାନ ଭାଗ ଅବଲମ୍ୱନରେ ତତ୍କାଳରେ ପ୍ରଚଳିତ କିମ୍ୱଦନ୍ତୀରୁ ଗ୍ରହଣ କରିଅଛନ୍ତି । ଅନ୍ୟଥା ସେ ଯଦି ଅଭିଧାନ ପଢ଼ି ରାଧା ଶବ୍ଦର ପ୍ରୟୋଗ କରିଥାନ୍ତେ, ତେବେ ତାକୁ ‘ଚକ୍ର’ ଶବ୍ଦର ପୂର୍ବରେ ନବସାଇ ‘ରକ୍ଷ୍ୟ’ ଅର୍ଥରେ ହିଁ ପ୍ରୟୋଗ କରିଥାନ୍ତେ’’ (୪) ।

 

ପୂର୍ବୋକ୍ତ ପ୍ରଥମ ମତଟି ଗବେଷଣାର ପ୍ରଥମ ପର୍ଯ୍ୟାୟର ଓ କେବଳ ସଂସ୍କୃତ-ମହାଭାରତ ସହିତ ସାରଳା ମହାଭାରତର ତୁଳନାତ୍ମକ ଅଧ୍ୟାୟନ ଉପରେ ପ୍ରତିଷ୍ଠିତ । କିନ୍ତୁ ଦ୍ୱିତୀୟ ମତଟି ଅଧିକତର ପ୍ରାମାଣିକ ତଥ୍ୟ ଉପରେ ଆଧାରିତ । ତେଣୁ ଆଚାର୍ଯ୍ୟଙ୍କ ମତ ବା ସିଦ୍ଧାନ୍ତ ଆପାତତଃ ସମର୍ଥନଯୋଗ୍ୟ ଓ ଗ୍ରହଣୀୟ ମନେ ହୁଏ । ‘‘ସାରଳା ରାଧା ଶବ୍ଦଟିକୁ ଜୈନ୍ୟ ହରିବଂଶୀୟ ଆଖ୍ୟାନ ଭାଗ ଅବଲମ୍ୱନରେ ତତ୍କାଳରେ ପ୍ରଚଳିତ କିମ୍ୱଦନ୍ତୀରୁ ଗ୍ରହଣ କରିଅଛନ୍ତି’’ ବୋଲି ପଣ୍ଡିତ ଆଚାର୍ଯ୍ୟ ଅନୁମାନ କଲାବେଳେ ଆଉ ଜଣେ ଆଲୋଚକ ରାଧା ଶବ୍ଦଟି ନିଃସନ୍ଦେହ ଭାବରେ ସାରଳା ଦାସଙ୍କଦ୍ୱାରା ଜୈନ ହରିବଂଶ ପୁରାଣରୁ ଗୃହୀତ ବୋଲି ମତ ବ୍ୟକ୍ତ କରନ୍ତି (୫)-। ସୁତରାଂ ରାଧାଚକ୍ର ବିଷୟରେ ଉପଲବ୍‌ଧ ଅନ୍ୟାନ୍ୟ ତଥ୍ୟ ଉପରେ ଆଲୋକପାତ ପୂର୍ବକ ଉପର୍ଯ୍ୟୁକ୍ତ ମତ ବା ସିଦ୍ଧାନ୍ତଗୁଡ଼ିକର ଯୌକ୍ତିକତା ସଂପର୍କରେ ପୁନର୍ନିରୀକ୍ଷା ଆବଶ୍ୟକ ।

 

ସଂସ୍କୃତ-ମହାଭାରତରେ ବର୍ଣ୍ଣିତ ଲକ୍ଷ୍ୟ:

ପୁନର୍ନିରୀକ୍ଷାରେ ପ୍ରବୃତ୍ତ ହେବା ପୂର୍ବରୁ ବ୍ୟାସଦେବଙ୍କ ସଂସ୍କୃତ-ମହାଭାରତ ପ୍ରତି ପ୍ରଥମେ ଦୃଷ୍ଟି ନିକ୍ଷେପ କରାଯାଉ । ସଂସ୍କୃତ-ମହାଭାରତର ଆଦି ପର୍ବରେ ଉଲ୍ଲେଖ ଅଛି–

 

‘‘ସୋଽନ୍ୱେଷମାଣଃ କୌନ୍ତେୟାନ୍‌

      ପାଞ୍ଚାଲ୍ୟୋ ଜନମେଜୟ ।

ଦୃଢଂ ଧନୁରନାୟମଂ

      କାରୟାମାସ ଭାରତ ।।

 

ଯନ୍ତ୍ରଂ ବେହାୟସଂ ଚାପି

      କାରୟାମାସ କୃତ୍ରିମମ୍‌ ।

ତେନ ଯନ୍ତ୍ରେଣ ସହିତଂ

      ରାଜା ଲକ୍ଷ୍ୟଂ ଚ କାଞ୍ଚନମ୍‌ ।।

 

ଦ୍ରୁପଦ ଉବାଚ

      ଇଦଂ ସଜ୍ୟଂ ଧନୁଃ କୃତ୍ୱା

ସଜ୍ୟେନାନେନ ସାୟକୈଃ ।

ଅତୀତଂ ଲକ୍ଷ୍ୟଂ ଯୋ ବେଦ୍ଧା

      ସଲବ୍‌ଧା ମତ୍‌ସୁତାମିତି ।।(୬)

 

ଅର୍ଥାତ୍‌ ‘ହେ ଜନମେଜୟ ! ପାଞ୍ଚାଳ ଦେଶାଧିପତି କୁନ୍ତୀପୁତ୍ରଙ୍କୁ ଅନେକ ଅନ୍ୱେଷଣ କଲେ; କିନ୍ତୁ ତାହାକୁ ପ୍ରାପ୍ତ ନ ହେବାରୁ ହେ ଭାରତ ! ଅନ୍ୟର ଅନମନୀୟ ଗୋଟିଏ ଦୃଢ଼ ଧନୁ ପ୍ରସ୍ତୁତ କରାଇଲେ; ଆକାଶରେ ଗୋଟିଏ କୃତ୍ରିମ ଯନ୍ତ୍ର ପ୍ରସ୍ତୁତ କରାଇ ସେହି ଯନ୍ତ୍ରରେ ଗୋଟିଏ ଚଳ ଲକ୍ଷ୍ୟକୁ ସଂଯୁକ୍ତ କରାଇଲେ ।’

 

‘ଦ୍ରୁପଦ ବୋଇଲେ–ଯେଉଁ ବ୍ୟକ୍ତି ଏହି ଶରାସନରେ ଗୁଣ ଦେଇ ଏହି ସର୍ଜ୍ଜିତ ସାୟକଦ୍ୱାରା ସେହି ଯନ୍ତ୍ରକୁ ଅତିକ୍ରମ କରି ତାହାର ପର ପାର୍ଶ୍ୱବର୍ତ୍ତୀ ଲକ୍ଷ୍ୟକୁ ବିଦ୍ଧ କରିବେ, ସେହି ବ୍ୟକ୍ତି ଆମ୍ଭ ସୁତାଙ୍କୁ ଲାଭ କରିବେ’ (୭)

 

ପୁନଶ୍ଚ ବ୍ୟାସଦେବ ଧୃଷ୍ଟଦ୍ୟୁମ୍ନଙ୍କ ମୁଖରେ କୁହାଇ ଅଛନ୍ତି–‘‘ X X X

 

ଶୃଣ୍ୱନ୍ତୁ ମେ ପାର୍ଥିବାଃ ସର୍ବ ଏବ ।

ଯନ୍ତ୍ରଚ୍ଛିଦ୍ରେଣାଭ୍ୟତିକ୍ରମ୍ୟ ଲକ୍ଷ୍ୟଂ

            ସମର୍ପୟଧ୍ୱଂ ଖଗମୈର୍ଦଶାଧୈଃ ।।

 

ଏତତ୍କର୍ତ୍ତା କର୍ମ ସୁଦୁଷ୍କରଂ ଯଃ

            କୁଳେନ ରୂପେଣଂ ବଳେନ ଯୁକ୍ତଃ ।

ତସ୍ୟାଦ୍ୟ ଭାର୍ଯ୍ୟା ଭଗିନୀ ମମେୟଂ

            କୃଷ୍ଣା ଭବିତ୍ରୀ ନମୂଷା ବ୍ରବୀମି ।।’’ (୮)

 

ରାଜା କୃଷ୍ଣସିଂହ ଏହାର ଅନୁବାଦ ନିମ୍ନମତେ କରି ଅଛନ୍ତି–

 

‘‘ଶୁଣ ଏବେ ମୋଠାରୁ ସମସ୍ତ ନରଦେବ ।

ଏ ଧନୁରେ ଏ ପାଞ୍ଚବାଣକୁ ସନ୍ଧିବ ।।

ଆକାଶସ୍ଥ ଯନ୍ତ୍ରଛିଦ୍ର ଅତିକ୍ରମି ଲାଖ ।

ଯେ ଭେଦିବ ସେ ନେବ ମୋ ଭଗ୍ନୀ ନାରୀଶିଖ ।’’ (୯)

 

ଏଠାରେ ଲକ୍ଷ୍ୟ କରିବାର କଥା ଯେ, ଉପର୍ଯ୍ୟୁକ୍ତ ସଂସ୍କୃତ ଉଦ୍ଧୃତି ଦ୍ୱୟରେ ମତ୍ସ୍ୟ କିମ୍ୱା ଜଳକୁମ୍ଭର ଉଲ୍ଲେଖ ନାହିଁ । ଏପରିକି ଆକାଶ ନିହିତ ଯନ୍ତ୍ର ଓ ଲକ୍ଷ୍ୟର ଆକାର-ପ୍ରକାର କିପରି ଥିଲା ଏବଂ ତନ୍ମଧ୍ୟରୁ କେଉଁଟି ଚଳନଶୀଳ ଓ କେଉଁଟି ସ୍ଥିର ଥିଲା, ସେ ବିଷୟରେ ବ୍ୟାସଙ୍କ ମହାଭାରତ ସମ୍ପୂର୍ଣ୍ଣ ନୀରବ । କେବଳ ନିକ୍ଷିପ୍ତ ଶରପଞ୍ଚିକ ଯନ୍ତ୍ରଚ୍ଛିଦ୍ର ଅତିକ୍ରମ କରି ଲକ୍ଷ୍ୟ ଭେଦ କରିବା କଥା କୁହାଯାଇଛି । ସଂସ୍କୃତ-ମହାଭାରତର ସୁପ୍ରସିଦ୍ଧ ଟୀକାକାର ନୀଳକଣ୍ଠ ‘‘ବୈହାୟସ ଯନ୍ତ୍ର’’ର ଟୀକା କରି ଲେଖି ଅଛନ୍ତି ‘‘ବୈହାୟସଂ ଅନ୍ତରୀକ୍ଷଗତଂ ଯନ୍ତ୍ରଂ, ତୀବ୍ରବେଗବତ୍ତୟା ଭ୍ରମଣେନ ଲକ୍ଷ୍ୟମାର୍ଗସଙ୍କୋଚକମନରାବିଦ୍ଧମ୍‌ ।’’ ଏଥିରୁ ଏତିକି ମାତ୍ର ଜଣାପଡ଼େ ଯେ ଅନ୍ତରୀକ୍ଷଗତ ଯନ୍ତ୍ରଟି ତୀବ୍ର ବେଗରେ ଘୂର୍ଣ୍ଣନ କରୁଥିଲା ଓ ଏହି ହେତୁରୁ ତାହା ଲକ୍ଷ୍ୟମାର୍ଗ ସଙ୍କୋଚନର କାରଣ ଥିଲା ।

 

ମୂଳ ଭାଗବତରେ ବର୍ଣ୍ଣିତ ମତ୍ସ୍ୟବେଧ :

କିନ୍ତୁ ସଂସ୍କୃତ ଭାଗବତର ଦଶମସ୍କନ୍ଧରେ ପରୋକ୍ଷ ଭାବରେ ବର୍ଣ୍ଣିତ ହୋଇଛି ଯେ ଦ୍ରୋପଦୀଙ୍କ ସ୍ୱୟମ୍ୱରରେ ମତ୍ସ୍ୟବେଧର ବ୍ୟବସ୍ଥା କରାଯାଇଥିଲା । କୃଷ୍ଣଙ୍କର ଅଷ୍ଟପଟ୍ଟମହିଷୀ ଦୌପଦୀଙ୍କ ଅନୁରୋଧକ୍ରମେ ନିଜ ନିଜ ପରିଣୟ କାଳର ସ୍ମୃତି ଅଭିବ୍ୟକ୍ତ କରିଛନ୍ତି । ରୁକ୍ମିଣୀ, ସତ୍ୟଭାମା, ଜାମ୍ୱବତୀ, କାଳନ୍ଦୀ, ମିତ୍ରବିନ୍ଦା, ସତ୍ୟା ଓ ଭଦ୍ରାଙ୍କ ପରେ ଲକ୍ଷ୍ମଣା ତାଙ୍କର ସ୍ୱୟଂମ୍ୱରକାଳୀନ ସ୍ମୃତି ବର୍ଣ୍ଣନା କରି କହିଛନ୍ତି–

 

‘‘ଯଥା ସ୍ୱୟମ୍ୱରେ ରାଜ୍ଞି ମତ୍ସ୍ୟ ପାର୍ଥେପ୍‌ସୟା କୃତଃ ।

ଅୟଂ ତୁ ବହିରାଚ୍ଛନ୍ନୋ ଦୃଶ୍ୟତେ ସ ଜଳେ ପରମ୍‌ ।।’’ (୧୦)

 

ଭାଗବତର ଅନ୍ୟତମ ଅନୁବାଦକ ଦୀନବନ୍ଧୁ ଖାଡ଼ଙ୍ଗା ଏହି ଶ୍ଳୋକଟିର ଉତ୍କଳାନୁବାଦ ନିମ୍ନମତେ କରିଛନ୍ତି–

 

‘‘ଯେସନେ ତୁମ୍ଭ ସ୍ୱୟମ୍ୱରେ

ଅର୍ଜ୍ଜୁନ ପ୍ରାପ୍ତି ନିମିତ୍ତରେ

।।

ଯେ ରୂପେ ମତ୍ସ୍ୟ ହୋଇଥିଲା

ସେହି ରୂପରେ ମତ୍ସ୍ୟ କଲା

।।

ପୁଣି ଏ ମତ୍ସ୍ୟ ବାହାରରେ

ଆଚ୍ଛନ୍ନ ହୋଇ ନିରନ୍ତରେ

।।

ସ୍ତମ୍ଭ ମୂଳରେ ଯେଉଁ ଜଳ

ତହିଁରେ ଦିଶଇ କେବଳ (୧୧)

।।

 

ଭାଗବତର ଉପରି-ଉଦ୍ଧୃତ ବର୍ଣ୍ଣନାରେ ଦୌପଦୀଙ୍କ ସ୍ୱୟମ୍ୱର ଓ ଲକ୍ଷ୍ମଣାଙ୍କ ସ୍ୱୟମ୍ୱରରେ ଅବସ୍ଥାପିତ ଲକ୍ଷ୍ୟଦ୍ୱୟ ମଧ୍ୟରେ ଥିବା ସାଦୃଶ୍ୟ ଓ ବୈଶିଷ୍ଟ୍ୟ ଦର୍ଶାଇ ଦିଆଯାଇଛି । ଏଥିରେ ମତ୍ସ୍ୟ ଓ ଜଳରେ ମତ୍ସ୍ୟର ପ୍ରତିବିମ୍ୱନ କଥା ଉଲ୍ଲିଖିତ ହୋଇଥିଲେ ହେଁ ମତ୍ସ୍ୟ ତଳେ ଚକ୍ରର ଭ୍ରମଣ ବିଷୟରେ କିଛି କୁହାଯାଇ ନାହିଁ ।

 

‘ଜୈନ ହରିବଂଶ’ ବର୍ଣ୍ଣିତ ଦ୍ରୌପଦୀ ସ୍ୱୟମ୍ୱରରେ ସ୍ଥାପିତ ଲକ୍ଷ୍ୟ :

ଜୈନ ହରିବଂଶ ପୁରାଣ କର୍ଣ୍ଣାଟରେ ଖ୍ରୀଷ୍ଟମ ଶତକରେ ସଂସ୍କୃତ ଭାଷାରେ ଶ୍ରୀଜିନ ସେନସୂରୀଙ୍କଦ୍ୱାରା ରଚିତି ହୋଇଥିଲା । ତହିଁରେ ଉଲ୍ଲେଖ ଅଛି–

 

‘‘ରୂପଲାବଣ୍ୟ ସୌଭାଗ୍ୟ କଳାଳଙ୍କୃତବିଗ୍ରହା ।

ଦ୍ରୌପଦୀ ତନୟା ତସ୍ୟ ଦ୍ରୂପଦସ୍ୟୋପମୋଜ୍‌ଝିତା ।।

ତସ୍ୟା କୃତେ ସର୍ବେ ମନୋବଗୈର୍ନୃପାତ୍ମଜାଃ ।

ସଗ୍ରହା ଇବ ଯାଚନ୍ତେ ନାନୋପାୟନ ପାଣୟଃ ।।

 

ଦାକ୍ଷିଣ୍ୟଭଙ୍ଗଭୀତେନ ଦ୍ରୁପଦେନ ତତୋ ନୃପାଃ ।

ବିଶ୍ୱେ ଚନ୍ଦ୍ର କବେଧାର୍ଥମାହୃତାଃ କନ୍ୟକାର୍ଥିନଃ ।।

ଦ୍ରୌପଦୀଗ୍ରହବଶ୍ୟାନାଂ କାଶ୍ୟପ୍ୟାମିହ ଭୁଭୃତାମ୍‌ ।

କର୍ଣ୍ଣଦୁର୍ଯ୍ୟୋଧନାଦୀନାଂ ମାକଂଦ୍ୟାଂ ନିବହୋଽଭବତ୍‌ ।।

 

ଚଣ୍ଡଗାଣ୍ଡୀବକୋଦଣ୍ଡମଣ୍ଡଳୀକରଣକ୍ଷମଃ ।

ରାଧାବେଧସମର୍ଥୋ ଯା ଦ୍ରୌପଦ୍ୟାଃ ସ ଭବେ ତ୍ପତିଃ ।।

 

ଭ୍ରମଚ୍ଚକ୍ରସମାରୁଢ଼ୋ ବାଣଂ ସଂଧୃତ୍ୟ ଦକ୍ଷିଣଃ ।

ଲକ୍ଷ୍ୟଂ ଚନ୍ଦ୍ର କବେଧାଖ୍ୟଂ ଦିବ୍ୟାଧ ନୃପସନ୍ନିଧୌ ।।’’ (୧୨)

 

ଅର୍ଥାତ୍‌ ରୂପ-ଲାବଣ୍ୟ-ସୌଭାଗ୍ୟ-କଳା-ମଣ୍ଡିତ-ଶରୀର ନିରୂପମା ଦ୍ରୌପଦୀଙ୍କ ପାଣିଗ୍ରହଣ ପାଇଁ ରାଜପୁତ୍ରମାନେ ନାନାବିଧ ଉପଢ଼ୌକନ ଧରି ଯେତେବେଳେ ଦ୍ରୁପଦଙ୍କ ନିକଟରେ ଯାଚନା କଲେ, ସେତେବେଳେ ଦାକ୍ଷିଣ୍ୟଭଙ୍ଗଭୀତ ଦ୍ରୂପଦ କନ୍ୟାର୍ଥି ରାଜାମାନଙ୍କୁ ‘ଚନ୍ଦକବେଧ’ ନିମିତ୍ତ ନିମନ୍ତ୍ରଣ କଲେ । ଦୌପଦୀ ପ୍ରାପ୍ତି ଆଶାରେ ମାକନ୍ଦୀ ନଗରରେ କର୍ଣ୍ଣ, ଦୁର୍ଯ୍ୟୋଧନ ପ୍ରଭୃତି ନୃପତିଗଣ ଏକତ୍ରିତ ହେଲେ । ପଣ ରହିଲା-ଯେଉଁ ବୀର ଚଣ୍ଡ ଗାଣ୍ଡୀବ ଧନୁରେ ଗୁଣ ଦେଇ ତାକୁ ମଣ୍ଡଳୀକୃତ କରିପାରିବ ଓ ‘ରାଧାବେଧ’ରେ ସମର୍ଥ ହେବ, ସେ ହିଁ ଦ୍ରୌପଦୀଙ୍କ ପତି ହେବ । ପରିଶେଷରେ ଅର୍ଜ୍ଜୁନ ଘୂର୍ଣ୍ଣାୟମାନ ଚକ୍ର ଉପରେ ଆରୋହଣ ପୂର୍ବକ ବାଣ ଧରି ରାଜାମାନଙ୍କ ଗହଣରେ ‘ଚନ୍ଦ୍ରକବୋଧ’ ନାମକ ଲକ୍ଷ୍ୟକୁ ଭେଦନ କଲେ ।

 

ଏଥିରୁ ଜଣାପଡ଼ୁଛି ଯେ, ଯେଉଁ ଚନ୍ଦ୍ରାକାର କ୍ଷୁଦ୍ର ବସ୍ତୁଟି ଲକ୍ଷ୍ୟ ରୂପେ ବିଦ୍ଧ ହେବା ପାଇଁ ଉଦ୍ଦିଷ୍ଟ, ତାହା ହିଁ ‘ରାଧା’ ଶବ୍ଦଦ୍ୱାରା ସୂଚିତ ଏବଂ ‘ଚନ୍ଦ୍ରକବେଧ’ ହେଉଛି ‘ରାଧାବେଧ’ର ଏକ ବିଶିଷ୍ଟ ରୂପ । ଏହି ଲକ୍ଷ୍ୟବେଧରେ ଲକ୍ଷ୍ୟ ସ୍ଥିର; କିନ୍ତୁ ଲକ୍ଷ୍ୟଭେଦୀର ସ୍ଥିତି ଅସ୍ଥିର । ଏଠାରେ ଉଲ୍ଲେଖନୀୟ ଯେ, ଜୈନମାନଙ୍କ ‘ଜ୍ଞାତୃଧର୍ମକଥା’ରେ ଦ୍ରୌପଦୀ ସ୍ୱୟମ୍ୱରରେ କୌଣସି ପଣ ଥିବାର ଉଲ୍ଲେଖ ନାହିଁ । ‘‘ଚଲେତେ ଚଲ୍‌ତେ ଜବ୍‌ ଦ୍ରୌପଦୀ ପଂଚ୍‌ ପାଣ୍ଡବେଁ କେ ପାସ୍‌ ଆୟୀ ତୋ ଓହାଂ ରୁକୀ ଔର ଊନ୍‌କେ ଗଲେ ମେ ଉସ୍‌ନେ ବର୍‌ମାଲା ଡାଲ୍‌ ଦୀ’ (୧୩) ।

 

ଜୈନ-ଆଗମ-ସାହିତ୍ୟରେ ରାଧାବୋଧର ଅନ୍ୟ ଏକ ରୂପ :

‘‘ଉତ୍ତରାଧ୍ୟୟନଟୀକା’’ରେ ମଥୁରାର ରାଜା ଜିତଶତ୍ରୁଙ୍କ କନ୍ୟା ନିର୍ବୃତିଙ୍କ ସ୍ୱୟମ୍ୱର ବର୍ଣ୍ଣିତ ହୋଇଅଛି । ସେହି ସ୍ୱୟମ୍ୱରରେ ରଖା ଯାଇଥିବା ପଣ ବିଷୟରେ କହିବାକୁ ଯାଇ ଡକ୍‌ଟର ଜଗଦୀଶ ଚନ୍ଦ୍ର ଜୈନ ଲେଖିଛନ୍ତି: ‘‘ପହିୟେ କେ ଏକ୍‌ ଧୁରେ (ଅକ୍‌ଖ) ମେଂ ଆଠ୍‌ ଚକ୍ରୋଁ କେ ଉପର୍‌ ଏକ୍‌ ପୁତ୍‌ଲୀ ସ୍ଥାପିତ କୀ ଗୟୀ ଔର୍‌ ଘୋଷ୍‌ଣା କୀ ଗୟୀ କି ଜୋ କୋଇ ଉସ୍‌ ପୁତ୍‌ଲୀ କୀ ଆଂଖ୍‌କା ଛେଦନ୍‌ କର୍‌ ଦେ, ୱହୀ କନ୍ୟା କା ଅଧିକାରୀ ହୋଗା ଔର୍‌ ଆଧା ରାଜ୍ୟ ଉସେ ଦିୟା ଜାୟେଗା’’ (୧୪) ।

 

ନିର୍ବୃତି-ସ୍ୱୟମ୍ୱରରେ ସ୍ଥାପିତ ଏହି ଲକ୍ଷ୍ୟଟି ‘ରାଧାବୋଧ’ର ଅନ୍ୟ ଏକ ବିଶିଷ୍ଟ ରୂପ ବୋଲି ବୋଧ ହୁଏ ।

 

ରାଜଶେଖର ଓ ରାଧାବେଧ :

କାନ୍ୟକୁବ୍‌ଜର ରାଜା ମହେନ୍ଦ୍ର ପାଲଙ୍କ୍‌ ସଭାକବି ମହାରାଷ୍ଟ୍ରୀୟ ରାଜଶେଖର (ଖ୍ରୀ: ଦଶମ ଶତକ) ସ୍ୱୀୟ ‘ବାଳଭାରତ ନାଟକ’ରେ ଦ୍ରୌପଦୀ ସ୍ୱୟମ୍ୱର ପ୍ରସଙ୍ଗରେ ରାଧାବେଧର ଉଲ୍ଲେଖ କରିଛନ୍ତି । ଯଥା :– ‘‘ଇହ ହି ମହାରାଜସମାଜେ ନ ଜାନେ କମବଲମ୍ୱିଷ୍ୟତେ ରାଧାବେଧକୀର୍ତ୍ତି ବୈଜୟନ୍ତୀ’’ (୧୫) । ଏଥିରୁ ‘ରାଧାବେଧ’ର ସ୍ୱରୂପ ବିଷୟରେ ସମ୍ୟକ୍‌ ଅବବୋଧ ହୁଏ ନାହିଁ । ତଥାପି ଜଣାପଡ଼େ ଯେ ଦଶମ ଶତକ ବେଳକୁ ହିନ୍ଦୁ କବିଙ୍କ ଲେଖାରେ ବି ରାଧାବେଧ ସ୍ଥାନ ପାଇସାରିଲାଣି ।

 

‘ମାନସୋଲ୍ଲାସ’ର ପ୍ରମାଣ :

‘ମାନସୋଲ୍ଲାସ’ ବା ‘ଅଭିଳଷିତାର୍ଥ ଚିନ୍ତାମଣି’’ ରାଜାମାନଙ୍କର ଜୀବନଚର୍ଯ୍ୟା ବିଷୟକ ଏକ ପ୍ରାମାଣିକ ଗ୍ରନ୍ଥ । ଗ୍ରନ୍ଥଟି ଦ୍ୱାଦଶ ଶତାବ୍ଦୀରେ କର୍ଣ୍ଣାଟର ଚାଲୁକ୍ୟ ରାଜା ସୋମେଶ୍ୱର (ତୃତୀୟ)ଙ୍କଦ୍ୱାରା ରଚିତ । ଏଥିରେ ‘ରାଧାବେଧ’ର ସଲକ୍ଷଣ ଉଲ୍ଲେଖ ପରିଦୃଷ୍ଟ ହୁଏ ।

 

ଯଥା:-

‘‘ସ୍ତମ୍ଭସ୍ୟୋପରିବିନ୍ୟସ୍ତଚକ୍ରଯନ୍ତ୍ରେ ସୁକୀଳିତମ୍‌

ବାୟୁପ୍ରେରିତପତ୍ରୈସ୍ତୁ ଭ୍ରାମ୍ୟମାଣଂ ଦ୍ରୁତଂ ଝଷମ୍‌ ।।

ପାତ୍ରମଧ୍ୟେ ସ୍ଥିରେ ତୋୟେ ବୀଷ୍ୟ ବିଧ୍ୟାନ୍‌ ବିଲୋଚନେ

ପ୍ରତ୍ୟାଲୀଢ଼ସ୍ଥିତୋ ରାଜା ରାଧାବେଧଂ ପ୍ରଦର୍ଶୟେତ୍‌ ।।’’ (୧୬)

 

ରାଧାବେଧ ଏକ ରାଜକୀୟ ବିନୋଦ ରୂପେ ଏଠାରେ ବର୍ଣ୍ଣିତ । ଏକ ସ୍ତମ୍ଭ ଉପରେ ବିନ୍ୟସ୍ତ ଚକ୍ର-ଯନ୍ତ୍ରରେ ସୁକୀଳିତ ଏବଂ ବାୟୁଦ୍ୱାରା ପ୍ରେରିତ ହୋଇ ଦ୍ରୁତ ଗତିରେ ଘୂର୍ଣ୍ଣାୟମାନ ମତ୍ସ୍ୟର ପ୍ରତିବିମ୍ୱ ପତ୍ରମଧ୍ୟସ୍ଥ ଜଳରେ ନିରୀକ୍ଷଣ କରି ପ୍ରତ୍ୟାଲୀଢ଼ *ଛନ୍ଦରେ ସ୍ଥିତ ରାଜା ତାହାର ଚକ୍ଷୁଦ୍ୱୟକୁ ଭେଦ କରି ରାଧାବେଧ ପ୍ରଦର୍ଶନ କରିବେ ବୋଲି ଏହି ବର୍ଣ୍ଣନାରେ ନିର୍ଦ୍ଦେଶ ଦିଆଯାଇଛି ।

 

ଏଠାରେ ଲକ୍ଷ୍ୟ କରିବାର କଥା ଯେ ଚକ୍ରଯନ୍ତ୍ର ଓ ଲକ୍ଷ୍ୟଭେଦୀ ଉଭୟେ ସ୍ଥିର ଏବଂ ଲକ୍ଷ୍ୟ ସ୍ଥାନୀୟ ମତ୍ସ୍ୟଟି ଚଳନଶୀଳ ।

 

‘‘ଆର୍ଯ୍ୟା-ସପ୍ତଶତୀ’’ରେ ରାଧାଚକ୍ର :

ଦ୍ୱାଦଶ ଶତକର କବି ଗୋବର୍ଦ୍ଧନାଚାର୍ଯ୍ୟଙ୍କର ‘ଆର୍ଯ୍ୟ-ସପ୍ତଶତୀ’’ ନାମକ-ମୁକ୍ତକ କାବ୍ୟର ଗୋଟିଏ ଆର୍ଯ୍ୟାରେ ଉପମାନ ରୂପେ ରାଧାଚକ୍ରର ପ୍ରୟୋଗ କରାଯାଇଅଛି । ସେହି ଆର୍ଯ୍ୟଟି ନିମ୍ନରେ ଉଦ୍ଧୃତ ହେଲା–

 

‘ଛାୟାମାତ୍ରଂ ପଶ୍ୟନ୍ନଧୋମୁଖୋଽପ୍ୟୁଦ୍‌ ଗତେନ ଧୈର୍ଯ୍ୟେଣ

ତୁଦତି ମମ ହୃଦୟମିଷୁଣା ରାଧାଚକ୍ରଂ କିରୀଟୀବ ।’’ (୧୭)

 

ନାୟକର ଶିଷ୍ଟତାରେ ମୁଗ୍‌ଧା ନାୟିକା ସଖୀପ୍ରତି କହୁଅଛି–‘ଅର୍ଜ୍ଜୁନ ଶରଦ୍ୱାରା ରାଧାଚକ୍ର ବିଦ୍ଧ କଲା ପରି ନିମ୍ନମୁଖୀ କେବଳ ଛାଇକି ଚାହିଁ ରହିଥିବା ସେ (ପ୍ରିୟ ନାୟକ) ତାଙ୍କର ପ୍ରକଟିତ ହୋଇ ଧୈର୍ଯ୍ୟଦ୍ୱାରା ହୃଦୟକୁ ପୀଡ଼ା ଦେଉଛନ୍ତି ।’

 

ଏହି ଆର୍ଯ୍ୟାଟିରୁ ରାଧାଚକ୍ରର ସ୍ୱରୂପ ବିଷୟରେ ସମ୍ୟକ୍‌ ଧାରଣା ନ ଜନ୍ମିଲେ ହେ ଉପମାଳଙ୍କର-ଗତ ସାମାନ୍ୟ ଧର୍ମର ବିଚାର ଦୃଷ୍ଟିରୁ ରାଧାଚକ୍ର ଭେଦନ ସମୟରେ ଅର୍ଜ୍ଜୁନଙ୍କର ନିମ୍ନମୁଖତା, ଛାୟା-ନିରୀକ୍ଷଣ ତଥା ପ୍ରକଟିତ ଧୈର୍ଯ୍ୟର ପରୋକ୍ଷ ଆଭାସ ମିଳେ । ପୁନଶ୍ଚ ଏଠାରେ ‘ରାଧାଚକ୍ର’ର ପ୍ରୟୋଗ ପ୍ରଣିଧାନଯୋଗ୍ୟ ।

 

ଭୋଜରାଜ ରାଧାବେଧୀ ଥିଲେ :

ଖ୍ରୀ:ଅ: ୧୩୦୫ରେ ପ୍ରଣୀତ ମେରୁତୁଙ୍ଗାଚାର୍ଯ୍ୟଙ୍କ କିମ୍ୱଦନ୍ତୀ-ମିଶ୍ରିତ ଅର୍ଦ୍ଧ-ଐତିହାସିକ ଓ ଅର୍ଦ୍ଧ-ଲୋକକଥାତ୍ମକ ‘ପ୍ରବନ୍ଧ ଚିନ୍ତାମଣି’ର ଦ୍ୱିତୀୟ ପ୍ରକାଶରେ ଏକାଦଶ ଶତାବ୍ଦୀର ସୁପ୍ରସିଦ୍ଧ ମହାରାଜା ଭୋଜଦେବଙ୍କର କଥା ନିବଦ୍ଧ ହୋଇଅଛି । ସେଥିରେ ତିନୋଟି ସ୍ଥଳରେ ‘ରାଧାବେଧ’ର ଉଲ୍ଲେଖ ଦେଖିବାକୁ ମିଳେ ଏବଂ ତହିଁରୁ ଜଣାଯାଏ ଯେ, ଧାରା-ନରେଶ ଭୋଜଦେବ ରାଧାବେଧରେ ପାରଦର୍ଶିତା ଅର୍ଜ୍ଜନ କରିଥିଲେ । ସେହି ତିନିଗୋଟି ସ୍ଥଳର C.H.Tawney କୃତ ଇଂରାଜୀ ଅନୁବାଦ ନିମ୍ନରେ ପ୍ରଦତ୍ତ ହେଲା–

 

(୧)

‘When king Bhoja was listening to the reading of a treatise on law, he heard of the Radhavedha of Arjuna. He reflected, ‘‘what is difficult to practise ?’’ And so himself, by dint of constant practice, succeeded in performing, the world-famed Radhavedha, X X-(୧୮)

 

 

(୨)

‘King Bhoja, I know why you ;

      performed the cleaving of Radha

It was because your Majesty could

      not tolerate an opposite to Dhara’ (୧୯)

 

 

(୩)

‘In Radha-Vedha like Arjuna, summoned speedily by the bands of immortals, whose hearts were long ago made to wish for him by his glory, King Bhoja went to heaven ?’ (୨୦)

 

‘ହରିହରଚତୁରଙ୍ଗମ’ର ପ୍ରମାଣ :

‘ହରିହରଚତୁରଙ୍ଗମ୍‌’ ଉତ୍କଳରେ ରଚିତ ରାଜନୀତି ଓ ଯୁଦ୍ଧବିଦ୍ୟା ବିଷୟକ ଏକ ଅମୂଲ୍ୟ ଗ୍ରନ୍ଥ । ଗ୍ରନ୍ଥଟି ଗଜପତି ପ୍ରତାପରୁଦ୍ର ଦେବଙ୍କ ସମକାଳୀନ ‘କବିପୁଙ୍ଗବ ପଣ୍ଡିତରାଜ ରାଜଗୁରୁ ବାଜପେୟଯାଜୀ ମନ୍ତ୍ରିବର’ ଗୋଦାବରୀ ମିଶ୍ରଙ୍କଦ୍ୱାରା ସଂସ୍କୃତ ଭାଷାରେ ଲିଖିତ ଏବଂ ଗଜ, ରଥ, ଅଶ୍ୱଲକ୍ଷଣ, ପତ୍ତିଲକ୍ଷଣ, ଧନୁର୍ବିଦ୍ୟା, ନୀତି, ଯୁଦ୍ଧ ଓ କ୍ରୀଡ଼ା–ଏହିପରି ଆଠଗୋଟି ପରିଚ୍ଛେଦରେ ବିଭକ୍ତ । ଏହାର ‘ଧନୁର୍ବିଦ୍ୟା’ ଶୀର୍ଷକ ପଞ୍ଚମ ପରିଚ୍ଛେଦରେ ରାଧାଚକ୍ର ନାମକ ଯନ୍ତ୍ରର ଯେଉଁ ବର୍ଣ୍ଣନା ପ୍ରଦତ୍ତ ହୋଇଅଛି, ତାହା ସହୃଦୟ ପାଠକମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉଦ୍ଧୃତ ହେଲା–

 

‘‘ଯୁଗେ ଯସ୍ମିନ୍‌ ଯତ୍‌ପ୍ରମାଣୋ ମନୁଷ୍ୟୋଽଗୁଣସ୍ତତଃ,

ସ୍ତମ୍ଭ କାର୍ଯ୍ୟସ୍ତଦୁପରି ସୃଷ୍ଟି ସଂହାରରୂପକମ୍‌ ।

ସବ୍ୟାପସବ୍ୟକ୍ରମଣୋ (ଶୋ) ଭ୍ରାମ୍ୟଚ୍ଚକ୍ରଦ୍ୱୟଂ ଯଥା ।।

କୁର୍ଯ୍ୟାତ୍ତସ୍ୟୋପରି ତଥା କାଷ୍ଠକଚ୍ଛପିକା ପୁନଃ ।

ତସ୍ୟାଶ୍ଚ ବାମନେତ୍ରସ୍ୟ ଭବେଦ୍‌ ଯା କନୀନିକା ।।

ତସ୍ୟାଂ ଚ ତିଳକଂ କୁର୍ଯ୍ୟାଦ୍‌ ବେଧସ୍ତମ୍ଭଦ୍ୱୟଂ ଭବେତ୍‌ (?)

ସ୍ତମ୍ଭସ୍ୟାଧସ୍ତଥା କୁର୍ଯ୍ୟାନିର୍ମଳଂ ଘୃତକୁମ୍ଭକମ୍‌ ।।

ଈଷଦଙ୍ଗରସନ୍ତପ୍ୟମାନଂ ତସ୍ୟ ସମୀତପଃ ।

ବୈଶାଖସ୍ଥାନମାଲମ୍ୟ ସୁନିଶ୍ଚଳମନସ୍ତନୁଃ ।।

ଅଧୋମୁଖୋଽନ୍ତରାଳେନ ଚକ୍ରୟୋଃ ଘୃତମଧ୍ୟତଃ ।

କନୀନିକାଂ ସମାଲୋକ୍ୟ ପ୍ରତିବିମ୍ୱିତରୁପିଣୀମ୍‌ ।।

 

ସୂଚୀମୁଖେନ ବାଣେନ ବିଦ୍ଧ୍ୟେତ୍ତଂ ଧନ୍ୱିନାଂ ବରଃ ।

ରାଧାଚକ୍ରାଭିାନସ୍ୟ ଯନ୍ତି୍ରସ୍ୟେମଂ ବିଭେଦନେ ।।

ବିଧିମାହୁର୍ବିଧାନଜ୍ଞଃ ଧନୁଃଶାସ୍ତ୍ରବିଶାରଦାଃ ।’’ (୨୧)

 

ଅର୍ଥାତ୍‌ ଯେଉଁ ଯୁଗରେ ଜଣେ ସାଧାରଣ ମନୁଷ୍ୟର ଉଚ୍ଚତା ଯେତିକି, ତା’ର ଆଠଗୁଣ ଉଚ୍ଚତା ବିଶିଷ୍ଟ ଏକ ସ୍ତମ୍ଭ ଉପରେ ବାମାବର୍ତ୍ତ-ଦକ୍ଷିଣାବର୍ତ୍ତ କ୍ରମରେ ଭ୍ରାମ୍ୟମାଣ ଚକ୍ରଦ୍ୱୟ ଓ ତଦୁପରି କ୍ଷୁଦ୍ର କଚ୍ଛପୀ (ମାଇ କଇଁଛ)ଟିଏ କାଷ୍ଠରେ ନିର୍ମାଣ କରିବ । ସେହି କଚ୍ଛପିକାର ବାମ ଚକ୍ଷୁର କନୀନିକା ସ୍ଥାନରେ ତିଳକ ବିନ୍ଦୁଟିଏ ଦେବ । ସ୍ତମ୍ଭର ନିମ୍ନଦେଶରେ ଅଙ୍ଗାରଦ୍ୱାରା ଈଷତ୍‌ ତପ୍ୟମାନ ନିର୍ମଳ ଘୃତ କୁମ୍ଭଟିଏ ସ୍‌ତାପନ କରିବ । ତନ୍ନିକଟରେ ଧନ୍ୱିଶ୍ରେଷ୍ଠ ମନ ଓ ଶରୀର ସୁନିଶ୍ଚଳ ରଖି ବୈଶାଖ * ଭଙ୍ଗୀ ଅବଲମ୍ୱନ ପୂର୍ବକ ନିମ୍ନମୁଖ ହୋଇ ଘୃତ ମଧ୍ୟରେ ପ୍ରତିବିମ୍ୱିତ କନୀନିକା ନିରୀକ୍ଷଣ କରି ଚକ୍ରଦ୍ୱୟର ଅନ୍ତରାଳ ଦେଇ ସୂଚୀମୁଖ ନାମକ ଶରବଦ୍ୱାରା ଭେଦ କରିବ । ଏହା ହେଉଛି ଧନୁର୍ବିଦ୍ୟା-ପଣ୍ଡିତ ବିଧାନଜ୍ଞମାନଙ୍କଦ୍ୱାରା ଉକ୍ତ ରାଧାଚକ୍ର ନାମକ ଯନ୍ତ୍ରର ବିଭେଦନ-ବିଧି ।

 

ଉତ୍କଳୀୟ ପଣ୍ଡିତ ଗୋଦାବର ମିଶ୍ରଙ୍କଦ୍ୱାରା ବର୍ଣ୍ଣିତ ରାଧାଚକ୍ର-ଯନ୍ତ୍ରର ନିର୍ମାଣ ଓ ଭେଦନ ବିଧିରେ ଯେଉଁ ପାର୍ଥକ୍ୟ ଓ ବୈଶିଷ୍ଟ୍ୟ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରେ, ତାହା ଉପଯୁକ୍ତ ପାଠାଂଶରୁ ସ୍ୱତଃ ବୋଧ୍ୟ ।

 

‘ରାଧା’ ଶବ୍ଦର ଆଭିଧାନିକ ଅର୍ଥ, ବ୍ୟତ୍ପତ୍ତି ଓ ତା’ର ବିଚାର :

ସଂସ୍କୃତ-ଅଭିଧାନମାନଙ୍କରେ ପରିଦୃଷ୍ଟ ‘ରାଧା’ ଶବ୍ଦର ଅନ୍ୟତମ ଅର୍ଥ ‘ଲକ୍ଷ୍ୟବିଶେଷ’ । ଆଚାର୍ଯ୍ୟ ହେମଚନ୍ଦ (ଖ୍ରୀ:ଅ: ୧୦୮୯–ଖ୍ରୀ:ଅ: ୧୧୭୩)ଙ୍କ ‘‘ଅଭିଧାନ ଚିନ୍ତାମଣି’’ରେ ‘ରାଧା’ ଶବ୍ଦର ବିଭିନ୍ନାର୍ଥ ନିମ୍ନପ୍ରକାରେ ପ୍ରଦତ୍ତ ହୋଇଅଛି–

 

‘‘X X X ରାଧା ବିଦ୍ୟୁଦ୍‌ବିଶାଖୟୋଃ ।

ବିଷ୍ଣୁକ୍ରାନ୍ତାମଳକ୍ୟୋଶ୍ଚ ଗୋପୀବେଧ୍ୟବିଶେଷୟୋଃ ।।’’

 

ପୁନଶ୍ଚ ସେହି କୋଷଗ୍ରନ୍ଥରେ ‘ରାଧାବେଧୀ’ ଅର୍ଜ୍ଜୁନଙ୍କ ପର୍ଯ୍ୟାୟବାଚୀ ଶବ୍ଦ ରୂପେ ଗୃହୀତ-

ଯଥା:–

 

‘‘ରାଧାବେଧୀ କିରୀଟୈନ୍ଦ୍ରିର୍ଜିଷ୍ଣଃ ଶ୍ୱେତହୟୋ ନରଃ

ବୃହନ୍ନଳୋ ଗୁଡ଼ାକେଶଃ ସୁଭଦ୍ରେଶଃ କପିଧ୍ୱଜଃ

ବୀଭତ୍ସୁଃ କର୍ଣ୍ଣଜିତ୍ତସ୍ୟ ଗାଣ୍ଡୀବଂ ଧନୁଃ ।।’’ (୨୨)

 

ଅର୍ଜ୍ଜୁନ ଅର୍ଥରେ ‘ରାଧାଭେଦୀ’ ଶବ୍ଦର ଭୂରିପ୍ରୟୋଗ ଅଛି ବୋଲି ଊନବିଂଶ ଶତାବ୍ଦୀରେ ସଂକଳିତ ‘‘ଶବ୍ଦକଳ୍ପଦ୍ରୁମଃ’’ ନାମକ ଅଭିଧାନ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି–

 

‘‘ରାଧାଭେଦୀ, [ନ] ପୁଂ, (ରାଧାଂ ଧନ୍ୱିଚିତ୍ରଭେଦଂ ଭିନତ୍ତୀତି (ଭିଜ୍‌ + ଣିନିଃ) ଅର୍ଜ୍ଜୁନଃ । ଇତି ଭୂରିପ୍ରୟୋଗଃ ।’’ (୨୩)

 

‘ରାଧା’ ଶବ୍ଦ ବ୍ୟୁତ୍ପତ୍ତି ‘ରାଧ’ ଧାତୁରୁ ନିଷ୍ପନ୍ନ କରାଯାଇଛି ଏହିପରି : ରାଧ+ଅଚ୍‌+ଟାପ୍‌; ରାଧ୍ନୋତି ସାଧୟତି କାର୍ଯ୍ୟାଣି ଇତି । କିନ୍ତୁ ଏବଂବିଧ ବ୍ୟୁତ୍ପତ୍ତି କଷ୍ଟକଳ୍ପନା ପ୍ରସୂତ ଓ ଆୟାସସାଧ୍ୟ ବୋଲି ବୋଧହୁଏ ।

 

ଏ ସଂପର୍କରେ ‘ପ୍ରବନ୍ଧଚିନ୍ତାମଣି’ର ଇଂରାଜୀ ଅନୁବାଦକ C.H. Tawney ସାହେବଙ୍କ ନିମ୍ନୋକ୍ତ ଟିପ୍‌ପଣୀ ପ୍ରଣିଧାନଯୋଗ୍ୟ-

 

'Radha denotes the butt or mark, Radha is after all “the aim” personified. In Prakrit the Radha is generally called pullaliya, literally, ‘‘a little figure’, as apparently a little human figure was painted in the middle of the butt.” (5)

 

ରାଧାବେଧରେ ଲକ୍ଷ୍ୟ ରୂପେ କେବଳ ମନୁଷ୍ୟର କ୍ଷୁଦ୍ର ପୁତ୍ତଳିକା ଯେ ବ୍ୟବହୃତ ହେଉଥିଲା, ତାହା ନୁହେଁ, ବରଂ ବିଶେଷ କରି ମାନବେତର କ୍ଷୁଦ୍ରାକାର ପୁତ୍ତଳିକା ବ୍ୟବହୃତ ହେଉଥିଲା । କାରଣ ‘ଜୈନ ହରିବଂଶ’ର ଚନ୍ଦ୍ରାକାର କ୍ଷୁଦ୍ର ବସ୍ତୁ (ଚନ୍ଦ୍ରକ), ‘ମାନସୋଲ୍ଲାସ’ର ମତ୍ସ୍ୟ, ‘ସାରଳାମହାଭାରତ’ର ‘କନେକ ମତ୍ସ୍ୟ’ ଓ ହରିହରି ଚତୁରଙ୍ଗମ୍‌ର କଚ୍ଛପିକା–ଏସବୁ ମଧ୍ୟରୁ ପ୍ରତ୍ୟେକ ଗୋଟିଏ ଗୋଟିଏ ମାନବେତର ପୁତ୍ତଳିକା ମାତ୍ର । ସୁତରାଂ ‘ରାଧା’ ଶବ୍ଦର ଯୁକ୍ତିସମ୍ମତ ପ୍ରକୃତ ଅର୍ଥ ଲକ୍ଷ୍ୟ ରୂପେ ବ୍ୟବହୃତ ପୁତ୍ତଳିକା-ବିଶେଷ ବୋଲି ଦୃଢ଼ ଧାରଣା ଜନ୍ମେ ।

 

ଏଠାରେ ହିନ୍ଦି ସାହିତ୍ୟ ଜଗତର ସୁପରିଚିକ ସୁଫୀ ସନ୍ଥ କବି ଜାୟସୀ (୧୬ଶ ଶତକ)ଙ୍କ ଅମର କାବ୍ୟକୃତି ‘‘ପଦ୍ମାବତ୍‌’’ର ନିମ୍ନୋଦ୍ଧୃତ ପଦଟି ଅନୁଧ୍ୟେୟ–

 

‘‘ଉହୈ ଧନୁକ ବେଧା ହୁତ ରାହୁ ।

ମାରା ଓହୀଁ ସହସ୍‌ସର ବାହୁ ।।’’ (୨୫)

 

ସଂସ୍କୃତ ‘ରାଧା’ ଅର୍ଥରେ ‘ରାହୁ’ ଶବ୍ଦଟି ଊର୍ଦ୍ଧ୍ୱ-ପ୍ରଦତ୍ତ ଉଦ୍ଧୃତିଟିରେ ବ୍ୟବହୃତ ହୋଇଅଛି ଓ ଏହା ପ୍ରାକୃତ ‘ରାହ’ ଶବ୍ଦର ବିକୃତ ରୂପ । ଏଣୁ ମନେ ହୁଏ ପୁତ୍ତଳିକା ଅର୍ଥବୋଧକ ପ୍ରାକୃତ ‘ରାହ’ ସଂସ୍କୃତ ‘ରାଧା’ରେ ରୂପାନ୍ତିରିତ ହୋଇ ସ୍ତ୍ରୀ-ପ୍ରତ୍ୟୟ ‘ଟାପ୍‌’ ଯୋଗରେ ‘ରାଧା’ରେ ପରିଣତ ହୋଇଅଛି । ଏପରି ଅନୁମାନ କରିବାର କାରଣ ହେଉଛି ଯେ, ଅନେକ ପ୍ରାକୃତ ଶବ୍ଦକୁ ପରବର୍ତ୍ତୀ କାଳରେ ସଂସ୍କୃତାୟିତ ରୂପ ଦିଆଯାଇ ସେଗୁଡ଼ିକର ସଂସ୍କୃତ ବ୍ୟାକରଣାନୁମୋଦିନୀ ବ୍ୟୁତ୍ପତ୍ତି ସିଦ୍ଧ କରାଯାଇଥିବାର ନିଦର୍ଶନ ସଂସ୍କୃତ ଭାଷାର ଇତିହାସରେ ବିରଳ ନୁହେଁ ।

 

ନିଷ୍କର୍ଷ :

ପରବର୍ତ୍ତୀ ଅନୁଚ୍ଛେଦମାନଙ୍କରେ ସନ୍ନିବିଷ୍ଟ ତଥ୍ୟମାନ ବିଶ୍ଳେଷଣ କଲେ ନିମ୍ନଲିଖିତ ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ–

 

(କ)

ସାମାନ୍ୟ ରାଧାବେଧର ଏକାଧିକ ବତିଶିଷ୍ଟ ବିଶିଷ୍ଟ ରୂପ ଥିଲା । କେଉଁଠି ଲକ୍ଷ୍ୟ ଚଳ ତ, ଲକ୍ଷ୍ୟଭେଦୀ ସ୍ଥିର; କେଉଁଠି ଲକ୍ଷ୍ୟ ସ୍ଥିର ତ, ଲକ୍ଷ୍ୟବେଧନକାରୀ ଚଳନଶୀଳ । କେଉଁଠି ଚକ୍ରଯନ୍ତ୍ର ସ୍ଥିର ତ, ଆଉ କେଉଁଠି ଘୂର୍ଣ୍ଣନଶୀଳ । କେଉଁଠି ଗୋଟିଏ ଚକ୍ରଯନ୍ତ୍ର ନିର୍ମିତ ତ ଅନ୍ୟ କେଉଁଠି ଏକାଧିକ । କେଉଁଠି ଲକ୍ଷ୍ୟ ଚନ୍ଦ୍ରକାକାର ତ, କେଉଁଠି ମତ୍ସ୍ୟାକାର ଓ ଅନ୍ୟ କେଉଁଠି କଚ୍ଛପାକାର । କେଉଁଠି ତଳେ ଜଳକୁମ୍ଭ ସ୍ଥାପିତ୍ ତ, କେଉଁଠି ତରଳ-ଘୃତ-କୁମ୍ଭ ସ୍ଥାପିତ ଓ ଅନ୍ୟ କେଉଁଠି କୌଣସି କୁମ୍ଭର ଅବସ୍ଥାନ ନାହିଁ । ଏହିପରି ରାଧାବେଧର ବର୍ଣ୍ଣନା ବହୁବିଧ ।

 

 

(ଖ)

‘ଜୈନ ହରିବଂଶ’ର ରାଧାବେଧ ଚନ୍ଦ୍ରକବେଧ ନାମରେ ନାମିତ ଏଥିରେ ଘୂର୍ଣ୍ଣୟମାନ ଚକ୍ର ଉପରେ ସମାରୁତ ଅର୍ଜ୍ଜୁନ ସ୍ଥିର ଲକ୍ଷ୍ୟ ଚନ୍ଦ୍ରକ’କୁ ଭେଦନ କରିଥିବା କଥା ବର୍ଣ୍ଣିତ କିନ୍ତୁ ଅପର ପକ୍ଷରେ, ଅର୍ଜ୍ଜୁନ ଏକ ତାଳ ଉଚ୍ଚତାରେ ସଂଲଗ୍ନ ପଟା ଉପରେ ଠିଆ ହୋଇ ତଳେ ଥୁଆ ହୋଇଥିବା କୁମ୍ଭର ଜଳରେ ମାଛର ପ୍ରତିବିମ୍ୱ ଦେଖି କୁମ୍ଭାର-ଚକ ପରି ଅନବରତ ଘୂରୁଥିବା ସହସ୍ରଧାରା ଚକ୍ରର ଅନ୍ତରାଳ ଦେଇ ବିନ୍ଧ ମାଛର ବାମଚକ୍ଷୁକୁ ଫୁଟାଇ ଦେଲେ ବୋଲି ସାରଳା ମହାଭାରତରେ ଉଲ୍ଲିଖିତ ହୋଇଅଛି ଉଭୟ ବର୍ଣ୍ଣନାରେ ଆକାଶପାତାଳ ପ୍ରଭେଦ ଥିବା ସତ୍ତ୍ୱେ କେବଳ ‘ରାଧା’ ଶବ୍ଦର ପ୍ରୟୋଗମୂଳକ କ୍ଷୀଣ ସାମଞ୍ଜସ୍ୟ ଦୃଷ୍ଟିରୁ ‘ସାରଳା-ମହାଭାରତ’ ‘ଜୈନ-ହରିବଂଶ’ଠାରେ ନିଃସନ୍ଦେହ ଭାବରେ ଋଣୀ ବୋଲି ସିଦ୍ଧାନ୍ତରେ ଉପନୀତ ହେବା ନିହାତି ଅଯୋକ୍ତିକ ଓ ଭ୍ରମାତ୍ମକ ମଧ୍ୟ; କାରଣ ପ୍ରତ୍ୟେକଟି ରାଧାବେଧର ଗୋଟିଏ ଗୋଟିଏ ବିଶିଷ୍ଟ ରୂପର ସ୍ୱତନ୍ତ୍ର ଓ ନିରପେକ୍ଷ ବର୍ଣ୍ଣନା

 

 

(ଗ)

‘ସାରଳାମହାଭାରତ’ର ଲାଖବିନ୍ଧା ଓ ‘ମାନସୋଲ୍ଲାସ’ରେ ବର୍ଣ୍ଣିତ ରାଧାବେଧରେ କିଞ୍ଚିତ ପାର୍ଥକ୍ୟ ପରିଦୃଷ୍ଟ ହେଲେହେଁ ସାରଳାମହାଭାରତର ବର୍ଣ୍ଣନା ମାନସୋଲ୍ଲାସ ବର୍ଣ୍ଣନାର ଅଧିକତର ନିକଟବର୍ତ୍ତୀ, ଏହା ନିଃସନ୍ଦେହ ଭାବରେ କୁହାଯାଇପାରେ ।

 

 

(ଘ)

ରାଜଶେଖର, ଗୋବର୍ଦ୍ଧନାଚାର୍ଯ୍ୟ ଓ ମେରୁତୁଙ୍ଗାଚାର୍ଯ୍ୟଙ୍କ ପରି ଭାରତବର୍ଷର ବିଭିନ୍ନାଞ୍ଚଳର ବିଶିଷ୍ଟ କବିମାନଙ୍କ କୃତିରେ ବିଭିନ୍ନ ସମୟରେ ଏବଂ ରାଜନୀତି-ଯୁଦ୍ଧବିଦ୍ୟା-ବିଷୟକ ‘ମାନସୋଲ୍ଲାସ’ ଓ ‘ହରିହରଚତୁରଙ୍ଗ’ ଗ୍ରନ୍ଥଦ୍ୱୟରେ ରାଧାବେଧ ସମ୍ପର୍କିତ ସାହିତ୍ୟିକ ଓ ଶାସ୍ତ୍ରୀୟ ପ୍ରମାଣ ଉପଲବ୍‌ଧ ହେଉଥିବା ବେଳେ ତଥା ‘‘ଆର୍ଯ୍ୟସପ୍ତଶତୀ’’ ଓ ‘ହରିହରଚତୁରଙ୍ଗ’’ (ଉଭୟେ ଉତ୍କଳୀୟ କବିଙ୍କ ଲେଖନୀରୁ ପ୍ରସୂତ)ରେ ରାଧାବେଧ ପରିବର୍ତ୍ତେ ରାଧାଚକ୍ର-ଭେଦ କଥା ଉଲ୍ଲିଖିତ ହୋଇଥିବା ଦୃଷ୍ଟିରୁ ସାରଳା ଦାସଙ୍କ ଭଳି ଜଣେ ବହୁଶ୍ରୁତ ଓ ବହୁଶାସ୍ତ୍ରଦର୍ଶୀ ମହାକବି ‘ରାଧା’ ଶବ୍ଦଟିକୁ ଜୈନ ହରିବଂଶର ଆଖ୍ୟାନଭାଗ ଅବଲମ୍ୱନରେ ତତ୍କାଳରେ ପ୍ରଚଳିତ କିମ୍ୱଦନ୍ତୀରୁ ଗ୍ରହଣ କରି ଏବଂ ଅଭିଧାନ ନ ପଢ଼ିଥିବା ହେତୁରୁ ‘ଲକ୍ଷ୍ୟ’ ଅର୍ଥରେ ପ୍ରୟୋଗ ନ କରି ‘ଚକ୍ର’ ଶବ୍ଦର ପୂର୍ବରେ ବସାଇଛନ୍ତି ବୋଲି କହିବା ଏକ ଅନୁମାନମୂଳକ ଅପପିଦ୍ଧାନ୍ତ ମାତ୍ର

 

 

(ଙ)

ସାରଳା ଦାସ ସଂସ୍କୃତ-ମହାଭାରତର ‘‘ବୈହାୟସ କୃତ୍ରିମ ଯନ୍ତ୍ର’’ ଟିକୁ ‘ସ୍ୱକୀୟ କଳ୍ପନା ଶକ୍ତିର ବଳରେ ସଙ୍ଗତରୂପେ ଭିନ୍ନ ପ୍ରକାର’ କରିନାହାନ୍ତି କିମ୍ୱା ‘ବ୍ୟାସଙ୍କ ମହାଭାରତ ଓ ଜୈନ ହରିବଂଶର କଥାବସ୍ତୁକୁ ଏକାଠି କରି ନିଜ କଳ୍ପନାନୁସାରେ ମଧ୍ୟମ ପ୍ରକାରର ବର୍ଣ୍ଣନାଟିଏ’ ଦେଇ ନାହାନ୍ତି-ଏକଥା ସତ୍ୟ ସେ କେଉଁ ଶାସ୍ତ୍ର ଅବଲମ୍ୱନରେ ସ୍ୱୀୟ ମହାଭାରତରେ ରାଧାଚକ୍ରର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରି ଯାଇଛନ୍ତି, ସେହି ବିଷୟ ସଠିକ ଭାବରେ ନିର୍ଣ୍ଣୟ କରିବା ଆହୁରି ଗବେଷଣାସାପେକ୍ଷ

 

 

(ଚ)

ତଥାପି, ଆମ୍ଭମାନଙ୍କ ଜ୍ଞାନର ସାଂପ୍ରତିକ ସୀମିତ ଅବସ୍ଥାରେ, ଅଦ୍ୟାବଧି ଉପଲବଧ ତଥ୍ୟମାନଙ୍କ ଉପରେ ନିର୍ଭର କରି ପରିଶେଷରେ ଏତିକି ମାତ୍ର କୁହାଯାଇ ପରେ ଯେ, ସାରଳାଦାସ ସଂସ୍କୃତ-ଭାଗବତର ଦଶମସ୍କନ୍ଧରେ ଗ୍ରନ୍ଥ ଅନୁସରଣପୂର୍ବକ (ଅବଶ୍ୟ ବୈଚିତ୍ର୍ୟ ପ୍ରଦର୍ଶନ ପାଇଁ ସ୍ୱୀୟ କବିସୁଲଭ କଳ୍ପନାଦ୍ୱାରା କିଞ୍ଚିନ୍ମାତ୍ରାରେ ଅନୁରଞ୍ଜିତ କରି) ରାଧାଚକ୍ରର ସାଙ୍ଗୋପାଙ୍ଗ ବର୍ଣ୍ଣନା ନିଜ ଗ୍ରନ୍ଥରେ ପ୍ରଦାନ କରିଛନ୍ତି ।

 

ପାଦଟିକା

(୧)

ଡଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ସଂପାଦିତ ଓ ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବିଭାଗଦ୍ୱାରା ପ୍ରକାଶିତ (୧୯୬୫) ‘‘ସାରଳା ମହାଭାରତ’’-ଆଦିପର୍ବ, ୨ୟ ଖଣ୍ଡ, ପୃ:୭୪୨

(୨)

ତତ୍ରେବ, ପୃ: ୭୬୯

(୩)

‘ଓଡ଼ିଶା ସାହତ୍ୟ ଏକାଡେମୀ’ ଭୁବନେଶ୍ୱରଦ୍ୱାରା ପ୍ରକାଶିତ (୧୯୬୪), ‘‘ଶ୍ରୀ ଭାରତଦର୍ପଣ’’ ପୃ:୨୮

(୪)

‘ପ୍ରଜାତନ୍ତ୍ର ପ୍ରଚାର ସମିତି’ଦ୍ୱାରା ପ୍ରକାଶିତ ‘‘ସାରଳା ସ୍ମରଣିକା’’ ପୃ:୯୩

(୫)

ଝଙ୍କାର’ ୧୭ଶ ବର୍ଷ, ୩ୟ ସଂଖ୍ୟା, ପୃ:୩୨୨

(୬)

ଭି.ଏସ୍‌. ସୁକ୍‌ଥାଙ୍କର ସମ୍ପାଦିତ ‘ମହାଭାରତ’–ଆଦିପର୍ବ, ୧୭୬ଶ ଅଧ୍ୟାୟ, ଶ୍ଳୋକ-୧୧, ପୃ:୭୧୬-୭୧୭

(୭)

‘ଓଡ଼ିଶା ସାହିତ୍ୟ ଏକାଡେମୀ’ଦ୍ୱାରା ପ୍ରକାଶିତ (୧୯୬୫) ଓ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କଦ୍ୱାରା ଅନୂଦିତ ‘‘ମହାଭାରତ’’- ‘‘ଆଦିପର୍ବ’’, ପୃ.୨୪୭

(୮)

ଭି.ଏସ. ସୁକଥାଙ୍କର ସମ୍ପାଦିତ ‘ମହାଭାରତ’–ଆଦିପର୍ବ, ୧୭୬ଶ ଅଧ୍ୟାୟ, ଶ୍ଳୋ:୩୪-୩୫, ପୃ:୭୧୯

(୯)

କୃଷ୍ଣସିଂହ ମହାଭାରତ (କଟକ ଟ୍ରେଡିଂ କମ୍ପାନୀ ପ୍ରକାଶିତ, ୫ମ ସଂସ୍କରଣ)–ଆଦିପର୍ବ, ପୃ:୩୧୧

(୧୦)

ଶ୍ରୀମଦ ଭଗବତ-ମହାପୁରାଣ (ଗୀତାପ୍ରେସ ଗୋରଖପୁର, ୭ମ ସଂସ୍କରଣ), ୧୦୮୩ପୃ୬୩୩

(୧୧)

ଦୀନବନ୍ଧୁ ଖାଡ଼ଙ୍ଗାଙ୍କ ଭାଗବତ, ୧୦୮୩୯୪-୯୭

(୧୨)

ହରିବଂଶପୁରାଣମ୍‌, ଉତ୍ତରାର୍ଦ୍ଧମ୍‌ (ମାଣିକ୍ୟଚନ୍ଦ୍ର ଜୈନ ଗ୍ରନ୍ଥମାଳାର ୩୩ତମ ଗ୍ରନ୍ଥ) ୪୫ ଅଧ୍ୟାୟ, ଶ୍ଳୋକ ୧୨୨-୧୩୪

(୧୩)

ଡଃ ଜଗଦୀଶଚନ୍ଦ୍ର ଜୈନ-‘ଜୈନ ଆଗମ ସାହିତ୍ୟ ମେଁ ଭାରତୀୟ ସମାଜ’ (ଚୌଖମ୍ୱା ପ୍ରକାଶନ), ପୃ.୨୫୯

(୧୪)

ତତ୍ରୈବ, ପୃ. ୨୫୯–୨୬୦

(୧୫)

‘ଶବ୍ଦକଳ୍ପଦ୍ରୁମଃ’, ୪ର୍ଥ ଭାଗ, ପୃ: ୧୩୪ରେ ପ୍ରଦତ୍ତ ଉଦ୍ଧୃତି

(୧୬)

‘ମାନସୋଲ୍ଲାସ’ (ଗାୟକୱାଡ୍‌ ଓରିଏଣ୍ଟାଲ ସିରିଜ୍‌, ବରୋଦା), ୪।।୫-୧୫୯

 

‘‘ଅଗ୍ରତୋ ବାମପାଦଂ ଚ ଦକ୍ଷିଣଂ ଚାପି କୁଞ୍ଚିତମ୍‌’’ ।।୨୪୬।।

ଆଲୀତନ୍ତୁ ପ୍ରକର୍ତ୍ତବ୍ୟଂ ହସ୍ତଦ୍ୱୟସବିସ୍ତରମ୍‌,

ପ୍ରତ୍ୟାଲୀତଂ ତୁ କର୍ତ୍ତବ୍ୟଂ ସବ୍ୟଂ ଚୈବାନୁକୁଞ୍ଚିତମ୍‌ ।।୨୪୭।

ଦକ୍ଷିଣଂ ତୁ ପୁନସ୍ତଦ୍‌ବଦ୍‌ ଦୂରପାତେ ବିଶିଷ୍ୟତେ ।’’ ।।୨୪୮।।’’

–(ହରିହରଚତୁରଙ୍ଗମ, ଧନୁବିଦ୍ୟା ପରିଚ୍ଛେଦଃ)

(୧୭)

‘ଆର୍ଯ୍ୟସପ୍ତଶତୀ’ (ଚୌଖମ୍ୱା ବିଦ୍ୟାଭବନ, ବାରାଣସୀ ପ୍ରକାଶିତ), ଛକାରବ୍ରଜ୍ୟା, ଆର୍ଯ୍ୟା ନଂ ୨୩୪

(୧୮)

The Prabandhachintamani —Translated by C. H. Tawney, and Published by the Asiatic Society - Fasciculus I., P. 45-

(୧୯)

Ibid-, P. 46.

(୨୦)

Ibid., P. 47.

(୨୧)

Madras Government Oriental Services, No XVII,

 

ହରିହରଚତୁରଙ୍ଗମ, ୫/୩୬୫-୩୮୨, ପୃ; ୧୭୩-୧୭୪

+ ପାଦୌ ସବିସ୍ତରୌ କାର୍ଯ୍ୟୋ ସମୌ ହସ୍ତୌ ପ୍ରମାଣତଃ ।

ବିଶାଖାସ୍ଥାନକଂ ଜ୍ଞେୟଂ କୁଟଲକ୍ଷ୍ୟସ୍ୟ ବେଧନ ।୨୪୫।

(ହରିହରଚତୁରଙ୍ଗମ୍‌, ଧନୁର୍ବିଦ୍ୟାପରିଚ୍ଛେଦଃ)

(୨୨)

‘ଅଭିଧାନଚିନ୍ତାମଣି’, ୩/୩୭୩

(୨୩)

‘ଶବ୍ଦକଳ୍ପଦ୍ରୁମଃ’, ୪ର୍ଥ ଭାଗ, ପୃ ୧୪୬

(୨୪)

‘ପ୍ରବନ୍ଧଚିନ୍ତାମଣି’ର ଇଂରାଜୀ ଅନୁବାଦ (The Asiatic Society), Fasciculus iii, P-209

(୨୫)

ପଦ୍ମାବତ୍‌’ ସଂ: ଡକ୍‌ଟର ବାସୁଦେବଶରଣ ଅଗ୍ରୱାଲ୍‌, ପୃ-୫୫

 

 

ସହକାରୀ ନିର୍ଦ୍ଦେଶକ,

ରାଜ୍ୟ ପରିସଂଖ୍ୟାନ ଓ ଅର୍ଥନୀତି ବିଭାଗ,

ଭୁବନେଶ୍ୱର

 

***

 

Unknown

ଅଢ଼େଇ କୋଟି ମଣିଷ, ଆଠ କୋଟି ନଡ଼ିଆ ଗଛ,

ଦେଶର ନାମ କେରଳ

ଡକ୍‌ଟର କୃଷ୍ଣପ୍ରସାଦ ମିଶ୍ର

ଯାତ୍ରା :

ନ ଦେଖିଲେ ସେହି ଦୃଶ୍ୟକୁ ଅନୁମାନ କରି ହେବନାହିଁ । ଯେଉଁ ଆଡ଼େ ଚାହିଁବ, ସେହିଆଡ଼େ ଅସୁମାରି ନଡ଼ିଆ ଗଛ, ଭାରତର ଦକ୍ଷିଣ ପଶ୍ଚିମାଂଶରେ ସରୁ ଧାରଟିଏ ପରି କେବଳ, ପର୍ଶୁରାମ ପର୍ଶୁ ଫୋପାଡ଼ି ସମୁଦ୍ର ଗର୍ଭରୁ ନିଜେ ମଧ୍ୟ ଅତ୍ୟୁକ୍ତି ହେବନି, କାରଣ ବହୁ ଜାଗାରେ ମଣିଷର ବାହୁ ଓ ଆଙ୍ଗୁଠି ପରି ସମୁଦ୍ର କେରଳ ଭିତରକୁ ପଶି ଆସି ତାକୁ ଆଲିଙ୍ଗନ ପାଶରେ ଆବଦ୍ଧ କରି ରଖିଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଲେଖକ ବିନିମୟ କାର୍ଯ୍ୟକ୍ରମରେ ମୁଁ ମନୋନୀତ ହୋଇଯିବାରୁ କେରଳକୁ ଯିବାର ସୌଭାଗ୍ୟ ଲାଭ କରିଥିଲି । କେରଳର ବହୁ ସାହିତ୍ୟିକଙ୍କ ପାଖକୁ ଚିଠି ଦେଇ ମୋର କାର୍ଯ୍ୟକ୍ରମ ସ୍ଥିର କରିଦେବା ପରେ, ବାଲେଶ୍ୱରରେ ଏକାଡେମୀ କର୍ତ୍ତୁପକ୍ଷଙ୍କଦ୍ୱାରା ଆୟୋଜିତ ଗଳ୍ପ କର୍ମଶାଳାରେ ମୋତେ ଯୋଗ ଦେବାକୁ ପଡ଼ିବାରୁ ମୁଁ ମୋ ଯାତ୍ରା ଫେବୃୟାରୀ ୧୨ ତାରିଖରୁ ୨୧ ତାରିଖକୁ ଘୁଞ୍ଚାଇ ଦେଇଥିଲି । ଶେଷରେ ୨୧ ଦିନ ସକାଳ ୭-୩୦ରେ, ବିବେକାନନ୍ଦ ଏକ୍‌ସପ୍ରେସ’ ବା ‘ନିଉ ବଙ୍ଗାଇଗାଓ ତ୍ରିଭେନ୍ଦ୍ରମ’ ଏକ୍‌ପ୍ରେସରେ ମୁଁ କେରଳ ବାହାରିଲି । ନିଧାର୍ଯ୍ୟ ସମୟଠୁ ଅଢ଼େଇ ଘଣ୍ଟା ଡେରିରେ ଗାଡ଼ିଟି ଆସିଥିଲା । ମୁଁ ସାହିତ୍ୟିକ ବନ୍ଧୁ ସୌରୀବନ୍ଧୁ କରଙ୍କଠୁ ବିଦାୟ ଓ ଶୁଭେଚ୍ଛା ନେଇ ଯାତ୍ରା ଆରମ୍ଭ କଲି । ଛାଡ଼ିବାର ଠିକ୍‌ ୨୪ ଘଣ୍ଟା ପରେ କେରଳର ପ୍ରଥମ ଷ୍ଟେସନ ଓ୍ୟାରିଏସ୍‌ଠି ଆମେ ପହଞ୍ଚି ଯାଇଥିଲୁ । ସକାଳର କଫି ପିଇ ସତର୍କ ହୋଇ ମୁଁ ଟ୍ରେନ ଝରକା ପାକରେ ବସି ରହିଥାଏ । ତ୍ରିଭେନ୍ଦ୍ରମକୁ ଟିକେଟ କରିଥିଲେ ମଧ୍ୟ ତ୍ରିଚୁର ସହରଠାରେ ମୁଁ ବ୍ରେକ ଜର୍ଣ୍ଣି କରିବା କଥା । ତ୍ରିଭେନ୍ଦ୍ରମ କେରଳର ରାଜଧାନୀ, କିନ୍ତୁ କେରଳର ସାହିତ୍ୟିକ ଓ ସାଂସ୍କୃତିକ ରାଜଧାନୀ ତ୍ରିଚୁର ସହରଠାରେ ମୁଁ ଜାଣିଥାଏ । ତ୍ରିଚୁରରେ ଗାଡ଼ି ସନ୍ଧ୍ୟା ପାଞ୍ଚଟାରେ ପହଞ୍ଚିଲା । ପୋଲିସର ସାହାଯ୍ୟ ନେଇ ମୁଁ ଷ୍ଟେସନ ପାଖରେ ଗୋଟିଏ ଲଜ୍‌ରେ ଯାଇ ରହିଲି । ଇଂରାଜୀ କି ହିନ୍ଦିର ବ୍ୟବହାର ଆଦୌ ନ ଥିବାରୁ ମୁଁ ଭାବ ପ୍ରକାଶ ପାଇଁ ପୋଲିସର ସାହାଯ୍ୟ ନେଇଥିଲି । ସବୁ ବସ୍‌ରେ ସବୁ ଜାଗାରେ କେବଳ ମାଲୟଲମ ଭାଷାର ଅକ୍ଷର, ହିନ୍ଦି ନୁହ କି ଇଂରାଜୀ ନୁହେଁ । ମାଲୟାଲମ ଭାଷାକୁ ଜନପ୍ରିୟ କରିବାକୁ ଅଭିନବ ଉପାୟ !

 

ତ୍ରିଚୁର:

ତ୍ରିଚୁର ଷ୍ଟେସନ ପାଖରେ ଗଭର୍ଣ୍ଣମେଣ୍ଟ ବସ୍‌ ଷ୍ଟାଣ୍ଡ । ବସ ଷ୍ଟାଣ୍ଡ ପାଖରେ ମୋର ରହିବା ଲାଗି ପାଖରେ; ଆର୍ଯ୍ୟ ଭବନ । ମାରକ୍ୱିଜଙ୍କର One Hundred Years Of Solitude ଓ ଏନ.ବି.ଟି ର ଓଡ଼ିଆରେ ଅନୁବାଦିତ ମାଲୟାଲମ ଗଳ୍ପମାଳା ବହି ପଢ଼ି ମୁଁ ସେଦିନ ଶୋଇ ପଡ଼ିଲି ।

 

ସକାଳୁ ଉଠି ଏକ୍‌ପ୍ରେସ ବସ୍‌ରେ ଶ୍ରୀକୃଷ୍ଣଙ୍କ ପ୍ରସିଦ୍ଧ ମନ୍ଦିର ଗୁରୁବାୟୁ ମନ୍ଦିର ଦେଖିବାକୁ ଗଲି । ଗୁରୁବାର ସକାଳ, ଦିଅଙ୍କ ଚଳନ୍ତି ବିଗ୍ରହ ବେଢ଼ା ପରିକ୍ରମା କରୁଥାନ୍ତି । ତିନୋଟି ହାତୀ ଉପରେ ଦିଅଁ ଆରୋହଣ କରିଥାନ୍ତି, ଆଳତି ଓ ପୂଜାପାଠ ଚାଲିଥାଏ । ବ୍ରାହ୍ମଣ ସେବକମାନେ ନାନାପ୍ରକାର କାହାଳୀ ମହୁରୀ ବଜାଉଥାନ୍ତି । ଅସଂଖ୍ୟ ଭକ୍ତଙ୍କ ଭିଡ଼ । ଭଗବାନ୍‌ କୃଷ୍ଣ ଦେହତ୍ୟାଗ କରିବା ପରେ ବୃହସ୍ପତି ଓ ପବନ ଦେବତା ତାଙ୍କ ଶରୀରକୁ ସମୁଦ୍ରରୁ ଉଦ୍ଧାର କରି ଏଠି ପ୍ରତିଷ୍ଠା କରିଥିଲେ ବୋଲି ପ୍ରବାଦ ଅଛି । ଶ୍ରୀ ଜଗନ୍ନାଥଙ୍କ ପ୍ରଭାବ ପରି ଶ୍ରୀ ଗୁରୁବାୟୁଙ୍କ ପ୍ରଭାବ କେରଳ ଲୋକ କି ସଂସ୍କୃତି ଉପରେ ନାହିଁ । କେରଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମାସର ପ୍ରଥମ ଦିନ ଗୁରୁବାୟୁ ମନ୍ଦିରକୁ ଆସି ଦିଅଁଙ୍କୁ ଦର୍ଶନ କରିଥାନ୍ତି ବୋଲି ଏକାଡେମୀ ସେକ୍ରେଟେରୀ ପାବନନ୍‌ ମୋତେ ପରେ କହିଥିଲେ ।

 

ଗୁରୁବାୟୁ ମନ୍ଦିରରୁ ଫେରି ମୁଁ ଟାଉନହଲ ରୋଡ଼ରେ ଥିବା ଏକାଡେମୀ ଭବନକୁ ଗଲି । ବହୁ ବିରାଟ ବୃକ୍ଷ ପରିବେଷ୍ଟିତ ଏକାଡେମୀ ଭବନ ଏକ ଆଧୁନିକ ଋଷି-ଆଶ୍ରମ ପରି ଜଣା ପଡ଼ୁ ଥାଏ । ପାବନନ୍‌ ମୋତେ ଅପେକ୍ଷା କରି ବସିଥିଲେ । ପ୍ରାରମ୍ଭିକ ଆଲୋଚନା ଓ କଫି ପିଆ ପରେ ସେ ମୋତେ ତାଙ୍କ ଘର ବୁଲାଇ ଆଣିଲେ । ଏକାଡେମୀର ଭବ୍ୟ କୋଠା ପଛଆଡ଼େ ତାଙ୍କରା କ୍ୱାଟର୍ସ ଓ ଅତିଥି ସାହିତ୍ୟିକମାନଙ୍କର ରହିବା ପାଇଁ ନୂତନ ନିର୍ମିତ କୋଠାଘର । ଏସବୁ କୋଠାଘର ଓ ଏକାଡେମୀର ଭବ୍ୟଭବନ ପାବନନ୍‌ଙ୍କର କୃତିତ୍ୱ । ସେ ସେକ୍ରେଟାରୀ ଦାୟିତ୍ୱ ନେବା ପରେ ହିଁ ଏହିସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ତାଙ୍କ ସଙ୍ଗେ ଏକାଡେମୀ ଭବନ ଭିତରେ ଥିବା ସମୃଦ୍ଧ ଲାଇବ୍ରେରୀ ଓ ଚିତ୍ରଗ୍ୟାଲେରୀ ମୁଁ ବୁଲି ଦେଖିଲି । ଚିତ୍ର ଗ୍ୟାଲେରୀରେ ପ୍ରାୟ କେରଳର ସମସ୍ତ ମୃତ କିନ୍ତୁ ଉଲ୍ଲେଖଯୋଗ୍ୟ ଲେଖକ-ଲେଖିକା-ମାନଙ୍କର ତୈଳଚିତ୍ର ରହିଛି ଓ ସମସ୍ତଙ୍କର ପରିଚୟ ବହନ କରି ଚିତ୍ରସହ ପୁସ୍ତକଟିଏ ମଧ୍ୟ ଆଗ୍ରହୀ ଅତିଥିମାନଙ୍କୁ ଦିଆଯାଇଛି । ଲାଇବ୍ରେରୀରେ ରିସର୍ଚ୍ଚ ସ୍କଲାରମାନେ ବସି ସାହିତ୍ୟିକ ଗବେଷଣାରେ ରତ ଥିଲେ । ଦାସ୍‌ ବୋଲି ଜଣେ ବୟସ୍କ ସ୍କଲାରଙ୍କ ସହ ମୋର ବେଶ୍‌ କିଛି ସମୟ ଆଳାପ ଆଲୋଚନା ହୋଇଥିଲା । ସେ ମାଲାୟାଲାମ୍‌ ଉପନ୍ୟାସରେ ମିଥ୍‌ର ପ୍ରଭାବ ନେଇ ଗବେଷଣା କରୁଥିଲେ । ମୁଁ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ମିଥ୍‌ର ପ୍ରୟୋଗ ନେଇ ତାଙ୍କୁ ଏକ ଧାରଣା ଦେଇଥିଲି । ସେଦିନର ଆଲୋଚନା ଶେଷରେ ପାବନନ୍‌ ଏକାଡେମୀ ପକ୍ଷରୁ ପ୍ରକାଶିତ ଇଂରାଜୀ ବହିଗୁଡ଼ିକ ମୋତେ ଦେଖାଇ ଥିଲେ ଓ ଇଂରାଜୀରେ ପ୍ରକାଶିତ ମାଲୟାଲରାମ ଲିଟେରାରୀ ସର୍ଭେ ପତ୍ରିକା ଦେଖାଇଥିଲେ । ଇଂରାଜୀରେ ପ୍ରାୟ ୨୧ଟି ପୁସ୍ତକ ପ୍ରକାଶ ପାଇସାରିଲାଣି । ସେଥିରୁ ମୁଁ କେତେଖଣ୍ଡ ବହି କିଣିଲି-। କେତୋଟି ବହି ପାବନନ୍‌ ମୋତେ ଉପହାର ମଧ୍ୟ ଦେଲେ ।

 

ମୁଁ ସନ୍ଧ୍ୟାରେ ଲଜ୍‌କୁ ଫେରିଆସି ସେ ଦେଇଥିବା ମାଲୟଲାମ ସର୍ଟ ଷ୍ଟୋରିଜ୍‌ ବହି ପଢ଼ିବାକୁ ଆରମ୍ଭ କଲି । ଏମ୍‌.ବି.ଟି.ର ମାଲାୟାଲମ ଗଳ୍ପ ସେ ଗଳ୍ପ ସଂକଳନ ତୁଳନାରେ ଅତ୍ୟନ୍ତ ହୀନପ୍ରଭ ଓ ଅଯୋଗ୍ୟ ଜଣା ପଡ଼ିଲା । ତହିଁ ଆରଦିନ ବେଦାନ୍ତର ବିଖ୍ୟାତ ଆଚାର୍ଯ୍ୟ ଆଦି ଶଙ୍କର ଜନ୍ମସ୍ଥାନ କଲାଡ଼ି ଦେଖିବାକୁ ବାହାରିଲି । ପେରିୟାର ନଦୀ କୂଳରେ ଶୃଙ୍ଗାରୀ ମଠ ଓ ଶଙ୍କରଙ୍କର ଜନ୍ମସ୍ଥାନ । ଜାଗାଟି ଖୁବ୍‌ ଭଲ ଲାଗିଲା । ଶଙ୍କରଙ୍କର ଜନନୀଙ୍କ ସ୍ମୃତି ପାଖରେ ନତମସ୍ତକ ହେଲା ବେଳେ ବାମପନ୍ଥୀ ପାବନନ୍‌ଙ୍କ କଥା ମନେପଡ଼ିଲା–ଶଙ୍କରଙ୍କୁ କେରଳ ଆଉ ମନେରଖିନି, ନମ୍ୱୁଦ୍ରି ବ୍ରାହ୍ମଣମାନେ ଶଙ୍କର ବଞ୍ଚିଥିଲା ବେଳେ ମଧ୍ୟ ଶଙ୍କର-ବିରୋଧୀ ଥିଲେ । ବର୍ତ୍ତମାନ କେରଳରେ ମାର୍କସଙ୍କ ଦର୍ଶନ ଓ ଗଲ୍‌ଫ ମନିହିଁ ଶଙ୍କର ଓ ତାଙ୍କ ବେଦାନ୍ତର ସ୍ଥାନ ନେଇଛି । କାଲାଡ଼ିରୁ ଫେରି ମୁଁ ପାବନନ୍‌ଙ୍କ ପାଖକୁ ପୁଣି ଗଲି । ନୂଆ ଲେଖା ଯାଇଥିବା ଓ ଲେଖା ଯାଉଥିବା ଉପନ୍ୟାସ ସମ୍ୱନ୍ଧରେ ଆଲୋଚନା ଆରମ୍ଭ ହେଲା । ସେ ଏମ୍‌.ଟି. ବାସୁଦେବ ନାୟର ବେଦ ଉପରେ ବିରାଟ ଉପନ୍ୟାସଟିଏ ଲେଖିଥିବାର ସୂଚନା ଦେଲେ । ମୁଁ ନୃସିଂହ ପଣ୍ଡାଙ୍କର ସପ୍ତସିନ୍ଧୁ ଦୁଇ ଭାଗରେ ଛପା ହୋଇ ବଜାରକୁ ଆସି ସାରିଲାଣି ବୋଲି କହିଲି । ସେ ଲଳିତାମ୍ୱିକା ଅର୍ନ୍ତଜନମଙ୍କ ଅଗ୍ନିସାକ୍ଷୀ ଉପନ୍ୟାସ କଥା କହିଲେ, ମୁଁ ଶାନ୍ତନୁ ଆଚାର୍ଯ୍ୟଙ୍କର ଶକୁନ୍ତଳା କଥା କହିଲି । ଏହିଠାରେ ସାହିତ୍ୟ ଏକାଡେମୀ ଗୁଡ଼ିକର ଆୱାର୍ଡ ନେଇ ଭୂମିକା କଥା ଉଠିଲା ଓ ମୁଁ ଓଡ଼ିଆ ସାହିତ୍ୟରେ ଆଇ.ଏ.ଏସ ଅଫିସର୍‌ଙ୍କ ଅନୁପ୍ରବେଶ କଥା କହିଲି ଓ ଏକାଡେମୀ ଆୱାର୍ଡ ସେମାନେ କିପରି ପାଇଛନ୍ତି, ତା ବୁଝାଇ ଦେଲି । ମାଲୟାଲମ ଭାଷାରେ କେତେଜଣ ଆଇ.ଏସ.ଏସ ଅଫିସର ଲେଖାଲେଖି କରୁଥିଲେ ମଧ୍ୟ ସେମାନଙ୍କର ସାହିତ୍ୟରେ କୌଣସି ପ୍ରଭାବ ନାହିଁ ବୋଲି ସେ କହିଲେ । କେରଳ ଏକାଡେମୀଙ୍କ ଆନୁକୁଲ୍ୟରେ ଦଶଟି ପ୍ରାଇଜ୍‌ ପ୍ରତିବର୍ଷ ଦିଆଯାଉଥିବା କଥା କହିଲେ । ସେଥିରୁ ପାଞ୍ଚ ହଜାର ଟଙ୍କାର ପ୍ରାଇଜ ତିନୋଟି, ଗପ ଓ ଉପନ୍ୟାସ ପାଇଁ ସ୍ୱତନ୍ତ୍ର ଆୱାର୍ଡ ଥିବା କଥା ମଧ୍ୟ ସେ କହିଥିଲେ ।

 

ମୁଁ ବିଦାୟ ଗ୍ରହଣ କରି ଆସିବା ପୂର୍ବରୁ ଓଡ଼ିଶା ଏକାଡେମୀର ସମ୍ପାଦକଙ୍କ ପାଖକୁ ସେ ଏକ ପତ୍ରଲେଖି ଦୁଇ ଏକାଡେମୀ ମଧ୍ୟରେ ବିନିମୟ କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ମତ ପ୍ରକାଶ କରିଥିଲେ ।

 

ତ୍ରିଭେନ୍ଦ୍ରମ୍‌ :

ମୁଁ ତହିଁ ଆରଦିନ ତ୍ରିଭେନ୍ଦ୍ରମ୍‌ ଆସିଲି । ତ୍ରିଭେନ୍ଦ୍ରମ୍‌ର ପୌରାଣିକ ନାମ ତରୁ ଅବନ୍ତୀପୁରମ୍‌ । ‘ତିରୁ’ ଅର୍ଥ ଶ୍ରୀ । ଅବନ୍ତୀପୁରରେ ପହଞ୍ଚି ମୁଁ ସିଧା କନ୍ୟାକୁମାରୀ ଚାଲଗଲି । ୨୭ ତାରିଖ ଦିନ କନ୍ୟାକୁମାରୀରୁ ଫେରି ପ୍ରଖ୍ୟାତ ହିନ୍ଦି ସାହିତ୍ୟିକ ଅଧ୍ୟାପକ ଏନ୍‌.ଚନ୍ଦ୍ରଶେଖରନ୍‌ ନାୟାରଙ୍କ ସହ ଯୋଗାଯୋଗ ସ୍ଥାପନ କଲି । ସେ ‘ଅମୃଥା’ ହୋଟେଲକୁ ଆସି ମୋତେ ତାଙ୍କ କଲେଜ ଓ ବାସଭବନକୁ ନେଇ ଗଲେ । ମହାତ୍ମାଗାନ୍ଧୀ କଲେଜରେ ହିନ୍ଦୀର ସେ ପ୍ରଫେସର ଓ ମୁଖ୍ୟ ଅଧ୍ୟାପକ । ଏବେ ଅବସର ଗ୍ରହଣ କରୁଛନ୍ତି । କେରଳର ଆଧୁନିକ ସାହିତ୍ୟ ଓ ସଂସ୍କୃତି ସହ ଘନିଷ୍ଠ ଭାବେ ଜଡ଼ିତ ଓଡ଼ିଶାର କବି ଶ୍ରୀନିବାସ ଉଦ୍‌ଗାତା ତାଙ୍କର ଜଣେ ପ୍ରିୟ ବନ୍ଧୁ । ସେ ନିଜେ ଚିତ୍ର କରନ୍ତି, କବିତା, ନାଟକ ଓ ଉପନ୍ୟାସ ଲେଖନ୍ତି । ତାଙ୍କର ବ୍ୟକ୍ତିଗତ ଲାଇବ୍ରେରୀ ଦେଖି ମୁଁ ମୁଗ୍‌ଧ ହୋଇଗଲି । କେରଳର ଜନସାଧାରଣ ଏବେ ମଧ୍ୟ କିପରି ଧର୍ମୀୟ ଭାବନାଦ୍ୱାରା ପ୍ରଭାବିତ ତାହାର ଚାକ୍ଷୁଷ ପରିଚୟ ପାଇଁ ତାଙ୍କ ସଙ୍ଗେ କେତୋଟି ମନ୍ଦିର ବୁଲିବା ପାଇଁ ମୋତେ ନିମନ୍ତ୍ରଣ କଲେ । ତହିଁ ଆରଦିନ ମହା ଶିବରାତ୍ରୀ ଥିଲା । ମୁଁ ଆନନ୍ଦରେ ସ୍ୱୀକାର କଲି । ପାବନନ୍‌ଙ୍କ ମତ ସହ ସେ ଏକମତ ନ ଥିଲେ । ନାରାୟଣଙ୍କର ଭାରତୀୟ ସାହିତ୍ୟ ଔର କାବ୍ୟଏଁ ବହିଟି ମୁଁ ପଢ଼ିଥାଏ । ତିରୁ ଅବନ୍ତୀପୁରମରେ ପ୍ରସିଦ୍ଧ ପଦ୍ମନାଭ ମନ୍ଦିର ଛଡ଼ା ଆହୁରି ଅନେକ ପୁରାତନ ମନ୍ଦିର ରହିଛି ।

 

୨୯ ତାରିଖ ଦିନ ସକାଳେ ମୁଁ ‘ପ୍ରଭାତ କୁକ୍‌ ହାଉସ’ରେ ହେଡ଼୍‌ ଅଫିସକୁ ଗଲି । ଡାଇରେକ୍ଟରଙ୍କ ସହ କେରଳରେ ପ୍ରକାଶନ ପ୍ରଣାଳୀ ଓ ପୁସ୍ତକ ବିକ୍ରୀ ସମ୍ୱନ୍ଧରେ ଆଲୋଚନା କଲି-। ପ୍ରଭାତ କୁକ୍‌ ହାଉସ୍‌ କ୍ୱିଲନ୍‌ ଆଲେପି, ଏସନାକୁଲମ, ଏଲୁର, ତ୍ରିଚୁର, ପାଲଘାଟ, କାଲିକଟ୍‌ ଓ କାନାନାନୁରରେ ବହି ବିକ୍ରୟ ପାଇଁ ଦୋକାନ ଖୋଲିଛନ୍ତି ବୋଲି ଜାଣିଲି । ସାଧାରଣତଃ କୌଣସି ବହି ୨୦୦୦ରୁ କମ ଛପା ଯାଏନାହିଁ ଓ ୨୦୦୦ ବହି ବର୍ଷେ ଦୁଇ ବର୍ଷ ମଧ୍ୟରେ ସରି ଯାଇଥାଏ-। ଡାଇରେକ୍ଟରଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ସି.ପି.ଆଇ.ର ଜଣେ ସଭ୍ୟ, ପୂର୍ବରୁ ଏମ୍‌.ଏଲ.ଏ. ରହିଥିବା ଜଣେ ବିଖ୍ୟାତ ନାଟ୍ୟକାର କନ୍ୟାପୁରମ ରାମଚନ୍ଦ୍ରନ ସେଠି ପହଞ୍ଚିଥିଲେ । ତାଙ୍କର ଭଗବାନ କାଲୁମାରୁନୁ ନାଟକ ବହୁ ଜାଗାରେ ଅଭିନୟ କରା ନ ଯିବା ପାଇଁ ନିଷେଧାଜ୍ଞା ଜାରୀ ହୋଇଥାଏ । ଭଗବାନ୍‌ କାଲୁମାରୁନ୍‌ର ଅର୍ଥ ଈଶ୍ୱର ମଧ୍ୟ ଝାଡ଼ା ଫେରନ୍ତି-। କେରଳରେ ଏହି ଡ୍ରାମାଟି ଈଶ୍ୱରଙ୍କ ନାମରେ ଚାଲିଥିବା ନିଷ୍ପେଷଣ ବିରୁଦ୍ଧରେ ସ୍ୱର ଉଠାଇଥିବାରୁ ଏହା ବିରୁଦ୍ଧରେ ରକ୍ଷଣଶୀଳ ଲୋକେ ଖଡ଼୍‌ଗହସ୍ତ ହୋଇ ଉଠିଛନ୍ତି । ଶ୍ରୀ ରାମଚନ୍ଦ୍ରନ୍‌ଙ୍କ ସହ ନାଟକ ସମ୍ବନ୍ଧରେ ବହୁ ଆଲୋଚନା ହେଲା । ତାଙ୍କୁ ସାଙ୍ଗରେ ନେଇ ମୁଁ କେରଳ କୌମୁଦୀ ଦୈନିକ ଅଫିସକୁ ଗଲି । କେରଳର ଅତ୍ୟନ୍ତ ପ୍ରସିଦ୍ଧ ପତ୍ରିକା କେରଳ କୌମୁଦୀ-! ଲକ୍ଷ ସଂଖ୍ୟାରେ ଏହି ପତ୍ରିକାର ଦୈନିକ ଖବରକାଗଜର ବିକ୍ରୀ । କେରଳ କୌମୁଦୀର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଏନ୍‌.ଆର.ଏସ୍‌.ବାବୁ ମୋତେ ଓ ରାମଚନ୍ଦ୍ରଙ୍କୁ ଦେଖି ଭାରି ଖୁସି ହୋଇ ସବୁ ନାମ ଛାଡ଼ିଛୁଡ଼ି ସାହିତ୍ୟ ଓ ରାଜନୀତି ନେଇ ଗପିବାକୁ ଲାଗିଲେ । ଏମ୍‌.ଏସ୍‌.ମନିଙ୍କ ସମ୍ପାଦନାରେ ପ୍ରକାଶିତ ‘କଥା’ ଓ ‘କେରଳ କୌମୁଦୀ’ର ସାପ୍ତାହିକ ପତ୍ରିକା ମୋତେ ଦେଖାଇଲେ ଓ ସେଗୁଡ଼ିକର ବିଶେଷତ୍ୱ ସମ୍ୱନ୍ଧରେ ଚର୍ଚ୍ଚା କଲେ । କେରଳ ଛାଡ଼ି ଯିବା ପୂର୍ବରୁ ଜ୍ଞାନକୋଷର ଡାଇରେକ୍ଟର ଡକ୍ଟର ବେଲ୍ୟାୟାନୀ ଅର୍ଜ୍ଜୁନନ୍‌ଙ୍କୁ ଦେଖା କରି ଯିବାକୁ କହିଲେ-। ଅର୍ଜ୍ଜୁନନ୍‌ କେରଳର State Institute of Encyclopedia Publications ଡାଇରେକ୍ଟର । ମୁଁ ତାଙ୍କ ସହ ମାର୍ଚ୍ଚ ୧ ଦିନ କଥାବାର୍ତ୍ତା ହେବାର ବ୍ୟବସ୍ଥା କଲି-। ମାଲାୟାଲମ ଭାଷାରେ ସାହିତ୍ୟ ସମ୍ୱନ୍ଧୀୟ ବିଶ୍ୱକୋଷ ପ୍ରକାଶିତ ହୋଇ ସାରିଥାଏ । ସେଥିରେ ଥିବା ଲେଖାଟିଏ ମାୟାଧର ମାନସିଂ ଲେଖିଥାନ୍ତି । ଲେଖାଟି ପଢ଼ି ଓ ଫଟୋଗୁଡ଼ିକ ଦେଖି ମୁଁ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ସମ୍ବନ୍ଧରେ କିଛି କୁହାଯାଇ ନ ଥିବାରୁ ଦୁଃଖ ପ୍ରକାଶ କଲି । ଅର୍ଜ୍ଜୁନନ୍‌ ମୋର ଯୁକ୍ତି ବୁଝି ପାରିଲେ ଓ ସେଥିରେ ଓଡ଼ିଆ ସାହିତ୍ୟ ନେଇ ଅନ୍ୟ ଏକ ଲେଖା ଭବିଷ୍ୟତରେ ଅନ୍ତର୍ଭୁକ୍ତ କରିବେ ବୋଲି କହିଲେ । ନିକଟର ସେ ଭୁବନେଶ୍ୱର ଆସି ପାରନ୍ତି ବୋଲି ମଧ୍ୟ କହିଲେ-। ତାଙ୍କର ବିଶ୍ୱକୋଷର ସଂସ୍କରଣଟି ସରି ଆସୁଥିବା କଥା କହି ସେ ମୋତେ ଚମତ୍କୃତ କରି ଦେଇଥିଲେ ।

ତାଙ୍କ ଠୁଁ ବିଦାୟ ନେଇ ଫେରିବା ପରେ ମୁଁ ରେଲୱେ ଷ୍ଟେସନକୁ ଆସିଲି । ମାର୍ଚ୍ଚ ୧ ମୋର ଓଡ଼ିଶାକୁ ଫେରିବା ଦିନ ।

 

ପ୍ରଧ୍ୟାପକ, ଦର୍ଶନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀ ବିହାର, ଭୁବନେଶ୍ୱର–୪

***

 

ଆଧୁନିକ ଓଡ଼ିଆ ନାଟକରେ ଯୁଗ ବିଭାଗ

ଡକଟର ହେମନ୍ତ କୁମାର ଦାସ

 

ଓଡ଼ିଆ ନାଟକ ଇତିମଧ୍ୟରେ ଶହେବର୍ଷ ଅତିକ୍ରମ କରି ବିଭିନ୍ନ କଳୋଚିତ ପରିବର୍ତ୍ତନ ଗ୍ରହଣ କରିଥିଲେ ସୁଦ୍ଧା ଏ ଅବଧି ପ୍ରବୃତ୍ତି, ଦୃଷ୍ଟିରୁ କିମ୍ୱା ପ୍ରତିଭା ଭିତ୍ତିରେ ଏହାର କୌଣସି ଗ୍ରହଣଯୋଗ୍ୟ ଯୁଗ ବିଭାଗ ହୋଇଥିବାର ଦୃଷ୍ଟିଗୋଚର ହେଉ ନାହିଁ । ଡଃ ରତ୍ନାକର ରଇନି ନାଟ୍ୟପ୍ରବୃତ୍ତି ଦୃଷ୍ଟିରୁ କାଳବିଭାଗ କରି ଏହାକୁ ପୌରାଣିକ, ଇତିହାସ ଏବଂ ସାମାଜିକ-ଏହି ତିନିଶ୍ରେଣୀରେ ବିଭକ୍ତ ଅବଶ୍ୟ କରିଛନ୍ତି । ତାଙ୍କ ମତରେ ଏ ଦେଶରେ ରାମଶଙ୍କରଙ୍କ ନେତୃତ୍ୱରେ ପୌରାଣିକ ବା ଧାର୍ମିକ ତରଙ୍ଗର ସୃଷ୍ଟିହୋଇ, ଊନବିଂଶ ଶତକର ଶେଷ ପର୍ଯ୍ୟନ୍ତ ଚାଲିଥିଲା । ଏ ଦୃଷ୍ଟିରୁ ଏହାର ଆୟୁକାଳ ତେଇଶ ବର୍ଷ (ବ୮୭୭-୧୯୦୦) । ଚଳିତ ଶତକର ପ୍ରଥମ ବର୍ଷରେ ଭିକାରୀଚରଣ ନିଜର ‘କଟକ ବିଜୟ’ (୧୯୦୧) ନାଟକ ଲେଖି ଏ ଦେଶରେ ଐତିହାସିକ ବା ଜାତୀୟ ତରଙ୍ଗର ସୃଷ୍ଟି କରିଥିଲେ ହେଁ ଏହି ଯୁଗର ନେତୃତ୍ୱ ଅଶ୍ୱିନୀ କୁମାରଙ୍କ ହାତକୁ ଚାଲି ଯାଇଥିଲା । ଏହାର ଆୟୁଷ ଅଣଚାଳିଶ ବର୍ଷ । ୧୯୩୯ ମସିହାରେ କାଳୀଚରଣ ନିଜର ‘ସାକ୍ଷୀଗୋପାଳ ନାଟ୍ୟସଂଘ’ ରାସମଣ୍ଡଳୀକୁ ବ୍ୟବସାୟ ଭିତ୍ତିରେ ଏକ ନାଟକ ମଣ୍ଡଳୀରେ ପରିଣତ କରି ତାହାର ନାମ ରଖିଲେ ‘ଓଡ଼ିଶା ଥିଏଟର୍ସ’ । ୧୯୪୨ ମସିହାରେ ଏହା କବିଚନ୍ଦ୍ରଙ୍କ ରଚିତ ସାମାଜିକ ନାଟକ ‘ଗାର୍ଲସ୍କୁଲ’ ମଞ୍ଚସ୍ଥ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ନାଟ୍ୟଜାତରୁ ଐତିହାସିକ ନାଟକର ଯୁଗ ଶେଷ ହୋଇ ଯାଇଥିଲା । ଏହାପରେ ଓଡ଼ିଆ ନାଟକ ମୁଖ୍ୟତଃ ସମାଜ-ନିର୍ଭର ହୋଇ ଉଠିଲା ଏବଂ ଏଥର ଆରମ୍ଭ ହେଲା ଓଡ଼ିଆ ନାଟକର ସାମାଜିକ ଯୁଗ, ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । ଆଉ କେହି ପୁଣି କାଳାନୁକ୍ରମିକ ଚାରି ପର୍ଯ୍ୟାୟର ଏକ ଯୁଗ ବିଭାଗ କରିଛନ୍ତି । ତାହା ହେଲା, ପ୍ରଥମ ପର୍ଯ୍ୟାୟ (୧୮୭୦-୧୯୦୦) ଦ୍ୱିତୀୟ ପର୍ଯ୍ୟାୟ (୧୯୦୧-୧୯୩୫), ତୃତୀୟ ପର୍ଯ୍ୟାୟ (୧୯୩୬-୧୯୬୦), ଚତୁର୍ଥ ପର୍ଯ୍ୟାୟ (୧୯୬୧- ଏପର୍ଯ୍ୟନ୍ତ ।)

 

ଅଧ୍ୟାପକ ସର୍ବେଶ୍ୱର ଦାଶ ତାଙ୍କର ‘ଓଡ଼ିଆ ନାଟ୍ୟ ସାହିତ୍ୟ’ ଗ୍ରନ୍ଥରେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ ହେଁ ‘ଆଦିଯୁଗ’, ‘ସୁବର୍ଣ୍ଣଯୁଗ’, ‘ସ୍ୱାଧୀନତା ପରବର୍ତ୍ତୀ ଯୁଗ’ ତଥା ‘ନବନାଟ୍ୟ ଯୁଗ’–ନାମଧ୍ୟେୟ ଚାରୋଟି ବିଭାଗରେ ସମଗ୍ର ନାଟ୍ୟ-ସାହିତ୍ୟକୁ ବିଭକ୍ତ କରିଛନ୍ତି । ଭିକାରୀଚରଣ ତଥା ଅଶ୍ୱିନୀକୁମାରଙ୍କୁ ସେ ଆଦିଯୁଗରେ, ଏବଂ ରାମଚନ୍ଦ୍ର, ଭଞ୍ଜ କିଶୋର-ପ୍ରମୁଖଙ୍କୁ ସ୍ୱାଧୀନତାପରବର୍ତ୍ତୀ ଯୁଗରେ ସ୍ଥାନ ଦେଇଛନ୍ତି । ମନୋରଞ୍ଜନ ନବନାଟ୍ୟ ଧାରାର ନେତୃତ୍ୱ ନେଇ ସ୍ୱୟଂ ଏକ ଯୁଗ ସୃଷ୍ଟି କରିଥିବାର ଏଥିରେ ବର୍ଣ୍ଣିତ ହୋଇଛି । ଅଧ୍ୟାପକ ବେଣୁଧର ରାଉତ ଏହାକୁ ବିଭକ୍ତ କରିଛନ୍ତି ତିନୋଟି ପର୍ଯ୍ୟାୟରେ । ପ୍ରଥମ ପର୍ଯ୍ୟାୟ ରାମଶଙ୍କରଙ୍କଠାରୁ ଅଶ୍ୱିନୀକୁମାରଙ୍କ ପର୍ଯ୍ୟନ୍ତ । ଦ୍ୱିତୀୟ ପର୍ଯ୍ୟାୟ କାଳୀଚରଣଙ୍କଠାରୁ ଗୋପାଳ ଛୋଟରାୟଙ୍କ ପର୍ଯ୍ୟନ୍ତ ଏବଂ ଶେଷ ତୃତୀୟ ପର୍ଯ୍ୟାୟ, ମନୋରଞ୍ଜନଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ । ପ୍ରଥମ ପର୍ଯ୍ୟାୟର ପୌରାଣିକ ଏବଂ ଐତିହାସିକ ନାଟକଗୁଡ଼ିକରେ ତତ୍କାଳୀନ ସମାଜର ସୁଖଦୁଃଖ, ଘାତପ୍ରତିଘାତାଦି ପ୍ରାୟ ପ୍ରତିଫଳିତ ହୋଇନାହିଁ, ଦ୍ୱିତୀୟ ପର୍ଯ୍ୟାୟର ନାଟ୍ୟକାରମାନେ ପରମ୍ପରା ନିୟନ୍ତ୍ରିତ ତଥା ତୃତୀୟ ପର୍ଯ୍ୟାୟର ନାଟ୍ୟକାରବୃନ୍ଦ ‘ଆମ ପରିବେଷ୍ଟନୀରୁ’ ସମ୍ଭୁତ ନ ହୋଇ ଅନ୍ତର୍ଜାତୀୟ ନାଟ୍ୟଧାରା ସହିତ ଘନିଷ୍ଠ ଭାବରେ ସମ୍ପୃକ୍ତ ବୋଲି ତାଙ୍କର ମତ । ସମୟର ପରିସୀମାରେ ତାଙ୍କର କାଳବିଭାଗକୁ ଏହିଭଳି ମପାଯାଇପାରେ । (୧) ୧୮୭୭-୧୯୨୦ (୨) ୧୯୨୧-୧୯୪୭ (୩) ୧୯୪୮–ଏ ପର୍ଯ୍ୟନ୍ତ ।

 

ସାହିତ୍ୟ କ୍ଷେତ୍ରରେ ଯୁଗ ବିଭାଗ ପାଇଁ ମୁଖ୍ୟତଃ ଦୁଇଟି ମାର୍ଗ ରହିଛି । ତନ୍ମଧ୍ୟରୁ ପ୍ରଥମଟି ହେଉଛି ପ୍ରବୃତ୍ତି ଆଧାରିତ । ନିର୍ଦ୍ଦିଷ୍ଟ ଗୋଟିଏ କାଳର ସୀମା ମଧ୍ୟରେ ସାହିତ୍ୟରେ ଯେଉଁ ପ୍ରଧାନ ପ୍ରବୃତ୍ତିଟି ପ୍ରକାଶ ପାଇଥାଏ; ତାକୁ ସନ୍ଧାନ କରି ସମାଲୋଚକ ଯୁଗ ବିଭାଗ କରିଥାଆନ୍ତି । ଏହି ସମୟରେ ଅନ୍ୟ ପ୍ରବୃତ୍ତି ଯେ ଏଥିରେ ଆତ୍ମପ୍ରକାଶ କରେ ନାହିଁ, ଏଭଳି ନୁହେଁ । ଉଦାହରଣଦ୍ୱାରା ଏହାକୁ ସ୍ପଷ୍ଟ କରି ଦିଆଯାଉ । ଆଧୁନିକ ଓଡ଼ିଆ ନାଟକର ଆଦ୍ୟ ଉନ୍ମେଷ ଘଟିଲା ସାମାଜିକତା ମଧ୍ୟ ଦେଇ । ଜଗନ୍ମୋହନ ଲାଲା ୧୮୭୭ ମସିହାରେ ‘ବାବାଜୀ’ ନାଟକ ରଚନା କରି ଏହାର ଶୁଭ ଦେଲେ । ତା’ପରେ ସେ ‘ସତୀ’, ‘ପ୍ରୀତି’ ଏବଂ ‘ବୃଦ୍ଧବିବାହ’ ନାମଧ୍ୟେୟ ଯେଉ ଅନ୍ୟ ନାଟକ ରଚନା କଲେ, ସେଥିରେ ମଧ୍ୟ ତାଙ୍କର ଦୃଷ୍ଟି ସମାଜ-ନିର୍ଭର ହିଁ ରହିଲା । ମାତ୍ର ନାଟ୍ୟକାର ରାମଶଙ୍କର ଲୋକରୁଚିକୁ ଦୃଷ୍ଟିରେ ରଖି ଏହି ପ୍ରବୃତ୍ତିଟିକୁ ଗ୍ରହଣ ନ କରି ଊନବିଂଶ ଶତକର ଶେଷଭାଗରେ ଓଡ଼ିଶାର ସମାଜ-ଜୀବନରେ ଯେଉଁ ଆଧ୍ୟାତ୍ମ ବୃତ୍ତିଟି ମୁଖ୍ୟ ହୋଇଥିଲା, ତାକୁ ଆଧାର କରି ନିଜର ପ୍ରଥମ ନାଟକ ‘କାଞ୍ଚିକାବେରୀ’ (୧୮୮୦) ରଚନା କଲେ-। ସାଧାରଣ ଜନଜୀବନରେ ଲାଲା ନାଟକର ପ୍ରଭାବଶୂନ୍ୟତା ହୁଏତ ତାଙ୍କୁ ଏଭଳି ଏକ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ପ୍ରେରଣା ଯୋଗାଇଥିବ । ଊନବିଂଶ ଶତକର ଶେଷ ପାଦକୁ ଏ ଦେଶ ପ୍ରାୟ ଶହେ ବର୍ଷ ଧରି ଇଂରେଜ ଶାସନାଧିନ ହୋଇ ରହିସାରିଥିଲେ ହେଁ ପାଶ୍ଚାତ୍ୟ ଶିକ୍ଷାର ଆଶାନୁରୂପ ପ୍ରସାର ଘଟି ନ ଥିବାରୁ ସ୍ଥାନୀୟ ଜନଜୀବନରେ ମଧ୍ୟଯୁଗୀୟ ଆଧ୍ୟାତ୍ମିକତାର ଗଭୀର ପ୍ରଭାବ ତଥାପି ପୂର୍ଣ୍ଣମାତ୍ରାରେ ରହିଥିଲା । ଯୁଗଯନ୍ତ୍ରଣା ନିପୀଡ଼ିତ କୌଣସି ଚରିତ୍ର କିମ୍ୱା ଘଟଣା ଅପେକ୍ଷା ପୁରାଣର ଯେକୌଣସି ଚରିତ୍ର ଅବା ଘଟଣା ସହିତ ସାଧାରଣ ଜନତାର ସମ୍ପର୍କ ଥିଲା ଅତ୍ୟନ୍ତ ନିବିଡ଼ । ତେଣୁ ଲାଲା ମହାଶୟ ସେ କାଳର କିଛି ଉତ୍କୃଷ୍ଟ ନାଟକ ଲେଖିଥିଲେ ହେଁ ନାଟ୍ୟକାର ରୂପେ ସ୍ୱୀକୃତି ଲାଭ କରିପାରି ନାହାନ୍ତି । ନଚେତ୍‌ ସାମ୍ପ୍ରତିକ କାଳର ସମାଲୋଚକ ଯେତେବେଳେ ମନେ କରୁଛନ୍ତି ଯେ ‘‘ଉତ୍କଳର ନାଟ୍ୟ ସାହିତ୍ୟ ତାଙ୍କର ବାବାଜୀ ଓ ସତୀ ନାଟକ ଅପେକ୍ଷା ସେ ଖୁବ୍‌ ବେଶି ଉପରକୁ ଉଠିଅଛି, ତାହା ମନେ ହେଉନାହିଁ’’ (୧), ସେତେବେଳେ ତାଙ୍କଠାରୁ କମ ପ୍ରତିଭାଶାଳୀ ନାଟ୍ୟକାର ରାମଶଙ୍କରଙ୍କୁ ଏ ଦେଶର ପ୍ରଥମ ନାଟ୍ୟକାର ରୂପେ ପ୍ରତିଷ୍ଠା ଦେବା ନିମନ୍ତେ ଏଠାରେ ଏତେ ବାଦାନୁବାଦ ହୁଅନ୍ତା ନାହିଁ । ଲୋକରୁଚିର ଅନୁକୂଳ ସ୍ରୋତରେ ଭାସିଯିବା ପ୍ରତିଭାର କାର୍ଯ୍ୟ ନୁହେଁ । ବରଂ ସେ ସ୍ୱୟଂ ଲୋକରୁଚି ପ୍ରସ୍ତୁତ ନିମନ୍ତେ ଉଦ୍ୟମ କରିଥାଏ । ଲାଲା ତାହାହିଁ କରିଥିଲେ । ମାତ୍ର ରାମଶଙ୍କର ଲୋକରୁଚିର ଅନୁକୁଳତାରେ ନିଜକୁ ଭସାଇ ଦେଇଥିଲେ । ଯାହାହେଉ ‘କାଞ୍ଚିକାବେରୀ’ଠାରୁ ଆରମ୍ଭ କରି ‘ରାମାଭିଷେକ’ ନାଟକ ପର୍ଯ୍ୟନ୍ତ ରାମଶଙ୍କର ନିଜର ନାଟ୍ୟ ଶୈଳୀରେ ଆଧ୍ୟାତ୍ମିକତାକୁ ଗୁରୁତ୍ୱ ଦେଇଥିଲେ । ତାଙ୍କ ରଚିତ ସାତଖଣ୍ଡ ଯାକ ସାମାଜିକ ନାଟକରେ ସୁଦ୍ଧା ଏହି ପ୍ରବୃତ୍ତ ଅତ୍ୟନ୍ତ ସ୍ପଷ୍ଟ । ଆଧ୍ୟାତ୍ମିକତା ଯେ ସେ ଯୁଗର ମୁଖ୍ୟ ପ୍ରବୃତ୍ତି ଥିଲା, ଏଥିରୁ ତାହା ସ୍ପଷ୍ଟ ହୋଇଥାଏ । ଡଃ ଚଇନୀ ଏହି କାରଣରୁ ହିଁ ଆଲୋଚ୍ୟ କାଳକୁ ପୌରାଣିକ ବା ଧାର୍ମିକ ପ୍ରବୃତ୍ତିର କାଳ ବୋଲି କହିଛନ୍ତି, ଯଦିଓ ଏହି ସମୟରେ ଐତିହାସିକ ଏବଂ ସାମାଜିକ ନାଟକ ମଧ୍ୟ ରଚିତ ହୋଇଛି । ଡଃ ଚଇନୀ ଏହି ରୀତିରେ ତାଙ୍କର ଅନ୍ୟ ଦୁଇଟି ବିଭାରେ ପରିକଳ୍ପନା କରିଛନ୍ତି ।

 

ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଏ ଦେଶରେ ଜାତୀୟତାର ଯେଉଁ ଅଭିନବ ଆତ୍ମପ୍ରକାଶ ଘଟିଲା, ଇତିହାସ ମାଧ୍ୟମରେ ନିଜକୁ ବ୍ୟକ୍ତ କରିବାକୁ ତାହା ନିଜର ଲକ୍ଷ୍ୟ ରୂପେ ଗ୍ରହଣ କରିନେଲା । ସେ କାଳରେ ଜାତୀୟତାର ବାର୍ତ୍ତା ସିଧାସଳଖ ପ୍ରଚାର କରିବାର କୌଣସି ଉପାୟ ନ ଥିବାରୁ ସାହିତ୍ୟିକବୃନ୍ଦ ଇତିହାସର ସୁରବୀର ଚରିତ୍ର ସାହାଯ୍ୟରେ ଏହି କାର୍ଯ୍ୟଟି ତୁଲାଉ ଥିଲେ । ନାଟକରେ ଏହା ଆତ୍ମପ୍ରକାଶ କରିବା ତେଣୁ ଏକ ସାଧାରଣ କଥା । କେବଳ ଓଡ଼ିଆ ନାଟକରେ ନୁହେଁ, ‘‘ବିଂଶ ଶତାବ୍ଦୀର ଆରମ୍ଭରେ ସମଗ୍ର ଭାରତୀୟ ଭାଷାରେ ରଚିତ ଐତିହାସିକ ନାଟକରୁ ଅଧିକାଂଶରେ ରାଷ୍ଟ୍ରବାଦର ପ୍ରବଳ ହୁଙ୍କାର ଶୁଣିବାକୁ ମିଳେ ।’’ (୨) ବଙ୍ଗଳାର ଦ୍ୱିଜେନ୍ଦ୍ରଲାଲ ରାୟ ହିନ୍ଦୀର ଜୟଶଙ୍କର ପ୍ରସାଦ ଏବଂ ଓଡ଼ିଶାର ଭିକାରୀ ଚରଣ ପଟ୍ଟନାୟକ ପ୍ରମୁଖ ପ୍ରଥମେ ଏଥିରେ ନେତୃତ୍ୱ ନେଇଥିଲେ । ଓଡ଼ିଶାରେ ଅବଶ୍ୟ ଅଳ୍ପ ବ୍ୟବଧାନରେ ଅଶ୍ୱିନୀ କୁମାର ଏହି ଦାୟିତ୍ୱ ଗ୍ରହଣ କରି ନେଇଥିଲେ । ଏହି ପ୍ରବୃତ୍ତି ରହିଲା ୧୯୩୯ ମସିହା ପର୍ଯ୍ୟନ୍ତ, ଯାହା କ୍ରମେ ସମାଜିକତାରେ ପରିବର୍ତ୍ତିତ ହେଲା ଏବଂ ଏହାର ନେତୃତ୍ୱ ଗ୍ରହଣ କଲେ କାଳୀଚରଣ । ଐତିହାସିକ ନାଟକ ରଚନା ଯେଉଁଭଳି ଏକଦା ପୌରାଣିକ ପ୍ରବୃତ୍ତି ମଧ୍ୟରୁ ଆତ୍ମପ୍ରକାଶ କରିଥିଲା, ସାମାଜିକ ପ୍ରବୃତ୍ତି ମଧ୍ୟ ଠିକ୍‌ ସେହି ରୀତିରେ ଐତିହାସିକ ପ୍ରବୃତ୍ତି ମଧ୍ୟରୁ ହିଁ ଆତ୍ମପ୍ରକାଶ କଲା । ଅର୍ଥାତ୍‌ ପୁରାଣ କାହାଣୀ ଆଧାରିତ ନାଟକରେ ଇତିହାସର ସ୍ପର୍ଶ ଏବଂ ଐତିହାସିକ ନାଟକରେ ସାମାଜିକତାର ସ୍ପର୍ଶ ରହୁଥିବାରୁ ରୁଚି ପରିବର୍ତ୍ତନ କାଳରେ ବିଶେଷ କୌଣସି ଅସୁବିଧା ହେଲାନାହିଁ । ଡଃ ଚଇନୀଙ୍କର ଯୁଗ ବିଭାଗ ଏହି ପ୍ରବୃତ୍ତିଭିତ୍ତିକ । ତେବେ ଏହା କେବଳ ଓଡ଼ିଆ ନାଟକ ପାଇଁ ନୁହେଁ, ବରଂ ପ୍ରତ୍ୟେକ ଦେଶର ନାଟ୍ୟ ସାହିତ୍ୟ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ପ୍ରବୃତ୍ତି ଦୃଷ୍ଟିରୁ ଏହା ବ୍ୟତୀତ ଅନ୍ୟ କୌଣସି ବିଭାଗର କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ । ଏଥିରେ ତେଣୁ କୌଣସି ଅଭିନବତା ନାହିଁ ।

 

ବର୍ତ୍ତମାନ ଯୁଗ ବିଭାଗ ସମ୍ପର୍କୀୟ ଅନ୍ୟ ଧାରାଟି ବିଷୟରେ ଆଲୋଚନା କରାଯାଉ । ଏହା ଏକ ଜଣାଶୁଣା ସତ୍ୟ ଯେ କଳା, ସାହିତ୍ୟ ବିଜ୍ଞାନ, ଦର୍ଶନ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ କଦବା କ୍ୱଚିତ୍‌ ଜଣେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱର ଅଭ୍ୟୁଦୟ ଘଟେ, ଯେ କି ନିଜ କ୍ଷେତ୍ରରେ ସମଗ୍ର ଜାତିକୁ ନେତୃତ୍ୱ ଦିଅନ୍ତି । ସମାଜସେବା କ୍ଷେତ୍ରରେ ଗାନ୍ଧୀ, ଗୋପବନ୍ଧୁ ହୁଅନ୍ତୁ କିମ୍ବା ସାହିତ୍ୟ କ୍ଷେତ୍ରରେ ସାରଳା ଦାସ, ରବୀନ୍ଦ୍ରନାଥ ହୁଅନ୍ତୁ, ସେମାନେ ସମସ୍ତେ ଏହି ଶ୍ରେଣୀର । ସମଗ୍ର ମାନବ ଜାତିକୁ ଏମାନେ ସତ୍ୟ କଥା ସୌନ୍ଦର୍ଯ୍ୟର ଅମରଲୋକରେ ପହଞ୍ଚାଇ ଦିଅନ୍ତି । ମାନବ ଜାତି ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରେ, ଗୋଟିଏ ନିର୍ଦ୍ଦିଷ୍ଟ ସମୟକୁ ସେମାନଙ୍କ ନାମରେ ଚିହ୍ନିତ କରି । ଗାନ୍ଧୀ ଯୁଗ ହେଉ ବା ରବୀନ୍ଦ୍ର ଯୁଗ ହେଉ, ସେସବୁ କୃତଜ୍ଞ ମାନବ ଜାତିର ସାମାନ୍ୟ ସ୍ୱୀକୃତିର ପରିମାଣ ମାତ୍ର । ଓଡ଼ିଶାର କାବ୍ୟ କ୍ଷେତ୍ରରେ ବହୁ କାଳର ଏହି ଧରଣର ଯୁଗ ବିଭାଗର ଉଲ୍ଲେଖ ରହିଥିବା ସ୍ଥଳେ ନାଟକ କ୍ଷେତ୍ରରେ ଅଦ୍ୟାବଧି ସେ ଦିଗରେ କୌଣସି ଉଦ୍ୟମ ହେଇନାହିଁ । ପ୍ରସ୍ତୁତ ପ୍ରବନ୍ଧରେ ସେ ସମ୍ପର୍କରେ ସାମାନ୍ୟ ଆଲୋଚନା କରାଯାଉଛି ।

 

ଜଗନ୍ମୋହନ ଲାଲା ଓଡ଼ିଆ ନାଟକ କ୍ଷେତ୍ରରେ ସାମାଜିକତାର ପ୍ରଥମ ବାର୍ତ୍ତାବହ । ସମାଜ ଜୀବନର ଦୋଷ ତ୍ରୁଟି ନିରାକରଣ ନିମନ୍ତେ ସେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ, କହିବା ବାହୁଲ୍ୟ ଯେ ସେଥିପାଇଁ ସେ ସମର୍ଥକ ପାଇଲେ ନାହିଁ । ଯୁଗରୁଚି ହିଁ ଏହାର ବାଧକ ହେଲା । ପ୍ରତିଭା କ୍ଷେତ୍ରରେ ଏଭଳି ଘଟିବା ନୂତନ ମଧ୍ୟ ନୁହେଁ । ଏଥିପାଇଁ ସକ୍ରେଟିସ ମୃତ୍ୟୁବରଣ କରିଥିଲେ । ଏହା ବ୍ୟତୀତ ଲାଲା ନାଟକବଳୀର ଯଥାଯଥ ପ୍ରଚାର ମଧ୍ୟ ହୋଇପାରିଲା ନାହିଁ । ଅତ୍ୟାଚାରୀ ଶାସକ, ଭଣ୍ଡ ମହନ୍ତ ପ୍ରଭୃତିଙ୍କର ଯେଉଁ ଚିତ୍ର ସେ ମଞ୍ଚରେ ଉପସ୍ଥାପିତ କଲେ, ଏ ଦେଶର ଅଦୃଷ୍ଟବାଦୀ ଜନତା ସେଆଡ଼ୁ ବିରାଗ ଏବଂ ଭୟରେ ମୁହଁ ଫେରାଇ ନେଲେ । ତେଣୁ ଜୀବନ ସାରା ଲାଲା ନିଜର ପତାକା ନିଜେ ହିଁ ବହନ କରି ଚାଲିଲେ, କୌଣସି ଅନୁଗାମୀ ନିଜପାଇଁ ପାଇଲେ ନାହିଁ । ରାମଶଙ୍କର ଏହି ସମୟରେ ନାଟକ କ୍ଷେତ୍ରରେ ଆତ୍ମପ୍ରକାଶ କଲେ । ଯାତ୍ରା ଏବଂ ଲୀଳା ପ୍ରଭୃତି ସହ ଆନ୍ତରିକ ସମ୍ପର୍କ ରଖିଥିବା ସେ ଯୁଗର ଦଶକଙ୍କର ପ୍ରତ୍ୟାଶାକୁ ବୁଝିନେବାରେ ତାଙ୍କର ଆଦୌ ବିଳମ୍ବ ହୋଇ ନଥିଲା । ମୃତ୍ୟୁ, ସଙ୍ଗୀତ ପ୍ରତି ଅନୁରୁକ୍ତି ତାଙ୍କୁ ମିଳିଥିଲା ପାରିବାରିକ ସୂତ୍ରରେ । ଅଗ୍ରଜ ଗୌରୀଶଙ୍କର ପ୍ରିଣ୍ଟିଂ କମ୍ପାନୀ ହଲରେ ନୃତ୍ୟ ଏବଂ ସଙ୍ଗୀତର ନିୟମିତ ଆସର ବସାଉଥିଲେ । ଇତିମଧ୍ୟରେ ୧୮୭୨ ମସିହାରୁ କଟକର ସ୍କୁଲ ଛାତ୍ରମାନେ ନିୟମିତ ନାଟକଭିନୟ ଆରମ୍ଭ କରି ଦେଇଥିଲେ । ଏବଂ ଏହି ସମୟରେ ମନମୋହନ ବସୁ ପ୍ରଣୀତ ବଙ୍ଗଳା ‘ରାମାଭିଷେକ’ ନାଟକର ଅଭିନୟ ମଧ୍ୟ କଟକରେ ସଫଳତାର ସହ ହୋଇଗଲା (୧୮୭୮) । ରାମଶଙ୍କର ଏହି ସମୟରେ ଚିନ୍ତାକଲେ, ‘ବଙ୍ଗଳା ଅଭିନୟ ଦେଖିଆସି ମନେକଲି, ଓଡ଼ିଆରେ ନାଟକ ନାହିଁ ବୋଲି ସିନା ଉଦ୍ୟୋକ୍ତମାନେ ବଙ୍ଗଳା ନାଟକର ଅଭିନୟ ଦେଖିଆସି ମନେକଲି, ଓଡ଼ିଆରେ ନାଟକ ନାହିଁ ବୋଲି ସିନା ଉଦ୍ୟୋକ୍ତାମାନେ ବଙ୍ଗଳା ନାଟକର ଅଭିନୟ କଲେ । ଦିନାକେତେ ଅପେକ୍ଷା କଲି; ମାତ୍ର କେହି ଅଭିନୟଯୋଗୀ ଓଡ଼ିଆ ନାଟକ ନ ଲେଖିବାରୁ ମୁଁ ତହିଁରେ ହାତଦେଲି ।’’ (୩) ଓଡ଼ିଆରେ ପ୍ରଥମ ନାଟ୍ୟକାର ହେବା ନିମନ୍ତେ ହିଁ ତାଙ୍କର ନାଟ୍ୟ ରଚନା ପ୍ରବୃତ୍ତି ସୃଷ୍ଟି ହୋଇଥିଲା ବୋଲି ଏହି ମନ୍ତବ୍ୟରୁ ଜଣାଯାଏ । ଅନ୍ୟଥା ତାଙ୍କ ପୂର୍ବରୁ ଲାଲାଙ୍କର ଯେଉଁ ‘‘ବାବାଜୀ’’ ନାଟକ ପ୍ରକାଶିତ ହୋଇ ‘ଦୀପିକା’ରେ ଆଲୋଚିତ ଏବଂ ବିଜ୍ଞାପିତ ହୋଇ ସାରିଥିଲା (୧୭।୧୦।୬୭) ତାକୁ ସେ ଭୁଲିଯାଇଥାନ୍ତେ କିପରି ? ୧୮୮୦ ମସିହାରୁ ୧୯୧୭ ମସିହା ମଧ୍ୟରେ ରାମମହାଶୟ ଚୌଦଖଣ୍ଡି ନାଟକ ରଚନା କରିଥିଲେ ଏବଂ ନିଜର ଏକ ନାଟ୍ୟଦଳଦ୍ୱାରା ତନ୍ମଧ୍ୟରୁ କିଛି ନାଟକର ଅଭିନୟ କଟକରେ କରାଇଥିଲେ । କୋଠପଦା ମଠମହନ୍ତ ପୁରୀ ମହୋଦୟ ନିଜ ମଠରେ ଏକ ମଞ୍ଚସ୍ଥାପନ କରି ରାମଶଙ୍କରଙ୍କର ଅଧିକାଂଶ ନାଟକ ନିୟମିତ ଭାବରେ ଅଭିନୟ କରାଉଥିଲେ । ପରିମାଣରେ ଭୀମଶଙ୍କର ଅଚିରେ ଜଣେ ପ୍ରସିଦ୍ଧ ନାଟ୍ୟକାର ରୂପେ ସମଗ୍ର ଓଡ଼ିଶାରେ ପରିଚିତ ହୋଇଗଲେ । ଅନେକେ ତାଙ୍କୁ ଓଡ଼ିଶାର ‘ପ୍ରଥମ ନାଟ୍ୟକାର’ ବୋଲି ଜାଣିଲେ ଏବଂ ତାଙ୍କୁ ‘ଓଡ଼ିଶାର ସେକ୍‌ସିପିୟର’ ଏବଂ ‘Father of Oriya Drama’ (ମଦୁସୂଦନ) ବୋଲି ମଧ୍ୟ କୁହାଗଲା । ପ୍ରଚାରର ଏହିଭଳି ମହିମା । ପତ୍ରିକାଟିଏ ହାତରେ ଥିବାରୁ ତାଙ୍କର ନାଟକବଳୀ ସମ୍ପର୍କୀୟ ସାମାନ୍ୟତମ ତଥ୍ୟ ସୁଦ୍ଧା ସମଗ୍ର ଓଡ଼ିଶାରେ ପହଞ୍ଚି ଯାଉଥିଲା । ଲାଲା କିନ୍ତୁ ଏ ସୁଯୋଗ ପାଇ ନଥିଲେ । ତେଣୁ ରାମଶଙ୍କର ପ୍ରତିଷ୍ଠିତ ନାଟ୍ୟାଦର୍ଶ ଯେ ଓଡ଼ିଆ ନାଟକ ପାଇଁ ଏକମାତ୍ର ଗ୍ରହଣୀୟ ଆଦର୍ଶ, ଏ ବିଶ୍ୱାସ ମଧ୍ୟ ସମସ୍ତଙ୍କର ହୋଇଗଲା । ତାଙ୍କର ସମସାମୟିକ ଏବଂ ପରବର୍ତ୍ତୀ ନାଟ୍ୟକାରବୃନ୍ଦ ସ୍ଥିର ଚିତ୍ତରେ ତାଙ୍କୁ ଅନୁସରଣ କରିବାକୁ ଲାଗିଲେ । କାମପାଳ ମିଶ୍ର, ଭିକାରୀ ଚରଣ ପଟ୍ଟନାୟକ, ବୀରବିକ୍ରମ ଦେବ ପ୍ରମୁଖ ନାଟ୍ୟକାରବୃନ୍ଦ ତାଙ୍କ ଆଦର୍ଶରେ ଗଭୀର ଭାବରେ ପ୍ରଭାବିତ ହେଲେ । କଥାବସ୍ତୁର ପରିବେଷଣରେ, ଅଙ୍କ ଏବଂ ଦୃଶ୍ୟ ବିଭାଗରେ, ସଂଳାପ ପରିକଳ୍ପନାରେ, ସଙ୍ଗୀତ ଯୋଜନାରେ ରାମଶଙ୍କର ଯେଉଁ ନାଟ୍ୟ ରୀତିର ଅନୁସରଣ କରିଥିଲେ, ତାଙ୍କର ପରବର୍ତ୍ତୀ ନାଟ୍ୟକାରମାନେ ମଧ୍ୟ ଊଣାଅଧିକେ ତାହାହିଁ କଲେ । ବିଶେଷ କରି ରାମଶଙ୍କର ନାଟକରେ ଗୋଟିଏ ଦିଗରେ ପାରମ୍ପରିକ ସଂସ୍କୃତ ନାଟକ ଏବଂ ଅପର ଦିଗରେ ଚିରାଚରିତ ଲୋକନାଟକର ଯେଉଁ ସମନ୍ୱୟିତ ପ୍ରଭାବ ଦେଖିବାକୁ ମିଳେ ତାଙ୍କର ଅନୁଗାମୀମାନେ ତହିଁରୁ ନିଜକୁ ମୁକ୍ତ ରଖି ପାରିଲେ ନାହିଁ । ପୂର୍ବୋକ୍ତ ନାଟ୍ୟକାରମାନଙ୍କ ମଧ୍ୟରୁ ଏ ସମ୍ପର୍କରେ କେହି ନୂତନ ଭାବରେ ଚିନ୍ତା ମଧ୍ୟ କରିନଥିବାର ସ୍ପଷ୍ଟ ଜଣାଯାଉଛି । ଅନ୍ୟଦ୍ୱାରା ପ୍ରଭାବିତ ହେବାକୁ ଆମ୍ଭେମାନେ ନିନ୍ଦନୀୟ କହୁନାହୁଁ । ବିଶେଷ କରି ସୃଷ୍ଟିର ପ୍ରଥମ ପର୍ଯ୍ୟାୟରେ ଏହା ଅପରିହାର୍ଯ୍ୟ ନୁହେଁ ମଧ୍ୟ । ତେବେ, ଋଣ ଗ୍ରହଣ ପରେ ପରିଶୋଧର ବ୍ୟାପାର ଆପେ ଆପେ ଆସି ପଡ଼େ । ସେତକର ଅଭାବ ମାତ୍ର ଏଠାରେ ଲକ୍ଷ୍ୟ କରାଯାଉଛି । ଏହିଭଳି ଭାବରେ ରାମଶଙ୍କର ଚଳିତ ଶତକର ଦ୍ୱିତୀୟ ଦଶକର ଶେଷ ପର୍ଯ୍ୟନ୍ତ ଓଡ଼ିଆ ନାଟ୍ୟ ଜଗତର ଏକମାତ୍ର ଆଦର୍ଶ ହୋଇ ପ୍ରତିଷ୍ଠିତ ହେଲେ । ତେଣୁ ଯୁଗ ବିଭାଗ କାଳରେ ଏହି ସମୟକୁ (୧୮୭୭-୧୯୨୦) ‘ରାମଶଙ୍କର ଯୁଗ’ ବୋଲି ସ୍ୱୀକାର ନ କରି ଉପାୟ ନାହିଁ ।

 

ହିନ୍ଦୀ ଏବଂ ବଙ୍ଗଳା ନାଟକରେ ମଧ୍ୟ ଏହି ସମୟରେ ପୌରାଣିକ ନାଟକର ଯୁଗ । ହିନ୍ଦୀ ନାଟ୍ୟ ସାହିତ୍ୟକୁ ମୋଟାମୋଟି ଚାରୋଟି ଯୁଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା, (୧) ଭାରତେନ୍ଦ ଯୁଗ–୧୮୯୩ ପର୍ଯ୍ୟନ୍ତ (୨) ଦ୍ୱିବେଦୀ ଯୁଗ–୧୯୧୫ ପର୍ଯ୍ୟନ୍ତ । (୩) ପ୍ରସାଦ ଯୁଗ - ୧୯୩୩ ପର୍ଯ୍ୟନ୍ତ । (୪) ପ୍ରସାଦୋତ୍ତର ଯୁଗ-ବର୍ତ୍ତମାନ ପର୍ଯ୍ୟନ୍ତ । ସେଠାରେ ଭାରତେନ୍ଦୁ କାଳରୁ ଐତିହାସିକ ଏବଂ ସାମାଜିକ ନାଟକ ରଚନାର ପ୍ରବୃତ୍ତି ସୃଷ୍ଟି ହୋଇସାରିଥିଲେ ହେଁ ଭାରତେନ୍ଦୁଙ୍କ କାଳର ମୁଖ୍ୟ ପ୍ରବୃତ୍ତି ପୌରାଣିକ ହିଁ ଥିଲା । ସଂସ୍କୃତ ନାଟକର କେତେକ ଅନୁବାଦ ବ୍ୟତୀତ ସେ ସତ୍ୟ ହରିଶ୍ଚନ୍ଦ୍ର, ଚନ୍ଦ୍ରାବଳୀ, ନୀଳଦେବୀ, ସତୀ ପ୍ରତାପ ପ୍ରଭୃତି ମୌଳିକ ପୌରାଣିକ ନାଟକ ଲେଖିଥିଲେ । ଦ୍ୱିବେଦୀ ଯୁଗରେ ଖୁବ୍‌ବେଶୀ ମୌଳିକ ନାଟକ ରଚିତ ହେଲା ନାହିଁ ସତ୍ୟ, ତେବେ ମୂଳ ପ୍ରବୃତ୍ତିଟି ପୌରାଣିକ ବିଷୟ ତ୍ୟାଗ କରି ଇତିହାସ ନିର୍ଭର ହେବାର ସ୍ପଷ୍ଟ ସୂଚନା ମିଳିଲା ଏବଂ ଶେଷରେ ପ୍ରସାଦ ଯୁଗରେ ସମାଜ-ନିଭର ହୋଇ ପରବର୍ତ୍ତୀ କାଳରେ ଆହୁରି ବିକାଶ ଲାଭ କଲା । ସମୃଦ୍ଧି ଦୃଷ୍ଟିରୁ ବଙ୍ଗଳା ଭାଷାର ନାଟ୍ୟ ସାହିତ୍ୟ ଅତ୍ୟନ୍ତ ଉଚ୍ଚକୋଟିର ହୋଇଥିବାର ସମସ୍ତେ ଜାଣନ୍ତି । ବଙ୍ଗଳାରେ ନାଟକର ସୃଷ୍ଟି ହେଲା ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ, ଯଦିଓ ତାହାର ବହୁପୂର୍ବରୁ ଏଠାରେ ନାଟକ ରଚିତ ହୋଇଥିବାର ଉଲ୍ଲେଖ ମିଳୁଛି । ହିନ୍ଦୀ ନାଟ୍ୟ ସାହିତ୍ୟ ଉପରେ ବଙ୍ଗଳା ନାଟ୍ୟ ସାହିତ୍ୟର ପ୍ରଭାବ ସମ୍ପର୍କରେ ସେ ଦେଶର ନାଟ୍ୟ ସମାଲୋଚକ ବୃନ୍ଦ ଏକମତ । ଆଲୋଚକ ଡକ୍ଟର ନଗେନ୍ଦ୍ର ହିନ୍ଦୀ ନାଟ୍ୟ ସାହିତ୍ୟ ଉପରେ ନାଟ୍ୟକାର ଗିରୀଶ ଚନ୍ଦ୍ର ଘୋଷଙ୍କର ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି, ‘‘ତାଙ୍କ ନାଟକଗୁଡ଼ିକର ପଙ୍ଖାନୁପୁଙ୍ଖ ଅଧ୍ୟୟନରୁ ହିଁ ହିନ୍ଦୀ ନାଟ୍ୟକାରବୃନ୍ଦ ବିଦେଶୀ ନାଟ୍ୟଶୈଳୀ ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ଲାଭ କରିପାରିଥିଲେ ।’’ (୪) ପ୍ରସଙ୍ଗ କ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡ଼ିଆ ନାଟକରେ ପାଶ୍ଚତ୍ୟପ୍ରଭାବ ସମ୍ପର୍କରେ ଆଲୋଚନା କଲାବେଳେ ବଙ୍ଗଳା ନାଟକ ପ୍ରସଙ୍ଗ ଆପେ ଆପେ ଆସିଯିବ, ଅର୍ଥାତ୍‌ ଏଠାରେ ମଧ୍ୟ ବଙ୍ଗଳା ନାଟକର ଅଧ୍ୟୟନ, ଅଭିନୟ ଏବଂ ଅନୁବାଦ ମାଧ୍ୟମରେ ହିଁ ବିଦେଶୀ ନାଟ୍ୟଶୈଳୀ ସହିତ ଯୋଗାଯୋଗ ସ୍ଥାପିତ ହୋଇଥିଲା ।

 

ରାମନାରାୟଣ ତର୍କ ରତ୍ନ, ଦୀନବନ୍ଧୁ ମିତ୍ର ପ୍ରମୁଖ ଊନବିଂଶ ଶତକର ମଧ୍ୟଭାଗରୁ ସାମାଜିକ ନାଟକ ରଚନା ଆରମ୍ଭ କରିଥିଲେହେଁ ବଙ୍ଗଳା ନାଟ୍ୟ ସାହିତ୍ୟରେ ପ୍ରକୃତ ସାମାଜିକ ନାଟକର ଯୁଗ ଆସିଛି ଚଳିତ ଶତକର ଦ୍ୱିତୀୟ ଦଶକରେ । ନାଟ୍ୟକାର ଏବଂ ଅଭିନେତା ଶିଶିର ଭାଦୁଡ଼ି ଏଥିରେ ନେତୃତ୍ୱ ଗ୍ରହଣ କରିଥିଲେ । ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ନାଟ୍ୟ ସାହିତ୍ୟର ଯେଉଁ ଯୁଗ ବିଭାଗ ଦେଖାଯାଏ, ତାହା ସହିତ ଓଡ଼ିଆ ନାଟ୍ୟ ସାହିତ୍ୟର ସାମଞ୍ଜସ୍ୟ ରହିଛି । ମୈଥିଳୀ ନାଟ୍ୟ ସାହିତ୍ୟର ବିକାଶ ଧାରା ଅନୁସନ୍ଧାନ କଲେ ଜଣାଯିବ ଯେ ସେଠାରେ ସପ୍ତଦଶ ଶତକର ଶେଷ ପାଦରୁ ନାଟକର ବିକାଶ ହୋଇଥିଲା ଏବଂ ପ୍ରବୃତ୍ତିଟି ଥିଲା ମୁଖ୍ୟତଃ ପୁରାଣ ଆଧାରିତ । ବିଂଶ ଶତାବ୍ଦୀର ଆରମ୍ଭରେ ଗୋଟିଏ ଦିଗରେ ପରମ୍ପରା ତଥା ଅପର ଦିଗରେ ପାଶ୍ଚାତ୍ୟ ପ୍ରଭାବରେ ସେଠାରେ ଆଧୁନିକ ରଙ୍ଗମଞ୍ଚ ପ୍ରତିଷ୍ଠିତ ହୋଇ ସାମାଜିକ ନାଟକର ଅଭିନୟ ଆରମ୍ଭ ହୋଇଥିଲା । ଇତିହାସ ପାଇଁ ସେଠାରେ କୌଣସି ସ୍ୱତନ୍ତ୍ର ଯୁଗର ବ୍ୟବସ୍ଥା କରାଯାଇନାହିଁ । ମହାରାଷ୍ଟ୍ରର ନାଟ୍ୟ ସମାଲୋଚକବୃନ୍ଦ ସେଠାକାର ନାଟ୍ୟ ସାହିତ୍ୟକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରିଛନ୍ତି । (୧) ୧୮୪୩-୧୮୮୦ (ପୌରାଣିକ ନାଟକର ଯୁଗ) (୨) ୧୮୮୦-୧୯୦୦ (ପୌରାଣିକ ନାଟକର ଉନ୍ନତ ରୂପ) (୩) ୧୯୦୦-୧୯୩୫ (ଐତିହାସିକ ନାଟକର ଯୁଗ) (୪) ୧୯୩୫ - ଆଜି ପର୍ଯ୍ୟନ୍ତ (ସାମାଜିକ ନାଟକର ଯୁଗ) । ଗତ ଶତକର ମଧ୍ୟ ଭାଗରୁ ପୌରାଣିକ ନାଟକର ଅଭିନୟରେ ସେଠାରେ ଯେଉଁ ପରିବେଶ ସୃଷ୍ଟି ହୋଇଥିଲା, ତାହାର ପ୍ରଭାବ ରହିଲା ପ୍ରାୟ ୧୯୩୫ ମସିହା ପର୍ଯ୍ୟନ୍ତ । ଊନବିଂଶ ଶତକର ଶେଷ ପାଦରେ ପ୍ରବୃତ୍ତିଟି ପୌରାଣିକ ରହିଥିଲେ ହେଁ ପରିବେଷଣ ଶୈଳୀରେ ପରିବର୍ତ୍ତନ ଅଣାଯାଇଥିଲା ଏବଂ ଚଳିତ ଶତକର ପ୍ରାରମ୍ଭକୁ ସେଠାରେ ଜାତୀୟବାଦୀ ଚିନ୍ତାଧାରାର ଉନ୍ମେଷ ଘଟିସାରିଥିବାରୁ ଐତିହାସିକ ନାଟକ ପ୍ରତି ଦର୍ଶକମାନଙ୍କର ସମାଦର ବୃଦ୍ଧି ପାଇଲା । ଶେଷ ପର୍ବ ହେଉଛି ସମାଜିକ ନାଟକର । କନ୍ନଡ଼, ତାମିଲ, ତେଲୁଗୁ, ମଲମାଲମ, ପଞ୍ଜାବୀ, ଗୁଜରାତୀ, ଆସାମୀ ପ୍ରଭୃତି ଏ ଦେଶର ପ୍ରତ୍ୟେକ ପ୍ରାନ୍ତର ନାଟ୍ୟ ଇତିହାସର ସମୀକ୍ଷା କଲେ, ମୋଟା ମୋଟି ଭାବରେ ଦେଖାଯିବ ଯେ ପୂର୍ବୋକ୍ତ ତିନୋଟି ଧାରା ହିଁ ପ୍ରତ୍ୟେକ କ୍ଷେତ୍ରର ନାଟ୍ୟ ପ୍ରବୃତ୍ତିକୁ ନିୟନ୍ତ୍ରିତ କରିଛି । ପାଶ୍ଚାତ୍ୟ ଶିକ୍ଷାର ତାରତମ୍ୟ ହେତୁ କୌଣସି କୌଣସି କ୍ଷେତ୍ରରେ ଐତିହାସିକ ନାଟ୍ୟ ରଚନା ପ୍ରବୃତ୍ତିଟି ବିଳମ୍ବରେ ଆସିଛି କିମ୍ବା ଆଦୌ ଆସିନାହିଁ । ଓଡ଼ିଆ ନାଟ୍ୟ ଧାରା ଯେ ସର୍ବଭାରତୀୟ ନାଟ୍ୟଧାରାଠାରୁ ସ୍ୱତନ୍ତ୍ର କିଛି ନୁହେଁ ଏବଂ ଏଠାର ନାଟ୍ୟ ପ୍ରବୃତ୍ତି ସହିତ ସର୍ବଭାରତୀୟ ନାଟ୍ୟପ୍ରବୃତ୍ତିର ଯେ ସିଧାସଳଖ ସମ୍ପର୍କ ରହିଛି, ତାହାହିଁ ଏଥିରୁ ପ୍ରମାଣିତ ହେଉଛି ।

 

ଏହି ସମୟର ବଙ୍ଗଳା ନାଟ୍ୟ ସାହିତ୍ୟର ଯୁଗ ବିଭାଗ ସମ୍ପର୍କରେ ସୂଚନା ଦେଇ ଦେଲେ, ଓଡ଼ିଶାର ନାଟ୍ୟ ପ୍ରବୃତ୍ତି କିଭଳି ବଙ୍ଗଳା-ପ୍ରଭାବିତ ଥିଲା, ତାହା ସ୍ପଷ୍ଟ ହୋଇଯିବ । ୧୮୫୮ ମସିହାରେ ବଙ୍ଗ କବି ମାଇକେଲ ରଚନା କରନ୍ତି ‘ଶର୍ମିଷ୍ଠା’ ନାଟକ, ଯାହା ସେ ସମୟରେ ଉଚ୍ଚ ପ୍ରଶଂସିତ ହୋଇ ଏକ ନୂତନ ଯୁଗ ସୃଷ୍ଟିର ସୂଚକ ହୋଇଥିଲା । ଏହି ସମୟର ନାଟ୍ୟକାର ମନମୋହନ ବସୁ, କାଳିଦାସ ସାନ୍ୟାଲ, ମଣିମୋହନ ସର୍କାର ପ୍ରଭୃତି ମାଇକେଲ୍‌ ନାଟକର ଲୋକପ୍ରିୟତା ଲକ୍ଷ୍ୟକରି ପୌରାଣିକ ନାଟକମାନ ଲେଖିଛନ୍ତି । ତେଣୁ ଏହି ସମୟଟି ହେଉଛି ମୁଖ୍ୟତଃ ପୌରାଣିକ ନାଟକର ଗିରୀଶ ଘୋଷ ଦ୍ୱିତୀୟ ପର୍ଯ୍ୟାୟର ନାଟ୍ୟକାର, ଯେ କି ଅଶୀରୁ ଊର୍ଦ୍ଧ୍ୱନାଟକ ଲେଖିଥିଲେ । ଏହାଙ୍କଦ୍ୱାରା ପ୍ରବୃତ୍ତିର ପରିବର୍ତ୍ତନ ସୂଚିତ ହେଲା । ପୌରାଣିକ ନାଟକ ବ୍ୟତୀତ ସେ ଐତିହାସିକ ଏବଂ ସାମାଜିକ ନାଟକ ମଧ୍ୟ ରଚନା କଲେ । ଏହି ସମୟର ଅନ୍ୟ ଜଣେ ଖ୍ୟାତିସମ୍ପନ୍ନ ନାଟ୍ୟକାର ଦ୍ୱୀଜେନ୍ଦ୍ର ଲାଲ ରାୟ ଜାତୀୟତାର ଉନ୍ମେଷ କାମନାରେ ପ୍ରଚୁର ଐତିହାସିକ ନାଟକ ରଚନା କଲେ, ଯାହା ସହିତ ଓଡ଼ିଶାର ଐତିହାସିକ ନାଟ୍ୟରଚନା ବେଳକୁ ନାଟକ ରଚନା କରିବାକୁ ଆରମ୍ଭ କଲେ । ଏହାଙ୍କର ନାଟକଗୁଡ଼ିକ ମୁଖ୍ୟତଃ କଳ୍ପନା ପ୍ରଧାନ ହୋଇଥିଲେ ହେଁ ଏଥିରୁ ହିଁ ରବୀନ୍ଦ୍ରୋତ୍ତର ଯୁଗର ସାମାଜିକ ନାଟକ ରଚନା ପ୍ରବୃତ୍ତିଟି ସ୍ପଷ୍ଟ ହୋଇ ହୋଇଥିଲେ ହେଁ ଏଥିରୁ ହିଁ ରବୀନ୍ଦ୍ରୋତ୍ତର ଯୁଗର ସାମାଜିକ ନାଟକ ରଚନା ପ୍ରବୃତ୍ତିଟି ସ୍ପଷ୍ଟ ହୋଇ ଆତ୍ମପ୍ରକାଶ କରିଛି ।

 

ଅନ୍ୟ ଗୋଟିଏ ଦୃଷ୍ଟି କୋଣରୁ ମଧ୍ୟ ବଙ୍ଗଳା ଏବଂ ଓଡ଼ିଆ ନାଟକ ମଧ୍ୟରେ ପ୍ରବୃତ୍ତିଗତ ସମାନ୍ତରାଳତା ରହିଥିବାର ଲକ୍ଷ୍ୟ କରାଯାଇ ପାରିବ । ସୃଷ୍ଟି ଲଗ୍ନୀରୁ ହିଁ ବଙ୍ଗଳା ନାଟକ ତଥା ରଙ୍ଗମଞ୍ଜ ଅନ୍ୟୋନ୍ୟ ନିର୍ଭରଶୀଳ ହୋଇ ରହିଛନ୍ତି । ନାଟକର ମୂଳ ଲକ୍ଷ୍ୟ ଅଭିନୟ ହିଁ ରହିଛି । ଦୃଶ୍ୟତ୍ୱ ହେଉଛି ତାହାର ମୁଖ୍ୟ ଧର୍ମ । ଓଡ଼ିଶାରେ ମଧ୍ୟ ଏହାର ଅନ୍ୟଥା ହୋଇଥିବାର ଦେଖିବାକୁ ମିଳୁନାହିଁ । ଲାଲାଙ୍କଠାରୁ ଆରମ୍ଭ କରି ବୀର ବିକ୍ରମଙ୍କ ପର୍ଯ୍ୟନ୍ତ ଯେଉଁ ନାଟ୍ୟକାର ବୃନ୍ଦ ସେ କାଳରେ ନାଟକ ଲେଖିଛନ୍ତି । ସେଗୁଡ଼ିକ ମଞ୍ଚ ପାଇଁ ହିଁ ଲେଖିଛନ୍ତି । ଏଭଳିକି ଚିକିଟୀ ଅଧୀଶ୍ୱର ରାଧାମୋହନ ରାଜେନ୍ଦ୍ରଙ୍କର ବିପୁଳକାୟ ‘ପ୍ରକୃତ ପ୍ରଣୟ’ ଏବଂ ‘ପ୍ରକୃତି ରହସ୍ୟ’ ପରି ନାଟକ ମାନ ମଧ୍ୟ ରାତି ପରେ ରାତି ଅଭିନୀତ ହୋଇଛି । ପ୍ରଥମାବସ୍ଥାରେ ବଙ୍ଗଳା ନାଟକ ଯେଉଁଭଳି ସଂସ୍କୃତ ପ୍ରଭାବିତ ହୋଇ, କ୍ରମଶଃ ପାଶ୍ଚାତ୍ୟ ପ୍ରଭାବକୁ ଗ୍ରହଣ କରିନେଇଛି, ଓଡ଼ିଶାରେ ମଧ୍ୟ ତାହାହିଁ ହୋଇଛି । କେବଳ ମାତ୍ର ଗୋଟିଏ ଦୃଷ୍ଟିରୁ ବଙ୍ଗଳା ତଥା ହିନ୍ଦି ନାଟକଠାରୁ ଓଡ଼ିଆ ନାଟକର ସ୍ୱାତନ୍ତ୍ର୍ୟ ଲକ୍ଷ୍ୟ କରାଯାଇଥାଏ । ସେ ଦେଶରେ ପ୍ରଥମ ନାଟକ ରଚିତ ହୋଇଛି ପୁରାଣକୁ ଅବଲମ୍ବନ କରି । ହିନ୍ଦୀ ଭାଷାର ପ୍ରଥମ ପ୍ରକାଶିତ ନାଟକ ‘ନହୁଷ’ (ଊନବିଂଶ ଶତକର ପ୍ରଥମପାଦ) ଏବଂ ବଙ୍ଗଳା ଭାଷାର ପ୍ରଥମ ପ୍ରକାଶିତ ନାଟକ ‘ଭଦ୍ରାର୍ଜୁନ’ (୧୭୦୪ ମସିହା) ଏହାର ସାକ୍ଷ୍ୟ ବହନ କରୁଛି । ଓଡ଼ିଆ ଭାଷାର ପ୍ରଥମ ନାଟକ କିନ୍ତୁ ସାମାଜିକ । ଯୁଗରୁଚିର ବାହାରକୁ ଯାଇଁ ଲାଲା ମହାଶୟ ଏହି ଉଦ୍ୟମ କରିଥିଲେ ମଧ୍ୟ ଉଭୟ ଭିତର ଏବଂ ବାହାରର ଚାପରେ ଅନ୍ୟ ନାଟ୍ୟକାରବୃନ୍ଦ ଏହାକୁ ବଞ୍ଚାଇ ରଖିପାରିଲେ ନାହିଁ । ବଙ୍ଗଳା ଏବଂ ହିନ୍ଦୀ ନାଟକର ବିଭାଗରୁ ଓଡ଼ିଆ ନାଟକର ଯୁଗ ବିଭାଗ ସମ୍ପର୍କରେ ଯଥେଷ୍ଟ ସହାୟତା ମିଳିପାରିବ ବୋଲି ଭାବ, ଏଠାରେ ସେ ବିଷୟରେ ଆଲୋଚନା କରାଗଲା । ଏଥର ଆମେ ଆଲୋଚନାର ମୂଳସ୍ରୋତ ନିକଟକୁ ଫେରିଯିବା ।

 

ରାମଶଙ୍କରଙ୍କ ପରେ ଅଶ୍ୱିନୀ କୁମାର ହେଉଛନ୍ତି ଓଡ଼ିଆ ନାଟକର ଏକ ସ୍ମରଣୀୟ ନାମ-। ବିଂଶ ଶତକର ଦ୍ୱିତୀୟ ଦଶକ ବେଳକୁ ସେ ନାଟକ ରଚନା କରିବାକୁ ଆରମ୍ଭ କରନ୍ତି । ସୌଭାଗ୍ୟକୁ ସେ ପୁଣି ରାମଶଙ୍କରଙ୍କର ଆତ୍ମୀୟ ଥିଲେ । ଓଡ଼ିଆ ନାଟକ କ୍ଷେତ୍ରରେ ଏପର୍ଯ୍ୟନ୍ତ ଯେଉଁ ପୌରାଣିକ ନାଟକର ଯୁଗ ଚାଲିଥିଲା, ଅଶ୍ୱିନୀକୁମାର ତହିଁରେ ପରିବର୍ତ୍ତନ ଘଟାଇ ଐତିହାସିକ ନାଟକ ରଚନା କରିବାକୁ ଆରମ୍ଭ କଲେ । ବଙ୍ଗଳାରେ ମଧ୍ୟ ଗିରୀଶ ଘୋଷ, ଦ୍ୱିଜେନ୍ଦ୍ର ଲାଲ ପ୍ରମୁଖ ଜାତୀୟତାର ପ୍ରସାର କାମନାରେ ଐତିହାସିକ ନାଟକ ରଚନାର ଏକ ବଳିଷ୍ଠ ପରମ୍ପରା ଇତିମଧ୍ୟରେ ସ୍ଥାପନ କରିସାରି ଥାଆନ୍ତି । ପ୍ରେରଣା ସେଠାରୁ ହିଁ ସଂଗୃହୀତ ହେଲା । ଅଶ୍ୱିନୀ ବାବୁ ଇତିହାସର ପୁନର୍ନିବାୟନ ଘଟାଇ କଳାପାହାଡ଼, ମୁକୁନ୍ଦଦେବ, ଗୋବିନ୍ଦ ବିଦ୍ୟାଧର, କପିଳେନ୍ଦ୍ର ଦେବ, ନରସିଂହଦେବ ପ୍ରମୁଖ ଐତିହାସିକ ପୁରୁଷମାନଙ୍କର ନୂତନ ରୂପ ଦର୍ଶକମାନଙ୍କ ସମ୍ମୁଖରେ ଉଦ୍‌ଘାଟନ କଲେ । ଦେଖିବାକୁ ଗଲେ, ଓଡ଼ିଶାରେ ଐତିହାସିକ ନାଟକ ରଚନାର ଆଦ୍ୟ ଉନ୍ମେଷ ରାମଶଙ୍କରଙ୍କଦ୍ୱାରା ହିଁ ହୋଇଥିଲା । ତେବେ ନିରୋଳ ଇତିହାସକୁ ନେଇ ପ୍ରଥମେ ନାଟକ ରଚନା କରନ୍ତି ଭିକାରୀ ଚରଣ ୧୯୦୧ ମସିହାରେ । ସେ ଦୃଷ୍ଟିରୁ ବିଚାର କଲେ, ଅଶ୍ୱିନୀକୁମାର କୌଣସି ନୂତନ ପରମ୍ପରାର ସ୍ରଷ୍ଟା ନୁହନ୍ତି, ବରଂ ପରମ୍ପରାର ଅନୁଗତ ଶିଷ୍ୟ, ସାଧକ ମାତ୍ର । ତେଣୁ ‘ଓଡ଼ିଆ ନାଟ୍ୟ ସାହିତ୍ୟର ପରମ୍ପରାର ଅନୁସାରୀ ନ ହୋଇ ସେ ସୃଷ୍ଟି କରିଛନ୍ତି ଓଡ଼ିଶୀ ନାଟ୍ୟ ଜଗତରେ ଏକ ନୂତନ ଅଧ୍ୟାୟ -’’ (୫) ଏହି ମନ୍ତବ୍ୟକୁ ଅତିରଞ୍ଜନ ବୋଲି ଧରିନେବାକୁ ହେଉଛି । ଦେଖିବାକୁ ଗଲେ, ଓଡ଼ିଶାରେ ପୌରାଣିକ ଏବଂ ଐତିହାସିକ ନାଟକ ରଚନା ସାମନ୍ତରାଳ ଗତିରେ ଚାଲିଥିଲା । ପୌରାଣିକ ନାଟକ ରଚନାର ଗତି ଶ୍ଲଥ ହୋଇଗଲା, ସାମାଜିକ ନାଟକ ରଚନା ସାମନ୍ତରାଳ ଭାବରେ ଚାଲିଲା । ଅଶ୍ୱିନୀକୁମାରଙ୍କ ଜନ୍ମ ଏକ ସନ୍ଧିକ୍ଷଣରେ । ପୌରାଣିକ ନାଟକ ରଚନା କରି ସେ ନିଜର ନାଟ୍ୟକାର ଜୀବନ ଆରମ୍ଭ କରିଥିଲେ-। ତାହାପରେ ସେ ଐତିହାସିକ ନାଟକ ରଚନା କରି ବିଂଶ ଶତକର ଚତୁର୍ଥ ଦଶକ ବେଳକୁ ସାମାଜିକ ନାଟକ ରଚନା ଆରମ୍ଭ କଲେ । ଐତିହାସିକ ଏବଂ ସାମାଜିକ ନାଟ୍ୟ ପ୍ରବୃତ୍ତି ସୃଷ୍ଟିର ଏକ ଅନ୍ତର୍ବର୍ତ୍ତୀ କାଳରେ ଅଶ୍ୱିନୀକୁମାରଙ୍କର ନାଟ୍ୟ ପ୍ରତିଭା ମୁକୁଳିତ ହୋଇଥିଲା । ଦେଖିବାକୁ ଗଲେ ଓଡ଼ିଶାରେ ଐତିହାସିକ ନାଟକ ରଚନା ପ୍ରବୃତ୍ତି କୌଣସି ଏକ ନିର୍ଦ୍ଦଷ୍ଟ କାଳାଧୀନ ହୋଇ ରହିନାହିଁ କିମ୍ବା ଏ ଦିଗରେ ଅଶ୍ୱିନୀକୁମାରଙ୍କର କୌଣସି ଅନୁଗାମୀ ମଧ୍ୟ ନାହାନ୍ତି । ଏହି କାରଣରୁ ଆମେ ଅଶ୍ୱିନୀକୁମାରଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଯୁଗର ବ୍ୟବସ୍ଥା ସମ୍ପର୍କରେ ନୀରବ ରହୁଛୁଁ-। ଏହା ବ୍ୟତୀତ ନାଟ୍ୟଶୈଳୀରେ ମଧ୍ୟ ଅଶ୍ୱିନୀକୁମାର ଏଭଳି କୌଣସି ନୂତନତାର ସଙ୍କେତ ଦେଇନାହାନ୍ତି, ଯାହା ଇତିପୂର୍ବରୁ ବିରତ ହୋଇଥିବା ନାଟକରେ ନଥିଲା । ଯାନ୍ତ୍ରାଳିଆ ପରିବେଷଣ ଶୈଳୀ, କୃତ୍ରିମ ସଂଳାପ, ଗଗନଚୁମ୍ବୀ କଳ୍ପନାବିଳାସ ଇତ୍ୟାଦି ବହୁ ତ୍ର ଟି ଅଶ୍ୱିନୀକୁମାରଙ୍କ ନାଟକବଳୀରେ ରହିଛି-। କେବଳ କଥାବସ୍ତୁର ନିର୍ମାଣ ଏବଂ ତାହାର ବ୍ୟବହାରରେ ସେ ନିଜର କୃତିତ୍ୱ ଦେଖାଇଛନ୍ତି । ଅଶ୍ୱିନୀକୁମାର ଓଡ଼ିଶାର ଜଣେ ଲୋକପ୍ରିୟ ନାଟ୍ୟକାର । ପୌରାଣିକ ଏବଂ ଜାତୀୟବାଦୀ କିଛି ବିଷୟବସ୍ତୁର ବ୍ୟବହାର, ଅନ୍ୟ ପ୍ରତିଭାଶାଳୀ ନାଟ୍ୟରଥୀଙ୍କର ଅଭାବ, ତଥା ସେକାଳର ମଞ୍ଚରେ ଘୋଷନାଟକାବଳୀର ବହୁଳ ପ୍ରଦର୍ଶନରୁ ଏହି ଭାବମୂର୍ତ୍ତିଟି ପ୍ରସ୍ତୁତ ହୋଇଛି । ଅନ୍ୟଥା ଗୋଟିଏ ଯୁଗକୁ ନେତୃତ୍ୱ ଦେବା ନିମନ୍ତେ ଯେଉ ବୈଶିଷ୍ଟ୍ୟଗୁଡ଼ିକର ପ୍ରୟୋଜନ, ସେ ସବୁର ଘୋର ଅଭାବ ଘୋଷନାଟକାବଳୀରେ ଦେଖିବାକୁ ମିଳୁଛି ।

 

ନାଟ୍ୟକାର କାଳୀଚରଣ ଥିଲେ ଅଶ୍ୱିନୀବାବୁଙ୍କର ସମସାମୟିକ । ଅଶ୍ୱିନୀବାବୁଙ୍କର ପ୍ରଥମ ନାଟକ ରଚିତ ହେବାର ତିନି ବର୍ଷ ପରେ (୧୯୧୮) କାଳୀଚରଣ ତାଙ୍କର ପ୍ରଥମ ପୌରାଣିକ ନାଟକ ରଚନା କରନ୍ତି । ତାହାପରେ ସେ ଦୀର୍ଘକାଳ ରାସ ରଚନା ଏବଂ ଅଭିନୟ ପ୍ରଦର୍ଶନରେ ବ୍ୟସ୍ତ ରହିଛନ୍ତି ଏବଂ ୧୯୨୯ ମସିହାରେ ଏଥିପାଇଁ ସାକ୍ଷୀଗୋପାଳ ନାଟ୍ୟସଂଘର ପ୍ରତିଷ୍ଠା ମଧ୍ୟ କରିଛନ୍ତି । ପୂରାଣକୁ ନେଇ କାରବାର କରୁଥିଲେହେଁ ଦ୍ରୁତ ପରିବର୍ତ୍ତନଶୀଳ ଲୋକରୁଚି ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରହିଥିଲା ବୋଲି ବିଶ୍ୱାସ କରିବାକୁ ହେଉଛି ଏବଂ ଏହିଠାରେ ହିଁ ଅଶ୍ୱୀନିକୁମାରଙ୍କଠାରୁ ତାଙ୍କର ପାର୍ଥକ୍ୟ ବୋଲି ମନେ କରାଯାଉଛି । ପୁରାଣ କାହାଣୀର ସମାଜନିର୍ଭର ରୂପାୟନ, ସାମାଜିକତା ଆଡ଼କୁ ଦର୍ଶକମାନଙ୍କୁ ନେଇଯିବା ନିମନ୍ତେ ତାଙ୍କର କ୍ରାମିକ ଉଦ୍ୟମରୁ ଏହାର ସତ୍ୟତା ପ୍ରମାଣିତ ହେବ । ପ୍ରତିଭାର ଏହାହିଁ କାର୍ଯ୍ୟ । ଓଡ଼ିଶାର ପୁରାଣ ଏବଂ ଇତିହାସପ୍ରିୟ ଦର୍ଶକଙ୍କୁ ଏକାନ୍ତ ଭାବରେ ସମାଜମୁଖୀ କରିବାର ପ୍ରଧାନ ଶ୍ରେୟ କାଳୀଚରଣଙ୍କୁ ହିଁ ଅର୍ପଣ କରାଯିବା ଉଚିତ ।

 

୧୯୩୯ ମସିହା ବେଳକୁ ‘ଓଡ଼ିଶା-ଥିଏଟର୍ସ’ର ସ୍ଥାପନା, ୧୯୪୨ ମସିହାରେ ‘ଗୋର୍ଲସ୍କୁଲ’ ନାଟକର ଅଭିନୟ - ଓଡ଼ିଶାରେ ମଞ୍ଚ ଏବଂ ନାଟକ କ୍ଷେତ୍ରରେ ଏକ ଅଭିନବ ତଥା ଚମତ୍କାର ମୋଡ଼ ସୃଷ୍ଟି କରିଥିଲା । ପ୍ରଥମ କଥା ହେଉଛି ଅଦ୍ୟାବଧି ସଂଳାପ କଥନଭଙ୍ଗୀରେ ଯେଉଁ ଥ୍ୟେଟ୍ରିକାଲ୍‌ ଉଚ୍ଛ୍ୱାସ ପ୍ରବଣତାର ପ୍ରାଧାନ୍ୟ ରହି ସେଗୁଡ଼ିକୁ ଅତି-ନାଟକୀୟତାର ସ୍ପର୍ଶ ଦେଉଥିଲା, କାଳୀଚରଣ ତହିଁରୁ ତାକୁ ମୁକ୍ତି ଦେଲେ । ସେଥିପାଇଁ ସଂଳାପ ଓ ଚରିତ୍ରର ଆଚରଣବିଧି ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେବାକୁ ପଡ଼ିଲା । ଏ ପର୍ଯ୍ୟନ୍ତ ସେ ସବୁ ଥିଲା ଅତିନାଟ୍ୟଧର୍ମୀ । ଏବେ ସେମାନଙ୍କୁ କରାଗଲା ଜୀବନଧର୍ମୀ । ଜୀବନଧର୍ମୀ ଅର୍ଥ ଏଠାରେ ଜୀବନର ଫଟୋଗ୍ରାଫିକ୍‌ ଚିତ୍ର ନୁହେ । ବରଂ କୁହାଯାଇପାରେ, ‘‘Literature always anticipates life, it does not copy it but moulds it to its purpose.’’ – (Oscar Wilde) ଜୀବନର ଯାହା ଲକ୍ଷ୍ୟ, ସେଇ ଅନୁରୂପରେ କାଳୀଚରଣ ନିଜ ନାଟକର ଚରିତ୍ର ଏବଂ ସଂଳାପକୁ ଗଢ଼ିଲେ । ତେଣୁ ଦର୍ଶକ ମନ୍ତ୍ରମୁଗ୍‌ଧ ଭଳି ନାଟ୍ୟଚରିତ୍ର ଏବଂ ଘଟଣା ସହିତ ଏକାତ୍ମ ହୋଇଗଲେ-। ସେ କାଳରେ ଏହି ବ୍ୟାପାର କିଛି କମ୍ ଉଲ୍ଲେଖଯୋଗ୍ୟ ନ ଥିଲା । ଓଡ଼ିଶାର ସମାଜଜୀବନ, ସାଧାରଣ ଜନତାର ଆଶା, ଆକାଙ୍‌କ୍ଷା, ସେମାନଙ୍କର ଚିନ୍ତା ଏବଂ ଚେତନାକୁ ପ୍ରଥମ ଥର ପାଇଁ ମଞ୍ଚରେ ପରିବେଷଣ କରି କାଳୀଚରଣ ହେଲେ ଓଡ଼ିଆ ଜୀବନର ପ୍ରଥମ ସଫଳ ମଞ୍ଚରୂପକାର । ଦ୍ୱିତୀୟ କଥା ହେଉଛି ନାଟକର ପରିବେଷଣ ଶୈଳୀରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ । ଦୁଇଟି ଦୃଶ୍ୟ ଯୋଜନା ମଝିରେ ଦୃଶ୍ୟ ପ୍ରସ୍ତୁତି ଏବଂ କଳାକାରମାନଙ୍କୁ ସାମୟିକ ବିଶ୍ରାମ ଦେବା ନିମନ୍ତେ ସେ ଯେଉଁ ‘କଭର’ ଏବଂ ‘ଡିସ୍‌କଭର’ ଦୃଶ୍ୟର ଯୋଜନା କଲେ, ତାହା ଓଡ଼ିଆ ମଞ୍ଚ ପାଇଁ ଅଭିନବ ଥିଲା ଏବଂ ଦର୍ଶକମାନଙ୍କ ପାଇଁ ସ୍ୱସ୍ତିକର ମଧ୍ୟ ହୋଇଥିଲା । ବିରକ୍ତିକର ଦୀର୍ଘ ପ୍ରତୀକ୍ଷା ଏବଂ ଶ୍ରୁତିକଟୁ ବାଦ୍ୟଯନ୍ତ୍ରର କୋଳାହଳରୁ ମୁକ୍ତି ପାଇ ଦର୍ଶକ କାଳୀଚରଣଙ୍କ ପ୍ରତି କୃତଜ୍ଞ ହୋଇ ରହିଲେ ।

 

ନାଟକର ଆକର୍ଷଣୀୟତାକୁ ବଢ଼ାଇବା ନିମନ୍ତେ କାଳୀଚରଣ ସେଥିରେ ସୁନ୍ଦରୀ ଅଭିନେତ୍ରୀ, ସୁଶ୍ରାବ୍ୟ ସଙ୍ଗୀତ, ଚଟୁଳ ପରିବେଶୋପଯୋଗୀ ହାସ୍ୟରସ ଏବଂ ଲଘୁ ପ୍ରଣୟ ଦୃଶ୍ୟ ଇତ୍ୟାଦିର ବ୍ୟବସ୍ଥା କରାଇଲେ । ତା’ ସହିତ ପୁଣି କ୍ଷକ୍ତ ହେଲା, ପାରମ୍ପରିକ ବର୍ଣ୍ଣାଢ଼୍ୟ ନୃତ୍ୟ । କାଳୀଚରଣଙ୍କର ଏତେ ପରିଶ୍ରମ ଏବଂ ଚିନ୍ତାର ପରିମାଣ ଓଡ଼ିଆ ମଞ୍ଚ ନିମନ୍ତେ ଶୁଭଙ୍କର ହୋଇଥିଲା । ମୋଟାମୋଟି ଭାବରେ ତେଣୁ କୁହାଯାଇପାରେ ଯେ ନାଟକ ନିମନ୍ତେ ଏତେଗୁଡ଼ିଏ ମୌଳିକ ଚିନ୍ତା ଇତିପୂର୍ବରୁ କୌଣସି ନାଟ୍ୟକାର କରିପାରି ନଥିଲେ । ଓଡ଼ିଶା ଥିଏର୍ଟସ ବଞ୍ଚି ରହିଲା ୧୯୪୯ ମସିହା ପର୍ଯ୍ୟନ୍ତ । ମାତ୍ର ଏହି ଦଶବର୍ଷ ମଧ୍ୟରେ କାଳୀଚରଣ ଓଡ଼ିଆ ମଞ୍ଚ ନାଟକର କ୍ଷେତ୍ରରେ ‘ସାମାଜିକ ଯୁଗ’ ର ଅବତାରଣା ଘଟାଇ ଏହାର ଏକ ବଳିଷ୍ଠ ପରମ୍ପରା ଗଢ଼ି ଦେଲେ । ପରିମାଣରେ ଚଳିତ ଶତକର ପଞ୍ଚମ ଦଶକର ମଧ୍ୟଭାଗରୁ ତାଙ୍କର ବହୁ ଅନୁଗାମୀ ବାହାରିବାକୁ ଆରମ୍ଭ କଲେ । ଏହି ବ୍ୟବସ୍ଥା ଚାଲୁ ରହିଲା ୧୯୬୦ ମସିହା ପର୍ଯ୍ୟନ୍ତ । ଇତିମଧ୍ୟରେ ରାମଚନ୍ଦ୍ର ମିଶ୍ର, ଭଞ୍ଜକିଶୋର ପଟ୍ଟନାୟକ ଏବଂ ଗୋପାଳ ଛୋଟରାୟ ପ୍ରମୁଖ ତିନିଜଣ ମୂର୍ଦ୍ଧଣ୍ୟ ନାଟ୍ୟକାର କାଳୀଚରଣଙ୍କ ପ୍ରସ୍ତୁତ ନାଟ୍ୟଧାରା ଅନୁସରଣ କରିଚାଲିଲେ । ଅବଶ୍ୟ ‘ଅର୍ଦ୍ଧାଙ୍ଗିନୀ’ ନାଟକରେ ଛୋଟରାୟ ଓଡ଼ିଆ ମଞ୍ଚ ପାଇଁ ଏକ ନୂତନ ଶୈଳୀ ପ୍ରୟୋଗ କରିଥିଲେ । ମାତ୍ର ପରେ ସେ ପୁନର୍ବାର କାଳୀଚରଣଙ୍କ ସୃଷ୍ଟି ପରମ୍ପରା ମଧ୍ୟକୁ ଚାଲିଆସିଲେ । ତେଣୁ ଏହି ସମୟକୁ (୧୯୨୧-୧୯୬୦) ଆମେ ଓଡ଼ିଆ ନାଟକର ‘କାଳୀଚରଣ ଯୁଗ’ ନାମରେ ଚିହ୍ନିତ କରିପାରୁଁ ।

 

ଇତିମଧ୍ୟରେ ଓଡ଼ିଆ ନାଟକ କ୍ଷେତ୍ରରେ ମନୋରଞ୍ଜନ ଦାସଙ୍କର ଆତ୍ମପ୍ରକାଶ । ‘ଓଡ଼ିଶା ଥିଏଟର୍ସ’ରେ ତାଙ୍କର ନାଟକ ‘ଉପେନ୍ଦ୍ରଭଞ୍ଜ’ ପ୍ରଥମେ ଅଭିନୀତ ହୋଇଥିଲା । ତେଣୁ ପରମ୍ପରା ଯେ ତାଙ୍କ ନାଟ୍ୟକାର ଜୀବନର ଭିତ୍ତିଥିଲା, ଏହା ନିର୍ଦ୍ଦ୍ୱନ୍ଦ୍ୱରେ କୁହାଯାଇ ପାରିବ । ତେବେ ପରମ୍ପରାଠାରୁ ସେ ଦୂରେଇବାକୁ ଆରମ୍ଭ କରିଥିଲେ ସେଇ ପଞ୍ଚମ ଦଶକରେ ‘ଆଗାମୀ’ ନାଟକ ରଚନା କରି । ନିମ୍ନ ଉଦ୍ଧୃତିରୁ ମନୋରଞ୍ଜନଙ୍କର ମାନସିକତା ସମ୍ପର୍କରେ ଏକ ଧାରଣା କରି ହେବ-। ସେ ମନେ କରନ୍ତି; ‘‘ନାଟକର ଗତିପଥ ନ ବଦଲାଇଲେ, ନାଟକ ହୁଏତ ଆଉ ବଞ୍ଚି ରହିବ ନାହିଁ । ତେଣୁ ସମଗ୍ର ବିଶ୍ୱରେ ଆଜି ନାଟକକୁ ବଞ୍ଚାଇ ରଖିବାଲାଗି ଚାଲିଛି ପ୍ରବଳ ଉଦ୍ରମ X X ଏ ଯୁଗରେ କୌଣସି ନାଟ୍ୟକାର ଅତୀତର ଶଗଡ଼ଗୁଳା ଉପରେ ଏକଦିଗଦର୍ଶୀ ହୋଇ ଚାଲିବାକୁ ଉଦ୍ୟମ କରିବା ହାସ୍ୟାସ୍ପଦ ବ୍ୟାପାର -’’ (୬) ତାଙ୍କ ମତରେ ଆଧୁନିକ ନାଟକର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ‘‘ଗୋଟିଏ ସିଧାସଳଖ ଗପ ବା କଥାବସ୍ତୁରେ ସଂଳାପ ଯୋଡ଼ିଦେଲେ ଏବେ ଆଉ ତାହା ଆଧୁନିକ ନାଟକର ଆବଶ୍ୟକତା ପୂରଣ କରିପାରୁ ନାହିଁ । କୌଣସି ଏକ କଥାବସ୍ତୁର ପଟ୍ଟଭୂମି ଉପରେ ଘଟଣା ବା ସମସ୍ୟାର ସୂକ୍ଷ୍ମ ବ୍ୟାଖ୍ୟା ଓ ବିଶ୍ଲେଷଣ ନାଟକର ଅପରିହାର୍ଯ୍ୟ ଅଙ୍ଗ ରୂପରେ ଏବେ ଦେଖା ଦେଇଛି । X X ସେଥିପାଇଁ ଯଦି ନାଟକର ଗତାନୁଗତିକ ପଦ୍ଧତି X X ଧରାବନ୍ଧା ନିୟମକାନୁନ୍‌ଗୁଡ଼ିକ ଭାଙ୍ଗି ଦେବାକୁ ପଡ଼େ–କ୍ଷତି ନାହିଁ ।’’ (୭) ଏହା ପରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠିପାରେ ଯେ ପରମ୍ପରା ବିରୁଦ୍ଧରେ ଏହିଭଳି ବିପ୍ଲବର ସ୍ୱର ଉତ୍ତୋଳନ କରିବାର ପ୍ରେରଣା ମନୋରଞ୍ଜନ ପାଇଲେ କେଉଁଠୁ ? ଏହାର ଉତ୍ତରରେ ଆମେ ତାଙ୍କ ପ୍ରଥମ ବକ୍ତବ୍ୟର ଗୋଟିଏ ବିଶେଷ ଅଂଶ ପ୍ରତି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରୁଛୁଁ; ଯେଉଁଠି ସେ ସମଗ୍ର ବିଶ୍ୱର ନାଟକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ମନୋରଞ୍ଜନ ହେଉଛନ୍ତି ଓଡ଼ିଶାର ପ୍ରଥମ ନାଟ୍ୟକାର, ଯେ କି ସମଗ୍ର ବିଶ୍ୱନାଟକ ପରିପ୍ରେକ୍ଷୀରେ ଓଡ଼ିଆ ନାଟକକୁ ବିଚାର କରି, ତାହାର ‘ଗତିପଥ’ ବଦଳାଇବାର ସମ୍ଭାବନା ସମ୍ପର୍କରେ ଚିନ୍ତା କରିଥିଲେ । ଇତିମଧ୍ୟରେ ବିଶ୍ୱନାଟ୍ୟକ୍ଷେତ୍ରରେ ଇବ୍‌ସେନ୍‌, ବେକେଟ୍‌, ନେଗ୍‌ଟ, କାମ୍ୟୁ, ପିରାଣ୍ଡଲେ ପ୍ରମୁଖ ନାଟ୍ୟକାରମାନେ ଆତ୍ମପ୍ରକାଶ କରିଥିଲେ । ନାଟକର ଚିରାଚରିତ ଆଭିମୁଖ୍ୟ ବଦଳିବାକୁ ଆରମ୍ଭ କରିଥିଲା । ଗତାନୁଗତିକ Story ଏବଂ ପାରମ୍ପରିକ Character ବଦଳରେ ଆଧୁନିକ ନାଟକ ହୋଇଥିଲା ‘Drama of Ideas’ । ଫଳରେ ରସବାଦୀ ନାଟ୍ୟ ତତ୍ତ୍ୱବିତ୍‌ମାନେ ଏ ଦେଶ ପାଇଁ ନାଟ୍ୟ ରଚନାର ଯେଉଁ ପଥ ବାନ୍ଧି ଦେଇ ଯାଇଥିଲେ, ଏବେ ସେଠାରେ ରସ ବଦଳରେ ଭାବ ହିଁ ପ୍ରାଧାନ୍ୟ ଲାଭ କରିବାକୁ ଆରମ୍ଭ କରିଥିଲା । ସ୍ୱାଭାବିକ ଭାବରେ ଭାରତର ପ୍ରାନ୍ତୀୟ ନାଟକରେ ଏହାର ପ୍ରଭାବ ଦେଖାଗଲା । ବଙ୍ଗଳାର ବାଦଲ ସର୍କାର, ମାଲୟାଲମ୍‌ର ଏନ୍‌ ଏନ୍‌ ପିଲ୍ଲେ, ହିନ୍ଦୀର ମୋହନ ରାକେଶ୍‌, କନ୍ନଡ଼ର ଗିରୀଶ୍‌ କନ୍ନଡ଼, ମରାଠୀର ବିଜୟ ତେନ୍ଦୁଲକର ପ୍ରମୁଖ ନାଟ୍ୟକାର ନିଜ ନିଜର ନାଟକରେ ନୂତନ ଫର୍ମର ପ୍ରୟୋଗ କରି ଯଥେଷ୍ଟ ଖ୍ୟାତି ଲାଭ କରିଥିଲେ । ମନୋରଞ୍ଜନ ପ୍ରେରଣା ସଂଗ୍ରହ କଲେ ଏଇଠୁ । ଓଡ଼ିଆ ଦର୍ଶକମାନଙ୍କୁ ସେ ‘ଭାବପଥ’ର ପଥିକ କରିଦେଲେ । ଏହି ଭଳି ଭାବରେ ସେ ହେଲେ ଏକ ନୂତନ ଯୁଗର ବାର୍ତ୍ତାବହ ଏବଂ ବୌଦ୍ଧିକତା ହେଉଛି ସେହି ମୂଲ୍ୟବାନ୍‌ ବାର୍ତ୍ତା, ଯାହା ନାଟକ ମାଧ୍ୟମରେ, ଓଡ଼ିଆ ଦର୍ଶକମାନଙ୍କ ନିକଟରେ ପହଞ୍ଚାଇ ଦିଆଗଲା । ମନୋରଞ୍ଜନ କେଉଁଠୁ କେତେ ଋଣ ଗ୍ରହଣ କଲେ, ପ୍ରଶ୍ନ ଏଠାରେ ତାହା ନୁହେଁ । ସମୟହୀନତାର ପ୍ରସଙ୍ଗ ହୁଏତ ଆମର ପ୍ରାଚୀନ ସାହିତ୍ୟରେ ଥିଲା । ବଂଶାନୁଗୁଣର ପ୍ରଭାବ ସମ୍ପର୍କରେ ହୁଏତ ପ୍ରତ୍ୟେକ ଭାରତୀୟ ଅବିହିତ । ମାତ୍ର ମନୋରଞ୍ଜନ ଏସବୁ ବିଷୟକୁ ଯେଉଁଭଳି କହିଲେ, ତାହା ଓଡ଼ିଆ ଦର୍ଶକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ଥିଲା । ଇତିମଧ୍ୟରେ ଆମର ସାମାଜିକ ପରିବେଶ ମଧ୍ୟ ବଦଳିବାକୁ ଆରମ୍ଭ କରିଥିଲା । ତ୍ୟାଗ ବଦଳରେ ଭୋଗ ଆମର ଜୀବନଧାରାରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ‘ସର୍ବେଭବନ୍ତୁ ସୁଖୀନଃର ଦେଶରେ ବ୍ୟକ୍ତିକୈନ୍ଦ୍ରିକତାର ପ୍ରାଧାନ୍ୟ ସମସ୍ତେ ଅନୁଭବ ତ କରୁଥିଲେ, ମାତ୍ର ସଙ୍କୋଚରେ ପ୍ରକାଶ କରିପାରୁ ନ ଥିଲେ । ମନୋରଞ୍ଜନ ଯେତେବେଳେ ପ୍ରଥମେ ମଞ୍ଚରେ ସେମାନଙ୍କୁ ନେଇ ଠିଆ କରାଇ ଦେଲେ, ସେତେବେଳେ ଓଡ଼ିଆ ଦର୍ଶକ ପୁନର୍ବାର ନିଜର ସାମ୍ପ୍ରତିକ ରୂପକୁ ସେଠାରେ ଦେଖିବାକୁ ପାଇଲେ । ମନୋରଞ୍ଜନଙ୍କର ଉଷ୍ଣୀଷରେ ଲୋକପ୍ରିୟତାର ଏକ ନୂତନ ବର୍ଣ୍ଣାଢ଼୍ୟ ପର ଖଞ୍ଜିଦିଆଗଲା । ବର୍ଣ୍ଣ ବହୁଳ ମଞ୍ଚସଜ୍ଜା, ଆକର୍ଷଣୀୟ ନୃତ୍ୟ, ଏବଂ ସୁଶ୍ରାବ୍ୟ ସଙ୍ଗୀତକୁ ବାଦ୍‌ ଦେଇ ତଥାପି ଯେ ନାଟକ ସଫଳ ହୋଇପାରେ, ଏହା ମନୋରଞ୍ଜନ ହିଁ ପ୍ରଥମେ ଓଡ଼ିଶାରେ ପ୍ରମାଣ କଲେ । ଏଠାରେ ନବନାଟ୍ୟ ଧାରା’ର ପ୍ରବର୍ତ୍ତନ ହେଲା । ଇତିମଧ୍ୟରେ ନାଟ୍ୟକାର ହିସାବରେ ମନୋରଞ୍ଜନଙ୍କର ସଫଳତା ତାଙ୍କର ବହୁ ଅନୁଗାମୀ, ସୃଷ୍ଟି କରାଇଛି । ସେମାନେ ହେଲେ, ବିଜୟ ମିଶ୍ର, ରତ୍ନାକର ଚଇନୀ, ରମେଶ ପାଣିଗ୍ରାହୀ, ମନ୍ମଥ ଶତପଥୀ ବିଶ୍ୱଜୀତ୍‌ ଦାସ, ଅକ୍ଷୟ କୁମାର ମହାନ୍ତି, ହରିହର ମିଶ୍ର, କାର୍ତ୍ତିକ ରଥ ପ୍ରମୁଖ । ପ୍ରତ୍ୟେକେ ନାଟକରଚନାରେ କିଛି କିଛି ନିଜସ୍ୱ ଚିନ୍ତାର ସ୍ୱାକ୍ଷର ରଖିଯାଇଥିଲେ ହେଁ ମୂଳ ପ୍ରେରଣା ଯେ ମନୋରଞ୍ଜଙ୍କଠାରୁ ଆସିଛି, ଏହା ନ କହିଲେ ମଧ୍ୟ ଚଳିବ ।

 

ମନୋରଞ୍ଜନ ଓଡ଼ିଆ ନାଟକ କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ ଘଟାଇଥିଲେ, ଯାହା ପ୍ରଭାବରୁ ଓଡ଼ିଆ ନାଟକ ଏବେ ମଧ୍ୟ ମୁକ୍ତିଲାଭ କରିପାରି ନାହିଁ । ତେଣୁ ଆମେ ୧୯୬୧ ମସିହାଠାରୁ ପରବର୍ତ୍ତୀକାଳକୁ ଓଡ଼ିଆ ନାଟକର ‘ମନୋରଞ୍ଜନ ଯୁଗ’ ନାମରେ ଅଭିହିତ କରୁଛୁଁ । ଆଲୋଚନା ପ୍ରସଙ୍ଗରେ ଦେଖାଇ ଦେଇଛୁଁ ଯେ ଓଡ଼ିଶାରେ ପୌରାଣିକ ଏବଂ ଐତିହାସିକ ନାଟକ ପ୍ରାୟ ସମାନ୍ତରାଳ ଗତିରେ ଚାଲିଥିଲା । ତେଣୁ ଏ ଉଭୟର ବିକାଶ କ୍ରମକୁ ଗୋଟିଏ ସମୟର ପରିସୀମା ମଧ୍ୟରେ ଆବଦ୍ଧ ରଖାଯାଇପାରେ । ସାମାଜିକ ନାଟକ ରଚନା କ୍ଷେତ୍ରରେ କାଳୀଚରଣ ଯେଉଁଭଳି ନୂତନ ଦିଗନ୍ତର ସନ୍ଧାନ କରିଥିଲେ, ଭାବାତ୍ମକ ନୂତନ ନାଟ୍ୟଧାରାର ପ୍ରବର୍ତ୍ତନରେ ମନୋରଞ୍ଜନ ମଧ୍ୟ ଅନୁରୂପ ଭୂମିକା ଗ୍ରହଣ କରିଥିଲେ । ତେଣୁ ଏ ଉଭୟ ନାଟ୍ୟରଥୀଙ୍କ ନିମନ୍ତେ ଦୁଇଟି ସ୍ୱତନ୍ତ୍ର ଯୁଗର ବ୍ୟବସ୍ଥା କରିବାକୁ ପଡ଼ୁଛି ।

 

ଜୀବନର ବାସ୍ତବତା, ସରସତା ସହିତ ଓଡ଼ିଆ ଦର୍ଶକମାନଙ୍କର ପରିଚୟ ଘଟାଇବା ସଙ୍ଗେ ସଙ୍ଗେ କାଳୀଚରଣ ସେମାନଙ୍କୁ ଜାତୀୟତାର ନୂତନ ସ୍ୱରୂପ ସହିତ ପରିଚିତ କରାଇ ଦେଇଥିଲେ । ସେତକ ହେଉଛି ତାଙ୍କର ଲୋକପ୍ରିୟତାର ପ୍ରଦାନ ହେତୁ । ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ସାମାଜିକ ଜୀବନରେ ରାଜନୀତି ପ୍ରଭାବଜ ଚୋରା କାରବାର, ବେକାରୀ, ଯୌତୁକ ପ୍ରଥା, ସାମ୍ପ୍ରଦାୟିକତା, ସାମାଜିକ ଅବିଚାର ପ୍ରଭୃତି ଯେଉଁ ସବୁ ସମସ୍ୟା ଦେଖାଦେଲା, ରାମଚନ୍ଦ୍ର ଭଞ୍ଜକିଶୋର, ଗୋପାଳ ପ୍ରମୁଖ ସେଗୁଡ଼ିକୁ ନିଜ ନାଟକରେ ରୂପଦେଇ ନିଜର ସମାଜ-ସଚେତନାତାର ପରିଚୟ ଦେଲେ ସତ୍ୟ, ମାତ୍ର ପରିବେଷଣର ଧାରା ପୂର୍ବଭଳି କାଳୀଚରଣୀୟ ହିଁ ରହିଲା । ୧୯୬୦ ମସିହା ବେଳକୁ ଏହି ଧାରା କ୍ରମେ ନିଜର ପ୍ରଭାବ ହରାଇବାକୁ ଆରମ୍ଭ କଲା । ଏଥିପାଇଁ ନୂତନ ଶୈଳୀ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ସମୟରେ ଆତ୍ମପ୍ରକାଶ କଲେ ମନୋରଞ୍ଜନ । ମନସ୍ତାତ୍ତ୍ୱିକ ସମସ୍ୟାକୁ ଗ୍ରହଣ କରି ସେ ନାଟକ ପରେ ନାଟକ ଲେଖି ଚାଲିଲେ । ଅଧିକାଂଶ ନାଟକର ମୂଳ ସମସ୍ୟା ହେଲା ଦେହଜ କ୍ଷୁଧା ସଂକ୍ରାନ୍ତୀୟ । ଆଜିର ଭୋଗବାଦୀ ଦର୍ଶକ ସେଗୁଡ଼ିକୁ ଗ୍ରହଣ କରିନେଲେ କିମ୍ବା କରିନେବାକୁ ବାଧ୍ୟ ହେଲେ । ନୂତନତାର ସନ୍ଧାନରେ ନୂଆ କିଛି କରିଯିବାର ନିଶାରେ ମନୋରଞ୍ଜନ ପ୍ରକୃତରେ ଓଡ଼ିଆ ନାଟକ ପାଇଁ ଏକ ନୂତନ କ୍ଷେତ୍ରରେ ସନ୍ଧାନ କରିପାରିଛନ୍ତି ।

 

ଓଡ଼ିଆ ନାଟକ ପାଇଁ ମନୋରଞ୍ଜନଙ୍କର ଏହି ବ୍ୟାକୁଳ ଅନ୍ୱେଷଣ (କିମ୍ବା ସମାଲୋଚକମାନଙ୍କ ମତରେ ଏଥିରେ ଯଥାର୍ଥ ବ୍ୟାକୁଳତା ଆଦୌ ନାହିଁ) ଏବଂ ତାହାର ପରିମାଣ, ଏହା ପାଇଁ ଶୁଭଙ୍କର ହୋଇଛି କିମ୍ବା ହୋଇନାହିଁ, ପ୍ରସ୍ତୁତ ପ୍ରବନ୍ଧରେ ସେ ଆଲୋଚନା ଅବାନ୍ତର । ତେବେ ଇତି ମଧ୍ୟରେ ଓଡ଼ିଆ ନାଟକ ଯେ, ପରୀକ୍ଷା ନିରୀକ୍ଷାର ସୁବର୍ଣ୍ଣ ପଞ୍ଜୁରୀ ତ୍ୟାଗ କରି ନୂତନ ଏକ ସ୍ୱର୍ଣ୍ଣାଭ ଦିଗନ୍ତର ସନ୍ଧାନରେ ଉଡ଼ିଯିବା ନିମନ୍ତେ ଯେ ସତତ ବ୍ୟାକୁଳ, ତାହାର ସୂଚନା ମିଳୁଛି । ଯେତେଦିନ ପର୍ଯ୍ୟନ୍ତ ସେହି ଉଦ୍ୟମ ସଫଳ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ମନୋରଞ୍ଜନଙ୍କୁ ହିଁ ନେତାର ଭୂମିକା ଛାଡ଼ି ଦେବାକୁ ପଡ଼ିବ ।

 

ସମୟର ପରିସୀମା ମଧ୍ୟରେ ସାହିତ୍ୟର ଧାରାକୁ ଆବଦ୍ଧ କରି ଯୁଗବିଭାଗର ଏକ ପରମ୍ପରା ମଧ୍ୟ ରହିଛି । ମାତ୍ର ପ୍ରତିଭା ଯୁଗସ୍ରଷ୍ଟା ହୋଇଥିବାରୁ ଏଠାରେ ଯୁଗ ନିରୂପଣରେ ସେହିଭଳି ପ୍ରତିଭାମାନଙ୍କୁ ହିଁ କେବଳ ଚିହ୍ନିତ କରିଦିଆଯାଇଛି । ଏଭଳି ବ୍ୟବସ୍ଥାରେ ସମୟର ପ୍ରସଙ୍ଗ ମଧ୍ୟ ଆପେ ଆପେ ଆସିଯାଉଛି । ଗୋଟିଏ ଯୁଗରେ ଏକାଧିକ ପ୍ରତିଭାର ସ୍ଥିତି ଅସମ୍ଭବ ହୋଇଥିବାରୁ ଏବଂ ପ୍ରତିଭା ପରିମାପକ କୌଣସି ଯନ୍ତ୍ରାଦିର ଉଦ୍ଭାବନ ତଥାପି ହୋଇ ନ ଥିବାରୁ, ଏଠାରେ ଅଶ୍ୱିନୀ କୁମାର ଏବଂ ମିଶ୍ର-ପଟ୍ଟନାୟକ ଛୋଟରାୟଙ୍କୁ ‘କାଳୀଚରଣ ଯୁଗ’ର ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ୱାରା ସେମାନଙ୍କ ପ୍ରତି କୌଣସି ଅଶ୍ରଦ୍ଧା ପ୍ରଦର୍ଶନ କରାଯାଇଛି ବୋଲି ମନେ କରିବାର କୌଣସି କାରଣ ନାହିଁ ।

 

ସୂଚନା :

(୧)

ଉତ୍କଳ ସାହିତ୍ୟ ୧୭ଭା/୧୦ମ ସଂ/ମାଘ ୧୩୨୧

(୨)

ହିନ୍ଦୀ ତଥା ବାଙ୍ଗାଲୀ ନାଟକୋଁକା ତୁଳନାତ୍ମକ ଅଧ୍ୟୟନ (୧୯୭୧) ପୃ: ୮୬

(୩)

ମୁକୁର ୯ ଭା ୧୦ ସଂ:

(୪)

ହିନ୍ଦୀ ନାଟକ–ପ୍ରଥମ ସଂ: ଡଃ ନଗେନ୍ଦ୍ର ପୃ: ୨-୩

(୫)

ଯୁଗେ ଯୁଗେ ନାଟ୍ୟ ସାହିତ୍ୟ-ଶ୍ରୀ ବୀରକିଶୋର ଦାସ ପୃ : ୭୯

(୬)

ସୃଷ୍ଟି ସମୀକ୍ଷା (୧୯୭୮-୭୯) ପୃ: ୧୮୫

(୭)

ବଂହନସୀ-ପୃ:ଖ (୧୯୬୮) ମନୋରଞ୍ଜନ ଦାସ

(୮)

ଓଡ଼ିଆ ନାଟକର ଉଦ୍‌ଭବ ଓ ବିକାଶ–ଡଃ ରତ୍ନାକର ଚଇନୀ

(୯)

ଓଡ଼ିଆ ନାଟ୍ୟସାହିତ୍ୟ–ଶ୍ରୀ ସର୍ବେଶ୍ୱର ଦଶ

(୧୦)

ଓଡ଼ିଆ ନାଟ୍ୟ ସାହିତ୍ୟର କ୍ରମବିକାଶ : ଶ୍ରୀ ବେଣୁଧର ରାଉତ - ଓଡ଼ିଆ ନାଟକ

(୧୧)

ଓଡ଼ିଆ ନାଟକ : ଉଦ୍‌ଭବ ଓ ବିକାଶ–ଡଃ ହେମନ୍ତ କୁମାର ଦାସ

(୧୨)

ହିନ୍ଦୀ ନାଟ୍ୟକଳା ତଥା ରେଡ଼ିଓ ନାଟକ–ଡଃ ରାଧାଶ୍ୟାମ ବାଜପେୟୀ

 

***

 

ଫକୀର ମୋହନଙ୍କ ଅଜ୍ଞାତ ରଚନା

‘ଆଳିମାଳିକା’

ଡକ୍‌ଟର ଦୁର୍ଗାପ୍ରସନ୍ନ ପଣ୍ଡା

 

‘କୋଣାର୍କ’ର ୫୨ଶ ସଂଖ୍ୟା–୧୯୮୪ରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଅଜ୍ଞାତ ରଚନାଗୁଡ଼ିକୁ କ୍ରମେ ଲୋକଲୋଚନକୁ ଆଣିବାପାଇଁ ବିଜ୍ଞ ପାଠକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପାଳନ କରିବା ପାଇଁ ‘ଆଳିମାଳିକା’ରୁ ଯେତିକି ସଂଗୃହୀତ ହୋଇଛି, ତା’ର ପୂର୍ଣ୍ଣପାଠ ଉଦ୍ଧାର କରାଯାଉଛି । ‘ଅଳିମାଳିକା’ ଉତ୍କଳ ସାହିତ୍ୟର ୬/୪, ୬/୫, ୬/୭, ୬/୧୧ ଏବଂ ୭/୮ ସଂଖ୍ୟାରେ ମୋଟରେ ପାଞ୍ଚଗୋଟି ଆଲୋଚନା ମଧ୍ୟରେ ପ୍ରକାଶିତ ହୋଇଛି । ମାତ୍ର ବର୍ତ୍ତମାନ ଯେଉଁ ତିନିଗୋଟି ଅଂଶ ମିଳିଛି, ସେଗୁଡ଼ିକୁ ଏଠାରେ ପ୍ରକାଶ କରାଯିବ । ଅନ୍ୟ ଦୁଇଗୋଟି ଅଂଶ, ପୁରାତନ ପତ୍ରିକା ହଠାତ୍‌ ନ ମିଳିବାରୁ, ପ୍ରକାଶ କରିବା ସମ୍ଭବ ହେଉନାହିଁ ।

 

‘ଆଳିମାଳିକା’ ଏକ ବାଲେଶ୍ୱରୀ ଶବ୍ଦ । ଘରର ଗୋଟିଏ ପରତ୍ୟକ୍ତ ସ୍ଥାନରେ ଶିକାଉପରେ ଥିବା ହାଣ୍ଡି ବା ପଛିଆରେ ଅଦରକାରୀ ଜିନିଷକୁ, ଭବିଷ୍ୟତରେ କାଳେ ଦରକାରରେ ଆସିବ ବୋଲି ମନେକରି, ରଖାଯାଇଥାଏ । ସେହି ଆଧାରକୁ ‘ଆଳିମାଳିକା’ କୁହାଯାଏ । ଷ୍ଟାଣ୍ଡାର୍ଡ଼ ଓଡ଼ିଆ ଭାଷାରେ ‘ଆଳିମାଳିକା’ ପ୍ରୟୋଗ ନାହିଁ ।

 

ଓଡ଼ିଆ ଭାଷାତତ୍ତ୍ୱର ଇତିହାସ ପର୍ଯ୍ୟାଲୋଚନା ପ୍ରସଙ୍ଗରେ ଏ ଯାବତ୍‌ କେହି ଫକୀର ମୋହନଙ୍କ ନାମୋଚ୍ଚାରଣ କରିନାହାନ୍ତି । ‘ଆଳିମାଳିକା’ ଓଡ଼ିଆ କଥିତ ଭାଷା, ଆଞ୍ଚଳିକ ଓଡ଼ିଆ ଭାଷା, ଓଡ଼ିଆ ଭାଷାରେ ସୁଭାଷଣ ପଦ୍ଧତି ଆଦି ସମ୍ପର୍କିତ ଏକ ସୁଦୀର୍ଘ ରଚନା । ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଓଡ଼ିଆ ଭାଷାତତ୍ତ୍ୱ ପ୍ରକାଶିତ ହେବାର ପ୍ରାୟ ୨୬ ବର୍ଷ ପୂର୍ବରୁ ଫକୀରମୋହନ ସର୍ବପ୍ରଥମେ ଓଡ଼ିଆ ଭାଷାର ନିଜସ୍ୱ ବୈଶିଷ୍ଟ୍ୟ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରିଛନ୍ତି । ସେ ନିଜା ଗଳ୍ପ ଉପନ୍ୟାସ ଆଦି ସମ୍ପର୍କରେ କହିଛନ୍ତି ‘‘ଗୋଟିଏ ନିବିଡ଼ ଜଙ୍ଗଲରେ ବାଟ ନଥିଲେ କୁଲିଶ୍ରେଣୀର ଲୋକ ଜଙ୍ଗଲ କାଟି ବାଟର ଛାଞ୍ଚ କରିଦେଲା ଉତ୍ତାରେ ଜ୍ଞାନବନ୍ତ ଇଞ୍ଜିନିୟରମାନେ ଆସି ସୁନ୍ଦର ସଡ଼କ ପ୍ରସ୍ତୁତ କରିଥାଆନ୍ତି । ଅତଃପର ଶିକ୍ଷିତ ଲୋକମାନେ ସୁନ୍ଦର ଉପନ୍ୟାସ ଲେଖିବେ ସେଥିପାଇଁ ମୁଁ ଗୋଟିଏ ଛାଞ୍ଚ କରିଯାଉଛି ।’’ (୧) ଓଡ଼ିଆ ଭାଷାତତ୍ତ୍ୱ ଆଲୋଚନା ପାଇଁ ସମ୍ଭବତଃ ସେ ହିଁ ପ୍ରଥମେ ‘ଜଙ୍ଗଲ କାଟି ବାଟର ଛାଞ୍ଚ’ ପ୍ରସ୍ତୁତ କରିବାକୁ ଚାହିଁଥିଲେ । ଫକୀରମୋହନଙ୍କ ସମସ୍ତ ରଚନା ଯୋଜନାବିହୀନ ଭାବେ ଯେତେବେଳେ-ଯାହା-ମନକୁ- ଆସିଲା ନ୍ୟାୟରେ ରଚିତ ହୋଇଥିବାରୁ ତାଙ୍କର ଭାଷା ସମ୍ପର୍କିତ ଆଲୋଚନା ଏତିକିରେ ସୀମିତ ହୋଇଯାଇଛି । ଏହାପରେ ସେ ଯେଉଁ ବ୍ୟାକରଣ ରଚନା କରିଥିଲେ, ତାହା ତାଙ୍କ ମୌଳିକ ଚିନ୍ତାର ଯଥେଷ୍ଟ ପରିଚୟ ବହନ କରିଛି । କିନ୍ତୁ ତାହା ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ସେଥିରେ ଓଡ଼ିଶା ଭାଷାର ବୈଶିଷ୍ଟ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ପାରିନାହିଁ । (୨) ଯେଉଁ ସମୟରେ ଶିକ୍ଷିତ ବାବୁମାନଙ୍କୁ ଓଡ଼ିଆ ପୁସ୍ତକ ସ୍ପର୍ଶ କରିବାକୁ କିମ୍ବା ଶୁଦ୍ଧ ଓଡ଼ିଆ କହିବାକୁ ଅପମାନଜନକ ବୋଧ ହେଉଥିଲା (୩) ସେହି ସମୟରେ ଓଡ଼ିଆ ଗ୍ରାମ୍ୟ ଚରିତ୍ର ଓ ସେମାନଙ୍କର ନିଜସ୍ୱ ଭାଷା ଅର୍ଥାତ୍‌ ଆଞ୍ଚଳିକ ଭାଷାକୁ ଗଳ୍ପ ଉପନ୍ୟାସରେ ସ୍ୱୀକୃତି ଦେଇ ଗଦ୍ୟ ପଠନ ପ୍ରତି ଲୋକରୁଚିକୁ ଅନୁକୂଳ କରିବାକୁ ଫକୀରମୋହନ ସଂକଳ୍ପବଦ୍ଧ ହୋଇଥିଲେ । ଫକୀରମୋହନଙ୍କ ଗଦ୍ୟଶୈଳୀ ବିଦ୍ୟାସାଗରୀୟ ରୀତିରେ ପ୍ରସ୍ତୁତ ହେଉଥିବା ଗଦ୍ୟ ବିରୁଦ୍ଧରେ ପ୍ରଚଣ୍ଡ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ସ୍ୱର ଓ ରାଗିଣୀ ଦେଇ ପଠିତ ହେଉଥିବା ଗଦ୍ୟର (୪) ସ୍ୱାଭାବିକ ପଠନରୀତି ଆନୟନ କରି ପାରିଥିଲା ।

 

(୧)

ଫକୀରମୋହନ ଗ୍ରନ୍ଥାବଳୀ ୨ୟ ଖଣ୍ଡ - ୧୯୬୩ - ପରିଶିଷ୍ଟ ପ୍ରବନ୍ଧାବଳୀ - ‘ଅଭିଭାଷଣ’ ରୁ ଉଦ୍ଧୃତ - ପୃ ୭୪୩

 

‘ସ୍ୱର୍ଗୀୟ ଫକୀର ମୋହନ’ରେ ଗୋପାଳଚନ୍ଦ୍ର ପ୍ରହରାଜ ଯଥାର୍ଥରେ ଲେଖିଛନ୍ତି–‘‘ଫକୀରମୋହନ ଉତ୍କଳରେ ଗଦ୍ୟକୁ ଯେଉ ଭାଷା ଦେଇଯାଇଛନ୍ତି ସେ ଭାଷା ତତ୍‌ପୂର୍ବେ ସାହିତ୍ୟ କ୍ଷେତ୍ରରେ ନଥିଲା ବୋଲି କହିଲେ ଚଳେ ।’’ (୫) ଆଞ୍ଚଳିକ ଭାଷାକୁ ପୂର୍ଣ୍ଣ ମର୍ଯ୍ୟାଦା ଦେବାପାଇଁ ଫକୀରମୋହନ ଯେଉଁ ଉଦ୍ୟମ କରିଯାଇଛନ୍ତି, ‘ଆଳିମାଳିକା’ ସେହି ଉଦ୍ୟମର ଏକ ବିଶିଷ୍ଟ ସଙ୍କେତ । ଏଥିରେ ସେ ଗୋଟିଏ ସ୍ଥାନରେ କହିଛନ୍ତି–ବେଳ ଥାଉଁ ଥାଉଁ ଲୁପ୍ତୋଦ୍ଧାର କରି ଭାଷା ମିଉଜିଅମ୍‌ରେ ସେଗୁଡ଼ିକ ସାଇତି ଦେବା ଉଚିତ । ଆଳିମାଳିକା ବାସ୍ତବରେ ଆମ ଭାଷାର ଏକ ମିଉଜିଅମ୍‌ । ବିଦ୍‌ଗଦ ପାଠକମାନଙ୍କର କୌତୂହଳ ଚରିତାର୍ଥ କରିବା ପାଇଁ ଏଠାରେ ଆଳିମାଳିକା (୧) (୨) (୩) ର ପୂର୍ଣ୍ଣୋଦ୍ଧାର କରାଗଲା ।

 

ଆଳିମାଳିକା–

(୧)

(ଉ: ସା: ୬ଷ୍ଠ ଭାଗ, ୪ର୍ଥ ସଂଖ୍ୟା ଶ୍ରାବଣ ୧୩୦୯ ପୃ ୭୯)

(୨)

ଏହି ଦୁର୍ଲଭ ଗ୍ରନ୍ଥଟି କବି ଶ୍ରୀ ବ୍ରଜନାଥ ରଥଙ୍କ ନିକଟରେ ଗଚ୍ଛିତ ଅଛି

(୩)

ଫକୀରମୋହନ ଗ୍ରନ୍ଥାବଳୀ–୧ମ ଖଣ୍ଡ–୧୯୬୩ ଆତ୍ମଜୀବନୀ ରଚିତ–ପୃ ୪୨ ଦ୍ରଷ୍ଟବ୍ୟ

(୪)

ଡଃ ଶ୍ରୀନିବାସ ମିଶ୍ର–ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ–ପୃ ୧୬୮ ଦ୍ରଷ୍ଟବ୍ୟ

(୫)

ଉତ୍କଳ ସାହିତ୍ୟ–ଫକୀରମୋହନ ସଂଖ୍ୟା–୨୨୪–ପୃ–୧୭୧

 

ଯେଉଁ ଜାତିର ଆଧିପତ୍ୟ ଯେତେ, ସେହି ଜାତିର ଭାଷାର ସେତେ ବହୁଳ ପ୍ରଚାର । ଚୀନ ଏକ ସମୟର ସଭ୍ୟତା-ସୋପାନର ଶୀର୍ଷ ସ୍ଥାନକୁ ଯାଇଥିଲା । ପୃଥିବୀର ଆଦି ସମ୍ବାଦପତ୍ରର ଜନ୍ମସ୍ଥାନ ଚୀନ, ପୁରାତନ ବୃହତ୍‌ ଅଭିଧାନର ଜନ୍ମସ୍ଥାନ ଚୀନ, ଆଜି ଅଧଃପତିତ ହେଲେହେଁ ୪୦ କୋଟି ଲୋକ ଚୀନ ଭାଷାରେ କଥାବାର୍ତ୍ତା କରନ୍ତି । ତାହା ତଳକୁ ବର୍ତ୍ତମାନ କାଳର ସର୍ବଶ୍ରେଷ୍ଠ ସୁସଭ୍ୟ ଜାତିର ଭାଷା ଅର୍ଥାତ୍‌ ଇଂରାଜୀ ଭାଷା; ନିତାନ୍ତ ପକ୍ଷରେ ଦଶକୋଟି ଲୋକ ଏ ଭାଷାରେ କଥାବାର୍ତ୍ତା କରନ୍ତି । ପୃଥିବୀର ପ୍ରାୟ ଅର୍ଦ୍ଧେକ ସମ୍ବାଦପତ୍ର ଇଂରାଜୀ ଭାଷାରେ ପରିଚାଳିତ । ଏହି ଭାରତବର୍ଷରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଶାସକଙ୍କ ଶାସକଙ୍କ ଚାଳିତ ହୋଇଅଛି । ହିନ୍ଦୁ କ୍ଷମତା କେବଳ ଆର୍ଯ୍ୟାବର୍ତ୍ତରେ ଆବଦ୍ଧ ଥିଲା । ରାମଚନ୍ଦ୍ର ଲଙ୍କା ଜୟ କରିଥିଲେ ହେଁ ଦାକ୍ଷିଣାତ୍ୟରେ କ୍ଷଣିକ ପ୍ରଭାବ ମାତ୍ର ସୀମାବଦ୍ଧ ସ୍ଥାନରେ ବିସ୍ତାର କରିଥିଲେ । ମୁସଲମାନମାନେ କଷ୍ଟେ ମଷ୍ଟେ ଦାକ୍ଷିଣାତ୍ୟ ମାଡ଼ିଥିଲେ । କିନ୍ତୁ ସେହି ବ୍ରିଟିଶ ସିଂହଙ୍କ ପରି ସମଗ୍ର ଭାରତବର୍ଷରେ ଏକଛତ୍ର ଆଧିପତ୍ୟ ବିସ୍ତାର କରିପାରି ନଥିଲେ । ଭାରତବର୍ଷରେ ଯେତେ ବିଭିନ୍ନ ଭାଷା ପ୍ରଚଳିତ, ପୃଥିବୀର ଅନ୍ୟ କୌଣସି ଦେଶରେ ସେପରି ନାହିଁ । ଏହାର କାରଣ ସମସ୍ତେ ସ୍ୱଳ୍ପସୀମା ମଧ୍ୟରେ ନିଶ୍ଚିନ୍ତ ଥିଲେ । ପରନ୍ତୁ ଅନ୍ତର୍ବିବାଦରେ ମାତି କେହି କାହା ଉପରେ ଶକ୍ତି ବିସ୍ତାର କରିପାରୁ ନଥିଲେ । ମୁସଲମାନ ପ୍ରଭାବରେ ହିନ୍ଦୀର ପ୍ରଚାର ବଢ଼ି ଭାରତର ସର୍ବଶ୍ରେଷ୍ଠ କଥିତ ଭାଷାରେ ପରିଣତ ହେଲା । ଭାରତବର୍ଷର ଯେଉଁ ଅଞ୍ଚଳକୁ ଯାଅ, ହିନ୍ଦୀରେ ଯେତେ କାମ ଚଳିବ ଅନ୍ୟ କୌଣସି ଭାଷାରେ ତାହା ହେବନାହିଁ । ସର୍ବୋପରି ଇଂରାଜୀ ଭାଷା–ଏହା ସାତ ସମୁଦ୍ର ତେର ନଦୀ ପାର ହୋଇ ଆସିଥିଲେହେଁ ଶଏ ବର୍ଷ ଭିତରେ କଅଣ ଅଳ୍ପ ଉନ୍ନତି କରିଅଛି-? ବଙ୍ଗଦେଶ, ମାନ୍ଦ୍ରାଜ, ବୋମ୍ବେଇ, ପଞ୍ଜାବ ଯେଉଁ ଆଡ଼େ ଯାଅ, ଇଂରାଜୀ ନ ଜାଣିଲେ ନ ଚଳେ । କାର୍ଡ଼ ଖଣ୍ଡେ କୌଣସି ବିଦେଶୀ ବନ୍ଧୁକୁ ଲେଖିବାକୁ ହେଲେ ଇଂରାଜୀ ବିନା ଗତ୍ୟନ୍ତର ନାହିଁ । ବର୍ତ୍ତମାନ ଆଦାନପ୍ରଦାନର ଏହାହିଁ ଶ୍ରେଷ୍ଠ ଉପାୟ ।

 

ତେଲଙ୍ଗାମାନେ ଓଡ଼ିଆଙ୍କର ନିକଟ ପ୍ରତିବେଶୀ । କିନ୍ତୁ କେତେଜଣ ଓଡ଼ିଆ ତେଲଙ୍ଗୀ ବୁଝନ୍ତି ? ମାତ୍ର କେତେଜଣ ଓଡ଼ିଆ ମୋଟାମୋଟି ବଙ୍ଗଳା ବୁଝିବାକୁ ଅକ୍ଷମ ? ଏହାର କାରଣ ଅବଶ୍ୟ ସେହି ଆଧିପତ୍ୟ ବିସ୍ତାର । କଚେରୀକୁ ଯାଅ ଅଧିକାଂଶ ହାକିମ ବଙ୍ଗାଳୀ, ବ୍ୟବହାରଜୀବ ବଙ୍ଗାଳୀ, ଅମଲା ବଙ୍ଗଳା । ବିଦ୍ୟାଳୟରେ ଦେଖ, ଅଧିକାଂଶ ଶିକ୍ଷକ ବଙ୍ଗାଳୀ, ଘରକୁ ଯାଅ, ଉନ୍ନତ ସୁସଭ୍ୟ ପ୍ରତିବେଶୀଟି ବଙ୍ଗାଳି । ଏହି ବଙ୍ଗୀୟ ପ୍ରଭାବ, ବଙ୍ଗୀୟ ଆଧିପତ୍ୟ ମାତୃଭାଷାକୁ ପରାଜିତ କରି ଏଠାରେ ବଙ୍ଗଳା ଭାଷାର ବହୁଳ ପ୍ରଚାର କରୁଅଛୁ । କୌଣସି ଓଡ଼ିଆ ଭାଷା ଶିକ୍ଷା ଉଦ୍ଦେଶ୍ୟରେ ବଙ୍ଗଳା ଶିଖିନାହିଁ । ‘ଯୋର ଯାହାର, ମୁଲକ ତାହାର’ ନୀତିରେ ବଙ୍ଗଳା ସ୍ୱୀୟ ଆଧିପତ୍ୟ ବିସ୍ତାର କରିଅଛି । ଶିଖି ନାହାନ୍ତି, ଏହାର ପ୍ରମାଣ ସ୍ୱରୂପ କହି ପାରିବେ କି କେତେଜଣ ଓଡ଼ିଆ ବଙ୍ଗଳା ଲେଖି ପାରନ୍ତି ବା ବଙ୍ଗଳା - ଲେଖାପଢ଼ି ପାରନ୍ତି ? ବଙ୍ଗାଳୀମାନେ ଯେ ଓଡ଼ିଆ ଶିଖିଛନ୍ତି, ସେ କେବଳ ସେହି ଗରଜରେ ପଡ଼ି । ସୁଲଭ ସମ୍ବାଦପତ୍ର, ନାଟକ, ଉପନ୍ୟାସ, ଅର୍ଥପୁସ୍ତକ ବିଶେଷ ସାହାଯ୍ୟ କରିଥିଲେ ହେଁ ରାଜନୈତିକ ଆଧିପତ୍ୟ ହିଁ ଏ ଦେଶରେ ବଙ୍ଗଭାଷାର ବହୁଳ ପ୍ରଚାରର ପ୍ରଧାନ କାରଣ ।

 

ସଭ୍ୟତା ଓ ଗମନାଗମନର ସୁବିଧା ବଢ଼ିବା ସଙ୍ଗେ ସଙ୍ଗେ ରୀତିନୀତିର ସ୍ୱାତନ୍ତ୍ର୍ୟ ଯେପରି କମୁଅଛି ଭାଷାର ସ୍ୱାତନ୍ତ୍ର୍ୟ ମଧ୍ୟ ସେହିପରି କମୁଅଛି । ଅର୍ଥାତ୍‌ ଭାଷାରୁ ଦେଶଜ ଓ ବିଶେଷ ଅର୍ଥରେ ପ୍ରଯୁକ୍ତ ଶବ୍ଦ ସଂଖ୍ୟାର ହ୍ରାସ ହେଉଅଛି । ମୂଳ ଭାଷା ସଂସ୍କୃତ ମୂଳକ ଶବ୍ଦର ସଂଖ୍ୟା ବଢ଼ୁଅଛି । କାର୍ଯ୍ୟତଃ ସମ୍ମିଶ୍ରଣ ପ୍ରଭାବର ଫଳସ୍ୱରୂପ ଗଡ଼ଜାତର ଉଚ୍ଚଶ୍ରେଣୀଙ୍କର ଭାଷା ସଂସ୍କୃତ ଶବ୍ଦବହୁଳ ମୁଗଲବନ୍ଦୀ ଓଡ଼ିଆ ପାଲଟି ଯାଉଛି । ଦଶବର୍ଷ ତଳେ ସେମାନେ ଯେଉଁ ସବୁ ଦେଶଜ ବିଶେଷ ଶବ୍ଦର ବ୍ୟବହାର କରୁଥିଲେ ଆଜି ଆଉ ତାହା ସେମାନଙ୍କ ମୁହଁରୁ କେତେକ ଅତର୍କିତ ଭାବରେ କେତେକ ଲଜ୍ଜାରେ ଶୁଣାଯାଉ ନାହିଁ । ଯାହା କିଛି ଅଛି ଯେଉଁମାନେ ସଭ୍ୟତାଠାରୁ ବେଶି ଦୂରରେ ସେହିମାନଙ୍କ ପାଖରେ । କାଳକ୍ରମେ ସେମାନଙ୍କ କଥିତ ଭାଷାରେ ଯେଉଁ ସ୍ୱାତନ୍ତ୍ର୍ୟ ଥିଲା ତାହା ଆଉ ରହିବ ନାହିଁ । ବେଳ ଥାଉଁ ଥାଉଁ ଲୁପ୍ତୋଦ୍ଧାର କରି ଭାଷା ମିଉଜିଅମ୍‌ରେ ସେଗୁଡ଼ିକ ସାଇତି ଦେବା ଉଚିତ । ସଙ୍ଗେ ସଙ୍ଗେ ଲୁପ୍ତପ୍ରାୟ ପ୍ରାଚୀନ ରୀତିନୀତି ଗୁଡ଼ିକ ମଧ୍ୟ ସାଉଁଟି ରଖିଦେଲେ ମନ୍ଦ ହେବନାହିଁ । କେତେକ ବର୍ଷ ତଳେ କାର୍ଯ୍ୟୋପଲକ୍ଷ୍ୟରେ ପ୍ରଥମ ଗଡ଼ଜାତକୁ ଯାଇ ମୁଗଲବନ୍ଦୀରେ ଅପ୍ରଚଳିତ କେତେଗୁଡ଼ିଏ ଶବ୍ଦ ଶୁଣି ମନରେ ବିଶେଷ କୌତୁକ ଜାତ ହେଲା ଏପରି କେତେଗୁଡ଼ିଏ ଶବ୍ଦ ଅଛି ଯାହାର ଅର୍ଥ ଗଡ଼ଜାତ ସମ୍ବନ୍ଧ ବିହୀନ ଲୋକ ପକ୍ଷରେ ଅନୁମାନ କରିବା ସୁଦ୍ଧା ଦୁରୁହ । ଗଡ଼ଜାତର ଲୋକମାନଙ୍କର ମୋଗଲବନ୍ଦୀ ସହିତ ସଂମିଶ୍ରିତ ବଢ଼ୁଥିବାରୁ ମୁଗଲବନ୍ଦୀ ଲୋକେ କେତେଗୁଡ଼ିଏ ଶବ୍ଦ ସହିତ ସୁପରିଚିତ ହେଲେ ମଧ୍ର ଅଧିକାଂଶ ଶବ୍ଦ ଅଜ୍ଞାତ ।

 

କାନ୍ଥ–କଡ଼; ବଟା କାନ୍ଥରେ ପାନ ଅଛି । ପୋଖରୀ କାନ୍ଥ ଆମ୍ବଗଛର ଆମ୍ବ ମିଠା ।

ମୂଳେ–ଯିମା–ସରକାରକାରଙ୍କ ମୂଳେ ଖଜଣା ଦେଲି । ବାବୁଙ୍କ ମୂଳେ ବସ୍ତାନିଟା ଦେଇ ଆସିଲି ।

 

ସିଲ–ପ୍ରଧାନ ଅର୍ଥ ଅନୁମତି–ବିଦାୟ ଅର୍ଥରେ ମଧ୍ୟ ଚଳେ । ମତେ ପାଲିଙ୍କି ଚଢ଼ିବାର ସିଲ ନାହିଁ । ଛତା ସିଲ କରେଇଚି । ଆମ୍ଭମାନଙ୍କୁ ବାହାରି ଯିବାକୁ ସିଲ ହେଉ । ମୁଁ ହଜୁରରୁ ସିଲ * ହେଉଛି । (ପୂର୍ବେ ଗଡ଼ଜାତରେ ଘୋଡ଼ା ଚଢ଼ିବା, ଏପରିକି ଛତା ବ୍ୟବହାର କରିବାପାଇଁ ରାଜସରକାରରେ ଭେଟି ସଲାମି ଦେଇ ଅନୁମତି ନେବାକୁ ହେଉଥିଲା । ବର୍ତ୍ତମାନ ଯେ ସମ୍ପୂର୍ଣ୍ଣ ରୂପେ ଉଠିଯାଇଛି ତାହା ନୁହେଁ ।)

 

* ସିଲ କଥାଟା ଦକ୍ଷିଣାଞ୍ଚଳରେ ବିଶେଷ ପ୍ରଚଳିତ । ଗଡ଼ଜାତ ସହିତ ଦକ୍ଷିଣର ବୈବାହିକ ସମ୍ବନ୍ଧ ଖୁବ୍‌ ବେଶୀ । ସୁତରାଂ ଏହା ଦକ୍ଷିଣ ଆମଦାନୀ ହେବାପରା ।

 

ସମୟ - ସାଧାରଣ ଅର୍ଥ କାଳ, ଅବକାଶ ଅର୍ଥରେ ମଧ୍ୟ ବ୍ୟବହୃତ ହୋଇଥାଏ । ଯେପରିକି ମୋର ବର୍ତ୍ତମାନ ସମୟ ନାହିଁ । କିନ୍ତୁ ଗଡ଼ଜାତରେ ସମୟ ‘‘କେଉଁ କାର୍ଯ୍ୟରେ ବ୍ୟାପୃତ’’, ‘‘ଏ ଅବକାଶ ଅଛି କି ନାହିଁ’’ ଏହିପରି ଅର୍ଥରେ ଅର୍ଥରେ ବ୍ୟବହାର ହୁଏ । କୌଣସି ଲୋକ ରାଜା ବା କୌଣସି ଭଦ୍ରଲୋକଙ୍କ ସହିତ ଦେଖା କରିବାକୁ ଆସିଲେ, ଯାହାଙ୍କ ସହିତ ଦେଖା କରିବାର ଆବଶ୍ୟକ ତାହାଙ୍କର ସାକ୍ଷାତ ନ ପାଇଲେ ପଚାରେ, ‘‘ଛାମୁଙ୍କର ସମୟ କ’ଣ’’ ? ‘‘ବା ବାବୁଙ୍କର ସମୟ କ’ଣ ?’’

 

ଆସିବା–ସାଧାରଣ ଅର୍ଥରେ ବ୍ୟବହୃତ ହେବା ଛଡ଼ା–ଏବର୍ଷ ଆମ୍ବ ଭଲ ଆସିଚି, ତେନ୍ତୁଳି ଭଲ ଆସିନାହିଁ–ଏହିପରି ବ୍ୟବହାର ମଧ୍ୟ ହୁଏ ।

-ଶ୍ରୀ-

ଆଳିମାଳିକା (୨) ଉତ୍କଳ ସାହିତ୍ୟ ୬ଷ୍ଠ ଭାଗ ୫ମ ସଂଖ୍ୟା

ଭାଦ୍ର ୧୩୧୦ ପୃ, ୧୧୬

ପହଡ଼–‘‘ତେଜିଣ ବେଗେ ପହୁଡ଼, ଗୋଧନ ଘେନ ଗଉଡ଼, ବଜାଇ ବଜାଇ ବଂଶୀ ସୁଲଳିତ ସ୍ୱନେ ଗୋଷ୍ଠକୁ ଗମଇ ଧୀରେ ଆନନ୍ଦିତ ମନେ’’ ରେ - ପହୁଡ଼ର ବ୍ୟବହାର; ଅଭିଧାନରେ ଏହାକୁ ଅନୁସରଣ କରି ‘ପହୁଡ଼’ ମଧ୍ୟ ଲେଖା ଯାଇଅଛି । କିନ୍ତୁ ସଚରାଚର ‘ପହଡ଼’ ଏହା ହିଁ ବ୍ୟବହୃତ ହୁଏ । ପହଡ଼ ଅର୍ଥ ଦେବ ନିଦ୍ରା, ତଥା ରାଜକୀୟ ନିଦ୍ରା । ଗାଢ଼ ନିଦ୍ରାକୁ ପହଡ଼, ଚେଇଁ ଶୋଇବାକୁ ଚିଆଁ ପହଡ଼ କହନ୍ତି । ଯାହା ତାହା ନିଦ୍ରା ପହଡ଼ ନୁହେଁ ।

 

ଛାମୁ– ରାଜା ବା ରାଜ ପରିବାରୀୟ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ବୋଧନରେ ବା ଶିଷ୍ଟତା ସହିତ ସେମାନଙ୍କ ସମ୍ବନ୍ଧରେ କିଛି କହିବାର ହେଲେ ଏହି ଶବ୍ଦର ବ୍ୟବହାର ହୁଏ । ମୋଟରେ ଏହାର ବ୍ୟବହାର ‘ହଜୁର’ ଶବ୍ଦର ବ୍ୟବହାର ପରି । ଯଥା–ଛାମୁଙ୍କର ସମୟ କ’ଣ ? ରାଜାଙ୍କ ଛାମୁରୁ ବିଜେ କରୁଚନ୍ତି ? ମଣିମାଙ୍କ ଛାମୁରୁ ହୁକୁମ ପଡ଼ିଚି–ଇତ୍ୟାଦି । ଏହି ଶବ୍ଦଟି କାହା ମତରେ ‘ସମ୍ମୁଖ’ କାହା ମତରେ ‘ଶ୍ରୀମୁଖ’ ପୁଣି କାହା ମତରେ ‘ସୁମୁଖ’ର ଅପଭ୍ରଂଶ । ସୁମୁଖର ଅପଭ୍ରଂଶ ଶ୍ରୀମୁଖ ତ ନୁହେଁ । ତାହାହେଲେ ‘ଛାମୁ ଶ୍ରୀମୁଖ କେବେ ଦେଖିବି’ ଇତ୍ୟାଦି ବ୍ୟବହାର ଅସଙ୍ଗତ ହୁଅନ୍ତା । ରାଜା ରାଜ୍ୟ ମଧ୍ୟରେ ସର୍ବଶ୍ରେଷ୍ଠ । ସୁ-ଶୋଭନ, ମୁଖ୍ୟ-ଶ୍ରେଷ୍ଠ; ସୁ ମୁଖ୍ୟର ଅପଭ୍ରଂଶ କଲେ ଅଡ଼ୁଆ କ’ଣ ? ସେହିପରି ଛାମୁକରର=ମୁଖ୍ୟକରଣ ଅର୍ଥାତ୍‌ କରଣମାନଙ୍କ ମଧ୍ୟରେ ଯେ ସର୍ବଶ୍ରେଷ୍ଠ ।

 

କୁଦିବା– ମଡ଼େଇବା, ମୁଣ୍ଡେଇବା–ବ୍ୟବହାର ଅତି ବିଚିତ୍ର, ଗଡ଼ଜାତରେ ଅଧିକାଂଶ କହନ୍ତି, ‘ଯୋତା କୁଦିବା’, ‘କୁର୍ତ୍ତା ମଡ଼େଇବା’, ‘ଛତା ମୁଣ୍ଡେଇା’ ।

 

ଓଖର– ଦୁଗ୍‌ଧ–ଗୋ କ୍ଷୀରର ଅପଭ୍ରଂଶ ହେଲେ ହେଁ ସାଧାରଣତଃ ଦୁଗ୍‌ଧ ଅର୍ଥରେ ବ୍ୟବହୃତ ହୁଏ । ମଇଁଷି ଓଖର, ଛେଳି ଓଖର, ଗାଈ ଓଖର ଇତ୍ୟାଦି, ଓଖର ନ କହି ‘ଦୁଧ’ କହିଲେ ଗଡ଼ଜାତରେ ସାନ ବଡ଼ ସ୍ତ୍ରୀ ପୁରୁଷ ସମସ୍ତେ ଅଭଦ୍ର ଅଶିଷ୍ଟ ମନେକରିବେ ।

 

ନେଉଆ - ଆତ, ନେଉଆ ଏକ ଜାତୀୟ ଫଳ; ଆତର ଉପର ଉଚ୍ଚ ନୀଚ, ନେଉଆର ଉପର ଛିଲକା ଚିକ୍‌କଣ । ଏହା ହିଁ କଟକ ଅଞ୍ଚଳର ବ୍ୟବହାର । ସ୍ଥାନଭେଦରେ ଆତକୁ ବଢ଼ିଆଳ, ନେଉଆକୁ ଆତ, ପିଜୁଡ଼ିକୁ ନେଉଆ କହନ୍ତି । ପିଜୁଡ଼ି ଦୁଇ ପ୍ରକାର, ଯାହା ଭିତର ଲାଲ ତାକୁ ପିଜୁଡ଼ି, ଯାହା ଭିତର ଧଳା ତାକୁ ନେଉଆ କହନ୍ତି।

 

ନାଉଳ–ବର୍ଣ୍ଣବୋଧ ।

ପାପୋସ–ଯୋତା ।

ଡୁଙ୍ଗିବା–ଉଣ୍ଡିବା ।

 

ଆଡ଼େଇବା–ବହୁ ପରିମିତ ପଦାର୍ଥରୁ କିଛି ବାହାର କରିନେବା । କୂଅରୁ ପାଣି ଆଡ଼ୋଉଚି । ଭଣ୍ଡାରର ଚାଉଳ ବସ୍ତାଟା ଆଡ଼େଇଲିଣି ।

ପଳେଇବା–ଇତର ଲୋକେ ଯିବା ଅର୍ଥରେ ବ୍ୟବହାର କରନ୍ତି । କଥାଟି ଅନାର୍ଯ୍ୟ ଆମଦାନୀ ।

ଓରିଆ–ସରୁ ଚାଉଳ । କି ଅରୁଆ କି ଉଷୁନା ଉଭୟ ସରୁଚାଉଳ ଓରିଆ ।

ବଗଡ଼ା–ମୋଟ ଚାଉଳ ।

ଖନ୍ଦା–ରାଜପାକ ।

ଅଗର–ଜାଳେଣି କାଠ, ଯାହା ରାଜ ଖନ୍ଦାରେ ଜଳେ, ଅଗୁରୁର ଅପଭ୍ରଂଶ । ରାଜାଙ୍କ ପାକକାର୍ଯ୍ୟରେ ଅଗୁରୁ ଚନ୍ଦନ ନ ଜାଳି ସାଧାରଣ କାଠ କିପରି ଜଳିବ ? ସ୍ଥାନ ପ୍ରଧାନ, ଗୁଣ ପ୍ରଦାନ ନୁହେଁ ।

 

ନିତ୍ୟାନି–ମାଛ; ବୋଧହୁଏ ନିତ୍ୟ ବ୍ୟବହୃତ ବୋଲି (ଗଡ଼ଜାତରେ ପ୍ରଥା ଅଛି କୌଣସି ରାଜାଙ୍କର ସ୍ୱର୍ଗାରୋହଣ ହେଲେ ତାଙ୍କୁ ଶ୍ମଶାନକୁ ନେବାବେଳେ ଉତ୍ତରଧିକାରୀ ରାଜାଙ୍କୁ ମାଛ ଭାତ ଖାଇବାକୁ ଦିଆଯାଏ । ରାଜା ଅଶୁଚ ହୁଅନ୍ତି ନାହିଁ ।) କୌଣସି କୌଣସି ସ୍ଥଳରେ ଦୁଧକୁ ମଧ୍ୟ ନିତ୍ୟାନ କହନ୍ତି । ନିତ୍ୟ ବ୍ୟବହୃତ କଥାରୁ ଯଦି ନିତ୍ୟାନି ହୁଏ ତେବେ ଗଡ଼ଜାତରେ ଦୁଧକୁ ନିତ୍ୟାନ କହିବା ସମୁଚିତ ନୁହେଁ । ସେଠାରେ ଦୁଧ ଅପେକ୍ଷା ଦହିର ଆଦର ବରଂ ବେଶି । ମୁଁ ଯେତେଦୂର ଜାଣେ କଟକ ପ୍ରବାସୀ ଗଡ଼ଜାତ ରାଜକୁମାରମାନେ ଆଦୌ ଦୁଧ ଭଲ ପାଆନ୍ତି ନାହିଁ-। ଏମନ୍ତ କି ଅବସ୍ଥାନଭିଜ୍ଞ ଶିକ୍ଷକମାନେ ଦୁଧର ବରାଦ କରି ଖାଣ୍ଟି ଦୁଧ ଆସୁଚି କି ନାହିଁ ସେଥିପାଇଁ ଗାଈ ରଖେଇବା କଳ ପକେଇବାରେ ଲାଗିଥାନ୍ତି । କିନ୍ତୁ ବିନ୍ଦୁମାତ୍ର ଦୁଗ୍‌ଧ ରାଜଛାତ୍ରଙ୍କ ଉଦରକୁ ନ ଯାଇ ଭୃତ୍ୟମାନଙ୍କ ଅଙ୍ଗପୁଷ୍ଟି କରେ ବା ଦଧି ରୂପରେ ପରିଣତ ହୁଏ ।

 

ହୁଳହୁଳି–ଶୁଭକାର୍ଯ୍ୟ ।

କାନ୍ଦବୋବାଳି–ଅଶୁଭ କାର୍ଯ୍ୟ ।

ଯୋଗାଣ, ମଣୋହି, ଠା–ରାଜଭୋଜନ–ଶୀତଳ ମଣୋହି = ଜଳଖିଆ ଖାଇବା ।

ଯୋଗାଡ଼–ଭୋଜନପାତ୍ରାଦି ।

ଆପଟ–କାନ୍ଧିଆ ଗଉଡ଼–ଅବଶ୍ୟ ଦେବବାହକ, ରାଜବାହାକ ।

ସୁଅସିଆ–ମୂଲିଆ ।

ସୁଆର–ସୂପକାରର ଅପଭ୍ରଂଶ । ରାଜପାଚକ ।

ପାଣିଆ–ଯେଉଁ ଗଉଡ଼ ରାଜ ବ୍ୟବହାର୍ଯ୍ୟ ଜଳ ଦିଏ । ରାଜାଙ୍କ ଖନ୍ଦାରେ ବା ପିଇବାପାଇଁ ଭଣ୍ଡାରିମାନେ ଆଣିଥିବା ପାଣି ବ୍ୟବହୃତ ହୁଏ ନାହିଁ ।

 

ଧରିଆସିବା–ସଜୀବ, ନିର୍ଜୀବ ଯାହା କିଛି ସାଙ୍ଗରେ ଆଣିବା । ଦୋକାନରୁ ସଉଦା ଧରି ଆସୁଚି, ବାପ ପୁଅକୁ ଧରି ଆସୁଚି, ଭେଟିବା ପାଇଁ ବାଇଗଣ ଧରି ଆସିଚି–ଇତ୍ୟାଦି । ଧାରଣର ଅପଭ୍ରଂଶରେ କହିଲେ ଚଳିବ ନାହିଁ ବା ଧୃତର ଅପଭ୍ରଂଶ କଲେ ମଧ୍ୟ ସଙ୍ଗତ ହେବ ନାହିଁ ।

 

ଶୂଳେଇ, ଝଗଡ଼ା, ବରଡ଼ା–ବହିର୍ଦେଶ ଯିବା ।

ବିଡ଼ିଆ–ଭଙ୍ଗା ବା ସଜଡ଼ା ପାନ ।

ପନିଆର–କ୍ଷୌର ହେବା ।

ମଙ୍ଗଳକୃତ୍ୟ–ବିବାହ ।

ଦୁର୍ବଳ–ମୃତ୍ୟୁ ବା ମୃତାଶୌଚ ।

ମର୍ଦ୍ଦନ–ତେଲ ଲଗାଇବା ।

 

ଘୋରା–ଔଷଧ; ବଟିକା ଘୋରି ବ୍ୟବହାର କରନ୍ତି । ଗଡ଼ଜାତରେ ବଟିକାର ବିଶେଷ ପ୍ରଚଳନ । କଥା କଥାକେ ବୈଦ୍ୟଙ୍କ ବଟୁଆରୁ ବା ଚାଦର ବଟିକା ବାହାରେ । ଏତେ ବହୁଳ ପ୍ରଚଳନ ଯେ ମୁଗଲ ବନ୍ଦିଆଙ୍କର ଦେଖି ହୃତ୍‌କମ୍ପ ହୁଏ । ବୋଧହୁଏ ଏହି ହେତୁରୁ ଔଷଧର ସାଧାରଣ ନାମ ଘୋରା ।

 

ସାହାଣୀ ସହିସ (କୌଣସି କୌଣସି ସ୍ଥଳରେ ସାହାଣୀ ଭଦ୍ରଲୋକଙ୍କ ଉପାଧି ।)

କିରଣ–କିଣିବା

ଗହଣ–ସାଙ୍ଗରେ ଯିବା–ରାଜାଙ୍କ ଗହଣରେ ଯାଉଚି–ରାଜ ସହଯାତ୍ରୀ ହୋଇଚି ।

ବେହରଣ–ବସିବା–ରାଜାଙ୍କ ବେହରଣ ବଢ଼ିଚି ଅର୍ଥାତ୍‌ ରାଜା ବସିଛନ୍ତି ।

ବେହରଣ ମଣ୍ଡପ–ଯେଉଁଠାରେ ରାଜା ଅବସର ସମୟରେ ବସନ୍ତି ।

 

ବାହୁଡ଼ା–ଫେରି ଆସିବା; ଶ୍ରୀଜଗନ୍ନାଥ ଦେବଙ୍କ ଗୁଣ୍ଡିଚା ମନ୍ଦିରରୁ ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ ବାହୁଡ଼ା । ସେଥିରୁ ରାଜ ପ୍ରତ୍ୟାବର୍ତ୍ତନ ମାନେ ବାହୁଡ଼ା ହୋଇଅଛି । ଯେହେତୁ ରାଜା ଚଳନ୍ତି ବିଷ୍ଣୁ ।‘‘ଅଷ୍ଟାନାଂ ଲୋକପାଳାନାଂ ମାତ୍ରାର୍ଭିର୍ନିତୋନୃପଃ’’ ।

 

ମାଣ୍ଡି–ତକିଆ ।

ଅପସର–ବଡ଼ ତକିଆ, ଯାହାକୁ ଆଉଜି ବସିବାକୁ ହୁଏ । ଅପସରର ପ୍ରଧାନ ଅର୍ଥ ରାଜତ୍ୱ କାଳ । ‘ଅମୁକ ରାଜାଙ୍କ ଅପସରରେ ଅମୁକ ଘଟଣା ଘଟିଥିଲା ।’

 

ନିକ–ଭଲ ।

ଆଡ଼ି–ଶିକାର, ମୃଗୟା ।

ପଶେଇତ–କ୍ଷୌରକାର ।

ଚର୍ଚ୍ଚା ବେହେରା–ଆଗନ୍ତୁକ ଭଦ୍ରଲୋକ ବା ଅତିଥିଙ୍କ ଚର୍ଚ୍ଚା ଯେ ବୁଝେ, ସାଧାରଣତଃ ଯେଉ ଭଣ୍ଡାରୀ ସେମାନଙ୍କ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ଆଣିଦିଏ ।

 

ଶୀକାର–ମାଂସର ସାଧାରଣ ନାମ ଯେ ହେତୁ ମାଂସ ଗଡ଼ଜାତର ଶିକାର (ମୃଗୟା) ଲବ୍‌ଧ ।

ଶ୍ରୀ-

ଆଳିମାଳିକା - ୩ ଉ. ସା, ୬/୭ କାତ୍ତକ ୧୩୧୦-ପୃ ୧୬୪

ବିଜେ–ବିଜୟର ଅପଭ୍ରଂଶ ଯଥା, ‘‘ଜୟତୁ ଜୟତୁ ଦେବ !’’ ‘‘ବିଜୟୀ ବୀର ବିଜୟ କର ଯିବା ମିଥିଳାପୁର ।’’ ‘‘କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ ।’’

 

ଟିପ–ବୃକ୍ଷାଗ୍ର–Top ।

ଗୋଛା–ପଲ-herd । ଅମୁକର ଗୋଛାଏ ମଇଁଷି, ଦୁଇଗୋଛା ଗୋରୁ ଅଛନ୍ତି । ୩୮

 

କାଳିବା–ତଡ଼ିଆଣିବା ଆଡ଼ି (ଶିକାର ବା ମୃଗୟା) କଲାବେଳେ ଯେଉଁ ସ୍ଥାନରେ ମୃଗୟା କରିବାକୁ ହୁଏ ସେ ସ୍ଥାନକୁ ଲୋକେ ଚାରିଆଡ଼ୁ ଘେରି ରହନ୍ତି । ନିର୍ଦ୍ଦିଷ୍ଟ ସମୟରେ ନାନା ପ୍ରକାର ବାଜା ବଜାଇ ବିକଟ ଶବ୍ଦ କରି ଲୋକେ କେନ୍ଦ୍ରାଭିମୁଖରେ ଅଗ୍ରସର ହୁଅନ୍ତି । ବନ୍ୟ ପଶୁମାନେ ଭୀତ ହୋଇ ଚାରିଆଡ଼ୁ ସେହି କେନ୍ଦ୍ରଭୂମିକୁ ଲୋକଙ୍କ ଆଗେ ଆଗେ ଆଶ୍ରୟ ଅନ୍ୱେଷଣରେ ପଳାଇ ଆସନ୍ତି । ସେତେବେଳେ ଶିକାରୀମାନେ ବନ୍ଧୁକ କାଣ୍ଡାଦିଦ୍ୱାରା ସେମାନଙ୍କୁ ବଧ କରନ୍ତି, କାଳିବା କହନ୍ତି ।

 

ହାଲିଆ–ବେହାଲ, କ୍ଲାନ୍ତ tired–ଦଉଡ଼ି ଦଉଡ଼ି ହାଲିଆ ହେଲିଣି । ରୋଗ ବିଛଣାରେ ପଡ଼ି ହାଲିଆ ହେଲିଣି ।

କାଉଳି–ବ୍ୟତିବ୍ୟସ୍ତ–ଚଷାଏ ପାଣି ପାଇଁ କାଉଳି କରି ପକାଉଛନ୍ତି ।

ଅର୍ଜନ–ବ୍ରାହ୍ମଣଙ୍କ ଚୂଡ଼ା ଦହି ଖାଇ ଯିବା ।

ଅଙ୍ଗୁଠିଆ–ମାପ ବିଶେଷ, ଏହାଦ୍ୱାରା ପ୍ରଧାନତଃ ସ୍ନେହ ଦ୍ରବ୍ୟ ମପାହୁଏ । କଟକୀ ସେରକ ଛ’ ଆଙ୍ଗୁଠିଆ।

ମୂଢ଼ା–କଟକୀ ଦୁଇ ସେରରେ ଏକ ମୂଢ଼ା ।

ତାମ୍ବି–ଗଉଣୀ । କଟକୀ ଦେଢ଼ସେରରେ ଏକ ତାମ୍ବି ।

 

ଓକିଲ–ଦୂତ, ସଭ୍ୟ ଦେଶରେ ଓକିଲ ହେବା ପାଇଁ ବହୁ ବିଦ୍ୟାବୁଦ୍ଧି ଆବଶ୍ୟକ । ଗଡ଼ଜାତରେ ଓକିଲ କହିଲେ B.L. Pleader ପ୍ରଭୃତି ମନେ କରିବା ଉଚିତ ନୁହେଁ । ଗଡ଼ଜାତରେ ଓକିଲ ହେବାପାଇଁ ବିଦାବୁଦ୍ଧି ଆବଶ୍ୟାକ ନାହିଁ । ଦୁଇପଦ ମାମୁଲି କଥା କହିପାରିଲେ ହେଲା । ଅନେକ ସମୟରେ ତାହା ମଧ୍ୟ ଆବଶ୍ୟକ ନାହିଁ । ରାଜା ବା ସାମନ୍ତ ଲୋକମାନଙ୍କ ପାଖକୁ ଯେ ବେଭାର ବା ସଙ୍ଖୋଳା ଆଦି ନେଇ ଯାଏ ତାହାକୁ ଓକିଲ କହନ୍ତି ।

 

ନିଉଛାଣି–ବିଶେଷ ଅଭ୍ୟର୍ଥନା

ଅଳସ–ରୁଗ୍‌ଣ Sick, ରାଜାଙ୍କ ଶ୍ରୀଅଙ୍ଗ ଅଳସ ହୋଇଚି ।

ପଦା–ପଡ଼ିଆ, ଯେଉଁ ଜମିରେ ଧାନ ହୁଏ ନାହିଁ କିନ୍ତୁ ହୈମନ୍ତିକ ଫସଲ ହୁଏ ।

 

ଟପା–ଚିଠିପତ୍ର ବା ଜିନିଷ ପଠାଇବାର ଗୋଟିଏ ବିଶେଷ ପ୍ରଥା ଅଛି । ଚିଠିପତ୍ର କୌଣସି ଗ୍ରାମର ଚୌକିଆକୁ ଦେଇ ଗନ୍ତବ୍ୟ ଠିକଣା କହିଦେଲେ ସେ ତାହା ନେଇ ନିକଟସ୍ଥ ଗ୍ରାମ ଚୌକିଆକୁ ଦେଇଦିଏ । ଏହିପରି ଅନାୟାସରେ ବିନା ବ୍ୟୟରେ ଚିଠିପତ୍ର ଗନ୍ତବ୍ୟ ସ୍ଥାନରେ ପହୁଞ୍ଚେ । ସାଧାରଣତଃ ଏପରି ଚିଠିକୁ ଖଣ୍ଡେ ଛୋଟ ବତା ବା କାଠିକୁ ଟିକିଏ ଚିରି ଦେଇ ତାହାଦ୍ୱାରା ଚିମୁଟାରେ ଧରିଲା ପରି ଧରି ନେଇଯାନ୍ତି ।

 

ଧଉଡ଼ା–ଯେ ଜରୁରୀ ଚିଠିପତ୍ର ଦ୍ରୁତ ବେଗରେ ଧରି ନେଇଯାଏ ।

ଉପାଧି–ବିଶେଷ ଅଧିକାର ବା ଅନୁଗ୍ରହ ।

ଅନ୍ତର–ରାଜ ଔରସରେ ଅନ୍ତଃପୁରବାସିନୀ ରକ୍ଷିତା (Maid-servant) ଗର୍ଭରେ ଜାତ ସନ୍ତାନ । ଏହିପରି କନ୍ୟାପ୍ରସୂତକୁ ‘ଦେଇମା’ ପୁତ୍ରପ୍ରସୂତକୁ ‘ସିଂହମ’ କହନ୍ତି ।

 

ପ୍ରତ୍ୟନ୍ତର–ଅନ୍ତର ଔରସରେ ଗର୍ଭଜାତ ସନ୍ତାନ ।

ପ୍ରାଣ–ସୂକ୍ଷ୍ମ ଔରସରେ ସ୍ତ୍ରୀର ଗର୍ଭଜାତ ସନ୍ତାନ ।

ସଦର–କୌଣସି ରାଜକୀୟ ଦୂତକୁ ବିଶେଷ ଭାବେ ଗ୍ରହଣ କରିବା ନିମିତ୍ତ ପାତ୍ରମିତ୍ରାଦି ପୂର୍ଣ୍ଣ ରାଜକୀୟ ପ୍ରକାଶ୍ୟସଭା ।

ଜାଗର–ପ୍ରଦୀପ ।

ଚ୍ଛେଦ–ବଳିଦତ୍ତ ଛାଗ ବା ମେଷ ।

ଦରବାର କରିବା–ରାଜ ଦରବାରରେ ଦୁଃଖ ଜଣାଇବା, ନାଲିଶ କରିବା ।

ଶୁଣିବା–ଫଳ ତୋଳିବା ପାଇଁ ଗଛକୁ ବାଡ଼େଇବା ।

 

ବନ୍ଧ–ଜଳାଶୟ । ପାର୍ବତୀୟ ପ୍ରଦେଶରେ ଭୂମି କ୍ରମନିମ୍ନ ପାହାଡ଼ ପ୍ରଭୃତିର କିଛି ଦୂରରେ ଅର୍ଦ୍ଧଚନ୍ଦ୍ରାକାରରେ ବା ତିନି ପାଖରେ ବନ୍ଧ ପକାଇଲେ ବା ସୁବିଧା ହେଲେ ଦିଓଟି ପାହାଡ଼କୁ ବନ୍ଧଦ୍ୱାରା ସଂଯୁକ୍ତ କରିଦେଲେ ପାହାଡ଼ର ପାଣି ଗଡ଼ି ଆସି ସେଠାରେ ସଞ୍ଚିତ ହୁଏ । ପ୍ରୟୋଜନାନୁସାରେ ବନ୍ଧ କାଟିଦେଲେ ପାଣି ମାଡ଼ି ଶସ୍ୟ କ୍ଷେତ୍ର ରକ୍ଷା କରେ । ବନ୍ଧଦ୍ୱାରା ଜଳ ରକ୍ଷିତ ହୁଏ ବୋଲି ଜଳାଶୟର ସାଧାରଣ ନାମ ବନ୍ଧ । ଅନାବୃଷ୍ଟି କାଳରେ ଶସ୍ୟ ରକ୍ଷାର ଏଗୁଡ଼ିକ ପ୍ରଧାନ ଅବଲମ୍ବନ ।

 

କମତୁଣୀ–ଜଳ, ଅସ୍ପର୍ଶ୍ୟ ସ୍ତ୍ରୀ ଲୋକ । ଯେଉଁମାନେ କି ଘର ଲିପା ପୋଛା ପ୍ରଭୃତି ବାଜେ କାମ କରନ୍ତି, ହାଟ ବଜାରରୁ ପରିବା ପତ୍ର ଆଣି ଦିଅନ୍ତି, ମୋଗଲ ବନ୍ଦିର ବାଉରି ଶ୍ରେଣୀର ଲୋକ-

 

ହେରା ଏଠି ହେ ନାହିଁ–ଏଗୁଡ଼ା ଏଠାରେ ହୁଏ ନାହିଁ ।

 

ଏତା–(ବାକ୍ୟାଳଙ୍କାର) ଏଇଟା, କୌଣସି ପଦାର୍ଥର ନାମ ମନେ ନ ପଡ଼ିଲେ ମୋଗଲବନ୍ଦି ଅଞ୍ଚଳରେ ପ୍ରାୟ କହନ୍ତି (ମନେ ପଡ଼ୁ ନାହିଁ) ସେଟା କାହିଁ ? ସେହିପରି ଗଡ଼ଜାତ ଅଞ୍ଚଳରେ ‘ଏତା’ ବ୍ୟବହାର ହୁଏ ।

 

ହନ୍ତା–ଏ ।

ଦଣ୍ଡା–ବୟଃପ୍ରାପ୍ତା ଅବିବାହିତା ସ୍ତ୍ରୀ ଲୋକ ।

ଟୋକଳି–ବାଳିକା ।

ନନୀ–ଝିଅ ।

ଆବୁ–ଭଉଣୀ ।

ବୁଆ–ବାପ ।

ଅତା–ପିଉସୀ ।

ହାଣ୍ଡେ ବା ହାଡ଼େ–ଏଡ଼େ ।

ଗୁଖା–ବଡ଼ ।

ନାନୀ–ପାଚିକା ସାଧାରଣ ଅର୍ଥ; ବିଶେଷତଃ ରାଜ ଅନ୍ତଃପୁରସ୍ଥା ବ୍ରାହ୍ମଣୀ ।

ଅଢ଼ିଆ–ସିଧା ସଞ୍ଚା । ଆଗନ୍ତୁକମାନଙ୍କୁ ଚାଉଳ ଡାଲି ପ୍ରଭୃତି ଯାହା ଦିଆଯାଏ ।

ମାଖନ–ବୋଇତ କଖାରୁ (ମୋଗଲବନ୍ଦି ଅଞ୍ଚଳେ ଲୋକେ ଶୁଣିଲେ ଅବଶ୍ୟ ଚମକି ପଡ଼ିବେ)

 

ପେଣ୍ଡରା–ସାଧାରଣତଃ କଲରା ପତରିଆ ବାଘ (Spotted tiger) କୌଣସି କୌଣସି ସ୍ଥାନରେ ବଡ଼ ବାଘ (Royal Bengal Tiger)କୁ ମଧ୍ୟ ପେଣ୍ଡରା କହିବାର ଶୁଣାଯାଏ ।

 

ନିଳିଛ–ଖାସି ମେଷାଦି ।

ବୁକା–ବୋଦା ।

ବେଷଣା–ଘର ଚାଳର ଓଳି ।

କୁଡ଼–କାନ୍ଥ ।

 

ଘେନିବା–କିଣିବା ।

ଘାଏ–ଥରେ ।

ସାଇତିବା–ସଜାଡ଼ି ରଖିବା (ମୋଗଲବନ୍ଦିରେ ମଧ୍ୟ ଏ ପ୍ରୟୋଗ ଅଛି ।)

ଝୁଣୁଚି–ଏହାର ଆଉ ଗୋଟିଏ ଅର୍ଥ ଚୁଷି ଖାଉଚି ।

 

କେନ୍ଦରି–ବୁଲି - ଯଥା କେନ୍ଦରି କେନ୍ଦରି ମୋ ପ୍ରାଣ ଗଲାଣି ।

ଆଗ ନୀତି–ପେଟ, ପଛ ନୀତି–ପିଠି - ଅବଶ୍ୟ ରାଜ ଉଦର ଓ ରାଜ ପୃଷ୍ଠ ।

ଭେଷା–ଚିଠି ।

ତଇଲା–ହୈମନ୍ତିକ ଫସଲ ପାଇଁ ପାହାଡ଼ ତଳ ଜଙ୍ଗଲ ପରିଷ୍କାର ଅର୍ଥରେ ବ୍ୟବହୃତ ହୁଏ-

-ଶ୍ରୀ-

***

 

ମହାକବି ଭାସ

ଡକ୍‌ଟର କୁଞ୍ଜବିହାରୀ ତ୍ରିପାଠୀ

 

ସଂସ୍କୃତ ନାଟ୍ୟସାହିତ୍ୟ କ୍ଷେତ୍ରରେ ଭାସ ଅତି ଉଚ୍ଚ ସ୍ଥାନ ଅଧିକାର କରିଛନ୍ତି । ଛୋଟ ବଡ଼ ହୋଇ ସେ ତେରୋଟି ନାଟ୍ୟଗ୍ରନ୍ଥ ଲେଖିଅଛନ୍ତି । (୧) ସଂସ୍କୃତରେ ଏତେ ନାଟ୍ୟଗ୍ରନ୍ଥ କାଳିଦାସ ସମେତ ଅନ୍ୟ କେହି ଲେଖିନାହାନ୍ତି । ସଂସ୍କୃତ ସାହିତ୍ୟର ବଡ଼ ବଡ଼ କବିମାନେ ତାଙ୍କର ପ୍ରଶଂସା କରିଛନ୍ତି । ମହାକବି କାଳିଦାସ ତାଙ୍କ ମାଳବିକାଗ୍ନି ମିତ୍ର ନାଟକର ପ୍ରସ୍ତାବନାରେ ସୂତ୍ରଧାର ଓ ପାରିପାର୍ଶ୍ୱିକର କଥୋପକଥନ ମାଧ୍ୟମରେ ଭାସଙ୍କୁ ପ୍ରଥିତଯଶା ବୋଲି ଲେଖିଛନ୍ତି । ଅର୍ଥାତ୍‌ କାଳିଦାସଙ୍କ ସମୟ (ପ୍ରାୟ ଖ୍ରୀ: ୪ର୍ଥ ଶତକ)ରେ ଭାସଙ୍କର ଯଶ ଭାରତରେ ଚାରିଆଡ଼େ ବ୍ୟାପ୍ତ ହୋଇସାରିଥିଲା । ସେ ଲେଖିଛନ୍ତି–

 

(୧)

ରାମାୟଣର ବାଳକାଣ୍ଡ ଘଟଣା ଉପରେ ଆଧାରିତ ‘ଯଜ୍ଞଫଳ’ ନାମରେ ଭାସଙ୍କର ଆଉ ଗୋଟିଏ ନାଟକ ଖ୍ରୀ ୧୯୪୦ରେ କାଠିଆବାଡ଼ (ଗୋଣ୍ଡଲ)ରୁ ଆବିଷ୍କୃତ

 

‘‘ପ୍ରଥିତ ଯଶସାଂ ଭାସ-ସୌମିଲ୍ଲ କବିପୁତ୍ରାଦୀନାଂ ପ୍ରବନ୍ଧାନ୍‌ ଅତିକ୍ରମ୍ୟ ବର୍ତ୍ତମାନ କବେଃ କାଳିଦାସସ୍ୟ କୃତୌ କିଂ କୃତୋ ବହୁମାନଃ ।’’ ଅର୍ଥାତ୍‌ ଭାସ, ସୌମିଲ୍ଲ, କବିପୁତ୍ର ପ୍ରଭୃତି ପ୍ରଥିତଯଶା ନାଟ୍ୟକାରମାନଙ୍କ ନାଟକରୁ ଛାଡ଼ି ଆଧୁନିକ କବି କାଳିଦାସଙ୍କ ନାଟ୍ୟ ପ୍ରତି କାହିଁକି ଏତେ ଆଦର ? ସପ୍ତମ ଶତାବ୍ଦୀ ପ୍ରଥମ ଭାଗର ମହାରାଜ ହର୍ଷବର୍ଦ୍ଧନଙ୍କ ସଭା କବି ବାଣଭଟ୍ଟ ହର୍ଷ ଚରିତର ପ୍ରାରମ୍ଭରେ ଲେଖିଛନ୍ତି–

 

‘‘ସୂତ୍ରଧାରକୃତାରମ୍ଭୈର୍ନାଟକୈ ର୍ବହୁଭୂମିକୈଃ

ସପତାକୈ ର୍ଯଶୋ ଲେଭେ ଭାସୋ ଦେବକୁଳୈରିବ ।’’

 

ଅର୍ଥାତ୍‌ ଭାସ ବହୁତ ନାଟକ ଲେଖି ଯଶସ୍ୱୀ ହୋଇଛନ୍ତି । ସେ ନାଟକଗୁଡ଼ିକ ଦେବମନ୍ଦିର (ଦେଉଳ) ସହ ତୁଳନୀୟ । ସୂତ୍ରଧାର ପ୍ରଥମେ ମନ୍ଦିରର ନିର୍ମାତା କାର୍ଯ୍ୟ ଆରମ୍ଭ କରନ୍ତି । ମନ୍ଦିର ବହୁତଳ (ଭୂମିକା ବିଶିଷ୍ଟ ହୋଇଥାଏ ଏବଂ ପତାକାଦ୍ୱାରା ଶୋଭିତ ହୋଇଥାଏ । ଭାସଙ୍କ ନାଟକରେ ପ୍ରଥମେ ସୂତ୍ରଧାର ମଞ୍ଚରେ ପ୍ରବେଶ କରି ନାଟକ ଆରମ୍ଭ କରନ୍ତି । କିନ୍ତୁ ଅନ୍ୟ ସଂସ୍କୃତି ନାଟକମାନଙ୍କରେ ପ୍ରାରମ୍ଭରେ ନାନ୍ଦୀ ଶ୍ଳୋକ ପରେ ସୂତ୍ରଧାର ମଞ୍ଚ ଉପରକୁ ଆସନ୍ତି । ଭାସଙ୍କ ନାଟକରେ ବହୁ ଚରିତ୍ର (ଭୂମିକା) ରହିଥାଏ ଏବଂ ଏହି ନାଟକ ବହୁ ଘଟଣା (ପତାକା)ଦ୍ୱାରା ସମୃଦ୍ଧ । ଦଣ୍ଡୀ ତାଙ୍କ କାବ୍ୟାଦର୍ଶରେ ଲେଖିଛନ୍ତି–

 

‘‘ସୁବିଭକ୍ତ-ମୁଖାଦ୍ୟଚ୍ଚୌ ର୍ବ୍ୟକ୍ତ ଲକ୍ଷଣ ବୃତ୍ତିଭିଃ

ପରେତୋଽପି ସ୍ଥିତୋ ଭାସଃ ଶରୀରେ ରିବ ନାଟକୈଃ ।’’

 

ଅର୍ଥାତ୍ ଭାସ ମର ଶରୀର ତ୍ୟାଗ କରିଥିଲେ ହେଁ ନାଟକ ଶରୀରରେ ବିଦ୍ୟମାନ । ତାଙ୍କ ନାଟକ ମୁଖ, ପ୍ରତିମୁଖ, ଗର୍ଭ, ବିମର୍ଷ, ନିର୍ବର୍ହଣ ଏହି ପାଞ୍ଚୋଟି ଅଙ୍ଗରେ ସୁବିଭକ୍ତ ହୋଇଥାଏ । ଏଥିରେ କୈଶିକୀ, ସାତ୍ତ୍ୱତୀ, ଆରଭଟୀ ଏବଂ ଭାରତୀ ଏହି ଚାରୋଟି ବୃତ୍ତିର ଲକ୍ଷଣ ସ୍ପଷ୍ଟ ଭାବରେ ଥାଏ ।

 

ନବମ ଶତାବ୍ଦୀର କବି ରାଜଶେଖର ଲେଖିଛନ୍ତି–

 

‘‘ଭାସ ନାଟକ ଚକ୍ରେଽପି ଛେକୈଃ କ୍ଷିପ୍ତ ପରୀକ୍ଷିତୁମ୍

ସ୍ୱପ୍ନବାସବଦତ୍ତସ୍ୟ ଦାହକୋଽଭୁଦ୍ ନ ପାବକଃ ।’’

 

ଅର୍ଥାତ୍ ପଣ୍ଡିତମାନେ ଯେତେବେଳେ ଭାସ ନାଟକ ସମୂହ (ଚକ୍ର)କୁ ପରୀକ୍ଷା କଲେ ସେତେବେଳେ ସେଥିରୁ ନିର୍ଗତ ଅଗ୍ନି ସ୍ୱପ୍ନବାସଦତ୍ତା ନାଟକକୁ ଦାହ ନ କରି ଆଲୋକିତ କଲା ।

 

ଦ୍ୱାଦଶ ଶତାବ୍ଦୀ (?)ର କବି ଜୟଦେବ ତାଙ୍କ ‘ପ୍ରସନ୍ନ ରାଘବ’ ନାଟକର ପ୍ରସ୍ତାବନାନେ ଲେଖିଛନ୍ତି–

 

‘‘ଯସ୍ୟା ଶ୍ଚୌରଃ ଶ୍ଚିକୁର ନିକରଃ କର୍ଣ୍ଣପୁରୋମୟୂରଃ

ଭାସୋ ଭାସଃ କବିକୁଳଗୁରୁଃ କାଳିଦାସୋ ବିଳାସଃ ।

ହର୍ଷୋ ହର୍ଷୋ ହୃଦୟବସତିଃ ପଞ୍ଚବାଣସ୍ତୁ ବାଣଃ

କେଷାଂ ନୈଷା କଥୟ କବିତାକାମିନୀ କୌତୁକାୟ ।।’’

 

ଏଠାରେ ଭାସଙ୍କୁ କବିତାକାମିନୀଙ୍କ ସ୍ମିତହାସ୍ୟ ବୋଲି ବର୍ଣ୍ଣନା କରିଛନ୍ତି ।

 

ଅଷ୍ଟମ ଶତାବ୍ଦୀର ରାଜା ଯଶୋବର୍ମାଙ୍କ ସଭାକବି ବାକ୍‌ପତି ରାଜ ତାଙ୍କର ପ୍ରାକୃତ କାବ୍ୟ ଗଉଡ଼ବହୋର ୮୦୦ ସଂଖ୍ୟକ ଗାଥାରେ ଭାସଙ୍କୁ ଅଗ୍ନିମିତ୍ର (ଜଲଣମିତ୍ତୋ) ବୋଲି ଉଲ୍ଲେଖକରି ତାଙ୍କ କୃତିରେ ଆନନ୍ଦ ଉପଲବ୍‌ଧି କରିଥିବାର ଉଲ୍ଲେଖ କରିଛନ୍ତି ।

 

ଅଷ୍ଟମ ଶତାବ୍ଦୀର ଆଳଙ୍କାରିକ ଭାମହ ‘ପ୍ରତିଜ୍ଞା ଯୌଗନ୍ଧରାୟଣ’ର ସମାଲୋଚନା ତାଙ୍କ ଆଳଙ୍କାରିକ ଗ୍ରନ୍ଥରେ କରିଛନ୍ତି । ବାମନ ମଧ୍ୟ ତାଙ୍କ ‘କାବ୍ୟାଳଙ୍କାର ସୂତ୍ରବୃତ୍ତି’ରେ ଉକ୍ତ ନାଟକରୁ ଏବଂ ‘ସ୍ୱପ୍ନ ବାସବଦତ୍ତମ୍’ ଓ ‘ଚାରୁ ଦତ୍ତ’ର ଉଦ୍ଧୃତି ପ୍ରଦାନ କରିଛନ୍ତି । ଦଶମ ଶତାବ୍ଦୀର ଅଭିନବ ଗୁପ୍ତ ତାଙ୍କ ଗ୍ରନ୍ଥ ଧ୍ୱନ୍ୟାଲୋକ ଲୋଚନରେ ସ୍ୱପ୍ନବାସବଦତ୍ତା ଏବଂ ଚାରୁଦତ୍ତ ନାଟକର ନାମୋଲ୍ଲେଖ କରିଛନ୍ତି । ଏପରି ବହୁ ଲେଖକଙ୍କ କୃତିରେ ଭାସ ପ୍ରଶଂସିତ ହୋଇଥିଲେ ମଧ୍ୟ ଏବଂ ତାଙ୍କର ଅନ୍ୟ କେତେଗୁଡ଼ିଏ ଶ୍ଲୋକ * ବ୍ରଜ୍ୟା ଗ୍ରନ୍ଥରେ ଉଦ୍ଧୃତ ହୋଇଥିଲେ ମଧ୍ୟ ବିଂଶ ଶତାବ୍ଦୀର ପ୍ରଥମ ଦଶକ ପର୍ଯ୍ୟନ୍ତ ତାଙ୍କର କୌଣସି ଗ୍ରନ୍ଥ ଆବିଷ୍କୃତ ହୋଇ ନ ଥିଲା । ଖ୍ରୀ: ୧୯୦୨ରେ କେରଳ ରାଜ୍ୟର ପଣ୍ଡିତ ଗଣପତି ଶାସ୍ତ୍ରୀ ଗ୍ରନ୍ଥଲିପିରେ ଲେଖା ଥିବା ସ୍ୱପ୍ନବାସବଦତ୍ତମ୍ ସମେତ ଅନେକ ନାଟକ ତାଳପତ୍ର ପୋଥିରୁ ଆବିଷ୍କାର କରି କ୍ରମଶଃ ପ୍ରକାଶ କଲେ । ଆବିଷ୍କୃତ ଭାସ ନାଟକ ଚକ୍ରରେ ନିମ୍ନଲିଖିତ ୧୩ଟି ନାଟ୍ୟଗ୍ରନ୍ଥ ଅନ୍ତର୍ଗତ ।

 

(୧)

ମହାଭାରତ ଉପରେ ଆଧାରିତ–ଊରୁଭଙ୍ଗ, (ସଂସ୍କୃତର ଏକମାତ୍ର ଦୁଃଖାନ୍ତ ନାଟକ), କର୍ଣ୍ଣଭାର, ଦୂତ ବାକ୍ୟ, ଦୂତ ଘଟୋତ୍କଚ, ପଞ୍ଚରାତ୍ର, ବାଳଚରିତ, ମଧ୍ୟମବ୍ୟାୟୋଗ ।

(୨)

ରାମାୟଣ ଉପରେ ଆଧାରିତ–ଅଭିଷେକ ନାଟକ, ପ୍ରତିମା ନାଟକ

(୩)

କଳ୍ପନାମୂଳକ–ଅବିମାରକ, ଚାରୁଦତ୍ତ

(୪)

ଉଦୟନ କଥା ଉପରେ ଆଧାରିତ–ପ୍ରତିଜ୍ଞା ଯୌଗନ୍ଧରାୟଣ, ସ୍ୱପ୍ନବାସବଦତ୍ତମ୍ (୧)

 

ଆବିଷ୍କୃତ ନାଟକରେ ନାଟ୍ୟକାର ଭାସଙ୍କ ନାମୋଲ୍ଲେଖ ହୋଇ ନ ଥିଲେ ମଧ୍ୟ ଆବିଷ୍କାରକଙ୍କ ସମେତ ବିଦ୍ୱାନଗଣ ଏଗୁଡ଼ିକୁ ଭାସଙ୍କ ରଚନା ବୋଲି ଗ୍ରହଣ କରିଛନ୍ତି ।

 

ସୁଭାଷିତାବଳୀ, ଶାର୍ଙ୍ଗଧର ପାଦ୍ଧତି, ସଦୁକ୍ତି କର୍ଣ୍ଣାମୃତ ଏବଂ ସୂକ୍ତିମୁକ୍ତାବଳୀ ଆଦି ବ୍ରଜ୍ୟା ଗ୍ରନ୍ଥରେ ଭାସଙ୍କର କେତେକ ସୁଭାଷିତ ମିଳେ । ଯଥା–ସୁଭାଷିତାବଳୀରେ ଆଦର୍ଶ ପତ୍ନୀର ଚିତ୍ରଣ–

 

‘‘ଦୁଃଖାର୍ତ୍ତେ ମୟି ଦୁଖିତା ଭବିତି ଯା ହୃଷ୍ଟେ ପ୍ରହୃଷ୍ଟା ତଥା

ଦୀନେ ଦେନ୍ୟମୁପୈତି ରୋଷପରୁଷେ ପଥ୍ୟଂ ବଚେ ଭାଷତେ ।

କାଳଂ ବେତ୍ତି, କଥାଃ କରୋତି ନିପୂଣା ମତ୍‌ସଂସ୍ତବେ ରଜ୍ୟତି

ଭାର୍ଯ୍ୟା ମନ୍ତ୍ରୀବରଃ ସଖା ପରିଜନଃ ସୈକା ବହୁତ୍ୱଂ ଗତା ।।୨

(୧୯୩୮ ସଂ. ପୃ.୧୮୨)

 

ସୂକ୍ତିମୁକ୍ତାବଳୀରେ ‘‘ତଦପି ସକଳଂଚାରୁ ସ୍ତ୍ରୀଣାଂ ମୁଖେଷୁ ବିଭାବ୍ୟତେ ।’’ ସେହି ସମସ୍ତ ସୌନ୍ଦର୍ଯ୍ୟ ସ୍ତ୍ରୀମାନଙ୍କ ମୁଖରେ ବିଭାବିତ ହୁଏ ।

 

‘‘ଗୃହିଣୀ ସଚିବଃ ସଖୀ ମିଥଃ ପ୍ରିୟ-ଶିଷ୍ୟାଃ ଲଳିତେ କଳାବିଧୌ

କରୁଣା ବିମୁଖେନ ମୃତ୍ୟୁନା ହରତାତ୍ୱାଂ ବଦକିମ୍ ନମେ ହୃତମ୍’’ (୬.୭)

 

ଭାସଙ୍କ ନାଟକରେ ମଧ୍ୟ ବହୁ ସୁଭାଷିତ ମିଳେ । ଯଥା–

 

‘‘ଭୀଷ୍ମ ଦ୍ରୋଣତଟାଂ ଜୟଦ୍ରଥଜଳାଂ ଗାନ୍ଧାରରାଜୋପଳାଂ

କର୍ଣ୍ଣ ଦ୍ରୌଣି କୃପୋର୍ମିନକ୍ରମାକରାଂ ଦୁର୍ଯ୍ୟାଧନ ସ୍ରୋତସମ ।

ତୀର୍ଣ୍ଣଃ ଶତ୍ରୁନଦୀଂ ଶଗ୍‌ସିସିକତାଂ ଯେନ ପ୍ଳବେନାର୍ଜ୍ଜୁନଃ

ଶତ୍ରୂଣାଂ ତରଣେଷୁ ବଃ ସ ଭଗବାନସ୍ତୁ ପ୍ଳବଃ କେଶବଃ ।।’’ ୩

(ଊରୁଭଙ୍ଗ)

(୧)

ତୁଳନୀୟ–ପ୍ରାପ୍ୟାବନ୍ତୀନ୍ ଉଦୟନ କଥା କୋବିଦ ଗ୍ରାମ ବୃଦ୍ଧାନ...ଖଣ୍ଡମେକମ୍–ମେଘଦୂତମ୍–୩୦ଶ ଶ୍ଲୋକ

(୨)

ତୁଳନୀୟ–କାଳିଦାସଙ୍କ ରଘୁବଂଶରେ ଇନ୍ଦୁମତୀଙ୍କ ଆକସ୍ମିକ ମୃତ୍ୟୁର ଅଜଙ୍କ ବିଳାପ–

(୩)

ତୁଳନୀୟ ଗୀତାମାହାତ୍ମ୍ୟ-

 

ଭୀଷ୍ମ ଦ୍ରୋଣତଟା ଜୟଦ୍ରଥଜଳା ଗାନ୍ଧାରନୀଳୋତ୍ପଳା

ଶଲ୍ୟ ଗ୍ରାହବତୀ କୃପେଣ ବହନୀ କର୍ଣ୍ଣେନ ବେଳାକୁଳା ।

ଅଶ୍ୱତ୍‌ଥାମବିକର୍ଣ୍ଣଘୋର ମକରା ଦୁର୍ଯ୍ୟାଧନା ବର୍ତ୍ତିନୀ

ସୋତ୍ତୀର୍ଣ୍ଣା ଖଳୁ ପାଣ୍ଡେବୈ ରଣନଦୀ କୈବର୍ତ୍ତକ କେଶବଃ ।।

 

ଭାସଙ୍କ ଲେଖାରେ ବହୁ ସୁନ୍ଦର ନୀତି ବାକ୍ୟ ମିଳେ । ଯଥା–

 

ଅଦତ୍ତେତ୍ୟାଗତା ଲଜ୍ଜା ଦତ୍ତେତି ବ୍ୟଥିତଂ ମନଃ

ଧର୍ମ ସ୍ନେହାନ୍ତରେ ନ୍ୟସ୍ତା ଦୁଃଖିତାଃ ଖଳୁ ମାତରଃ ।।

(ପ୍ରତିଜ୍ଞା ଯୌଗନ୍ଧରାୟଣ ୨.୭)

 

ଉପଯୁକ୍ତ ସମୟରେ କନ୍ୟାଦାନ ନ କଲେ ଜନନୀ ଲଜ୍ଜାର ଶରବ୍ୟ ହୁଅନ୍ତି ଏବଂ କନ୍ୟାଦାନ ପରେ ବିୟୋଗଜନିତ ଦୁଃଖ ଅନୁଭବ କରନ୍ତି । ଏଣୁ ଧର୍ମ ଏବଂ ସ୍ନେହର ବଶବର୍ତ୍ତୀ ହୋଇ ମାତା ଦୁଃଖର ଆଧାର ହୁଅନ୍ତି ।

 

ଶିକ୍ଷା କ୍ଷୟଂ ଗଚ୍ଛତି କାଳପର୍ଯ୍ୟୟାତ୍

ସୁବଦ୍ଧମୂଳା ନିପତନ୍ତି ପାଦପାଃ

ଜଳଂ ଜଳସ୍ଥାନଗତଂ ଚ ଶୁଷ୍ୟତି

ହୁତଂ ଚ ଦତ୍ତଂଚ ତଥୈବ ତିଷ୍ଠିତି ।

(ଅଭିଷେକ ୬. ୨୧)

 

ଅର୍ଥାତ୍ ଶିକ୍ଷା କାଳକ୍ରମେ କ୍ଷୟପ୍ରାପ୍ତ ହୁଏ । ଦୃଢ଼ମୂଳ ବୃକ୍ଷ ଭୂମିସାତ୍ ହୁଅନ୍ତି । ଜଳାଶୟଗତ ଜଳ ଶୁଷ୍କ ହୁଏ । କିନ୍ତୁ ଯଜ୍ଞ ଏବଂ ଦାନ ସେହିପରି ରହେ ।

 

କାଷ୍ଠାଦ୍ ଅଗ୍ନି ର୍ଜାୟତେ ମଥ୍ୟମାନାଦ୍

ଭୂମିଶ୍ଚତୋୟଂ ଖନ୍ୟମାନା ଦଦାତି

ସୋତ୍‌ସାହାନାଂ ନାସ୍ତ୍ୟୁ ସାଧ୍ୟ ନରାଣାମ୍

ମାର୍ଗାରବ୍‌ଧାଃ ସର୍ବଯତ୍ନାଃ ଫଳନ୍ତି ।

(ପ୍ରତିଜ୍ଞା ଯୌଗନ୍ଧାରାୟଣ ୧.୧୮)

 

ଅର୍ଥାତ୍ ଦୁଇଖଣ୍ଡ କାଷ୍ଠ ମଥିତ ହେଲେ ଅଗ୍ନି ଜାତ ହୁଏ । ଭୂମିକୁ ଖୋଳିଲେ ଜଳଦାନକରେ । ଉତ୍ସାହୀ ଲୋକମାନଙ୍କର କିଛି ଅସାଧ୍ୟ ନାହିଁ । ଠିକ୍ ମାର୍ଗରେ ଯତ୍ନ କଲେ ଫଳ ଲାଭ ହୁଏ ।

 

ବିଜ୍ଞାନ ଦେବ୍ୟାଃ ଶୌଚଂ ଶ୍ରୁତ୍ୱାଚାର୍ଯ୍ୟସ୍ୟ ଶାସନଂ

ଧର୍ମ ସ୍ନେହାନ୍ତ୍ୟରେ ନ୍ୟସ୍ତା ବୁଦ୍ଧିର୍ଦୋଳାୟତେ ମମ ।

(ଅଭିଷେକ ୬. ୨୧)

 

ରାମଚନ୍ଦ୍ର ଯେତେବେଳେ ଲକ୍ଷ୍ମଣଙ୍କୁ ସୀତାଙ୍କ ଅଗ୍ନି ପରୀକ୍ଷା ପାଇଁ ବ୍ୟବସ୍ଥା ଲାଗି ଆଦେଶ ଦେଲେ ସେତେବେଳେ ଲକ୍ଷ୍ମଣ କହିଛନ୍ତି–ସୀତାଙ୍କର ପବିତ୍ରତା ଜାଣି ଏବଂ ଅଗ୍ରଜଙ୍କ ଆଦେଶ ଶୁଣି ମୋର ବୁଦ୍ଧି, ଧର୍ମ ଏବଂ ସ୍ନେହ ମଧ୍ୟରେ ଦୋଳାୟମାନ ହେଉଛି ।

 

ଭାସଙ୍କର ଅନେକ ନାଟକରେ ନିମ୍ନଲିଖିତ ସୂକ୍ତିଟି ଦେଖିବାକୁ ମିଳେ–

‘‘ଅଥବା ସର୍ବମଳଙ୍କାରୋ ଭବତି ସୁରୁପାଣାମ୍’’ ୩

ଅର୍ଥାତ୍ ସ୍ୱଭାବତଃ ସୁନ୍ଦର/ସୁନ୍ଦରୀମାନଙ୍କର ସବୁ କିଛି ଅଳଙ୍କାରର କାର୍ଯ୍ୟକରେ ।

 

(୩)

ତୁଳନୀୟ-

କିମିବ ହି ମଧୁରାଣାଂ ମଣ୍ଡନଂ ନାକୃତୀନାମ୍ ( ଶକୁନ୍ତଳା ୧.୧୮ )

 

ଭାସଙ୍କ ସମୟ-

ଭାସଙ୍କ ସମୟ ନିର୍ଦ୍ଦିଷ୍ଟ କରିବା କଠିନ । ବିଭିନ୍ନ ପଣ୍ଡିତ ଭିନ୍ନ ଭିନ୍ନ କାଳ ନିରୂପଣ କରିଛନ୍ତି । କାଳିଦାସ ତାଙ୍କ ପ୍ରଥମ ନାଟକରେ ଭାସଙ୍କର ନାମ ଲେଖି ପ୍ରଶଂସା କରିଥିବାରୁ ସେ ନିଶ୍ଚିତ ଭାବେ କାଳିଦାସଙ୍କ ପୂର୍ବବର୍ତ୍ତୀ । କାଳିଦାସଙ୍କ ସମୟ ସମ୍ୱନ୍ଧରେ ପ୍ରଧାନତଃ ଦୁଇଟି ମତ ପ୍ରକାଶ ପାଇଛି । କେହି କେହି ତାଙ୍କୁ ଖ୍ରୀ: ପୂ: ଦ୍ୱିତୀୟ ଶତକ (ଶୂଙ୍ଗବଂଶୀୟ ପୁଷ୍ୟମିତ୍ରଙ୍କ ସମୟ)ର ବୋଲି ଗ୍ରହଣ କରିଥାଆନ୍ତି । କିନ୍ତୁ ଅଧିକାଂଶ ବିଦ୍ୱାନ ତାଙ୍କୁ ପ୍ରାୟ ଖ୍ରୀଷ୍ଟୀୟ ଚତୁର୍ଥ ଶତକର ବୋଲି ଗ୍ରହଣ କରନ୍ତି । ତେଣୁ ଭାସ ଖ୍ରୀ. ପୂ. ଚତୁର୍ଥ ଶତକର ପୂର୍ବବର୍ତ୍ତୀ । ପ୍ରତିଜ୍ଞା ଯୌଗନ୍ଧରାୟଣ ଏବଂ ସ୍ୱପ୍ନବାସବଦତ୍ତମ୍ ନାଟକରେ ଉଲ୍ଲିଖିତ ବତ୍ସରାଜ ଉଦୟନ, ଅବନ୍ତୀରାଜ ପ୍ରଦ୍ୟୋତ (ମହାସେନ) ଏବଂ ମଗଧରାଜ ଦର୍ଶକ । ଏମାନଙ୍କର ସମୟ ପ୍ରାୟ ଖ୍ରୀ. ପୂ. ପଞ୍ଚମ ଶତାବ୍ଦୀ । ତେଣୁ ଭାସଙ୍କ ସମୟ ଖ୍ରୀ. ପୂ. ପଞ୍ଚମ ଶତାବ୍ଦୀଠାରୁ ଆରମ୍ଭ କରି ଖ୍ରୀ. ଅ. ତୃତୀୟ ଶତାବ୍ଦୀ ମଧ୍ୟରେ ।

 

ପ୍ରତିଜ୍ଞା ଯୌଗନ୍ଧରାୟଣରେ ଏହି ଶ୍ଲୋକଟି ମିଳେ -

ନବଂ ଶରାବଂ ସଲିଳୈଃ ସୁପୂର୍ଣ୍ଣଂ ସୁସଂସ୍କୃତଂ ଦର୍ଭତୋତ୍ତବୀୟମ୍

ତତ୍ତସ୍ୟ ମା ଭୁନ୍ନରକଂ ଚ ଗଚ୍ଛେଦ୍ ଯୋ ଭର୍ତ୍ତୃପିଣ୍ଡସ୍ୟ କୃତେ ନ ଯୁଧ୍ୟେତ୍

 

ଏହି ଶ୍ଲୋକଟି ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ ମଧ୍ୟ ଦେଖିବାକୁ ମିଳେ । ଚାଣକ୍ୟ ମୌର୍ଯ୍ୟବଂଶର ସ୍ଥାପୟିତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ (ସମୟ ଖ୍ରୀ. ପୂ. ୩୨୧ରୁ ୨୯୭)ଙ୍କ ଗୁରୁ । ଚାଣକ୍ୟ ଏହି ଶ୍ଲୋକଟି ଭାସଙ୍କ ବୃତିରୁ ଉଦ୍ଧୃତ କରିଥିବାର ମନେକରି ପଣ୍ଡିତ ଗଣପତି ଶାସ୍ତ୍ରୀ ଭାସଙ୍କ ସମୟକୁ ଖ୍ରୀ. ପୂ. ଚତୁର୍ଥ ଶତାବ୍ଦୀ)ଙ୍କ ଅଷ୍ଟାଧ୍ୟାୟୀର ବର୍ଣ୍ଣିତ ଭାଷା ବିଧାନ ସର୍ବତ୍ର ରକ୍ଷିତ ହୋଇ ନାହିଁ । ଅର୍ଥାତ୍ ଭାସଙ୍କ ନାଟକର ଭାଷାରେ ବହୁ ଅପାଣିନୀୟ ପ୍ରୟୋଗ ମିଳେ । ଭାସଙ୍କ ଭାଷା ସରଳ ଏବଂ ରାମାୟଣର ଭାଷାର ନିକଟବର୍ତ୍ତୀ । ପ୍ରାୟ ଭରତ ମୁନି (ସମୟ ଖ୍ରୀ. ପୂ. ଦ୍ୱିତୀୟ ଶତକ)ଙ୍କ ନାଟ୍ୟଶାସ୍ତ୍ରରେ କେତେକ ପାରିବାଷିକ ଶବ୍ଦାବଳୀ ଏବଂ ନାଟ୍ୟଲକ୍ଷଣ ସେ (ଭାସ) ଅନୁସରଣ କରି ନଥିବାରୁ ସେ ଭରତ ମୁନିଙ୍କ ପୂର୍ବବର୍ତ୍ତୀ ବୋଲି ଅନୁମେୟ ।

 

ପ୍ରଫେସର୍ କୀଥଙ୍କ ମତରେ ଭାସଙ୍କ ସମୟ ସମ୍ପର୍କରେ ମିଳୁଥିବା ତଥ୍ୟ ଉପରେ ନିର୍ଭର କରି କୌଣସି ନିର୍ଦ୍ଦିଷ୍ଟ ସମୟ ଦିଆଯାଇ ନପାରେ । କନିଷ୍କ (ସମୟ ଖ୍ରୀ. ଅ. ପ୍ରଥମ ଶତକ)ଙ୍କ ସମସାୟିକ ଅଶ୍ୱଘୋଷଙ୍କ ତୁର୍ଫାନିରୁ ଆବିଷ୍କୃତ ଖଣ୍ଡିତ ‘ସାରିପୁତ୍ର ପ୍ରକରଣ’ର ପ୍ରାକୃତ ଭାସଙ୍କ ନାଟକର ପ୍ରାକୃତ ଅପେକ୍ଷା ପ୍ରାଚୀନ ହୋଇଥିବା ମତକୁ ଗ୍ରହଣ କରି ଭାସଙ୍କ ପ୍ରାୟ ଖ୍ରୀ. ଅ. ତୃତୀୟ ଶତକ ହୋଇପାରେ ବୋଲି ମତ ଦେଇଛନ୍ତି ।

 

ଭାସଙ୍କ ନାଟକଚକ୍ରରେ କାଳ୍ପନିକ ଏବଂ ଉଦୟନ କଥା ଉପରେ ଆଧାରିତ ନାଟକ :–

ଅବିମାରକ– ଏଥିରେ ଛ’ଟି ଅଙ୍କ । ରାଜା କୁନ୍ତିଭୋଜଙ୍କ କନ୍ୟା କୁରଙ୍ଗୀଙ୍କ ସହିତ ତରୁଣ ଅବିମାରକଙ୍କ ପ୍ରଣୟ ବର୍ଣ୍ଣିତ । ଅବିମାରକ ସୌବିର ରାଜାଙ୍କ ପୁତ୍ର ହେଲେହେଁ ଅଭିଶାପବଶତଃ ନୀଚକୁଳରେ ବାସ କରୁଥିବା ସମୟରେ କୁରଙ୍ଗୀକୁ ହସ୍ତୀର ଆକ୍ରମଣରୁ ରକ୍ଷା କରନ୍ତି । ରାଜକନ୍ୟା କୁରଙ୍ଗୀକୁ ବିବାହ କରିବା ସକାଶେ ସେ ସଂକୋଚ କରୁଥିଲେ ମଧ୍ୟ କୁରଙ୍ଗୀଙ୍କ ସଖୀମାନେ ତାଙ୍କ ସହିତ ମିଳନର ବ୍ୟବସ୍ଥା କରନ୍ତି । ଅବିମାରକ ଚୌର ବେଶରେ କୁରଙ୍ଗୀଙ୍କ ସହିତ ମିଳିତ ହୁଅନ୍ତି । କିନ୍ତୁ ଏ ଘଟଣା ପ୍ରଘଟ ହୋଇଯାଏ । ନୈରାଶ୍ୟରେ ସେ ଅଦୃଶ୍ୟ ହୋଇ ରାଜନବରରେ ପ୍ରବେଶ କରି ଆତ୍ମହତ୍ୟା ପାଇଁ ଉଦ୍ୟୋକ୍ତା କୁରଙ୍ଗୀକୁ ସେଥିରୁ ନିବୃତ୍ତ କରିଛନ୍ତି । ନାରଦଙ୍କଠାରୁ ଅବିମାରକଙ୍କ ଜନ୍ମ ବୃତ୍ତାନ୍ତ ଜାଣିବା ପରେ ରାଜା କନ୍ୟା କୁରଙ୍ଗୀକୁ ଅବିମାରକ ସହ ବିବାହ କରାଇଛନ୍ତି ।

 

ଚାରୁଦତ୍ତ– ଏହି ନାଟକଟି ଚାରିଅଙ୍କ ବିଶିଷ୍ଟ । ଏଥିରେ ଚାରୁଦତ୍ତ ଓ ବସନ୍ତସେନାଙ୍କ ପ୍ରଣୟ ବର୍ଣ୍ଣିତ । ଏହାର ପ୍ରାରମ୍ଭ ଏବଂ ଉପସଂହାର ନାହିଁ । ଏହାର ନାୟକ ଉଜ୍ଜୟିନୀର ଚାରୁଦତ୍ତ ଧନୀ ବିବାହିତ ବ୍ରାହ୍ମଣ ଯୁବକ, କିନ୍ତୁ ଦାନ ଫଳରେ ଗରିବ ହୋଇ ଥାଆନ୍ତି । ଅପ୍ରତ୍ୟାଶିତ ଭାବେ ନାଟକର ପ୍ରତିନାୟକ ସଂସ୍ଥାନକ ରାଜଶାଳକଙ୍କଦ୍ୱାରା ଅନୁସୃତ ହୋଇ ଗଣିକା ବସନ୍ତସେନା ଚାରୁଦତ୍ତଙ୍କ ଘରେ ଆଶ୍ରୟ ଲୋଡ଼ନ୍ତି ଏବଂ ବହୁମୂଲ୍ୟ ଅଳଙ୍କାର ନାୟକଙ୍କ ଜିମା ଦେଇ ଗୃହାଭିମୁଖୀ ହୁଅନ୍ତି । ଅଳଙ୍କର ଅପହୃତ ହୋଇ ବସନ୍ତସେନାଙ୍କ ନିକଟରେ ଜଣେ ଚୋରଦ୍ୱାରା ପହଞ୍ଚେ । କିନ୍ତୁ ଚାରୁଦତ୍ତ ଅଳଙ୍କାରର ପ୍ରତିବଦଳରେ ସ୍ତ୍ରୀଙ୍କ ମୁକ୍ତାମାଳାକୁ ବସନ୍ତ ସେନାଙ୍କ ନିକଟକୁ ପଠାଇ ଦିଅନ୍ତି । ବସନ୍ତସେନା ତାହା ଗ୍ରହଣ କରି ଚାରୁଦତ୍ତଙ୍କ ଘରକୁ ଫେରାଇ ତାହା ଦବାକୁ ଆସନ୍ତି । ଏହି ନାଟକର ପ୍ରଭାବ ଆଠଅଙ୍କବିଶିଷ୍ଟ ଶୂଦ୍ରକଙ୍କ ମୃଚ୍ଛକଟିକରେ ସୁଷ୍ପଷ୍ଟ । ମୃଚ୍ଛକଟିକ ଚାରୁଦତ୍ତର ବର୍ଦ୍ଧିତ ସଂସ୍କରଣ ଭଳି ଜଣାପଡ଼େ ।

 

ପ୍ରତିଜ୍ଞା ଯୌଗନ୍ଧରାୟଣ– ଗୁଣାଢ଼୍ୟଙ୍କ ବୃହତ୍ କଥାର (୪) ଉଦୟନ କଥା ଅବଲମ୍ବନରେ ଏହି ନାଟକ ଭାସଙ୍କର ଅନ୍ୟ ଏକ କୃତି । ବତ୍ସରାଜ ଉଦୟନ ଜଣେ ବିଶିଷ୍ଟ ବୀଣାବାଦକ । ବୀଣାର ଝଙ୍କାରରେ ହାତୀକୁ ମଧ୍ୟ ସେ ବଶ କରିପାରନ୍ତି । ଏହି ଦୁର୍ବଳତାର ସୁଯୋଗ ନେଇ ମାଳବର ରାଜା ପ୍ରଦ୍ୟୋତ ତାଙ୍କୁ ଏକ କୃତ୍ରିମ ହାତୀଦ୍ୱାରା ଅପହରଣ କରି ବନ୍ଦୀ କରନ୍ତି । ସେତେବେଳେ ମାଳବର ରାଜଧାନୀ ଥିଲା ସିପ୍ରା ତଟବର୍ତ୍ତୀ ଉଜ୍ଜୟିନୀ । ଉଜ୍ଜୟିନୀର ବନ୍ଦୀଶାଳାରେ ଉଦୟନ ମାଳବ ରାଜକନ୍ୟା ବାସବତ୍ତାଙ୍କୁ ବୀଣାବାଦନ ଶିକ୍ଷା ଦିଅନ୍ତି । ପରେ ପରସ୍ପରଙ୍କ ମଧ୍ୟରେ ପ୍ରଣୟ ହୋଇଛି । ଏଣେ ବତ୍ସରାଜ୍ୟରେ ମନ୍ତ୍ରୀ ଯୌଗନ୍ଧରାୟଣ ରାଜାଙ୍କୁ ବନ୍ଦୀଶାଳାରୁ ମୁକ୍ତ କରିବା ପାଇଁ ପ୍ରତିଜ୍ଞା କରି କେତେକ ସହକର୍ମୀଙ୍କ ସହିତ ପାଗଳ ବେଶରେ ମାଳବ ରାଜନବରରେ ପ୍ରବେଶ କରନ୍ତି । ତାଙ୍କର ସୂକ୍ଷ୍ମ ପ୍ରଚେଷ୍ଟା ଫଳରେ ରାଜା ଉଦୟନ ବାସଦତ୍ତାଙ୍କୁ ସାଙ୍ଗରେ ନେଇ ନିଜ ରାଜ୍ୟକୁ ଫେରି ଆସନ୍ତି (୫) । ଏବଂ ମାଳବ ରାଜାଙ୍କଦ୍ୱାରା ଯୌଗନ୍ଧରାୟଣ ଧୃତ ହୁଅନ୍ତି । ଶେଷରେ ଉଦୟନ ଏବଂ ବାସଦତ୍ତାଙ୍କ ପ୍ରତିକୃତି ବିବାହ ଉଜ୍ଜୟିନୀରେ ହୋଇଛି ଏବଂ ଯୌଗନ୍ଧରାୟଣ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

 

(୪)

ଗୁଣାଢ଼୍ୟଙ୍କ ବୃହତକଥା ପୈଶାଚୀ ଭାଷାରେ ଲିଖିତ ଏହା ବର୍ତ୍ତମାନ ମିଳୁ ନାହିଁ କିନ୍ତୁ ଏହାର ତିନୋଟି ସଂକ୍ଷିପ୍ତ ସଂସ୍କୃତ ସଂସ୍କରଣ ରହିଛି ଯଥା–ବୁଦ୍ଧ ସ୍ୱାମୀଙ୍କ ଶ୍ଲୋକ ସଂଗ୍ରହ (ଅଷ୍ଟମଶତାବ୍ଦୀ ?) କ୍ଷେମେନ୍ଦ୍ରଙ୍କ ବୃହତ୍ କଥା ମଞ୍ଜରୀ (ଖ୍ରୀ. ୧୦୬୩) ଏବଂ ସୋମଦେବଙ୍କ କଥା ସରିତ ସାଗର (ଖ୍ରୀ. ୧୦୮୨)

 

(୫)

ବାସବଦତ୍ତାଙ୍କୁ ସାଙ୍ଗରେ ନେଇ ଉଦୟନଙ୍କ ପଳାୟନ କାଳିଦାସଙ୍କ ମେଘଦୂତ କାବ୍ୟରେ ମଧ୍ୟ ସ୍ଥାନ ପାଇଛି ଯଥା :- ‘‘ପ୍ରାପ୍ୟାବନ୍ତୀନ୍ ଉଦୟନକଥା କୋବିଦ ଗ୍ରାମବୃଦ୍ଧାନ୍’’ ଇତ୍ୟାଦି ।

 

ସ୍ୱପ୍ନବାସବଦତ୍ତମ୍– ଏହି ନାଟକଟି ଛ’ଅଙ୍କ ବିଶିଷ୍ଟ । ଏହା ପୂର୍ବୋକ୍ତ ପ୍ରତିଜ୍ଞା ଯୌଗନ୍ଧରାୟଣ ନାଟକର ପରବର୍ତ୍ତୀ କଥାବସ୍ତୁ ଉପରେ ଆଧାରିତ । ଉଦୟନ ତାଙ୍କ ରାଜଧାନୀ ଯମୁନାକୂଳର କୌଶାତ୍ମୀରେ ବାସନଦତ୍ତାଙ୍କ ପ୍ରତି ଅତ୍ୟଧିକ ଅନୁରାଗ ପ୍ରକାଶ କରି ରାଜକାର୍ଯ୍ୟରେ ଉପଯୁକ୍ତ ଦୃଷ୍ଟି ଦେଇପାରିଲେ ନାହିଁ । ଏହା ଫଳରେ ଆରୁଣି ପ୍ରମୁଖ ବାହ୍ୟ ଶତ୍ରୁମାନେ ରାଜ୍ୟର ଅଧିକାଂଶ ଅଞ୍ଚଳ ଅଧିକାର କଲେ । ଏହି ଦୁଃସମୟରେ ଯୌଗନ୍ଧରାୟଣ ମଗଧ ରାଜ୍ୟର ସାହାଯ୍ୟ ପାଇଁ ଏକ ଯୋଜନା କଲେ । ଏହି ଯୋଜନା ବିଷୟରେ ରାଣୀ ବାସବଦତ୍ତା ଏବଂ ଅନ୍ୟ ମନ୍ତ୍ରୀମାନେ ଜାଣିଥିଲେ ମଧ୍ୟ ରାଜା ଉଦୟନଙ୍କୁ ଜଣାଇ ଦିଆଯାଇ ନ ଥିଲା ।

 

ଦିନେ ରାଜା ବାସବଦତ୍ତା ଏବଂ ଅନ୍ୟମାନଙ୍କୁ ସାଙ୍ଗରେ ନେଇ ମୃଗୟା ଉଦ୍ଦେଶ୍ୟରେ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ଯାଇଥିଲେ । ସେ ମୃଗୟାରେ ଲିପ୍ତ ଥିବା ସମୟରେ ତାଙ୍କ ଶିବିରରେ ଅଗ୍ନି ସଂଯୋଗ କରାଯାଇ ରାଣୀ ବାସବଦତ୍ତା ଏବଂ ମନ୍ତ୍ରୀ ଯୌଗନ୍ଧରାୟଣ ଦଗ୍‌ଧ ହେଲେ ବୋଲି ପ୍ରଚାର କରାଗଲା । ଏଣେ ମନ୍ତ୍ରୀ ରାଣୀଙ୍କୁ ସାଙ୍ଗରେ ନେଇ ମଗଧର ରାଜଧାନୀ ରାଜଗୃହ ଅଭିମୁଖେ ଅଗ୍ରସର ହେଲେ । ରାସ୍ତାରେ ମଗଧ ରାଜକନ୍ୟା ପଦ୍ମାବତୀଙ୍କ ସହ ତାଙ୍କର ଦେଖାହେଲା । ପଦ୍ମାବତୀ ତପୋବନରେ ଥିବା ତାଙ୍କ ମାତାଙ୍କୁ ଦର୍ଶନ କରି ରାଜଧାନୀକୁ ଫେରୁଥିଲେ । ମନ୍ତ୍ରୀ ଯୌଗନ୍ଧରାୟଣ ନିଜକୁ ଉଜ୍ଜୟିନୀୟ ବ୍ରାହ୍ମଣ ଏବଂ ବାସବଦତ୍ତାଙ୍କୁ ନିଜର ପ୍ରୋଷିତଭର୍ତ୍ତୃକା ଭଗିନୀ ବୋଲି ପରିଚୟ ଦେଲେ ଏବଂ କିଛି ସମୟ ପାଇଁ ନ୍ୟାସରୂପେ ଅର୍ପଣ କଲେ ।

 

ଉଦୟନ ବାସବଦତ୍ତାଙ୍କ ବିରହ ଦୁଃଖରେ କାଳାତିପାତ କରୁଥିବା ସମୟରେ କାର୍ଯ୍ୟ ପ୍ରସଙ୍ଗରେ ରାଜଗୃହରେ ଉପସ୍ଥିତ ହୁଅନ୍ତି । ମଗଧରାଜ ଦର୍ଶନ ନିଜ ଭଗିନୀ ପଦ୍ମାବତୀଙ୍କ ସହ ଉଦୟନଙ୍କ ବିବାହ ପ୍ରସ୍ତାବ ଦିଅନ୍ତି ଏବଂ ଉଦୟନ ତାହା ଗ୍ରହଣ କରନ୍ତି । ରାଜଗୃହରେ ବିବାହ ସଂପନ୍ନ ହୁଏ । ଘଟଣାଚକ୍ରରେ ବାସବଦତ୍ତା, ଶୟନ କରିଥିବା ରାଜା ଉଦୟନଙ୍କୁ ପଦ୍ମାବତୀ ଭାବି ତାଙ୍କ ନିକଟରେ ଉପସ୍ଥିତ ହୁଅନ୍ତି । ରାଜା ସ୍ୱପ୍ନରେ ବାସବଦତ୍ତାଙ୍କ ସହିତ ଆଳାପ କରନ୍ତି, ରାଜାଙ୍କ ନିଦ୍ରାଭଗ୍ନ ହୋଇଛି ଏବଂ ସଙ୍ଗେ ସଙ୍ଗେ ବାସବଦତ୍ତା ସେଠାରୁ ଦୂରେଇ ଯାଇଛନ୍ତି ।

 

ସେତେବେଳେ ରାଜା ବତ୍ସରାଜ୍ୟ ଏବଂ ମଗଧରାଜଙ୍କ ମିଳିତ ସେନାର ଜୟବାର୍ତ୍ତା ପାଇଛନ୍ତି । ଆରୁଣି ପ୍ରମୁଖ ଶତ୍ରୁଙ୍କ ପରାଜୟ ଫଳରେ ସମଗ୍ର ବତ୍ସରାଜ୍ୟ ଉଦୟନଙ୍କ କରଗତ ହୋଇଛି । ସେ ପଦ୍ମାବତୀଙ୍କ ସହ କୌଶାମ୍ବୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଜ୍ଜୟିନୀରୁ କଞ୍ଚୁକୀ ଏବଂ ବାସବଦତ୍ତାଙ୍କୁ ଧାଈ, ବାସବଦତ୍ତା ଏବଂ ଉଦୟନଙ୍କ ପ୍ରତିକୃତି ଆଣି ଉପହାର ଦିଅନ୍ତି । ପଦ୍ମାବତୀ ପ୍ରତିକୃତି ଦର୍ଶନରେ ବାସଦତ୍ତାଙ୍କୁ ଜାଣିପାରିଛନ୍ତି । ସମସ୍ତ ରହସ୍ୟ ଉଦ୍‌ଘାଟିତ ହୋଇଛି । ପଦ୍ମାବତୀ ବାସବଦତ୍ତାଙ୍କ ନିକଟରେ ଏବଂ ପ୍ରତ୍ୟାଗତ ଯୌଗନ୍ଧରାୟଣ ଉଦୟନଙ୍କ ନିକଟରେ କ୍ଷମାଭିକ୍ଷା କରିଛନ୍ତି ଏବଂ ଉଦୟନଙ୍କ ସହ ବାସବଦତ୍ତାଙ୍କ ପୁନର୍ମିଳନ ହୋଇଛି ।

 

ଭାସଙ୍କ ଆବିଷ୍କୃତ ସମସ୍ତ ନାଟକ ଗ୍ରନ୍ଥ ମଧ୍ୟରେ ସ୍ୱପ୍ନ ବାସବଦତ୍ତାମ୍ ଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛି । ଏହାର କଥାବସ୍ତୁ ବାସ୍ତବ ଐତିହାସିକ ଚରିତ୍ର ଉପରେ ପ୍ରଧାନତଃ ଆଧାରିତ-। ନାଟକଟି ସର୍ବଥା ମଞ୍ଚୋପଯୋଗୀ । ବାସବଦତ୍ତା ଏବଂ ପଦ୍ମାବତୀ ଉଭୟଙ୍କ ଚରିତ୍ର ରମଣୀୟ ହେଲେ ମଧ୍ୟ ବାସବଦତ୍ତାଙ୍କ ପାତିବ୍ରତ୍ୟ ଆଦର୍ଶ ସ୍ଥାନୀୟ ହୋଇଛି । ପ୍ରଧାନମନ୍ତ୍ରୀ ଯୌଗନ୍ଧରାୟଣଙ୍କ ପ୍ରଭୁଭକ୍ତି ଏବଂ ଦେଶଭକ୍ତି ଅତୁଲନୀୟ । ନାଟକର ଭାଷା ସରଳ ଏବଂ ବୋଧଗମ୍ୟ । ଏଥିରେ ଅନେକ ସୁଭାଷିତ ଏବଂ ଉଚ୍ଚ ଚିନ୍ତାଧାରାର ଉଦାହରଣ ମିଳେ ।

 

୬ । ଦ୍ରଷ୍ଟବ୍ୟ :

The Pradyotas were kings of Avanti (W. Malwa) and their capital was Ujjaini Pradyota (Pajjota) himself like Bimbisara and Ajatasatru (Ajatasattu), the 5th and 6th in the last of Sisunagas and like the Puru-Udayana (Udena) of Vatsa (Vamsa) and the Ikshaku Prasanajit (Pasenadi) was contemporary with the Buddha...

 

That the Pradyota of the Puranas and the Pradyota of Ujjaini were one and the same person does not admit of question. Udayan the king of Vatsa in the central figure in a large cycle of Sanskrit stories of love and adventure and in these Pradyota the king of Ujjaini the father of the peerless Vasavadatta plays no small part. In some of the stories he appears also as the father of Palako and the grand-father of Avantivardhan Ajatasatru. Darsaka and Udayan are later Sisunagas.

The Cambridge History of India Vol. I PP. 308, 310.

 

ସହାୟକ ଗ୍ରନ୍ଥ :

(୧)

The Sanskrit Drama–A. B Keith. Oxford University Press London 1970.

(୨)

The Cambridge History of India Vol. 1–Ed. E. J. Rapson. Cambridge, 1922.

(୩)

The Cultural Heritage of India Vol. V.–Ed. Suniti Kumar Chatterji, The Ramakrisna Mission Institute of Culture, Calcatta. 1978.

(୪)

The Oxford History of India-by V.A. Smith, CIE, 1958 (Darsaka of Swapnavasavadatta began to reign in 467 B.C. ?)

(୫)

ସଂସ୍କୃତ ସାହିତ୍ୟକା ଇତିହାସ, ପ୍ର ହଂସରାଜ ଅଗ୍ରଓ୍ୱାଲ, ଚୌଖମ୍ୱା ବିଦ୍ୟାଭବନ, ବାରାଣାସୀ, ୧୯୬୫

(୬)

ସ୍ୱପ୍ନବାସବଦତ୍ତମ୍ ସଂ-କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ବିଦ୍ୟାପୁରୀ କଟକ ୧୯୮୦

 

 

ପ୍ରଫେସରପଡ଼ା କଟକ-୩

ତା ୧୬୮୪

***

 

Unknown

ଓଡ଼ିଆ ଲୋକସମାଜ ଓ ସୂର୍ଯ୍ୟପୂଜା

ଶ୍ରୀ ନଗେନ୍ଦ୍ରନାଥ ମହାପାତ୍ର

 

ଆଦିମକାଳରୁ ମଣିଷ ସୂର୍ଯ୍ୟଙ୍କର ଆରାଧନା କରିଆସିଛି । ‘‘ସୂର୍ଯ୍ୟ ସକଳ ଶକ୍ତିର ଆଧାର’’– ଏ ବୈଜ୍ଞାନିକ ସତ୍ୟ ଆଜି ସଭ୍ୟ ମାନବ ମନରୁ ଉତ୍ପନ୍ନ ହୋଇନାହିଁ । ବେଦ, ଉପନିଷଦ, ଶାସ୍ତ୍ର ଓ ପୁରାଣମାନଙ୍କରେ ସୂର୍ଯ୍ୟଙ୍କର ପ୍ରଶସ୍ତିଗାନ କରାଯାଇଅଛି ।

 

ନବଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଧାନ । ବୈଦିକ ଯୁଗର ଆର୍ଯ୍ୟଋଷିଗଣ ସୌରଜଗତର କେନ୍ଦ୍ର ଓ ଶ୍ରେଷ୍ଠ ଗ୍ରହଙ୍କର ନାନା ସ୍ତବ ଓ ସ୍ତୋତ୍ର ମାଧ୍ୟମରେ ବନ୍ଦନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଲୋକମାନସରେ ଏହି ତେଜୋମୟ ‘ଜଗତ୍‌ପତି’ଙ୍କର ଭାବମୂର୍ତ୍ତି କିପରି, ତାହା ବର୍ତ୍ତମାନ ପ୍ରବନ୍ଧର ଆଲୋଚ୍ୟ ବିଷୟ ।

 

ଶବର, ଦ୍ରାବିଡ଼ ଓ ଆର୍ଯ୍ୟ ସମ୍ମିଶ୍ରଣ ପୁଷ୍ଟ ଓଡ଼ିଆ ଲୋକ-ସମାଜରେ ସୂର୍ଯ୍ୟଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଏକ ନିତ୍ୟ ନୈମିତ୍ତିକ କାର୍ଯ୍ୟ । ଦିବସର ପ୍ରଥମ ମୂହୁର୍ତ୍ତରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଓଡ଼ିଆ ସାମାଜିକ ଏହି ଶକ୍ତିମୟଙ୍କ ପ୍ରତି ଭକ୍ତିପୂତ ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିବାରେ ବ୍ୟସ୍ତରହେ-

 

ସୂର୍ଯ୍ୟଦୟ ପୂର୍ବରୁ ଘର ଚାରିପଟେ ଗୋବରପାଣି ପକାଇ ବାରଣ୍ଡାର ପୂର୍ବପ୍ରାନ୍ତରେ ଗୋବରପାଣିରେ ଗୋଲକାର କରି ଲିପିବା ଦିବସର ପ୍ରଥମ କାର୍ଯ୍ୟ । ମହାପ୍ରଭୁ (ସୂର୍ଯ୍ୟ) ସକାଳେ ଉଠି ଦୂଷିତ ପଦାର୍ଥ (ମଳ, ମୂତ୍ର, ଛେପ ଓ ଖଂକାର) ଉପରେ ଯେପରି ଦୃଷ୍ଟି ନିକ୍ଷେପ ନ କରନ୍ତି, ସେଥିପ୍ରତି ସତର୍କ ରହି ଗୋବରପାଣି ପକେଇ ପବିତ୍ର କରେଇବା ବିଧି । ଗୋମୟଦ୍ୱାରା ଗୋଲାକାର କରି ଲିପିବାର ଅର୍ଥ ମହାପ୍ରଭୁଙ୍କୁ ସସମ୍ମାନ ଆସନ ପ୍ରଦାନ ।

 

ସୂର୍ଯ୍ୟଦୟ ପୂର୍ବରୁ ଶଯ୍ୟାତ୍ୟାଗ କରିବା ବିଧେୟ । ଏ ପରିସ୍ଥିତିରେ ‘ମହାପ୍ରଭୁଙ୍କୁ ଅଧୁଆ ମୁହଁ’ ଦେଖେଇବା ବିଶେଷ ନିନ୍ଦନୀୟ । ମୂଳ ମହାଭାରତରେ ଏପରି ବିଧି ଉଲ୍ଲେଖ ଅଛି । (୧)

 

ସ୍ନାନ କାଳରେ ପାଣିତୋଳି ଅର୍ଘ୍ୟ ପ୍ରଦାନ ଏକ ଚିରାଚରିତ ପ୍ରଥା । କେହି କେହି ସଂସ୍କୃତ ସ୍ତୋତ୍ର ଜପି ଓ କେହି କେହି ମନର କାମନା ନିଜ ଭାଷାରେ ପ୍ରକାଶ କରି ଏହି କାର୍ଯ୍ୟ କରିଥା’ନ୍ତି କେତେକ ହସ୍ତମୁଦ୍ରାଦି ପ୍ରଦର୍ଶନ ପୂର୍ବକ ସୂର୍ଯ୍ୟଙ୍କୁ ଦର୍ଶନ କରିଥାନ୍ତି । ସୂର୍ଯ୍ୟଙ୍କ ନାମରେ ‘ପାଣି ପାଇବା’ (ପିଇବା) ପ୍ରଥା ପ୍ରଚଳିତ । ବ୍ୟାଧି ଆରୋଗ୍ୟ, ସନ୍ତାନାଦି କାମନା ଉଦ୍ଦେଶ୍ୟରେ ଏପରି କରାଯାଇଥାଏ । ସୂର୍ଯ୍ୟାଦୟ ଓ ସୂର୍ଯ୍ୟାସ୍ତ ସମୟରେ ଜୀବହତ୍ୟା କରିବା ମହାପାପ ଓ ନିନ୍ଦନୀୟ । ଅସ୍ତ ସମୟରେ ବାହାରେ ବସ୍ତ୍ର ଶୁଖାଇବା ଦୋଷବହ । କାରଣ, ମହାପ୍ରଭୁ ମା’କୋଳକୁ ଯିବା ପୂର୍ବରୁ ପାଲଟା ଲୁଗା ଦେଖିବା ଅସୁନ୍ଦର ଓ ଜଗତ୍‌ପ୍ରତି ଅମଙ୍ଗଳ । ଉଦୟ ଓ ଅସ୍ତ ସମୟରେ ପୂର୍ବ ଓ ପଶ୍ଚିମ ଦିଗକୁ ମୂତ୍ରତାଗ କରିବା ଅବିଧି । ଏହାଦ୍ୱାରା ସୂର୍ଯ୍ୟଙ୍କୁ ଅବମାନନା କରିବା ସଙ୍ଗେ ସଙ୍ଗେ ଲୋକେ ନିଜର ଅମଙ୍ଗଳର କାରଣ ହୋଇଥାନ୍ତି । ମହାଭାରତରେ ଏପରି ବର୍ଣ୍ଣିତ ଅଛି । (୨) ପୂର୍ବଦିଗକୁ ଗୋଡ଼ କରି ଶୋଇବା ଅନୁଚିତ । କାରଣ ସୂର୍ଯ୍ୟଦେବତା ସକାଳେ ପୂର୍ବଦିଗରୁ ଉଦୟ ହୁଅନ୍ତି ।

 

ସୂର୍ଯ୍ୟଙ୍କ ପରି ତେଜୀୟାନ ପୂତ୍ରପ୍ରାପ୍ତି ନିମନ୍ତେ ସୂର୍ଯ୍ୟାପାସନା ଅନୁଷ୍ଠିତ ହୋଇଥାଏ । ପୁତ୍ରଜାତ ହେଲେ ତା’ର ନାମକରଣ ସୂର୍ଯ୍ୟଙ୍କ ନାମାନୁସାରୀ ହୋଇଥାଏ । ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ ଅନେକେ (ପୁରୁଷ) ରବିବାରରେ ମାଛ, ମାଂସ ଆହାର କରନ୍ତି ନାହିଁ । ବିବାହ ଅନୁଷ୍ଠାନରେ ଚତୁର୍ଥୀ ଦିନ ‘ସୂର୍ଯ୍ୟାର୍ଘି’ ବା ହୋମଦ୍ୱାରା ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ବିଧି-। ନୂତନ ଜୀବନ ଆରମ୍ଭରେ ସୂର୍ଯ୍ୟ ଦେବତା ଶକ୍ତି ପ୍ରଦାନ କରିବା ଲାଗି ପ୍ରାର୍ଥନା କରାଯାଇଥାଏ । ବିଦ୍ୟାରମ୍ଭ ସମୟରେ ସୂର୍ଯ୍ୟଙ୍କୁ ଆଦର୍ଶ କରିବା ପାଇଁ ଗୁରୁ ଶିକ୍ଷ୍ୟଙ୍କୁ ଉପଦେଶ ଦିଅନ୍ତି । କେହି କେହି କ୍ରୁଦ୍ଧ ହୋଇ ସୂର୍ଯ୍ୟଙ୍କୁ ଚାହିଁ ଅଭିଶାପ ପ୍ରଦାନ କରିଥାନ୍ତି । ସୂର୍ଯ୍ୟ ଧର୍ମ ଦେବତା । ତେଣୁ, ଚୋରୀ ପ୍ରଭୃତି ଅନ୍ୟାୟ କର୍ମରେ ଦଣ୍ଡ ବିଧାନ ସହ ସୂର୍ଯ୍ୟଙ୍କୁ ସାକ୍ଷୀ ରୂପେ ଗ୍ରହଣ ପୂର୍ବକ ଏପରି କାର୍ଯ୍ୟର ପୁନରାବୃତ୍ତି ନ କରିବା ନିମନ୍ତେ ଶପଥ କରାଯାଇଥାଏ । ଭୂମି ହସ୍ତାନ୍ତର ସମୟରେ କବିରେ ‘ଯାବଚ୍ଚନ୍ଦ୍ରାର୍କେ’ ଭୋଗ ଦଖଲ କରିବା ବିଷୟ ଉଲ୍ଲେଖ କରାଯାଇଥାଏ । ଅଟଳ ନିୟମର ପାଳନ ଓ ସମଦର୍ଶିତା ସୂର୍ଯ୍ୟଙ୍କର ମହତ୍ ଚରିତ୍ରର ବୈଶିଷ୍ଟ୍ୟ ।

 

ରୋଗରୁ ଆରୋଗ୍ୟ ଲାଭ ନିମିତ୍ତ ସୂର୍ଯ୍ୟାରାଧନା କରାଯାଇଥାଏ । ପୁରାଣ ବର୍ଣ୍ଣିତ ଶାମ୍ବଙ୍କର କୁଷ୍ଠ ରୋଗରୁ ମୁକ୍ତିଲାଗି ଅର୍କକ୍ଷେତ୍ରରେ ସୂର୍ଯ୍ୟାପାସନା ସମଗ୍ର ଓଡ଼ିଆ ଲୋକସମାଜରେ ବେଶ୍ ପ୍ରସିନ୍ଧ ଓ ପ୍ରଭାବ ବିସ୍ତାର କରିଅଛି । ଗଜପତି ଲାଙ୍ଗୁଳା ନରସିଂହ ଦେବ ମାତୃ ଆଜ୍ଞା ପାଳନ ନିମିତ୍ତ ଚନ୍ଦ୍ରଭାଗାଠାରେ କୋଣାର୍କ ମନ୍ଦିର ନିର୍ମାଣ ଓ ସୂର୍ଯ୍ୟ ବିଗ୍ରହ ସ୍ଥାପନ ଉତ୍କଳରେ ସୂର୍ଯ୍ୟାପାସନାର ଚରମ ଉତ୍କର୍ଷ ପ୍ରତିପାଦନ କରେ । ମାଘସପ୍ତମୀ ଦିନ ଚନ୍ଦ୍ରଭାଗାର ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ଓ ଦର୍ଶନ କରିବା ବିଶେଷ ଧର୍ମରୂପେ ପରିଗଣିତ । ସମଗ୍ର ଉତ୍କଳରେ ସମ୍ୱର ଦଶମୀ ବା ଶାମ୍ବଦଶମୀ ପାଳନ ସହ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୁଏ । (୩) ଏହି ଦିନ ଘରେ ଘରେ ସୂର୍ଯ୍ୟ ପୁରାଣ ଓ ଶାମ୍ୱ ପୁରାଣ ପ୍ରଭୃତି ଧର୍ମଗ୍ରନ୍ଥମାନ ପଠିତ ହୁଏ । ସୂର୍ଯ୍ୟୋପାସନା ପ୍ରସିଦ୍ଧି ଲାଭର ଦୃଷ୍ଟାନ୍ତ ସମଗ୍ର ଓଡ଼ିଶାରେ ବିଦ୍ୟମାନ । କୌଣାର୍କ ବ୍ୟତୀତ ମୟୂରଭଞ୍ଜର ଖିଚିଂ ମନ୍ଦିର ବେଢ଼ାରେ ଅବସ୍ଥିତ ଯାଦୁଘରେ କେତୋଟି ସୂର୍ଯ୍ୟମୂର୍ତ୍ତି ସଂରକ୍ଷିତ । ବାଲେଶ୍ୱର ଜିଲ୍ଲା ସଦର ସବ୍‌ଡ଼ିଭିଜନ ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ବର୍ତ୍ତନା ଗ୍ରାମରେ ପୋଖରୀ ମଧ୍ୟରୁ ଏକ ସୂର୍ଯ୍ୟ ମୂର୍ତ୍ତି ମିଳିଅଛି । *ବାଲେଶ୍ୱର ଜିଲ୍ଲାର ଭୋଗରାଇ ଥାନାନ୍ତର୍ଗତ କୁମ୍ଭାରମୂଳ ଗ୍ରାମର ମହାଦେବ ମନ୍ଦିର ମଧ୍ୟରେ ଏକ ସୂର୍ଯ୍ୟମୂର୍ତ୍ତି ପୂଜିତ ହେଉଅଛି । ବର୍ତ୍ତନା ଗ୍ରାମର ପୋଖରୀ ମଧ୍ୟରୁ ମିଳିଥିବା ମୂର୍ତ୍ତିଟି ଦେଖିବାକୁ କୋଣାର୍କର ସୂର୍ଯ୍ୟପରି ଅତ୍ୟନ୍ତ ସୁନ୍ଦର ଓ ଜୀବନ୍ତ । ସାରଥୀ ଅରୁଣ ସୂର୍ଯ୍ୟଙ୍କ ପାଦ ଦେଶରେ ସପ୍ତାଶ୍ୱବିଶିଷ୍ଟ ରଥ ଚାଳନର ବ୍ୟସ୍ତ । ସୂର୍ଯ୍ୟଦେବଙ୍କ ମସ୍ତକରେ ଚୂଡ଼ା ବିଶିଷ୍ଟ ମୁକୁଟ, ହାସ୍ୟୋଜ୍ୱଳ ମୁଖମଣ୍ଡଳ, କର୍ଣ୍ଣରେ କୁଣ୍ଡଳ, କଣ୍ଠରେ ହାର ଓ ଅଳଙ୍କାର, ସ୍ଫୀତ ବକ୍ଷରେ ଉପବୀତ ଦକ୍ଷିଣ ସ୍କନ୍ଧରୁ କଟୀଦେଶରେ ସୌଖୀନ ପଟ୍ଟବତ୍ସ, ଗ୍ରନ୍ଥିଯୁକ୍ତ କାରୁକାର୍ଯ୍ୟମୟ କମରପଟୀ, ଆଣ୍ଠୁ ଉପରଭାଗ ଦେଇ ସିଂହାସନରୁ ଆସନର ଦୃଢ଼ତା ନିମନ୍ତେ ବେଢ଼ି, ପାଦରେ ପୂର୍ଣ ପାଦୁକା, ଚତୁର୍ଦ୍ଦିଗରେ କିରଣ ସ୍ଫୁଲିଙ୍ଗ, ସିଂହସନର ଉପର ଦୁଇ କୋଣରେ ଦୁଇଜଣ ପରୀ ଶୀର୍ଷ ଦେଶରେ ଖୋଦିତ ପୁଷ୍ପ (?) ପାଦର ଦୁଇ ପାର୍ଶ୍ୱରେ ଦୁଇଜଣ ଲେଖାଏ ଚାରିଜଣ ସ୍ତ୍ରୀ (?) (ଜଣେ ଓ ପୁରୁଷ ଜଣେ ସ୍ତ୍ରୀ ହୋଇ ପାରନ୍ତି), ସମ୍ଭବତଃ ସୂର୍ଯ୍ୟଙ୍କର ଚାରିଜଣ ସ୍ତ୍ରୀ ଦଣ୍ଡାୟମାନ । ସିଂହାସନ ସହ ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ତିନିହାତ ଓ ଓସାର ସମ୍ଭବତଃ ଏକ ହାତ । ମୂର୍ତ୍ତିଟିକୁ ଦୁଇ ହାତ ଭଙ୍ଗା । (ପୋଖରୀ ପଙ୍କୋଦ୍ଧାର ସମୟରେ ଓ ସେଠାରୁ ଶ୍ରୀ ପଣ୍ଡାଙ୍କ ଗୃହକୁ ଆଣିଲାବେଳେ ହାତ ଦୁଇଟି ଭାଙ୍ଗି ଯାଇଛି !) କୋଣାର୍କ ମୂର୍ତ୍ତିପରି ଏତେ ବଡ଼ ନ ହେଲେ ବି ଗଠନ କରିପାଟୀରେ ସାମ୍ୟ ଲକ୍ଷ୍ୟ କରାଯାଏ ।*

 

* ଗ୍ରାମ ପାର୍ଶ୍ୱବର୍ତ୍ତୀ ଗାଜିଆଣୀ ନାମକ ପୁଷ୍କରିଣୀର ପଙ୍କୋଦ୍ଧାର ସମୟରେ ଦୁଇଗୋଟି ମୂର୍ତ୍ତି ମିଳିଅଛି । ପ୍ରଥମଟି ସୂର୍ଯ୍ୟ ଓ ଦ୍ୱିତୀୟଟି ଚତୁର୍ଭୁଜ ନାରାୟଣ । ବିଷ୍ଣୁ ବିଗ୍ରହ ଅକ୍ଷୂର୍ଣ୍ଣ ଅବସ୍ଥାରେ ଅଛି-। ଶଂଖ ଚକ୍ର, ଗଦା ପଦ୍ମଧାରୀ ବିଷ୍ଣୁଙ୍କ ବାମରେ ବୀଣା ହସ୍ତେ ସହଚାରୀ (ସରସ୍ୱତୀ?) ଓ ଡାହାଣ ପାର୍ଶ୍ୱରେ ପୁଷ୍ପଧାରିଣୀ ସମାସିନା । ବିଷ୍ଣୁ ପଦ୍ମ ଉପରେ ଦଣ୍ଡାୟମାନ । ହୃଦରେ ଯଜ୍ଞୋପବୀତ, କର୍ଣ୍ଣରେ ମକର କୁଣ୍ଡଳ, ମସ୍ତକରେ ମୁକୁଟ । ଏ ଦୁଇଟି ବିଗ୍ରହ ଶ୍ରୀ ହରି ଚରଣ ପଣ୍ଡାଙ୍କ ଗୃହରେ ବିଦ୍ୟମାନ । ନାରାୟଣ ବିଗ୍ରହ ଗୃହ ମଧ୍ୟରେ ପୂଜିତ, କିନ୍ତୁ ସୂର୍ଯ୍ୟ ମୂର୍ତ୍ତି ବାହାରେ ଏକ ଗଛ ମୂଳରେ ଅଯତ୍ନରେ ପଡ଼ି ରହିଅଛି । ଏହାର ସମୟ ନିର୍ଦ୍ଧାରଣ ଓ ଏ ସଂପର୍କୀୟ ସମସ୍ତ ତଥ୍ୟନୁସନ୍ଧାନ ପ୍ରତ୍ନତତ୍ତ୍ୱବିଦ୍‌ଙ୍କର ଦାୟିତ୍ୱ ବୋଲି ମନେ କରି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧିକର୍ତ୍ତାଙ୍କୁ ଜଣାଇଅଛି-

 

ଓଡ଼ିଶାର ଆଦିବାସୀ ସମାଜରେ ସୂର୍ଯଙ୍କ ପ୍ରତି ଗଭୀର ସମ୍ମାନବୋଧ ରହିଅଛି । କୋରାପୁଟର ବଣ୍ଡା ସମାଜରେ ସୂର୍ଯ୍ୟ ସୃଷ୍ଟିକର୍ତ୍ତାରୂପୀ ମହାପ୍ରଭୁ ଭାବରେ ଗୃହୀତ । କେନ୍ଦୁଝର ଓ ସୁନ୍ଦରଗଡ଼ର ଭୂୟାଁ ସଂପ୍ରଦାୟର ଲୋକ ସୂର୍ଯ୍ୟଙ୍କୁ ଧର୍ମଦେବତା ରୂପେ ଗ୍ରହଣ କରି ସୃଷ୍ଟିର କାରଣ ବୋଲି ଅଭିହିତ କରିଥାନ୍ତି । ମୟୂରଭଞ୍ଜର ସାନ୍ତାଳ ସଂପ୍ରଦାୟ ସୂର୍ଯ୍ୟଙ୍କୁ (ସିଂବୋଙ୍ଗା) (୪) ଜଗତର ସୃଷ୍ଟିକର୍ତ୍ତା ବୋଲି ବିଶ୍ୱାସ କରନ୍ତି । (୫) । ଆଦିବାସୀ ସମାଜରେ ସୂର୍ଯ୍ୟ ନିମ୍ନ ପ୍ରକାରେ ନାମିତ ହୋଇଥାନ୍ତି ।

 

ଧର୍ମେଶ–ଅରାଓଁ

ସିଂବୋଙ୍ଗା, ଧରମ–ସାନ୍ତାଳ, ମୁଣ୍ଡାରି

ସିଙ୍ଗି-ଆର୍କେ–(ସୂର୍ଯ୍ୟ-ଚନ୍ଦ୍ର)–ବଣ୍ଡା

ଧର୍ମଦେବତା–ଭୂୟାଁ (୬)

ମହାପ୍ରଭୁ–ଗଣ୍ଡ

ଧରମ–ଖଡ଼ିଆ (୭) ।

 

ଏମାନେ ସୂର୍ଯ୍ୟଙ୍କୁ ସର୍ବଶ୍ରେଷ୍ଠ ଶକ୍ତିଧର ରୂପେ ବିଶ୍ୱାସ କରନ୍ତି । ଆଦିବାସୀମାନେ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଦୁଇ ଭାଇ ଭାବରେ ଗ୍ରହଣ କରିଥାନ୍ତି । କ୍ଷୁଧାତୁର ସୂର୍ଯ୍ୟ ତାଙ୍କ ପିଲାମାନଙ୍କୁ ଭକ୍ଷଣ କରିବା ଫଳରେ ଦିନବେଳେ ଆକାଶରେ ନକ୍ଷତ୍ର ଦେଖାଯାନ୍ତି ନାହିଁ । ଏପରି କର୍ମ ହେତୁ ପିତାଙ୍କର କ୍ରୋଧ ଫଳରେ ସୂର୍ଯ୍ୟ ସମୁଦ୍ର ନିକଟରେ ଯାଇ ରହିଲେ । ସୂର୍ଯ୍ୟ ତେଣୁ ଦରିଆ ବୁକୁରୁ ପ୍ରତିଦିନ ଉଦୟ ହୁଅନ୍ତି । ସରଳପ୍ରାଣ ଆଦିବାସୀ ପ୍ରତ୍ୟହ ପ୍ରତ୍ୟକ୍ଷୀଭୂତ ବିଷୟକୁ ଦର୍ଶନ କରି କାରଣ ନିର୍ଦ୍ଧାରଣ କରିଥାଏ । ଓଡ଼ିଶାର ଆଦିବାସୀମାନଙ୍କ ମଧ୍ୟରେ ସୂର୍ଯ୍ୟ-ସଂପର୍କରେ ଅନେକ ଲୋକଗଳ୍ପ ପ୍ରଚଳିତ-। କେତେକଙ୍କ ମତରେ ଆଦିବାସୀ ସମାଜରେ ସୂର୍ଯ୍ୟଙ୍କ ବିଷୟରେ ସମଗ୍ର ଭାରତବର୍ଷରେ ପ୍ରାୟ ଏକାପରି ଗଳ୍ପ ପ୍ରଚଳିତ (୮) । ଏମାନେ ସୂର୍ଯ୍ୟଙ୍କୁ ‘ମହାପୁରୁ’ (ମହାପ୍ରଭୁ) ବା ସକଳ ଶକ୍ତିର ଆଧାର ରୂପେ ବିଶ୍ୱାସ କରିଥାନ୍ତି ।

 

* କୋଣାର୍କ–ଦେବଳା ମିତ୍ର, ୧୯୭୬, ପୃଷ୍ଠା-୭୬

 

      ଋକ୍‌ବେଦର ଋଷି ସୂର୍ଯ୍ୟଙ୍କୁ ସ୍ଥାବର, ଜଙ୍ଗମ ପ୍ରଭୃତି ପ୍ରତ୍ୟେକଙ୍କର ଆତ୍ମା ବୋଲି ସ୍ତୁତି କରିଅଛନ୍ତି । ଯଜୁ ଓ ସାମବେଦରେ ମଧ୍ୟ ସୂର୍ଯ୍ୟଙ୍କୁ ବନ୍ଦନା କରାଯାଇଛି । ବ୍ରହ୍ମାଣ୍ଡ ପୁରାଣରେ ଅଦିତିଙ୍କ ଗର୍ଭରୁ ଅଷ୍ଟାଦଶାତ୍ମା ବଜ୍ରଧର ଇନ୍ଦ୍ର ଓ ଦ୍ୱାଦଶାତ୍ମା ସୂର୍ଯ୍ୟଙ୍କର (ଆଦିତ୍ୟା ଦ୍ୱାଦଶାତ୍ମାକାଃ) ଆବିର୍ଭାବ ବିଷୟ ବର୍ଣ୍ଣିତ । ଦ୍ୱାଦଶାଦିତ୍ୟ ସୂର୍ଯ୍ୟଙ୍କର ବିଭିନ୍ନ ରୂପ । ସୌରମାନ ବର୍ଷର ପ୍ରତିମାସର ଏମାନେ ଅଧିଷ୍ଠାତା ଦେବତା । ପୁରାଣମାନଙ୍କରେ ସୂର୍ଯ୍ୟଙ୍କର ପ୍ରତିଷ୍ଠା ବର୍ଦ୍ଧିତ ହୋଇଥିବା ଜଣାଯାଏ । ପୁରାଣ ଯୁଗରେ ସୌର ସଂପ୍ରଦାୟର ସୃଷ୍ଟି କେତେକ ଆଲୋଚକ ମତ ଦିଅନ୍ତି । ମୂଳ ମହାଭାରତରେ ସୂର୍ଯ୍ୟଙ୍କର ଅଷ୍ଟୋତ୍ତର ଶତନାମ ବର୍ଣ୍ଣିତ । ନାରଦ ପୁରାଣରେ ସୂର୍ଯ୍ୟ ଦେବସ୍ୱରୂପ ଜ୍ୟୋତିର୍ମୟ ପୁରୁଷ, ଜ୍ଞାନର ଆଧାର, ଜଗତବ୍ୟାପୀ ଜଗନ୍ନାଥ ଭାବରେ କଥିତ । ବ୍ରହ୍ମ ପୁରାଣରେ ସୂର୍ଯ୍ୟଙ୍କର ମହିମା ଗାନ କରାଯାଇ ତାଙ୍କ ପୂଜାରେ ସନ୍ତାନପ୍ରାପ୍ତି ରୋଗନାଶ ଓ ବିଦ୍ୟାଲାଭ ପ୍ରଭୃତି ବିଷୟ ବର୍ଣ୍ଣିତ । ଅନ୍ୟ ପୁରାଣମାନଙ୍କରେ ମଧ୍ୟ ଏହିପରି ବର୍ଣ୍ଣନା ଦେଖାଯାଏ । (୯)

 

ସାରଳା ଦାସଙ୍କ ସମୟରେ ଓଡ଼ିଆ ସମାଜରେ ସୂର୍ଯ୍ୟଙ୍କର ପ୍ରଭାବ ଓ ପ୍ରସିଦ୍ଧି ଏହିପରି ରହିଥିବାର ତାଙ୍କ ରଚିତ ମହାଭାରତରୁ ଜଣାଯାଏ । ଦ୍ରୌପଦୀ ତାଙ୍କୁ ପରଂବ୍ରହ୍ମ, ପରମାନନ୍ଦ, ଅନନ୍ତ, ନିରାକାର, ଅନାଦି ଏହି ଭାବରେ ସ୍ତୁତି କରିଅଛନ୍ତି । ବିରାଟ ପତ୍ନୀଙ୍କ ନିର୍ଦ୍ଦେଶରେ କୀଚକପୁରକୁ ଗମନ କାଳରେ ଆତ୍ମରକ୍ଷା ଲାଗି ଧର୍ମରୂପୀ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିଅଛନ୍ତି । ସେତେବେଳେ ଦ୍ରୌପଦୀ କୀଚକ କୋପରୁ ରକ୍ଷା ପାଇଥିବା ବିଷୟ ମହାଭାରତରେ ବର୍ଣ୍ଣିତ । ସୂର୍ଯ୍ୟ ଦେବତା ସ୍ୱୟଂ ସୃଷ୍ଟିକର୍ତ୍ତା । ସେ ମଧ୍ୟ ସୃଷ୍ଟି, ସ୍ଥିତି ଓ ପ୍ରଳୟର କାରଣ । ତାଙ୍କ ନିର୍ଦ୍ଦେଶରେ ଯମରାଜ ଧର୍ମଦଣ୍ଡ ଧାରଣ କରିଅଛନ୍ତି । (୧୦)

 

ମୂଳ ମହାଭାରତରେ ବର୍ଣ୍ଣିତ ଅଛି ଯେ ଯୁଧିଷ୍ଠିର ବନବାସ କାଳରେ ଶୁଚି-ସମାହିତ ଚିତ୍ତରେ ସୂର୍ଯ୍ୟଙ୍କ ସ୍ତୁତିଗାନ କରିଥିଲେ । ସେହି ସ୍ତୁତିରେ ସୂର୍ଯ୍ୟଙ୍କୁ ସର୍ବଭୂତର ଉତ୍ପତ୍ତିର ହେତୁ, ଈଶ୍ୱରଙ୍କର ଈଶ୍ୱର ବୋଲି କୁହାଯାଇଅଛି । ଯୁଧିଷ୍ଠିରଙ୍କ ସ୍ତବରେ ସନ୍ତୁଷ୍ଟ ହୋଇ ଭଗବାନ ସୂର୍ଯ୍ୟ ଦୀପ୍ୟମାନ ଶରୀର ଧାରଣ ପୂର୍ବକ ତାଙ୍କ ସମ୍ମୁଖକୁ ଆଗମନ କରନ୍ତି ଏବଂ ତାହାଙ୍କୁ ଗୋଟିଏ ତାମ୍ର ପାକ ପାତ୍ର ଦାନ କରନ୍ତି । ସେଇ ପାତ୍ରସ୍ଥ ଅନ୍ନ ଦ୍ରୌପଦୀଙ୍କ ଆହାର ପୂର୍ବ ପର୍ଯ୍ୟନ୍ତ ଅକ୍ଷୟ ରହିବ–ଏହି ବର ଦେଇ ସୂର୍ଯ୍ୟଦେବ ବନବାସୀ ଯୁଧିଷ୍ଠିରଙ୍କ ଅତିଥି ସତ୍କାରର ଉପାୟ କରାଇଥିଲେ । (୧୧) ମନେହୁଏ, ଏଇଥିପାଇଁ ଓଡ଼ିଆ ଘରଣୀ ପରିବାରର ସବୁ ଲୋକ ଓ ଅତିଥି ଆହାର କରିସାରିଲା ପରେ ନିଜ ଖାଦ୍ୟ ଗ୍ରହଣ କରିଥାନ୍ତି ।

 

କୋଣାର୍କ ସୃଷ୍ଟି ସମ୍ପର୍କରେ କାହାଣୀ ପ୍ରଚଳିତ । ଭକ୍ତର ମଙ୍ଗଳ ନିମନ୍ତେ ସୂର୍ଯ୍ୟ ଅସୁର ନିଧନ କରି ତା’ର ମନସ୍କାମନା ପୂର୍ଣ୍ଣ କରାଇଛନ୍ତି । ଗନ୍ଧବତୀ ନଦୀ କୂଳରେ ଅବସ୍ଥିତ କୋଶଳ ଦେଶର ରାଜା କଣୟ ବିନ୍ଦୁ ରାଜ୍ୟର ପ୍ରଜାମାନଙ୍କଠାରୁ ବର୍ଷରେ ଦୁଇଥର କର ଆଦାୟ କରୁଥିଲେ-। ଏହା ଫଳରେ ପ୍ରଜାଗଣ ଦରିଦ୍ର ହେବାରୁ ରାଜା ଏହି ଦାରିଦ୍ର୍ୟାବସ୍ଥା ମୋଚନ ଲାଗି ଅକ ତୀର୍ଥରେ ସୂର୍ଯ୍ୟଙ୍କ ସନ୍ତୁଷ୍ଟି ବିଧାନ ନିମନ୍ତେ କଠୋର ତପସ୍ୟା କଲେ । ତପସ୍ୟାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟଦେବ କୋଶଳ ଦେଶରେ ସାତଦିନ ପର୍ଯ୍ୟନ୍ତ ସ୍ୱର୍ଣ୍ଣବୃଷ୍ଟି କଲେ । ଅର୍କ ନାମରେ ଦୈତ୍ୟ ରାଜା କଣୟବିନ୍ଦୁଙ୍କ ସହିତ ଶତ୍ରୁତା ଆଚରଣ କରିବାରୁ ସୂର୍ଯ୍ୟ ଅକ ଦୈତ୍ୟକୁ ଚନ୍ଦ୍ରଭାଗାର ପଶ୍ଚିମକୋଣରେ ମାଡ଼ିବସି ନିଧନ କରିଥିଲେ । ସେହିଦିନଠାରୁ ସେହିସ୍ଥାନ କୋଣାର୍କ ନାମରେ ଖ୍ୟାତ ହେଲା ।

 

କିମ୍ବଦନ୍ତୀ ଓ ଇତିହାସରୁ ଜଣାଯାଏ ଯେ ଅର୍କକ୍ଷେତ୍ରରେ ଶାମ୍ବ ବ୍ୟାଧିମୁକ୍ତ ହେବା ପରେ ସୂର୍ଯ୍ୟଙ୍କ ପ୍ରତି ଗଭୀର କୃତଜ୍ଞତା ହେତୁ ସେଠାରେ ସେ ତାଙ୍କର ଉପାସନା କରିବା ନିମନ୍ତେ ସ୍ଥିର କଲେ । ସ୍ନାନ ସମୟରେ ବିଶ୍ୱକର୍ମା ନିର୍ମିତ ସୂର୍ଯ୍ୟଙ୍କର ବିଗ୍ରହ ପ୍ରାପ୍ତ ହୋଇ ତାହା ପ୍ରତିଷ୍ଠା କରିଥିଲେ । (୧୨) । ନବମ ଶତକର (୧୩) ପୁରନ୍ଦର କେଶରୀ ଅନ୍ୟ ଏକ ମନ୍ଦିର ନିର୍ମାଣ କରିଥିଲେ ଏବଂ ଦେବତାଙ୍କ ପୂଜାର୍ଚ୍ଚନା ନିମନ୍ତେ ଆଠଗୋଟି ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ । (୧୪) । ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶୀ ରାଜା ନରସିଂହ ଦେବ (ଖ୍ରୀ. ୧୨୩୮-୬୪) ବର୍ତ୍ତମାନର ମନ୍ଦିର ନିର୍ମାଣ କରାଇଥିଲେ । (୧୫) । ଏ ମନ୍ଦିର ନିର୍ମାଣ କରିବାରେ କେତେ ବିପୁଳ ଅର୍ଥ, ଜନଶକ୍ତି ଓ ସମୟ ବିନିଯୋଗ ହୋଇଥିଲା, ତାହା ଏଠାରେ ଉଲ୍ଲେଖ କରାଯାଉ ନାହିଁ । * କିନ୍ତୁ, ଏତେସବୁ ବିନିଯୋଗର ମୂଳରେ ଜାତୀୟ ସ୍ତରରେ ସୂର୍ଯ୍ୟଙ୍କ ପ୍ରତି ଯେଉଁ ପ୍ରଗାଢ଼ ଭକ୍ତି ରହିଥିଲା, ତାହାହିଁ ଏଠାରେ ଉଲ୍ଲେଖନୀୟ ବିଷୟ । ଗଜପତି ନରସିଂହ ଦେବ ନିଜ ପୁତ୍ରଙ୍କର ନାମ ଭାନୁଦେବ ରଖି ସୂର୍ଯ୍ୟଦେବଙ୍କ ପ୍ରତି ନିଜର ଭକ୍ତି ଓ ବିଶ୍ୱାସର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।

 

* କଥିତ ଅଛି, ଯବନମାନଙ୍କୁ ପରାଜିତ କରି ବିଜୟ ସ୍ମୃତି ସ୍ୱରୂପ ନରସିଂହଦେବ ଏହି ମନ୍ଦିର ନିର୍ମାଣ କରିଥିଲେ (ମତାନ୍ତରେ ମାତୃ ଆଜ୍ଞା ପାଳନ କରିବା ନିମନ୍ତେ) । ମନ୍ଦିର ନିର୍ମାଣ କରିବାରେ ସମଗ୍ର ସାମ୍ରାଜ୍ୟର ବଛା ବଛା ବାରଶହ କୁଶଳୀ କାରିଗରଙ୍କୁ ବାରବର୍ଷ ସମୟ ଲାଗିଥିଲା । ଏଥିଲାଗି ବାର ବରଷର ବାଳକ ‘ଧରମା’ ଜୀବନ ଦାନ କରିଥିବା କାହାଣୀ ପ୍ରଚଳିତ ।

 

ପୌରାଣିକ କାଳରୁ ସୂର୍ଯ୍ୟୋପାସନା ନିମନ୍ତେ ଉତ୍କଳ ସର୍ବଭାରତୀୟ ପ୍ରତିଷ୍ଠା ଲାଭ କରିଥିଲା । ଓଡ଼ିଶାର ସର୍ବତ୍ର ଘରେ ଘରେ ଶାମ୍ବଦଶମୀ ପାଳିତ ହୋଇଥାଏ । ବୈଷ୍ଣବ ଧର୍ମପ୍ରଚାରକ ଶ୍ରୀ ଚୈତନ୍ୟ ଏହି ସୂର୍ଯ୍ୟ ମନ୍ଦିର ଦର୍ଶନ କରିବା ନିମନ୍ତେ ଆସିଥିଲେ । ‘ଆଇନ୍‌-ଇ-ଆକ୍‌ବରୀ’ରେ ମଧ୍ୟ ଏହାର ପ୍ରସିଦ୍ଧି ସମ୍ପର୍କୀୟ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । (୧୬) କଟକ ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବାଉଜଙ୍କ ଗ୍ରାମ ଅର୍ଜ୍ଜୁନମୂଳ କାଶ୍ୟପ ଆଶ୍ରମରେ ସୂର୍ଯ୍ୟଙ୍କର ବିଗ୍ରହ ପ୍ରତିବର୍ଷ ପୂଜିତ ହୋଇଥାଏ ।(୧୭)

 

ଦୁତୀ ବାହନ ଓଷା ପାଳନ–କୁନ୍ତୀ ଦେବୀ ଓ ସୂର୍ଯ୍ୟଙ୍କର ମିଳନ ସ୍ମୃତି ଏବେ ବି ଓଡ଼ିଆ ଜନମାନସରେ ଜୀବନ୍ତ । ମାର୍ଗଶୀର ମାସରେ ରବିନାରାୟଣ ବ୍ରତ ଓ ପୌଷ ମାସରେ ସମସ୍ତ ରବିବାର ବିଶେଷ ଭାବେ ପାଳିତ ହୁଏ ।

 

ଚୈତ୍ର ପର୍ବରେ ଭକ୍ତଗଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ନିମନ୍ତେ ‘ହାକାଣ୍ଡ’ ଘାଟରେ ଉପବାସୀ ହୋଇ ମିଳିତ ହୁଅନ୍ତି ଓ ପ୍ରଚଣ୍ଡ ଗ୍ରୀଷ୍ମରେ ଶରୀରଦ୍ୱାରା ବିଭିନ୍ନ କଷ୍ଟକର ଭଙ୍ଗୀ ମାଧ୍ୟମରେ ସୂର୍ଯ୍ୟଙ୍କୁ ଭକ୍ତି ପ୍ରଦର୍ଶନ କରିଥାନ୍ତି । ଏହା ଉତ୍ତର-ପୂର୍ବ ଉପାନ୍ତ ଅଞ୍ଚଳରେ ପ୍ରାୟ ସର୍ବତ୍ର ଅନୁଷ୍ଠିତ ହୁଏ ।

 

ଓଡ଼ିଶାର ଉତ୍ତର-ପୂର୍ବ ଉପାନ୍ତ ଅଞ୍ଚଳ (ଉତ୍ତର ବାଲେଶ୍ୱର ଓ ମେଦିନୀପୁର)ର ଲୋକ ସମାଜରେ ଧର୍ମ ନାମରେ ଏକ ପୂରା ପ୍ରଚଳିତ । କେତେକଙ୍କ ମତରେ ବୈଦିକ ଓ ପୂର୍ବ ବୈଦିକ ଆଚାର ଅନୁଷ୍ଠାନ ସହ ଅନାର୍ଯ୍ୟ ରୀତିନୀତିର ଏକ ସମ୍ମିଶ୍ରଣ ଧର୍ମ ପୂଜା ରୂପେ ବିଦିତ । ଧର୍ମ ନାମଟି ସୂର୍ଯ୍ୟଙ୍କ ପ୍ରତି ପ୍ରଯୂଜ୍ୟ । (୧୮) ବୈଦିକ ଯୁଗର ଶେଷ ଭାଗରେ ସୂର୍ଯ୍ୟ ଦେବତା ଓ ଇରାନୀୟ * ଐତିହ୍ୟ ସହିତ ପ୍ରାକ୍‌ବୈଦିକ ଯୁଗର ବିଲୁପ୍ତ କୌଣସି ଲୋକ ଦେବତାର କାହାଣୀ ଏଥି ସହିତ ସଂଯୁକ୍ତ । କେତେକଙ୍କ ମତରେ ମଧ୍ୟପ୍ରଦେଶଠାରୁ ଆସାମ ପର୍ଯ୍ୟନ୍ତ ଯେଉ ସବୁ ଉପଜାତି ଲୋକେ ସୂର୍ଯ୍ୟ ଉଦୟ କାଳରେ କୁକୁଡ଼ା ବଳିଦାନ କରନ୍ତି, ସେଥିରୁ ଅନୁମିତ ହୁଏ ଯେ ସୁଦୂର ଅତୀତରେ ପୂର୍ବ-ଭାରତରେ ଏପରି କୌଣସି ଜନଗୋଷ୍ଠୀ ସୂର୍ଯ୍ୟଙ୍କୁ ଉପାସନା କରୁଥିଲେ । (୧୯) ମୟୂରଭଞ୍ଜ ପ୍ରଭୃତି ଅଞ୍ଚଳରେ ମହାନ୍ତ (କୂର୍ମୀକ୍ଷତ୍ରିୟ ଗୋଷ୍ଠୀର ଲୋକେ କାଳୀପୂଜା- ‘ବନ୍ଦଣା’ ପର୍ବରେ ଗୁହାଳ ମଧ୍ୟରେ ଏକ ଧଳା କୁକୁଡ଼ା ଧର୍ମ ନାମରେ ଉତ୍ସର୍ଗ କରିବା ବିଧି ପ୍ରଚଳିତ-। ଏ ଧର୍ମଦେବତା ହେଉଛନ୍ତି ସୂର୍ଯ୍ୟ । ଗୁହାଳରେ ଗୋରୁ ପ୍ରଭୃତି ଗୃହପାଳିତ ପଶୁଙ୍କର ରୋଗ ନାଶ ଓ ବଂଶ ବୃଦ୍ଧି କାମନା କରି ଏପରି କରାଯାଏ ।

 

* ପର ପରିଚ୍ଛେଦ ଦ୍ରଷ୍ଟବ୍ୟ ।

 

ସୂର୍ଯ୍ୟଙ୍କର ପୂଜାକାର୍ଯ୍ୟ ନିମନ୍ତେ ଶାମ୍ବ ଇରାନ୍‌ ଦେଶରୁ କେତେକ ପୂଜକ * ଆଣିଥିବାର ଜଣାଯାଏ । (୨୦)

 

* ଭବିଷ୍ୟ ପୁରାଣ ଅନୁସାରେ ଶାମ୍ବ ଶାକ ଦ୍ୱୀପରୁ କେତେକ ‘ମଗ’ ପରିବାର (ମଗି ଇରାନ୍‌ ଦେଶୀୟ ସୂର୍ଯ୍ୟ ପୂଜକ) ଅଣାଇଥିଲେ । ସୂର୍ଯ୍ୟ ଦେବତା ଚର୍ମ ପାଦୁକା ପରିଧାନ କରିଥିବାରୁ ଏଠା ବ୍ରାହ୍ମଣ ସୂର୍ଯ୍ୟ ବିଗ୍ରହ ପୂଜା କରିବା ନିମନ୍ତେ ଅସମ୍ମତ ହେବା ଦୃଷ୍ଟିରୁ ଏପରି ହୋଇଥିଲା ।

 

ସୂର୍ଯ୍ୟଙ୍କ ନାମରେ ନିଜ ବଂଶକୁ ଜଡ଼ିତ କରି ସେହିପରି ଅମିତ ବିକ୍ରମଶାଳୀ ହେବାର କାମନା ଓଡ଼ିଶାର କ୍ଷତ୍ରିୟ ଓ ଆଦିବାସୀମାନଙ୍କ ମଧ୍ୟରେ ଦେଖାଯାଏ । ଏହା ଏକ ମହାଭାରତୀୟ ପରମ୍ପରା । ଭଗବାନ ରାମଚନ୍ଦ୍ର ସୂର୍ଯ୍ୟବଂଶୀ କ୍ଷତ୍ରିୟ ଥିଲେ । ଗଜପତି କପିଳେନ୍ଦ୍ରଦେବ ସୂର୍ଯ୍ୟବଂଶୀ କ୍ଷତ୍ରିୟ ବୋଲି ଇତିହାସରୁ ଜଣାଯାଏ । ମୟୂରଭଞ୍ଜର ଗଣ୍ଡଜାତିର ଲୋକେ ଛଅପ୍ରକାର କ୍ଷତ୍ରିୟ ଗୋଷ୍ଠୀର ବିଭକ୍ତ । ତନ୍ମଧ୍ୟରୁ ସୂର୍ଯ୍ୟଠାରୁ ଏକ ବଂଶର ଉଦ୍‌ଭବ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । (୨୧)

 

ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ହେଉଥିବାରୁ ଏହିଦିନ ସୂର୍ଯ୍ୟ ଦେବତାଙ୍କୁ ହିନ୍ଦୁ ଗୃହସ୍ଥମାନେ ପୂଜାର୍ଚ୍ଚନା କରିଥାନ୍ତି । ବିଭିନ୍ନ ତୀର୍ଥ ସ୍ଥାନରେ ଏହିଦିନ ବୁଡ଼ ପକାଇବାରେ ବିଧି ପ୍ରଚଳିତ । ଏହିଦିନ ସୂର୍ଯ୍ୟ ବୁଡ଼ିଲେ ସାଙ୍ଗସୁଖ ଲୋକେ ମକର ଚାଉଳ ପାଟିରେ ଦେଇ ମକର ବସନ୍ତି । (୨୨)

 

ମକର ସଂକ୍ରାନ୍ତି ଏକ ଜାତୀୟ ପର୍ବ । କଥାରେ କହନ୍ତି, ‘‘ମକର, ଦିନ ହୁଏ ବକର ।’’ ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ସଂକ୍ରମଣକୁ କ୍ରାନ୍ତି କୁହାଯାଏ । ସୂର୍ଯ୍ୟଙ୍କର ବାର ରାଶିର ବାର ସଂକ୍ରାନ୍ତି ପବିତ୍ର ହେଲେହେଁ ତହିଁରୁ କର୍କଟ ଓ ମକରକୁ ଶାସ୍ତ୍ରକାରଗଣ ସୂର୍ଯ୍ୟଙ୍କର ଅୟନ ସଂକ୍ରାନ୍ତି ଦୃଷ୍ଟିରୁ ବିଶେଷ ପବିତ୍ର ବୋଲି ଗଣନା କରନ୍ତି । ମକର ସଂକ୍ରାନ୍ତିରେ ଦେବତାଙ୍କର ଦିନ ଆରମ୍ଭ ହୁଏ ।

 

ଭାରତୀୟ ଋଷିଗଣ ଦେହଧର୍ମ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । କାରଣ ‘‘ଶରୀରମାଦ୍ୟଂ ଖଳୁଧର୍ମ ସାଧନମ’’, ଦେହରକ୍ଷା ହେଉଛି ସକଳ ଧର୍ମ ଓ ସାଧନାର ମୂଳତତ୍ତ୍ୱ । ନୀରୋଗ ହେବାହିଁ ହିନ୍ଦୁଦର୍ଶନ ତତ୍ତ୍ୱର ସାରକଥା । ଯେଉଁ ସମୟରେ ସୂର୍ଯ୍ୟ କିରଣ ସୁଲଭ ହୁଏନାହିଁ, ସେ ସମୟରେ ଲଘୁପାକ ଖାଦ୍ୟ ଗ୍ରହଣ କରିବା ବିଧି । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟକିରଣ କ୍ରମଶଃ ସୁଲଭ ହେଉଥିବାରୁ ହଜମ ଶକ୍ତି ବୃଦ୍ଧିପାଏ । ଏପରିକି ଆସିଦ୍ଧ ଚାଉଳ ମଧ୍ୟ ଜୀର୍ଣ୍ଣ ହୋଇଯାଏ । ଏଇଥି ପାଇଁ ଏହିଦିନ ସମଗ୍ର ଓଡ଼ିଶାରେ ଅରୁଆଚାଉଳ ଭୋଗ ଦେବ ଦେବୀଙ୍କଠାରେ ନିବେଦନ କରାଯାଏ । ସମାଜିକ ପର୍ବ ପାଳନ ମଧ୍ୟଦେଇ ଓଡ଼ିଶାରେ ମହତ୍ତର ଶରୀର ବିଜ୍ଞାନ ଓ ଆଧ୍ୟାତ୍ମା ବିଷୟକୁ କୌଶଳପୂର୍ଣ୍ଣ ଭାବରେ ପାଳନ କରାଯାଇଥାଏ । ସଂକ୍ରାନ୍ତିଦିନ ପ୍ରାତଃସ୍ନାନ ପରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଯେଉ ଦାନ ଅନୁଷ୍ଠିତ ହୁଏ, ତାହା ଜନ୍ମଜନ୍ମାନ୍ତରେ ପୁଣ୍ୟ ଅର୍ଜନ ନିମିତ୍ତ କରାଯାଇଥାଏ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ମୃତ୍ୟୁ ହୁଏ, ସେମାନେ ସ୍ୱର୍ଗଧାମ ପ୍ରାପ୍ତ ହୁଅନ୍ତି । ମହାଭାରତରେ ଭୀଷ୍ମଦେବ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳରେ ଇଚ୍ଛାମୃତ୍ୟୁ ବରଣ କରି ସ୍ୱର୍ଗ ଲୋକକୁ ଗମନ କରିଥିବା ବିଷୟ ବର୍ଣ୍ଣିତ । (୨୩)

 

ଓଡ଼ିଶା ଉତ୍ତର-ପଶ୍ଚିମ ଉପାନ୍ତ ଅଞ୍ଚଳ (ସୀମାନ୍ତ ମୟୂରଭଞ୍ଜ-ସିଂହଭୂମି)ରେ ଗୋପାଳ ପ୍ରଭୃତି କେତେକ ଜାତି ମଧ୍ୟରେ ପ୍ରତ୍ୟେକ ପୂଜାନୁଷ୍ଠାନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ପ୍ରଥା ପ୍ରଚଳିତ ଅଛି । ରାତ୍ରିକାଳରେ ସମୟ ସମୟରେ ପୂଜା ଅନୁଷ୍ଠିତ ହେଲେ ଆକାଶକୁ ଚାହିଁ ଧର୍ମ (ସୂର୍ଯ୍ୟ) ଦେବତାଙ୍କୁ ଅର୍ଘ୍ୟ ନିବେଦନ କରାଯାଇଥାଏ । ମାଣବସା ଓ ଲକ୍ଷ୍ମୀବ୍ରତରେ ସୋମବାର ଯଦି ଅମାବାସ୍ୟ ଓ ପୂର୍ଣ୍ଣିମା ପଡ଼େ, ତେବେ ଦଶମୀ ଦିନ ସ୍ନାନାଦି ଶୌଚ ଉପବାସ ସହ ଲକ୍ଷ୍ମୀପୂଜା ପରେ ବାହାରେ ଗୋବର ଲିପି ଅରୁଆ ଚାଉଳ, ନୂଆ ଗୁଆ, ଦୁବ, ବରକୋଳିପତ୍ର ପ୍ରଭୃତି ନେଇ ସୂର୍ଯ୍ୟଙ୍କୁ ସ୍ତ୍ରୀ-ଲୋକମାନେ ଅର୍ଘ୍ୟ ଅର୍ପଣ କରି ମନସ୍କାମନା ପୂର୍ଣ୍ଣ ନିମିତ୍ତ ପ୍ରାର୍ଥନା କରିଥାନ୍ତି ।

 

ଓଡ଼ିଶାର ମହିମାଧର୍ମାବଲମ୍ବୀ ଭକ୍ତଗଣ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ କାଳରେ ଦଣ୍ଡ ବୈଠକସହ ସୂର୍ଯ୍ୟଙ୍କୁ ପ୍ରଣାମ କରିଥାନ୍ତି । ସେମାନେ ସୂର୍ଯ୍ୟାସ୍ତ ପରେ ଆହାରାଦି ଗ୍ରହଣ କରନ୍ତି ନାହିଁ । ଏହା ସୂର୍ଯ୍ୟୋପାସନା ସହିତ ଜଡ଼ିତ ନୁହେ ବୋଲି କେତେକ ମନେ କରନ୍ତି । (୨୪)

 

ଉପବୀତ ଧାରଣ ଉପନୟନ ସମୟରେ ସୂର୍ଯ୍ୟଙ୍କୁ ସମ୍ମାନ ଜଣାଇବା ଏକ ବିଧି । କୁମାରୀକନ୍ୟା ଯୌବନ ପ୍ରାପ୍ତିକାଳରେ ପ୍ରଥମ ରଜୋବର୍ଶନର ସପ୍ତମ ଦିବସରେ ଶୁଦ୍ଧସ୍ନାନ କରି ପୋଖରୀ ବା ନଦୀ ଘାଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ନିବେଦନ କରିଥାଏ । ସ୍ତ୍ରୀମାନଙ୍କର ଶୁଦ୍ଧ ସ୍ନାନ କାଳରେ ଏପରି ବିଧି ପ୍ରଚଳିତ । ଲୋକେ ସୂର୍ଯ୍ୟଙ୍କୁ ସାକ୍ଷ୍ୟ ରଖି ମହାପ୍ରସାଦ ଧରି ‘ସୂର୍ଯ୍ୟବନ୍ଧୁ’ ବସିଥାନ୍ତି ।

 

ସର୍ବଭାରତୀୟ କବିମାନଙ୍କ ପରି ଓଡ଼ିଆ କବି ସୂର୍ଯ୍ୟଙ୍କ ସହିତ ପଦ୍ମର ନିବିଡ଼ ପ୍ରୀତି ସମ୍ପର୍କରେ ଶତମୁଖ । ସୂର୍ଯ୍ୟ ଉଇଁଲେ ପଦ୍ମଫୁଟେ–ଏ ସ୍ୱତଃସିଦ୍ଧ ଘଟଣାକୁ ‘‘କବି-ଚାତୁରୀ’’ରେ କବି ରୂପ ଦିଅନ୍ତି । ଗୋପଲୀଳାରେ ଦୂତୀ ନୀପମୂଳ କୁଞ୍ଜ କୁଟୀରରେ ସୂର୍ଯ୍ୟପୂଜା ଛଳରେ ଶ୍ରୀମତୀଙ୍କ ସହିତ କୃଷ୍ଣଙ୍କର ମିଳନ ଘଟାଇଥିବାର ଜନଶ୍ରୁତି ଅଛି ।

 

ସମସ୍ତ ଗୁଣର ଅଧିକାରୀ ହେଲେହେଁ ସୂର୍ଯ୍ୟଦେବତା ନିଜ ଚରିତ୍ରର ଦୃଢ଼ତା ରକ୍ଷା କରିପାରି ନାହାନ୍ତି । ଚନ୍ଦ୍ରଭାଗା କାବ୍ୟରେ ‘ଚନ୍ଦ୍ରଭାଗା’, ମହାଭାରତରେ ‘କୁନ୍ତୀ’ଙ୍କ ସମ୍ପର୍କରେ ଏକଥା କୁହାଯାଇପାରେ । ସୁମନ୍ୟୁ ଋଷିଙ୍କର କନ୍ୟା ଚନ୍ଦ୍ରଭାଗା ସମୁଦ୍ର କୂଳରେ କନ୍ଦୁକ କ୍ରୀଡ଼ାରତ ରହିଥିବା ସମୟରେ ସୂର୍ଯ୍ୟଦେବ ତାଙ୍କ ପ୍ରତି ଆକୃଷ୍ଟ ହୋଇ ସତୀତ୍ୱ ନଷ୍ଟ କରିବା ଯୋଗୁଁ ଚନ୍ଦ୍ରାଭାଗା ସମୁଦ୍ରରେ ଝାସ ଦେଇଥିଲେ । ତେଣୁ, ସେହି ସ୍ଥାନର ନାମ ଚନ୍ଦ୍ରଭାଗା ହୋଇଥିବାର କାହାଣୀ ବିଦିତ । ମହାଭାରତରେ କୁନ୍ତୀ ଯଦିଓ କୌତୂହଳ ବଶତଃ ସୂର୍ଯ୍ୟଙ୍କୁ ଡାକିଥିଲେ, ପରେ କିନ୍ତୁ ସୂର୍ଯ୍ୟ ଉପସ୍ଥିତ ହୁଅନ୍ତେ ନିଜର ସତୀତ୍ୱ ରକ୍ଷାପ୍ରତି ସଚେତନ ହୋଇ ଆକୁଳ ପ୍ରାର୍ଥନା କରିଥିଲେହେଁ ସୂର୍ଯ୍ୟଦେବ ନିଜର ଚପଳତା ପ୍ରକାଶ କରିଥିବା ବିଷୟ ଜଣାଯାଏ ।

 

ପୃଥିବୀରେ ସବୁ ଦେଶରେ ସୂର୍ଯ୍ୟ ଉପାସନା ରହିଅଛି । ସମଗ୍ର ବିଶ୍ୱରେ ସୂର୍ଯ୍ୟଙ୍କର ଅଖଣ୍ଡ ପ୍ରଭାବ । ସମଗ୍ର ପୃଥିବୀର ମାନବ ସମାଜ ପରି ଓଡ଼ିଆ ଲୋକମାନସରେ ସୂର୍ଯ୍ୟଙ୍କ ପ୍ରତି ଭକ୍ତଭାବ ଗଭୀର । ମୋଟ ଉପରେ ଓଡ଼ିଶାର ସମଗ୍ର ଲୋକସମାଜ ସୂର୍ଯ୍ୟଙ୍କୁ ‘ମହାପ୍ରଭୁ’ ବା ‘ସକଳ ଶକ୍ତିର ଆଧାର’ ଭାବରେ ସଶ୍ରଦ୍ଧ ସମ୍ମାନ ଜଣାଏ ।

 

ସହାୟକ ଗ୍ରନ୍ଥସୂଚୀ :

ନ ଚ ସୂର୍ଯ୍ୟୋଦୟେ ସ୍ୱପେତ୍‌ ଇତ୍ୟାଦି, ଶା ୧୯୩/୫ ମହାଭାରତେର ସମାଜ, ପୃ: ୩୩୦–ଶ୍ରୀ ସୁଖମୟ ଭଟ୍ଟାଚାର୍ଯ୍ୟ ଶାସ୍ତ୍ରୀ ସପ୍ତତୀର୍ଥ, ବିଶ୍ୱଭାରତୀ–୧୩୬୬

ତତ୍ରୈବ

ଉତ୍କଳର ପର୍ବପର୍ବାଣୀ–ବଂଶୀଧର ସାମନ୍ତରାୟ, ଉତ୍କଳ ସାହିତ୍ୟ- ପୃ: ୨୮, ୧୩୪୪, ବୈଶାଖ, ୪୧ ଭାଗ

Folklore of Orissa- P.52, Dr. K. B. Das - Dr. L. K. Mohapatra N.B.T. (National Book Trust of India)

Orissa District Gazetteers, Mayurbhanj-P. 129. N. Senapati, N. K. Sahu, 1967.

Folklore of Orissa - P. 63, N. B. T., India

O. D. G. - Mayurbhanj-P. 130, 1967

Folklore of Orissa - P. 50-51, N. B. T., India.

ସାରଳା ମହାଭାରତରେ ସାମାଜିକ ଜୀବନ - ପୃ: ୨୦୯ ଡଃ ଦୀନବନ୍ଧୁ ରଥ–୧୯୭୪

୧୦

ତତ୍ରୈବ - ପୃ: ୨୧୦

୧୧

ମହାଭାରତେର ସମାଜ ପୃ: ୧୩୪, ଶ୍ରୀ ସୁଖମୟ ଭଟ୍ଟାଚାର୍ଯ୍ୟ, ବିଶ୍ୱଭାରତୀ - ୧୩୬୬

୧୨

Konark, Debala Mitra-P. U. 1976, Arshaeological Survey of India, New Delhi.

୧୩

ସାରଳା ମହାଭାରତରେ ସାମାଜିକ ଜୀବନ–ପୃ: ୨୧୨ ଡଃ ଦୀନବନ୍ଧୁ ରଥ, ୧୯୭୪

୧୪

Konark, Debala Mitra–P. 5.

୧୫

ଓଡ଼ିଶା ଇତିହାସ - ଡଃ ହରେକୃଷ୍ଣ ମହତାବ–ପୃ: ୧୭୪

୧୬

Konark-Debala Mitra - P. 8

୧୭

ଓଡ଼ିଶା କୋହିନୂର ପ୍ରେସ ପଞ୍ଜିକା - ପୃ. ୨୪୫ ଶାମ୍ବଦଶମୀ - ୧୯୭୪

୧୮

ମେଦିନୀପୁର ପୃ: ୧୦୫, F. K. L. M. Pvt. Ltd. କଲିକତା, ଶ୍ରୀ ତରୁଣଦେବ ଭଟ୍ଟାଚାର୍ଯ୍ୟ, ୧୯୭୯

୧୯

Sun-Worship Amongst the Aborginal Tribes of India T. C. Das (ମେଦିନୀପୁର-ପୃ: ୧୦୫, ତରୁଣ ଦେବ ଭଟ୍ଟାଚାର୍ଯ୍ୟ)

୨୦

Konark - Debala Mitra - P. U. 1976

୨୧

Note on the Dharuas or the Goads of Mayurbhanj State–by Paramananda Acharya (Reprinted from Man in-India, Vol. XVIII, 1938, Nos, 2 and 3)

୨୨

ଶାସ୍ତି -ପୃ: ୬୬, କାହ୍ନୁ ଚରଣ, ୧୯୬୮

୨୩

ମକର ସଂକ୍ରାନ୍ତି ଏକ ଜାତୀୟ ପର୍ବ-ସମାଜ, ଦୈନିକ, ତା ୧୪୮୩ ରିଖ ଅଧ୍ୟାପକ କମଳାକାନ୍ତ ମହାନ୍ତି

୨୪

O. D. G.,Mayurbhanj, 1967

 

 

ଅଧ୍ୟକ୍ଷ, ରରୁଆ କଲେଜ,

ପିନ୍‌ - ୭୫୭୦୩୫

ମୟୂରଭଞ୍ଜ

***

 

ଓଡ଼ିଆ ରାମାୟଣର ପୃଷ୍ଠଭୂମି ଓ ମହାକବି ସାରଳା ଦାସ

ଶ୍ରୀ ନୀଳମଣି ମିଶ୍ର

 

ମହାକବି ବାଲ୍ମୀକି ମୁଖ ନିଃସୃତ ରାମାୟଣ ବିଶ୍ୱରେ ‘ଆଦିକାବ୍ୟ’ ରୂପେ ସୁପରିଚିତ । ଅବଶ୍ୟ କେତେକ ଭାରତୀୟ ଗବେଷକଙ୍କ ମତରେ ‘ମହାଭାରତ’ର ରଚନା ରାମାୟଣ ପୂର୍ବରୁ ହୋଇଥିଲା । ତେଣୁ ‘ରାମାୟଣ’ ଆଦିକାବ୍ୟ କି ନୁହେ, ତାହା ଏକ ବିବଦମାନ ପର୍ଯ୍ୟାୟରେ ଉପନୀତ ହୋଇଛି । କିନ୍ତୁ ‘ଆଦିକାବ୍ୟ’ ରୂପେ ରାମାୟଣ ଭାରତୀୟ ପରମ୍ପରାରେ ସ୍ୱୀକୃତ । ତେଣୁ, ଏହି ଚିନ୍ତାଧାରାକୁ ବୌଦ୍ଧିକ ଯୁକ୍ତିରେ ଜନମାନସରୁ ଲୋପ କରିବା ସହଜସାଧ୍ୟ ବ୍ୟାପାର ନୁହେ ।

 

ମହର୍ଷି ବାଲ୍ମୀକି ଓ ତାଙ୍କ ରଚନା–ରାମାୟଣ କେବଳ ଭାରତବର୍ଷରେ ସୀମିତ ନ ଥିଲା । ଡକ୍‌ଟର. ଭି. ରାଘବନ୍‌ଙ୍କ ମତରେ ଏହା ସମଗ୍ର ଏସିଆ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା । କେବଳ ସ୍ୱର୍ଗତ ଭି. ରାଘବନ୍‌ ନୁହନ୍ତି, ବହୁ ବିଶିଷ୍ଟ ବୈଦେଶିକଙ୍କ ଆଲୋଚନାରୁ (୧) ଜଣାଯାଏ ଯେ ମହର୍ଷି ବାଲ୍ଲୀକି ଓ ରାମାୟଣର ପ୍ରଚାର ତଥା ପ୍ରସାର ଜାଭା, ଇଣ୍ଡୋନେସିଆ, ମାଲୟସିଆ, ଫିଲିଫାଇନ୍‌, ଲାଓସ୍‌, ବର୍ମା, ଜାପାନ, ସିଂହଳ, ମଙ୍ଗୋଲିଆ, ଥାଇଲାଣ୍ଡ, ନେପାଳ ଆଦି ଦେଶରେ ଖ୍ରୀଷ୍ଟୀୟ ପଞ୍ଚମ-ଷଷ୍ଠ ଶତାବ୍ଦୀ ବେଳକୁ ହୋଇ ସାରିଥିଲା । ସେହି ଦେଶମାନଙ୍କରେ ରାମାୟଣର କଥାବସ୍ତୁରେ କେବଳ ଆଞ୍ଚଳିକ ପ୍ରଭାବ ପଡ଼ିଛି ଏବଂ ସେ ଦେଶର ଭିନ୍ନ ଧର୍ମାବଲମ୍ବୀ ଜନସାଧାରଣ ରାମାୟଣୀୟ ସଂସ୍କୃତିକୁ ନିଜ ଦେଶର ଲୋକ-ସଂସ୍କୃତି ରୂପେ ଗ୍ରହଣ କରି ନେଇଛନ୍ତି । ଏପରିକି, ଇଣ୍ଡୋନେସିଆ ପରି ଇସ୍‌ଲାମୀୟ ସଂସ୍କୃତିସମ୍ପନ୍ନ ଦେଶରେ ପବିତ୍ର ‘ରମ୍‌ଜାନ୍‌’ ମାସର ମନୋରଞ୍ଜନ କାର୍ଯ୍ୟକ୍ରମରେ ରାମାୟଣର ଦୃଶ୍ୟ ଅଭିନୟ ମାଧ୍ୟମରେ ଜନସାଧାରଣ ପ୍ରଦର୍ଶିତ ହେଉଛି । (୨)

 

(୧)

Ramayana in Greater India. By-Dr. V. Raghavan

 

(୨)

The Ramayana Tradition in Asia. –Edited by V. Raghavan and publised by Sahitya Akademi, New Delhi.

 

ଏସିଆ ମହାଦେଶରେ ବିଭିନ୍ନ ରାଷ୍ଟ୍ରରେ ରାମାୟଣର ପ୍ରସାର ପରି ଭାରତର ବିଭିନ୍ନ ଭାଷାଭାଷୀ ରାଜ୍ୟରେ ରଚିତ ରାମାୟଣ ଅନୁବାଦିତ ହୋଇ ପ୍ରଚାରିତ ହୋଇଛି । ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ରଚିତ ରାମାୟଣ ଗ୍ରନ୍ଥ ମଧ୍ୟରେ ତାମିଲ ଭାଷାରେ ମହାକବି କମ୍ବନ୍‌ଙ୍କ ରାମାୟଣ ପ୍ରାଚୀନତମ ବୋଲି ଆଲୋଚକମାନେ ମତ ଦିଅନ୍ତି । ଅବଶ୍ୟ, ଆଞ୍ଚଳିକ ଭାଷାରେ ମିଳୁଥିବା ରାମାୟଣ ମଧ୍ୟରେ ସବୁ ଅବିକଳ ଅନୁବାଦ ନୁହେଁ । କେତେକ ରାଜ୍ୟର କବି ବାଲ୍ମୀକିଙ୍କ ଆର୍ଷରାମାୟଣର ଅବଲମ୍ବନରେ ଖଣ୍ଡିଏ ଖଣ୍ଡିଏ ‘ସ୍ୱତନ୍ତ୍ର’ ରାମାୟଣ ରଚନା କରିଛନ୍ତି ।

 

ଓଡ଼ିଶାର ରାମାୟଣର ପ୍ରଚାର ତଥା ପ୍ରସାର କେବେ ହେଲା, ସେ ସମ୍ବନ୍ଧରେ ନିଶ୍ଚିତ ପ୍ରମାଣ ଐତିହାସିକମାନଙ୍କର ହସ୍ତଗତ ହୋଇନଥିଲେ ମଧ୍ୟ ଏହା ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।

 

ସମ୍ରାଟ ଖାରବେଳଙ୍କଦ୍ୱାରା ନିର୍ମିତ ଉଦୟଗିରିର ରାଣୀଗୁମ୍ଫାରେ ଗୋଟିଏ ମୃଗ ପଛରେ ଧନୁଶରଧାରୀ ପୁରୁଷର ଅନୁଧାବନ ଓ ନିକଟସ୍ଥ ବୃକ୍ଷରେ ଜଣେ ବ୍ୟକ୍ତିଙ୍କର ଆତ୍ମଗୋପନ ସମ୍ବନ୍ଧୀୟ ଚିତ୍ରାବଳୀ ଆମ ଆଗରେ ‘ରାମାୟଣ’ର ସୀତାହରଣ ପ୍ରସଙ୍ଗ ସମ୍ପନ୍ଧରେ ସୂଚନା ଦିଏ । ଅବଶ୍ୟ, ଡକ୍ଟର ଶିବରାମ ମୂର୍ତ୍ତି ପ୍ରଭୃତି କେତେକ ଆଲୋଚକ ଏହାକୁ ରାମାୟଣ ପ୍ରସଙ୍ଗ ନୁହେଁ ବୋଲି ମତ ଦିଅନ୍ତି । କାରଣ, ବୃକ୍ଷ ଉପରେ ଆତ୍ମଗୋପନକାରୀ ମୂର୍ତ୍ତିଟି ଏକ ନାରୀମୂର୍ତ୍ତି ବୋଲି ସେମାନେ ମତ ଦିଅନ୍ତି ।

 

ଭୁବନେଶ୍ୱରର ପ୍ରାଚୀନତମ ମନ୍ଦିର ଲକ୍ଷ୍ମଣେଶ୍ୱର ମନ୍ଦିରରେ ରାବଣର କୈଳାସ ପର୍ବତ ଉତ୍ପାଟନ ଦୃଶ୍ୟ ତଥା ବାନରସେନାର ଆଶିଂକ ଦୃଶ୍ୟ ଥିବାରୁ ‘ରାମାୟଣ’ ଖ୍ରୀଷ୍ଟୀୟ ଷଷ୍ଠ ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଶାର ପୁରପଲ୍ଲୀରେ ସୁପ୍ରଚାରିତ ହୋଇଥିବାର ମନେ କରାଯାଏ । ରାମାୟଣର ଦୃଶ୍ୟାବଳୀ ଖ୍ରୀ: ଅ: ୮ମ ୯ମ ଶତାବ୍ଦୀରେ ନିର୍ମିତ ଭୁବନେଶ୍ୱରର ସୁବର୍ଣ୍ଣ ଜାଳେଶ୍ୱର ମନ୍ଦିରରେ ବିଶେଷ ଭାବରେ ଖୋଦିତ ହୋଇଛି । ଏହି ଦୃଶ୍ୟାବଳୀ ମଧ୍ୟରେ ବାଳୀ ସୁଗ୍ରୀବ ଯୁଦ୍ଧ, ମୟାମୃଗ ବଧ, ସପ୍ତଶାଳ ଭେଦ, ଅଷ୍ଟସେନାପତିଙ୍କ ମନ୍ତ୍ରଣା ଆଦିର ଦୃଶ୍ୟ ଅତୀବ ଆକର୍ଷଣ ଢଙ୍ଗରେ ଖୋଦିତ ହୋଇଛି । ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ଜଗମୋହନ ବାଡ଼ରେ ମଧ୍ୟ ବାନର ସେନାର ଅଭିଯାନ ରାମାୟଣବର୍ଣ୍ଣିତ ଲଙ୍କାକାଣ୍ଡର ଯୁଦ୍ଧ ଘଟଣା ସ୍ମରଣ କରାଇଦିଏ । ଏତଦ୍‌ ବ୍ୟତୀତ, କଟକ ଜିଲ୍ଲାର ଶୁକ୍ଳେଶ୍ୱର ମନ୍ଦିର, ପୁରୀ ଜିଲ୍ଲାର ପ୍ରାଚୀ ନଦୀ କୂଳସ୍ଥ ଚୌରାଶି ଗ୍ରାମର ବାରହୀ ମନ୍ଦିରରେ ସୀତା ହରଣ, ଜଟାୟୁ ବଧ ଆଦି ରାମାୟଣର ଦୃଶ୍ୟାବଳୀ ଖୋଦିତ ହୋଇଥିବାର ଦେଖାଯାଏ ।

 

ଏହିପରି ଭାବରେ ଆଲୋଚନା କଲେ ଜଣାଯାଏ ଯେ, ଓଡ଼ିଶାର ମନ୍ଦିର-ଶିଳ୍ପରେ ରାମାୟଣର ଅପ୍ରତିହିତ ପ୍ରଭାବ ଅନେକ ଦିନରୁ ପଡ଼ିଥିଲା ଏବଂ ତାହାରି ଫଳରେ ଓଡ଼ିଆ ସାହିତ୍ୟରେ ରାମାୟଣର ପ୍ରଚାର ଅଧିକ ହୋଇଥିଲା ।

 

ଓଡ଼ିଶାର ଶେଳ୍ପିକ ଚାତୁରୀରେ ରାମଲୀଳା ପ୍ରଚାରିତ ହେବା ବ୍ୟତୀତ ଓଡ଼ିଶାର ସଂସ୍କୃତ ସାହିତ୍ୟ ମାଧ୍ୟମରେ ରାମାୟଣର ପ୍ରଚାର ହୋଇଥିଲା । ଖ୍ରୀଷ୍ଟୀୟ ଅଷ୍ଟମ ନବମ ଶତାବ୍ଦୀଠାରୁ ଆରମ୍ଭ କରି ବିଭିନ୍ନ ଓଡ଼ିଆ ବିଦ୍ୱାନ୍‌ଙ୍କଦ୍ୱାରା ଲିଖିତ ସଂସ୍କୃତ ଗ୍ରନ୍ଥ ମଧ୍ୟରେ ମୁରାରି ମିଶ୍ରଙ୍କ ଅନର୍ଘ ରାଘବ ନାଟକ, ରାମାୟଣ ସତ୍‌କବିଙ୍କ ରାମାଭ୍ୟୁଦୟ କାବ୍ୟ, ଆଳଙ୍କାରିକ ବିଶ୍ୱନାଥ କବିରାଜଙ୍କ ରାଘବ ବିଳାସ, କବିଚନ୍ଦ୍ର ରାୟ ଦିବାକର ମିଶ୍ରଙ୍କ ‘ଜାନକୀ ବିଳାସ’, ରବୀନ୍ଦ୍ର ମାର୍କଣ୍ଡେୟ ମିଶ୍ରଙ୍କ ‘ଦଶଗ୍ରୀବ ବଧ ମହାକାବ୍ୟ’, ବସୁଦେବ ପହରାଜଙ୍କ ‘ରାଘବଯାଦବୀୟ ମହାକାବ୍ୟ’, କୃଷ୍ଣ ଶ୍ରୀଚନ୍ଦନଙ୍କ ଅଦ୍ଦଦୂତ, ଗୀତ ଗୋବିନ୍ଦର ଅବଲମ୍ବନରେ ଲିଖିତ ଶୀତିକଣ୍ଠଙ୍କ ‘ଗୀତ ସୀତା ବଲ୍ଲଭେଣ’ ଆଦି ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲା ।

 

ଓଡ଼ିଆ ସାହିତ୍ୟରେ ରାମାୟଣର କଥାବସ୍ତୁ ସମ୍ବନ୍ଧରେ ଆଲୋଚନା କଲେ ଜଣଯାଏ ଯେ, କବିକୁଳ-ଗୁରୁ ସାରଳା ଦାସ ସ୍ୱରଚିତ ‘ମହାଭାରତ’ର ବନପର୍ବରେ ସମୁଦାୟ ରାମାୟଣର କଥାବସ୍ତୁକୁ ଅତି ସଂକ୍ଷେପରେ ବର୍ଣ୍ଣନା କରି ପ୍ରାନ୍ତୀୟ ସାହିତ୍ୟରେ ରାମାୟଣର ସୂତ୍ରପାତ କରାଇଥିଲେ । କବି ‘ବନପର୍ବ’ରେ ଭଗୀରଥିଙ୍କ ଜନ୍ମ, ତାଙ୍କଦ୍ୱାରା ଗଙ୍ଗା ଆନୟନ, ସଗର ରାଜାଙ୍କ ବଂଶୋଦ୍ଧାର ପ୍ରଭୃତି ଘଟଣା ଅତି ସଂକ୍ଷେପରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବହୁ କାଳ୍ପନିକ ଆଖ୍ୟାୟିକାର ଅବତାରଣା କରିଛନ୍ତି । ଏହି ପ୍ରସଙ୍ଗରେ ଭଗୀରଥିଙ୍କ ଗଙ୍ଗା ଆନୟନ ସମୟରେ ଜୟନ୍ତକ ଓ ଅଜୟନ୍ତକ ନାମକ ଦ୍ୱାରପାଳ ଦ୍ୱୟଙ୍କ ଶୂଳ ପ୍ରହାର ଫଳରେ ମେରୁଗିରିରୁ ଗଙ୍ଗାଙ୍କ ନିସ୍ତାର ଏବଂ ପରେ ତ୍ରିଧାରା ଗଙ୍ଗାଙ୍କୁ ଶୁଣ୍ଢିଆଣୀ ନିଜ ସୁରାହାଣ୍ଡିରେ ପୂର୍ଣ୍ଣ କରି ରଖିବା ଘଟଣା ପ୍ରଭୃତି କବି ସାରଳା ଦାସଙ୍କର ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ ।

 

ପରବର୍ତ୍ତୀ ପ୍ରକରଣରେ ସାରଳା ଦାସ ଅଦ୍ଭୂତ କଳ୍ପନାଦ୍ୱାରା ରାମାୟଣର କାହାଣୀକୁ ସାଧାରଣ ଜନତାଙ୍କ ମଧ୍ୟରେ ଅତ୍ୟନ୍ତ ରୋଚକ କରାଇ ପାରିଛନ୍ତି । ତାଡ଼କାସୁରୀ ବଧ ପ୍ରକରଣରେ ଏପରି କୌତୂହଳୋଦ୍ଦୀପକ କଳ୍ପନା କରିଛନ୍ତି–

 

‘‘ତ୍ରେତେୟା ଯୁଗର କଥା ଶୁଣ ଯୁଧିଷ୍ଠିରେ

ଦଶରଥ ଲୁଚିଥିଲା ପର୍ଶୁରାମ ଡରେ ।।

ଅପୁତ୍ରିକ ଦୋଷେ ତାକୁ ପର୍ଶୁ ନ ମାଇଲେ,

ଯହୁଁ ତା’ର ଚାରିପୁତ୍ର ଜନମ ହୋଇଲେ ।।

 

ତାଙ୍କୁ ପର୍ଶୁରାମଠାରୁ କଲାକ ଗୁପତ,

ଅନ୍ତଃପୁରୁ ବାହାର ନକରେ ଦଶରଥ ।।

ପାତ୍ର ଅମାତ୍ୟ ଏ ଆଦି ଜାଣନ୍ତି ସକଳ,

ଗୁପ୍ତେ ସାତ ବର୍ଷ କଲେ ତାଙ୍କୁ ମହୀପାଳ ।।’’

 

ଏହି ସମୟରେ ବିଶ୍ୱାମିତ୍ର ମହର୍ଷି ତାଡ଼କାସୁରୀର ବଧ ନିମିତ୍ତ ଚିନ୍ତିତ ହୋଇ ତପସ୍ୟା କରୁଥିବା ସମୟରେ ଗୋଟିଏ ଅଦ୍ଭୂତ ଘୋଟକ ଆସି ସେଠାରେ ଉପସ୍ଥିତ ହେଲା । ସେ ଘୋଟକ ସର୍ବାଙ୍ଗରେ ଛେଲ, ନାରାଚ, ଶାବେଳୀ, ଚକ୍ର, ଯଷ୍ଟି, ଲାଙ୍କିଆ, ତ୍ରୋଣ, ନବନିଶୀକୁନ୍ତ ଗଦା ମୁଦ୍‌ଗର, ଫଳା ଆଦି ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଥିଲା । ଧବଳ ବର୍ଣ୍ଣର ଘୋଟକ ଏହିପରି ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ବିଶ୍ୱାମିତ୍ରଙ୍କ ସମ୍ମୁଖରେ ପହଞ୍ଚିବା କ୍ଷଣି ଏକ ତୀକ୍ଷ୍‌ଣ ଖଡ଼୍‌ଗ ଆସି ସେଠାରେ ପଡ଼ିଲା-। ଧବଳବର୍ଣ୍ଣ ଘୋଟକରେ ଚଢ଼ି, ଦଶରଥଙ୍କ ଗୃହରେ ଜାତ ହୋଇଥିବା ରାମଲକ୍ଷ୍ମଣ, ଏହି ଖଡ଼୍‌ଗଦ୍ୱାରା ତାଡ଼କାସୁରୀକୁ ସଂହାର କରିବେ ବୋଲି ଆକାଶବାଣୀ ହେଲା । ବିଶ୍ୱାମିତ୍ର ତତ୍ପରେ ଅଯୋଧ୍ୟାକୁ ଯାଇ ରାମ ଲକ୍ଷ୍ମଣଙ୍କୁ ନେବା ଲାଗି ଦଶରଥଙ୍କଠାରେ ଅନୁରୋଧ କଲେ । କିନ୍ତୁ ଦଶରଥ ତାଙ୍କର ପୁତ୍ର ନାହିଁ ବୋଲି କହନ୍ତେ ବିଶ୍ୱାମିତ୍ର ଅଦ୍ଭୂତ ଘୋଟକ, ଖଡ଼୍‌ଗ ଓ ଆକାଶବାଣୀ ସମ୍ବନ୍ଧରେ କହିଲେ । ତହୁଁ ଦଶରଥ ବିଶ୍ୱାମିତ୍ରଙ୍କଠାରେ ପୁତ୍ରଦୁହିଁଙ୍କୁ ସମର୍ପଣ କଲେ । ବିଶ୍ୱାମିତ୍ରଙ୍କ ନିର୍ଦ୍ଦେଶରେ ରାମ ଲକ୍ଷ୍ମଣ ଗଙ୍ଗା ନଦୀରେ ସ୍ନାନ କରନ୍ତେ ଶୁଣ୍ଡିଆଣୀ ହାଣ୍ଡିରେ ପଶିଥିବା ଦୋଷରୁ ଗଙ୍ଗା ମୁକ୍ତ ହୋଇଥିଲେ ।

 

କବି ସାରଳା ଦାସ ପରର୍ବତ୍ତୀ ପ୍ରକରଣରେ ରାମାୟଣର ସମୁଦାୟ ଘଟଣା ଅଥାତ୍‌ ଚମ୍ପାବତୀ ନଗରୀରେ ଅନାବୃଷ୍ଟି, ଜରତା ବେଶ୍ୟାଦ୍ୱାରା ଋଷ୍ୟଶୃଙ୍ଗଙ୍କ ଆନୟନଠାରୁ ଆରମ୍ଭ କରି ଲଙ୍କାରୁ ଫେରିଆସି ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ସମସ୍ତ କଥାବସ୍ତୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି । କବି ସାରଳା ଦାସ ଦଶରଥଙ୍କ ଅପୁତ୍ରିକ ହେବାର କାରଣ ସ୍ୱରୂପ ଲେଖିଛନ୍ତି–

 

‘‘ବାବୁ ଦଶରଥ ରାଜା ଅପୁତ୍ରିକ ଥିଲା

ଋଷ୍ୟଶୃଙ୍ଗ ଯୋଗୁ ଚାରିପୁତ୍ର ସେ ପାଇଲା

।।

ମାର୍କଣ୍ଡ ବୋଇଲେ ଶୁଣ ଯୁଧିଷ୍ଠିର ରାଣ

ଦଶରଥ ଅପୁତ୍ରିକ ହେବାର କାରଣ

।।

x             x             x            x

।।

ରାଜା ଦଶରଥ ତୁଲେ ବାସବ ମଇତ୍ର

ଶନି ପ୍ରବେଶ ହୋଇଲେ ରୋହିଣୀ ନକ୍ଷତ୍ର

।।

ରୋହିଣୀ ବୃଷରାଶି ଯେ ଦଶରଥଙ୍କର

ରୋହିଣୀ ବୃଷଭ ରାଶି ପୁଣି ଇନ୍ଦ୍ରଙ୍କର

।।

ସେ କାରଣୁ ବହୁ ପ୍ରୀତି ଏ ଦୁହିଁଙ୍କ ଜାଣ

ନକ୍ଷତ୍ର ବନ୍ଦାପନା ଯେ କରେ ସୁରରାଣ

।।

ମାତଳୀକୁ ରାଇ ଆଜ୍ଞା ଦେଲେ ସୁରପତି

ରଥ ଘେନିଣ ଅଯୋଧ୍ୟା ଯାଅ ହେ ଝଟତି

।।

ଏଠା ଉତ୍ସବ କହିବ ମଇତ୍ରର ଆଗେ

ଦଶରଥ ରାଜାଙ୍କୁ ତୁ ଘେନିଆସି ବେଗେ

।।

କଇକେଈଙ୍କି କହିଲେ ଯାଇ ମହୀପାଳ

ତୁମ୍ଭେ ରାଜ୍ୟ ସମ୍ଭାଳ ମୁଁ ଯିବି ସୁରଆଳ

।।

ଗମନ ଦିନୁ ରହିଲେ ରାଜା ପାଞ୍ଚଦିନ

ଏଣେଯେ କୈକେଈରାଣୀ ହେଲେ ଋତୁସ୍ନାନ

।।

ମନ୍ତରାକୁ ହକାରିଣ ବୋଇଲେ କୈକେୟୀ

ସ୍ୱର୍ଗପୁରୁ ରାଜାଙ୍କୁ ତୁ ଘେନିଆସ ଯାଇ

।।

ବାସବ ଆଗେ କହିଲେ ରାଜା ଦଶରଥ

ଅଯୋଧ୍ୟାକୁ ଯିବି ଆଜ୍ଞା ଦିଅ ସୁରନାଥ

।।

ବିମାନେ ବସିଲେ ରାଜା ହୋଇଣ ଆନନ୍ଦ

ଭୋଳେ ଲମ୍ବାଇଣ ଥିଲେ ତାଙ୍କ ବେନିପାଦ

।।

 

ଏହାପରେ ରାଜା ବିମାନରେ ବସି ଆସୁଥିବା ସମୟରେ ବେଦମାତା ‘କପିଳା’କୁ ଦେଖି ତାଙ୍କ ଉପରେ ଭ୍ରମବଶତଃ ପାଦପ୍ରହାର କରନ୍ତେ ସେ ‘ଅପୁତ୍ରିକ ହୁଅ’ ବୋଲି ଅଭିଶାପ ଦେଲେ । ତହୁ ରାଜା ବିବ୍ରତ ହୋଇ କପିଳା ଧେନୁର ସେବାରେ ଆତ୍ମନିୟୋଗ କରିଥିଲେ । ରାଜା କଠୋର ନିୟମ ପାଳନ କରୁଥିବା ସମୟରେ, ଦିନେ କପିଳାଧେନୁ ରାଜାଙ୍କୁ ପରୀକ୍ଷା କରିଥିଲେ । ରାଜା ସେହି କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୋମାତାଙ୍କଠାରୁ ପୁତ୍ରପ୍ରାପ୍ତି ନିମିତ୍ତ ବର ଲାଭ କରିଥିଲେ ।

 

ଏହି କଥାବସ୍ତୁ ପ୍ରତି ଦୃଷ୍ଟି ଦେଲେ ଜଣାଯାଏ ଯେ ବିଚକ୍ଷଣ ପ୍ରତିଭାସମ୍ପନ୍ନ କବି ସାରଳା ଦାସ ରଘୁବଂଶ ମହାକାବ୍ୟର ଦିଲୀପ-ନନ୍ଦିନୀ ଉପାଖ୍ୟାନଟିକୁ ଏଠାରେ ଦଶରଥ-କପିଳା ସମ୍ବାଦ ରୂପେ ଉଲ୍ଲେଖ କରିଛନ୍ତି । କବି ସାରଳା ଦାସ ମହାଭାରତର ‘ବନପର୍ବ’ରେ ରାମାୟଣ ଉପାଖ୍ୟାନ ବର୍ଣ୍ଣନା କରି କ୍ଷାନ୍ତ ହୋଇ ନାହାନ୍ତି; ସେ ‘ସପ୍ତକାଣ୍ଡ ରାମାୟଣ’ ଶୀର୍ଷକ ଖଣ୍ଡିଏ ସଂକ୍ଷିପ୍ତ ରାମାୟଣ ପୁସ୍ତକ ରଚନା କରି ଓଡ଼ିଶାରେ ପ୍ରଥମ ରାମାୟଣ ରଚୟିତା ରୂପେ ଖ୍ୟାତି ଅର୍ଜନ କରିଛନ୍ତି ।

 

‘ସପ୍ତକାଣ୍ଡ ରାମାୟଣ’ ଶୀର୍ଷକ ପୋଥିଟି ଅଦ୍ୟାପି ପାଠକମାନଙ୍କ ହସ୍ତଗତ ହୋଇ ନ ଥିଲା; କିନ୍ତୁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ଖଣ୍ଡିଏ ରାମାୟଣ ପୋଥି ୧୯୭୦ ମସିହାରେ ସଂଗୃହୀତ ହୋଇ ରାଜ୍ୟ ସଂଗ୍ରାହଳୟ ସଂରକ୍ଷିତ ହୋଇଛି । ଉକ୍ତ ପୁସ୍ତକର ଅଧ୍ୟୟନରୁ ଜଣାଯାଏ ଯେ ତାହା ମହାଭାରତ ପରି ଏକ ସ୍ୱତନ୍ତ୍ର ଗ୍ରନ୍ଥ । କେବଳ ରାମାୟଣର ମୌଳିକ କଥାବସ୍ତୁ ସହିତ କବି ଯୋଗସୂତ୍ର ସ୍ଥାପନ କରି ଖଣ୍ଡିଏ ନୂତନ ରାମାୟଣ ପୋଥି ରଚନା କରିଛନ୍ତି । ଓଡ଼ିଆ ସାହିତ୍ୟରେ ଏହା ପ୍ରଥମ ରାମାୟଣ ରଚନା ବୋଲି ନିଶ୍ଚିତ ଭାବରେ କୁହାଯାଇ ପାରିବ ।
 

ଯୁଧିଷ୍ଠିର ବନବାସ ସମୟରେ ମାର୍କଣ୍ଡେୟ ମହର୍ଷିଙ୍କୁ ରାମାୟଣ ଚରିତ ପଚାରନ୍ତେ, ମୁନି ସଂକ୍ଷେପରେ ତାହା ବର୍ଣ୍ଣନା କରିଛନ୍ତି–

 

ମାରକଣ୍ଡ କହନ୍ତି ଯୁଜେଷ୍ଟିଙ୍କି ଶ୍ରୀରାମାୟେଣ ଆଦ୍ୟକାଣ୍ଡ କଥା ।

ଅର୍ଜୁନ ଯେ ସ୍ୱର୍ଗକୁ ଯାଇଛି ନିବାଚ କପଚ ମାରିରଖିବ କଥା ।

ଇନ୍ଦ୍ର କଶ୍ୟପଙ୍କୁ ପଠିଆଇଲା ।

ପାଣ୍ଡବଙ୍କୁ ଘେନି ସେ ତୀର୍ଥରେ ବୁଲିଲା ।

 

ତହୁଂ ଯୁଜେଷ୍ଟି ପଚାରିଲେ ଋଷିଶୃଙ୍ଗ କାହୁଂ ଜନ୍ମି ।

ଏହାଙ୍କର ବୃତ୍ତାନ୍ତ କହ ମହାମୁନି ।।

ତାହାଙ୍କର ମାତାପିତା କେ କହ ।।

ତବ ମୁଖୁ ଶୁଣି ଫିଟିବ ସନ୍ଦେହ ।।

 

ମାରକଣ୍ଡ କହନ୍ତି ରାଜା ଯୁଜେଷ୍ଟିଙ୍କୁ ।

ଇନ୍ଦ୍ର ଦିନେ ଖଟଣି ରାଇଲା ବେଶ୍ୟାମାନଙ୍କୁ ।।

ଚିତ୍ରପତି ନ ପାରି ଶୁଣିଲା ଇନ୍ଦ୍ରଙ୍କର କଥା ।

କୋପେ ଇନ୍ଦ୍ର ବୋଇଲା ତୁ ସ୍ୱର୍ଗରେ ନ ଥା ।।

 

ମଞ୍ଚରେ ଯାଇ କୁରଙ୍ଗୀ ହୋଇବୁ ।

ମଞ୍ଚରେ କୁରଙ୍ଗୀ ହୋଇଣ ରହିବୁ ।।

 

ସେହି ପ୍ରସଙ୍ଗରୁ ଜଣାଯାଏ ଯେ ଦିନେ ସମସ୍ତ ସ୍ୱର୍ଗବେଶ୍ୟାଙ୍କୁ ଇନ୍ଦ୍ର ନିଜ ‘ଖଟଣି’ରେ ଲଗାଇଲେ । କିନ୍ତୁ ଚିତ୍ରପତି ( ଚିତ୍ରବତୀ) ଇନ୍ଦ୍ରଙ୍କ ଆଜ୍ଞା ଅବଜ୍ଞା କରିବାକୁ, ତାକୁ ମର୍ତ୍ତ୍ୟରେ ମୃଗୀ ରୂପରେ ଜନ୍ମିବାକୁ ଇନ୍ଦ୍ର ଅଭିଶାପ ଦେଲେ । ତହୁଁ ଚିତ୍ରବତୀ ନିଜର ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା କରିବାରୁ ଇନ୍ଦ୍ର କହିଲେ–‘‘ତୁ ଭଦ୍ରାନଦୀ କୂଳରେ ଥିବା ବନମାର୍ଗରେ ବୁଲୁଥିବୁ, ବିଭାଣ୍ଡକ ଋଷି ପିଙ୍ଗଳା ନାମ୍ନୀ ଶବରଣୀର ନଗ୍ନ ରୂପରେ ମୁଗ୍‌ଧ ହୋଇ କାମସନ୍ତପ୍ତ ହୁଅନ୍ତେ ତାଙ୍କର ରେତ ଜଳରେ ସ୍ଖଳିତ ହେବ । ତୃଷାର୍ତ୍ତ ହୋଇ ତୁ ସେହି ଜନ ପାନ କରନ୍ତେ, ତୋ’ପରେ ତୋ’ ଗର୍ଭରେ ମାଦକ ସନ୍ତାନ ଦିନକୁ ଦିନ ବଢ଼ି ଉପଯୁକ୍ତ ସମୟରେ ଜନ୍ମଗ୍ରହଣ କରିବ । ତା’ପରେ ତୋ’ର ଅଭିଶାପ ମୋଚନ ହୋଇଯିବ ।’’

 

କବି ସାରଳା ଦାସଙ୍କ ସପ୍ତକାଣ୍ଡ ରାମାୟଣର ବିଷୟବସ୍ତୁ ଏହିଠାରୁ ଆରମ୍ଭ ହୋଇ ଶ୍ରୀରାମଚନ୍ଦ୍ରଙ୍କର ବାନପ୍ରସ୍ଥ ଆଚରଣ ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇଛି ।

 

ସାରଳା ଦାସ ସ୍ୱରଚିତ ରାମାୟଣରେ ବହୁ କାଳ୍ପନିକ ଆଖ୍ୟାନ ସଂଯୋଗ କରି ପୁସ୍ତକଟିକୁ ଅତ୍ୟନ୍ତ ରସାଣିତ କରିଛନ୍ତି । ଉଦାହରଣ ସ୍ୱରୂପ, ଶ୍ରୀରାମଚନ୍ଦ୍ରଙ୍କ ବିବାହ ପ୍ରସଙ୍ଗରୁ ଗୋଟିଏ ଆଖ୍ୟାନ ଏଠାରେ ଉଦ୍ଧୃତ ହେଲା ।

 

ବିବାହ ପରେ ବରକନ୍ୟା ଅଯୋଧ୍ୟାରେ ପ୍ରବେଶ କରିବା ମାତ୍ରେ ସେଠାରେ କୁବୁଜା ନାମକ ଏକ ଦୈତ୍ୟ ଶ୍ରୀରାମଙ୍କ ପଥରୋଧ କଲା । ଶ୍ରୀରାମଚନ୍ଦ୍ର ତାକୁ ସଂହାର କରିବା ଲାଗି ‘ନବସସ୍ର ମାଲ’ ପଠାନ୍ତେ ଅସୁର ସଙ୍ଗେ ସଙ୍ଗେ ସେମାନଙ୍କୁ ଗିଳିଦେଇ ନିଜର କରଚରଣକୁ ଗର୍ଭରେ ପୁରାଇ ରଖିଲା । ତତ୍ପରେ ଘୋରତର ସମର ହେବାରୁ କୁବୁଜା ଦୈତ୍ୟର ଗର୍ଭରୁ ଅଗ୍ନିଦୈତ୍ୟ ବାହାର ହୋଇ ଯୁଦ୍ଧ ଆରମ୍ଭ କଲା ଏବଂ ସଙ୍ଗେ ସଙ୍ଗେ ଆହୁରି ବହୁସଂଖ୍ୟକ ଅସୁର କୁବୁଜାସୁର ଗର୍ଭରୁ ବାହାରି ଶ୍ରୀରାମଙ୍କ ସହିତ ଯୁଦ୍ଧ ଆରମ୍ଭ କରିଦେଲେ । ତହୁଁ ଶ୍ରୀରାମ ‘ଦିଗବାସିନୀ ବେତାଳୀ’କୁ ସ୍ମରଣ କରି ‘ରୁଦ୍ରଶର’ରେ ଅସୁରକୁ ବିନାଶ କଲେ ।

 

‘‘ଦଶରଥ ପ୍ରଶୁରାମର ମାନ୍ୟ ଦେଖି ହରଷିତ ହୋଇ ।

ଶଙ୍ଖବାଦ୍ୟମାନ କରି ଆନନ୍ଦେ ଚଳଇ ।।

ଅଯୋଧ୍ୟା ନଗ୍ରେଂ ବୁଲି ସିଂହଦ୍ୱାରେଂ ଯାଇ ।

କୁବୁଜାନାମେ ଏକ ଦୈତ୍ୟ ମାୟାରୂପ ହୋଇ ।।

 

ସିଂହଦ୍ୱାରେଂ ଦ୍ୱାରପାଳ ଦଶଙ୍ଗାର ସୁତ ।

ଶ୍ରୀରାମଙ୍କୁ ପଥ ଉଗାଳିଲାକ ଦଇତ୍ୟ ।।

ରାମ ନବ ସହସ୍ର ମାଲ ପଠାଇଲେ ତୁରିତେ ।।

ଦ୍ୱାରୁଂ ଅସୁରକୁ ଉଠାଅ ଶୀଘ୍ରଗତେ ।।

 

ନବ ସହସ୍ର ମାଲଙ୍କୁ ଦତ୍ୟ ଗିଳିଦେଲା ।

ଦେଖିଣ ଶ୍ରୀରାମ ତାଟକା ହୋଇଲା ।।

କରଚରଣ ଆପଣା ଗର୍ଭେ ଭରିଥାଇ ।

ସନ୍ୟ ମିଳିଲେ ପୁଣ ବାହାର କରଇ ।।

 

ଦେଖିଣ ତାହାକୁ ପଚାରିଲେ ରଘୁନାଥ ।

କି ନାମ ତୋହରରେ ଅଟୁ କାହା ସୁତ ।।

ଡାକ ନ ଶୁଣଇ ଦତ୍ୟ କହଇ କୋପ କରି ।

ଅଯୋଧ୍ୟାର ଯେତେ ଲୋକ ଆହାର ମୋହରି ।।

 

ଏତେ ବୋଲି ଅଗ୍ନିଦୈତ୍ୟ ଗର୍ଭରୁ ବାହାରିଲା ।

ସାତତାଳ ପ୍ରଚଳ ହୋଇଣ ଲାଗିଲା ।।

ଶ୍ରୀରାମ ପଥର ଶର ମାଇଲେ ଦୈତ୍ୟକୁ ।

ମଳମୂତ୍ର ଛାଡ଼ି ଡାକିଲା ଶ୍ରୀରାମଙ୍କୁ ।।

 

ପୁଣି ରାମଚନ୍ଦ୍ର ମାଇଲେ ସୂଞ୍ଚି ମୂନା ।

ପଡ଼ିଣ ଦୈତ୍ୟ ପରେ ହୋଇଲା ବାଣ ଚୂନା ।।

ପୁଣି ତୀକ୍ଷ୍‌ଣ ଶର ମାଇଲେ ରଘୁନାଥ ।

ବେନିଫାଳ ହୋଇ ପଡ଼ିଲା ଦଇତ ।।

 

ଗର୍ଭରୁ ଦୈତ୍ୟମାନେ ଜନମ ହୋଇ ।

ଦେଖିଣ ଶ୍ରୀରାମ ତବଦ ଗଲେ ହୋଇ ।।

ଦିଗ ବାସିନୀ ବେତାଳୀକି ଶ୍ରୀରାମ ଚିନ୍ତିଲେ ।

ରୂଦ୍ରାଶର ବସାଇ ଦୈତ୍ୟକୁ ବିନାଶିଲେ ।’’

 

ଶ୍ରୀରାମଚନ୍ଦ୍ର ଦୈତ୍ୟକୁ ବିନାଶ କରି ରାଜପୁର ମଧ୍ୟରେ ପ୍ରବେଶ କରିବା ପରେ ସୀତାଦେବୀ ରଜୋବତୀ ହୋଇଥିବାରୁ ସୀତା-ରାମଙ୍କର ‘ମଧୁଯାମିନୀ’ ହୋଇ ପାରିଲା ନାହିଁ । ତହୁ ଦଶରଥ କୁଳ ପୁରୋହିତ ବଶିଷ୍ଠଙ୍କୁ ଡକାଇ ଜ୍ୟୋତିଷ ଗଣନା ଆରମ୍ଭ କଲେ । ମହାଭାରତର ବିଭିନ୍ନ ପ୍ରସଙ୍ଗରେ ବ୍ୟାସ କବି ସାରଳାଦାସ ଯେପରି ତିଥି, ବାର, ନକ୍ଷତ୍ର ଓ ଶୁଭ ଲଗ୍ନର ବିଚାର କରି ନିର୍ଘଣ୍ଟ ଦିନ ସ୍ଥିର କରିଛନ୍ତି, ରାମାୟଣରେ ମଧ୍ୟ ସୀତା ରାମଙ୍କର ବନ୍ଦାପନା ଉତ୍ସବର ପାଳନ ଲାଗି ଅନୁରୂପ ଜ୍ୟୋତିଷ ଗଣନାର ଅବତାରଣା କରିଛନ୍ତି–

 

‘‘ମୁନି କହନ୍ତି ମନ୍ତ୍ରୀମାନେ ନବମୀ ମୂଳା ନକ୍ଷତ୍ରେ ।

କୃଷ୍ଣପକ୍ଷ ଉଣଇଶ ଦିନରେ ମାତ୍ରେ ।।

ସୀତୟା ଯୁବତୀ । ହୋଇଲେ ରଜୋବତୀ ।।

ମୁନିମାନେ ବିଚାରିଲେ ରଜ ବୃହସ୍ପତି ବାରେ ଯେ ଚଳିଲା ।

ଆଠଦିନ ଅବିଗୁଣ ବୁଝିବା ବୋଇଲା ।।

 

ସତାଇଶ ନକ୍ଷତ୍ର ୟେମନ୍ତେ ବୁଝିଲେ ।

ମୂଳାନକ୍ଷତ୍ର ହୋଇଛି ବିଚାରି ବୋଇଲେ ।

ପଶ୍ଚାନ୍ତେ ଭାରିଜାକୁ କୋପ କରନ୍ତା ସ୍ୱାମୀ ।

ୟେତେ ବୋଲି ହୋମ ଯଜ୍ଞ କରାନ୍ତି ମୋହାମୁନି’’ ।।

 

ଶ୍ରୀରାମ ଅଯୋଧ୍ୟାରେ ଯୁବରାଜ ପଦରେ ଅଭିଷିକ୍ତ ହେବାର ଆୟୋଜନ ହୁଅନ୍ତେ, ଦେବତାମାନଙ୍କ ମଧ୍ୟରେ ବିଷାଦର ଛାୟା ଖେଳିଗଲା । ଦେବତାମାନଙ୍କର ଚିନ୍ତାର ନିରାକରଣ ନିମିତ୍ତ ବ୍ରହ୍ମା ସେମାନଙ୍କୁ ଆଗତ-କଥାମାନଙ୍କ ସମ୍ବନ୍ଧରେ ଜଣାଇଥିଲେ । ସାରଳା ଦାସ ସେ ଆଖ୍ୟାନଟିକୁ ବର୍ଣ୍ଣନା କରି ଲେଖିଛନ୍ତି–

 

‘‘ଦେବଗଣମାନେ କହିଲେ ଶୁଣ ବ୍ରହ୍ମା ।

ରାମ ରଜା ହୋଇଲେ ନ ମାରିବେ ଦାନବା ।।

ଧାତା ବୋଇଲେ କାହିଁ ରାମ ବନବାସ ଯିବ ।

ଦଶରଥ ତନୁ ଛାଡ଼ିବ ଦେଖିବ ତୁମ୍ଭେ ସର୍ବ ।।

 

ବ୍ରହ୍ମା ବୋଇଲେ ବସୁମାତା ଜାତ ହୋଇଛି ମନ୍ଥନୀ ନାମ ବହି ।

ରାବଣ ଭାରା ଆଉ ନ ପାରନ୍ତି ସହି କେହି ।।

ସେହି ଅପଗୁଣ କକୟାକୁ କହିଦେବ ।

କକୟା ବଚନେ ରାମ ବନବାସ ଯିବ ।।

 

ତୁମେ ଚିନ୍ତା ନକର ସେ ମନ୍ଥରା ବସୁମତୀ ସେଇ ।

ସାରଦାକୁ କହିଲେ କକୟା କଣ୍ଠରେ ବିଜେ କର ଯାଇ ।।’’

 

ସାରଳା ଦାସ ଏହି ଅଖ୍ୟାନ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବାଲ୍ମୀକିଙ୍କ ଆଖ୍ୟାୟିକା ଅନୁସାରେ ସ୍ୱଚରିତ ରାମାୟଣର କଥାବସ୍ତୁ ପ୍ରସ୍ତୁତ କରିଛନ୍ତି । ମନ୍ଥରା ଓ କୈକେୟୀଙ୍କ ଆଲୋଚନା ପ୍ରସଙ୍ଗରେ କବି ‘ଧ୍ରୁବଚରିତ’ ଓ ମନ୍ଦାରକିଲାଳ ଉପାଖ୍ୟାନ ଆଦି ବର୍ଣ୍ଣନା କରି ବିଷୟ ବସ୍ତୁକୁ ଅଧିକ ରୋଚକ କରାଇଛନ୍ତି । ଏହି ପ୍ରସଙ୍ଗରେ କବି ସାବିତ୍ରୀ ଉପାଖ୍ୟାନ ପରି କେତୋଟି ଉଦାହରଣୀୟ ଚରିତ ମାଧ୍ୟମରେ ସ୍ୱଚରିତ ରାମାୟଣଟିକୁ ମହାଭାରତ ପରି ଲୋକପ୍ରିୟ କରାଇଛନ୍ତି ।

 

ଏହି ପ୍ରସଙ୍ଗରେ କବି ସାରଳା ଦାସ ଗୋଟିଏ ଆଖ୍ୟାନ ଏଠାରେ ବର୍ଣ୍ଣନା କରିଛନ୍ତି । ଶ୍ରୀରାମଙ୍କ ବନବାସ ସମୟରେ କୈକେୟୀଙ୍କ ଆଚରଣ ସମ୍ପର୍କରେ ସାରଳା ଦାସ ଏକ ନୂତନ ତଥ୍ୟ ପରିବେଷଣପୂର୍ବକ ପାଠକମାନଙ୍କ ସହାନୁଭୂତି ଆହରଣ କରିଛନ୍ତି ।

 

ପିଲାଦିନେ ଶ୍ରୀରାମଚନ୍ଦ୍ର ମନ୍ଥରାକୁ ପାଦପ୍ରହାର କରିଥିବାରୁ ସେ ତା’ର ପ୍ରତିଶୋଧ ନେବାପାଇଁ କୈକେୟୀଙ୍କୁ ବିଭ୍ରାନ୍ତ କରିଥିଲା । ରାମ, ଲକ୍ଷ୍ମଣ ଓ ସୀତା ବନକୁ ଯିବାବେଳେ କୈକେୟୀ ସେମାନଙ୍କୁ ମଚ୍ଛମୁଦି ମଣି ଓ ଚନ୍ଦ୍ର କଳାମଣି ମାଗି ନାରୀସମାଜରେ ନିନ୍ଦିତା ହୋଇଥିଲା । ସାରଳା ଦାସ ସେହି ପ୍ରସଙ୍ଗଟିକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି–

 

‘‘ବାଳକାଳେ ପାଦ ମାଇଲେ ରାମ ମନ୍ଥନୀକି ।

ସେହି ଅବିଗୁଣ ଧରି ବନକୁ ପେଷିଲେ ନିକି ।।

ପିତାଙ୍କୁ ପ୍ରବୋଧ ଦେଇ ବାହାରନ୍ତେ ।

କୈକୟା ପଥରେ ଓଗାଳିଲେ ଶ୍ରୀରାମ ସାକ୍ଷାତେ ।।

 

ସମ୍ପଦ ନେଉଛୁ କି ରାଜପଣ କରିବ ମୋର ପୋଅ ।

ରାମ ବୋଇଲେ ମୁଁ କି ନେଉଛି କହିବା ସନ୍ଦେହ ।।

ବୋଇଲେ ମଚ୍ଛମୁଦି ନେଉଛୁ ବୋଲି ତାକୁ କହି ।

ଶୁଣି ରାମ ଧନୁ ଭାଞ୍ଜିବା କଥା କହନ୍ତି ତାକୁ ରହି ।।

 

ଜନେକ ଏ ମୁଦି ଦେଇଛନ୍ତି ଏ ତୁମ୍ଭର ନୋହଇ ।

ସୀତାକୁ ବୋଇଲେ ମଣି ଦିଅ ବଇଦେହୀ ।।

ସୀତା ବୋଇଲେ ବାଳକାଳେ ଧୂଳି ଖେଳିବା ବେଳେ ।

ମୋତେ ଋଷି ଦେଇଛନ୍ତି ଶୁଣିମା ଗୋ ଭଲେ ।।

 

ଧୂଳିଭିକ୍ଷା ଦେଲାକୁ ମଣି

ପିତାଙ୍କୁ ମୁଁ ଦେଲି ପିତା ମୋ ଗଳାରେ ଦେଲେ ଆଣି ।।

 

ଶୁଣି କକୟାକୁ ନାରୀମାନେ ଧିକ୍‌କାରିଲେ ।

ଲଜ୍ଜା ପାଇ କକୟୀ ଲକ୍ଷ୍ମଣକୁ ଚାହିଂଲେ ।।

ଚନ୍ଦ୍ରକଳାମଣି ଲକ୍ଷ୍ମଣ ଗଳାରେ ଅଛି ।

ତାହା ନ ମାଗି ମନ୍ଦିରେ ପଶିଲା ସୁହାସୀ’’ ।।

(ସପ୍ତକାଣ୍ଡ ରାମାୟଣ–ଅଯୋଧ୍ୟା)

 

କବି ସାରଳା ଦାସ ଏହିପରି ଭାବରେ କେତେଗୁଡ଼ିଏ କାଳ୍ପନିକ କଥାବସ୍ତୁର ସଂଯୋଗରେ ସ୍ୱରଚିତ ରାମାୟଣଟିକୁ ମନୋଜ୍ଞ କରିଛନ୍ତି ।

 

କବି ସାରଳା ଦାସ ପ୍ରତ୍ୟେକ ‘କାଣ୍ଡ’ ଶେଷରେ ନିଜ ନାମ ସିଦ୍ଧେଶ୍ୱର ଦାସ ବୋଲି ଭଣିତା କରିଛନ୍ତି । ଏହି ଭଣିତା ତଥା ସପ୍ତକାଣ୍ଡ ରାମାୟଣରେ ଭାଷା ଓ ଏ ରଚନାଶୈଳୀରୁ ଏହା କବିଙ୍କ ପ୍ରାରମ୍ଭିକ ରଚନା ବୋଲି ଅନୁମାନ କରାଯାଏ । ସାରଳା ଦାସଙ୍କ ରଚିତ ସପ୍ତକାଣ୍ଡ ରାମାୟଣର ଅନ୍ୟାନ୍ୟ ‘କାଣ୍ଡ’ ଗୁଡ଼ିକ ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଆଲୋଚନା ହେବ ।

 

 

କ୍ୟୁରେଟର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର - ୧୪

 

***

 

ରାଣୀ କର୍ପୂରଶ୍ରୀ

ଶ୍ରୀ ଯଜ୍ଞ କୁମାର ସାହୁ

 

ଏକାଦଶ ଶତକର ଶେଷ ଦଶନ୍ଧି । ସୋମବଂଶୀ ସମ୍ରାଟ ମହାଶିବ ଗୁପ୍ତ ଶ୍ରୀ କର୍ଣ୍ଣଦେବଙ୍କ ରାଜତ୍ୱରେ ଷଷ୍ଠ ସମ୍ବତ୍ସର । ତିଥି ଆଶ୍ୱିନ ଶୁକ୍ଳ ଦ୍ୱାଦଶୀ । ସେଦିନ ସୋମବଂଶୀ ସାମ୍ରାଜ୍ୟର ରାଜଧାନୀ ଯଯାତିନଗରରେ ଏକ ବିଶେଷ ଦରବାରର ଆୟୋଜନ ଚାଲିଥିଲା । କର୍ପୂରଶ୍ରୀ ନାମ୍ନୀ ଜଣେ ବିଦୂଷୀ ନାରୀଙ୍କୁ ଦାନ ଓ ପଦବୀରେ ସମ୍ମାନିତା କରିବା ଥିଲା ଏହି ଉତ୍ସବର ଉଦ୍ଦେଶ୍ୟ । କର୍ପୂରଶ୍ରୀ ‘‘ଉତ୍କଳଦେଶୀୟ ସୋଳନପୁର ମହାବିହାର’’ରୁ ବିଦ୍ୟାଶିକ୍ଷା ସମାପନ କରି ସମ୍ଭବତଃ ସେଠାରେ ମଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ଥିଲେ । ତାଙ୍କର ପାଣ୍ଡିତ୍ୟ ଓ ଯଶ କ୍ରମେ ପ୍ରସାରଲାଭ କଲା । ମହାରାଜାଧିରାଜ କର୍ଣ୍ଣଦେବ ଜଣେ ନାରୀର ଏତାଦୃଶ ବିଦ୍ୟା-ସାଧନାରେ ପ୍ରୀତ ହୋଇ ତାଙ୍କୁ ସମ୍ମାନିତ କରିବା ପାଇଁ ଯଯାତିନଗରରେ ଦରବାରର ଆୟୋଜନ କଲେ । ଏଥିରେ କର୍ପୂରଶ୍ରୀଙ୍କୁ ଉତ୍ତର-ତୋଷାଳୀର ଅଷ୍ଟାବିଂଶ ଖଣ୍ଡ ସମେତ ସଂକୋଣା ଗ୍ରାମ ପ୍ରଦାନ କରି ସେହି ଅଞ୍ଚଳର ମୁଖ୍ୟ ପ୍ରଶାସିକା ରୂପେ ତାଙ୍କୁ ରାଣୀ ପଦବୀରେ ବିଭୁଷିତା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ରାଜା କର୍ଣ୍ଣଦେବ ବ୍ରାହ୍ମଣମାନଙ୍କୁ ପ୍ରଣତି ଜଣାଇ ସମାହର୍ତୁ, ସନ୍ନିଧାତୃ, ନିଯୁକ୍ତାଧିକାରିକ, ଦଣ୍ଡପାଶିକ, ପିଶୁନ-ବେତ୍ରିକ, ଅବରୋଧଜନ, ରାଜ୍ଞୀ, ରାଣକ, ରାଜପୁତ୍ର ରାଜଲ୍ଲଭ, ଭୋଗିଜନ ପ୍ରମୁଖ ରାଜକର୍ମଚାରୀ ଓ ଜନସାଧାରଣଙ୍କୁ ଅବହିତ କରାଇ ମୁକ୍ତ ଦରବାରରେ ଏହି ଘୋଷଣାନାମା ଜାରି କଲେ । (୧) କର୍ପୂରଶ୍ରୀଙ୍କୁ ଅଷ୍ଟାବିଂଶ ଖଣ୍ଡର ଜଳସ୍ଥଳ, ଗର୍ତ୍ତ ଓ ଉଷର ଭୂମି, ଆମ୍ରମଧୁକ ପ୍ରଭୃତି ବୃକ୍ଷରାଜି, ନିଧି-ଉପନିଧି ସମେତ ହସ୍ତିଦଣ୍ଡ, ବରବଳୀବର୍ଦ୍ଦ, ଚିତ୍ତୋଳ, ଅନ୍ଧାରୁଆ, ପ୍ରତ୍ୟନ୍ଧାରୁଆ, ଅଦତ୍ତା, ପଦାତିଜୀବ୍ୟ, ଅନ୍ତରାବଡ଼୍‌ଡ଼ି, ବସାବକୀ ବିଷୟାଳୀ, ଅହିଦଣ୍ଡ, ହଳଦଣ୍ଡ, ବନ୍ଧଦଣ୍ଡ, ବନ୍ଦାପନା, ବିଜୟ ବନ୍ଦାପନା ପ୍ରଭୃତି ନାନାବିଧ କର ଆଦାୟ କରିବାର ଅଧିକାର ପ୍ରଦାନ କରାଗଲା ଏବଂ ସର୍ବବାଧାବର୍ଜିତ ହୋଇ ସେହି ରାଜ୍ୟ ସେ ଭୋଗ କରିପାରିବେ ବୋଲି ଘୋଷଣା କରାଗଲା । (୨) ପ୍ରଜାମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ସେମାନେ ସୁମଚିତ କରଭାଗ ଭୋଗ ଇତ୍ୟାଦି କର୍ପୂରଶ୍ରୀଙ୍କୁ ଅର୍ପଣ କରି ସୁଖରେ ବସବାସ କରି ପାରିବେ । ଧର୍ମ-ଗୌରବ ପାଇଁ ପ୍ରଦତ୍ତ ଏହି ଦାନକୁ ନିଜର କୀର୍ତ୍ତି ରୂପେ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଭାବୀ ନରପତିମାନଙ୍କୁ ମଧ୍ୟ ଅନୁରୋଧ କରାଗଲା । ମହାରାଜା କର୍ଣ୍ଣଦେବ ଏହି ନିର୍ଦ୍ଦେଶନାମାକୁ ତାମ୍ର ଶାସନରେ ଲିପିବଦ୍ଧ କରିବା ପାଇଁ ମହାକ୍ଷପଟଳୀ ଶ୍ରୀମାନ ବୀର ଶିତଳ ଦେବ ଓ ଖଳାନନ୍ଦ ଦାସଙ୍କୁ ଆଦେଶ ଦେଲେ ।

 

(୧)

କର୍ଣ୍ଣଦେବଙ୍କ ରତ୍ନଗିରି ତାମ୍ରଶାସନ ପଂକ୍ତି ୩୩-୩୬–ଏପିଗ୍ରାଫିଆ ଇଣ୍ଡିକା ୩୩ତମ ଖଣ୍ଡ

(୨)

ତତ୍ରୈବ

 

ପ୍ରାଚୀନ ଓ ମଧ୍ୟ-ଯୁଗରେ ଭୂମି ଓ ଗ୍ରାମଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ଅନୁସୃତ ହେଉଥିଲା । ଏଥିପାଇଁ ମହାସନ୍ଧିବିଗ୍ରହୀଙ୍କ ନେତୃତ୍ୱରେ ଏକ ଉପଦେଷ୍ଟା-ମଣ୍ଡଳୀ ନିଯୁକ୍ତ ଥିଲେ । ରାଜାଙ୍କର ମହାକ୍ଷପଟଳୀ ମଧ୍ୟ ଏହାର ଅନ୍ୟତମ ସଦସ୍ୟ ଥିଲେ । ଏହି ମଣ୍ଡଳୀ ଦାନଗ୍ରହୀତା ବ୍ରାହ୍ମଣଙ୍କର କୁଳୀନତା ଓ କୃତିତ୍ୱ ସମ୍ପର୍କରେ ଅନୁଧ୍ୟାନ କରୁଥିଲା ଏବଂ ଦାନ ଦିଆଯାଉଥିବା ଗ୍ରାମ ବା ଭୂମିର ବିବରଣୀ ପ୍ରସ୍ତୁତ କରୁଥିଲା । ମଣ୍ଡଳୀର ସୁପାରିଶ ରାଜାଙ୍କଦ୍ୱାରା ଅନୁମୋଦିତ ହେଲା ପରେ ତାମ୍ରଶାସନ ପ୍ରସ୍ତୁତ କରାଯାଉଥିଲା । ଅନ୍ୟାନ୍ୟ ବିଷୟ ସମେତ ବ୍ରାହ୍ମଣଙ୍କର ପିତା ଓ ପିତାମହଙ୍କ ନାମ ଏବଂ ତାଙ୍କର ଗୋତ୍ର ପ୍ରବର ପ୍ରଭୃତି ତାମ୍ରଶାସନରେ ଉଲ୍ଲେଖ ରହୁଥିଲା । ମାତ୍ର କର୍ପୂରଶ୍ରୀଙ୍କ ‘ରତ୍ନଗିରି ତାମ୍ର ଶାସନ’ରେ ପିତା ଓ ପିତାମହଙ୍କ ନାମ ପରିବର୍ତ୍ତେ ମାତା ଓ ମାତାମହଙ୍କ ନାମ ସ୍ଥାନ ପାଇଥିବା ତାତ୍ପର୍ଯ୍ୟପୂର୍ଣ୍ଣ । କର୍ପୂରଶ୍ରୀ ଜଣେ ନାରୀ ଥିବାରୁ ଏହି ପଦ୍ଧତି ଅନୁସୃତ ହୋଇଥିଲା ବୋଲି କୁହାଯାଇ ପାରେ । ଓଡ଼ିଶାର ଅଗଣିତ ତାମ୍ରଶାସନ ମଧ୍ୟରୁ ଅନ୍ୟ କୌଣସି ଦାନପାତ୍ର ନାରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ହୋଇନାହିଁ । ତେଣୁ ସେଗୁଡ଼ିକରେ ଦାନ-ଗ୍ରହୀତାଙ୍କ ପିତା ଓ ପିତାମହଙ୍କ ନାମ ସ୍ୱାଭାବିକ ଭାବରେ ସ୍ଥାନ ପାଇଅଛି । ଅନ୍ୟ ଦୃଷ୍ଟାନ୍ତ ନ ମିଳିବା ପର୍ଯ୍ୟନ୍ତ ଏହି ପଦ୍ଧତିର ଅନୁସରଣ ପାରମ୍ପରିକ ଥିଲା କି ନା କୁହାଯାଇ ନ ପାରେ । ସମ୍ଭବତଃ କର୍ପୂରଶ୍ରୀ ମାତା ମହାରୀମା ହୂତାଦେବୀ ଓ ମାତାମହୀ ଉଦୟମତୀଙ୍କର ନାମ ଦାନପତ୍ରରେ ଉଲ୍ଲେଖ ରଖିବା ପାଇଁ ଚାହିଁଥିଲେ ଏବଂ ତାହା ଉପଦେଷ୍ଟା ମଣ୍ଡଳୀର ସୁପାରିଶକ୍ରମେ ରାଜାଙ୍କଦ୍ୱାରା ଅନୁମୋଦିତ ହୋଇଥିଲା । ତାଙ୍କର ଇଚ୍ଛା ବିରୁଦ୍ଧରେ ବା ଅଜ୍ଞାତରେ ଏହା କରାଯାଇଥିବ ବୋଲି ମନେ ହୁଏନା । ଏହାଦ୍ୱାରା କର୍ପୂରଶ୍ରୀ ଜଣେ ନାରୀ ରୂପେ ନାରୀ ଜାତିକୁ ସମ୍ମାନ ଦେଇ ପାରିଲେ । ତାଙ୍କର ସମ୍ମତିରେ ଦାନପତ୍ରରେ ଉଲ୍ଲେଖ ରହିଲା–

 

‘‘ଉତ୍କଳ ଦେଶୀୟ ଶ୍ରୀ ସଲୋଣପୁର-ମହାବିହାର ବିନିର୍ଗତାୟୈ କାଶ୍ୟପ ଗୋତ୍ରାୟୈ, ତ୍ୟାର୍ଷପ୍ରବରାୟୈ, ଉଦୟମତୀ ନାମ୍ନ୍ୟା ପୁତ୍ରୈ ରାଣୀ ଶ୍ରୀ କର୍ପୂରଶ୍ରୀ ନାମ୍ନୈ ସଲିଳଧାରା ପୂରଃସରମ୍‌ ଆଚନ୍ଦ୍ରାର୍କକ୍ଷିତି ସମକାଳୋପ ଭୋର୍ଗାର୍ଥମ୍‌ ମମାତା ପିତ୍ରୋରାତ୍ସନଶ୍ଚ ପୁଣ୍ୟଯଶୋଭିବୃଦ୍ଧୟେ ତାମ୍ର ଶାସନେନା କରୀକୃତ ସଂପ୍ରଦତ୍ତମ୍‌ (୩)’’

 

(୩)

ରତ୍ନଗିରି ତାମ୍ରଶାସନ, ପଂକ୍ତି ୪୧-୪୫

 

ତଦନନ୍ତର କର୍ପୂରଶ୍ରୀ ରାଜକୀୟ ନିର୍ଦ୍ଦେଶନାମା ନେଇ କର୍ମଭୂମି ଉତ୍ତର-ତୋଷଳୀର ସଂକୋଣା ଗ୍ରାମ ଅଭିମୁଖେ ପ୍ରସ୍ଥାନ କଲେ । ସେଠାରେ ସେ ପ୍ରଶାସନ କାର୍ଯ୍ୟରେ ଆତ୍ମନିୟୋଗ କରିଥିଲେ ମଧ୍ୟ ବିଦ୍ୟା ଚର୍ଚ୍ଚା ପାଇଁ ତାଙ୍କର ଆଗ୍ରହ ଓ ଅନୁରା ଅତୁଟ ଥିଲା । ତେଣୁ ଶେଷ ଜୀବନରେ ସେ ସଂକୋଣା ଗ୍ରାମ ପରିତ୍ୟାଗ କରି ରତ୍ନଗିରି ମହାବିହାରରେ ଅଧ୍ୟୟନ ଓ ଅଧ୍ୟାପନା କାର୍ଯ୍ୟରେ ବ୍ରତୀ ରହିଲେ । ସେହିଠାରେ ତାଙ୍କ ଜୀବନର ଶେଷ ଦୀପ-ଶିଖା ଲିଭିଗଲା ।

 

ତାହା ପରେ ଏ ସମ୍ପର୍କରେ ସବୁ କଥା କାଳକ୍ରମେ ଲୋକେ ଭୁଲିଗଲେ । ରାଜା କର୍ଣ୍ଣଦେବ ଓ ବିଦୂଷୀ ରାଣୀ କର୍ପୂରଶ୍ରୀଙ୍କ ନାମ, ଉତ୍ତର ତୋଷଳୀୟ ସଂକୋଣା ଗ୍ରାମ, ରତ୍ନଗିରି ମହାବିହାର ପ୍ରଭୃତି ବିସ୍ମୃତି ଗର୍ଭରେ ହଜିଗଲା । ଏପରିକି ମାଦଳାପାଞ୍ଜିରେ କର୍ଣ୍ଣଦେବଙ୍କ ସ୍ଥାନରେ ସୁବର୍ଣ୍ଣକେଶରୀ ନାମର ଉଲ୍ଲେଖ ରହିଲା । ସୁଖର ବିଷୟ ଯେ ଆଧୁନିକ ଗବେଷକ ଓ ପ୍ରତ୍ନତତ୍ତ୍ୱବିଦ୍‌ଗଣ ପ୍ରାଚୀନ ଓଡ଼ିଶାର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଅନେକ ତଥ୍ୟ ଓ କୀର୍ତ୍ତିର ଉଦ୍ଧାର କରିପାରିଛନ୍ତି । ସେମାନଙ୍କର ଉଦ୍ୟମ ଫଳରେ କଟକ ଜିଲ୍ଲା ଯାଜପୁର ତହସିଲର ଆସିଆ ପର୍ବତ ଶ୍ରେଣୀରେ ରତ୍ନଗିରି ମହାବିହାର ଲୋକ-ଲୋଚନକୁ ଆସି ପାରିଲା । ବିଦୂଷୀ ଦେବଳା ମିତ୍ର ୧୯୫୭ ଖ୍ରୀ.ରୁ ୧୯୬୦ଖ୍ରୀ. ମଧ୍ୟରେ ରତ୍ନଗିରିରେ ଖୋଦନ କାର୍ଯ୍ୟର ଦାୟିତ୍ୱରେ ଥିବା ସମୟରେ କର୍ପୂରଶ୍ରୀଙ୍କ ଦାନପତ୍ରର ଶେଷ ଦୁଇଟି ତାମ୍ରଫଳକ ଆବିଷ୍କାର କଲେ । ତାହା ପୂର୍ବରୁ ଏହାର ପ୍ରଥମ ଫଳକଟି ଶ୍ରୀ ନାରାୟଣ ତ୍ରିପାଠୀଙ୍କଦ୍ୱାରା ଆବିଷ୍କୃତ ହୋଇ ସାରିଥିଲା ।

 

ଦେବଳା ମିତ୍ରଙ୍କଦ୍ୱାରା ରତ୍ନଗିରି ତାମ୍ର ଶାସନର ଆବିଷ୍କାର ଫଳରେ କର୍ପୂରଶ୍ରୀଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ଜଣାପଡ଼ିଲା ଏବଂ ତାହା ଐତିହାସିକମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କଲା । ଐତିହାସିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କର୍ପୂରଶ୍ରୀଙ୍କୁ ନୂତନ ରୂପସଜ୍ଜାରେ ଠିଆ କରାଇବା ପାଇଁ ଆଗେଇ ଆସିଲେ । ତାଙ୍କର ଲେଖନୀରେ କର୍ପୂରଶ୍ରୀ ହେଲେ ଜଣେ ବେଶ୍ୟାକୁଳସମ୍ଭୁତା ନର୍ତ୍ତକୀ, ଯାହାଙ୍କର ପିତା ତଥା ପିତାମହ ଅଜ୍ଞାତ ଥିଲେ । ତାଙ୍କ ମତରେ କାମାତୁର କର୍ଣ୍ଣଦେବ ବେଶ୍ୟା କର୍ପୂରଶ୍ରୀଙ୍କର ପ୍ରେମର ଆସକ୍ତ ହୋଇ ତାଙ୍କୁ ରାଣୀ ରୂପେ ଗ୍ରହଣ ପୂର୍ବକ ରତ୍ନଗିରି ତାମ୍ରଶାସନ ପ୍ରୀତି-ଉପହାର ପ୍ରଦାନ କଲେ । (୪) ଡକ୍ଟର ପାଣିଗ୍ରାହୀଙ୍କର ଏହି ଅଭିନବ ତଥ୍ୟ ଅନେକ ଯୁବ ଐତିହାସିକଙ୍କୁ ଉଲ୍ଲସିତ କଲା । ମୌଳିକ ଅଭିଲେଖର ବିଶ୍ଲେଷଣ କରିବାରେ ଅସମର୍ଥ ହୋଇ ସେମାନେ ଏକ ଆଲୋଡ଼ନରେ ଭାସିଗଲେ ।

 

(୪)

କୃଷ୍ଣଚନ୍ଦ୍ର ପାଣିଚନ୍ଦ୍ର - Chronology of the Bhaumakaras and the Somavansis of Orissa. ପୃଷ୍ଠା 39. - Histroy of Orissa (Hindu Period) ପୃଷ୍ଠା 111.

 

କର୍ଣ୍ଣଦେବଙ୍କ ସମୟରେ ସୋମବଂଶର ଶେଷ ଯବନିକା ପତନ ହୋଇଥିଲା ସତ, ମାତ୍ର ଦ୍ୱିତୀୟ ଯଯାତିଙ୍କ ସମୟରୁ ଏହି ବଂଶର ଇତିହାସ ଅନୁଧ୍ୟାନ କଲେ କେହି ଏଥିପାଇଁ କର୍ଣ୍ଣଦେବଙ୍କୁ ଦାୟୀ କରିବା ପାଇଁ ଚାହିଁବେ ନାହିଁ । କର୍ଣ୍ଣଦେବଙ୍କ ରତ୍ନଗିରି ତାମ୍ର ଶାସନ, ତାଙ୍କର ସାମନ୍ତ ରାଜା ଜୟାର୍ଣ୍ଣମ ଦେବଙ୍କର କମଳପୁର ତାମ୍ରଶାସନ ଏବଂ ବାଲେଶ୍ୱରର ଗଣ୍ଡିବେଢ଼ଠାରେ ମିଳିଥିବା ସୂର୍ଯ୍ୟମୂର୍ତ୍ତି ଅଭିଲେଖର ଅନୁଧ୍ୟାନରୁ ଜଣାଯାଏ ଯେ ସେ ପରାକ୍ରମୀ ଓ ଧର୍ମପରାୟଣ ଥିଲେ । ସୋମବଂଶର ସୁବର୍ଣ୍ଣକେଶରୀ ଓ ଗଙ୍ଗବଂଶର ଚୋଡ଼ଗଙ୍ଗ ଦେବଙ୍କ ସମ୍ପର୍କରେ ମାଦଳାପାଞ୍ଜିର ବିକୃତ ବର୍ଣ୍ଣନାକୁ ସତ ବୋଲି ମାନିନେଇ ସମସାମୟିକ ଅଭିଲେଖୀୟ ପ୍ରମାଣକୁ ପ୍ରତ୍ୟାଖ୍ୟାନ କରାଯାଇ ନପାରେ । କର୍ଣ୍ଣଦେବଙ୍କ ଭଳି ରାଜା ପିତା ମାତାଙ୍କର ପୂଣ୍ୟ ପାଇଁ ଏବଂ ନିଜର ପୁଣ୍ୟ ଓ ଯଶ ବୃଦ୍ଧି ପାଇଁ ଜଣେ ବେଶ୍ୟା, ନର୍ତ୍ତକୀ ଓ ପ୍ରେମିକାର ଉଦ୍ଦେଶ୍ୟରେ ରାଜ୍ଞୀ, ରାଜପୁତ୍ର, ରାଜବଲ୍ଲଭ ତଥା ଅଗଣିତ କର୍ମଚାରୀ ଓ ନୈଷ୍ଠିକ ବ୍ରାହ୍ମଣମାନଙ୍କ ସମ୍ମୁଖରେ ସଲିଳ ଧାରା ପୁରଃସର ଦାନ ଘୋଷଣା କରି ପ୍ରଜା ଓ ଭାବୀ ରାଜାମାନଙ୍କୁ ଧର୍ମ-ଗୌରବ ସଦୃଶ ସେହି ଦାନର ସଂରକ୍ଷଣ ପାଇଁ ଅନୁରୋଧ କରିଥିବେ ବୋଲି ଐତିହାସିକମାନେ କିପରି କଳ୍ପନା କରି ପାରିଲେ, ତାହା ବୁଝି ହୁଏ ନାହିଁ ।

 

ଅଷ୍ଟମ ଶତକର ଶେଷ ପାଦରେ ଭୌମ-କର ରାଜା ପ୍ରଥମେ ଶୁଭାକର ଦେବଙ୍କଦ୍ୱାରା ସୋଳନପୁର ଏକ ଅଗ୍ରହାର ବା ବ୍ରାହ୍ମଣ ଶାସନ ରୂପେ ସ୍ଥାପିତ ହୋଇଥିଲା ଏବଂ ସେହି ଦିନରୁ ତାହା ବ୍ରାହ୍ମଣ ସଂସ୍କୃତିର ଏକ କେନ୍ଦ୍ର ରୂପେ ପ୍ରତିଷ୍ଠିତ ଥିଲା । କାଶ୍ୟପ ଗୋତ୍ରୀୟ କର୍ପୂରଶ୍ରୀ ଆସିଥିଲେ ସେହି ପ୍ରସିଦ୍ଧ ବ୍ରାହ୍ମଣ ଶାସନର ମହାବିହାରରୁ, ବେଶ୍ୟାଳୟରୁ ନୁହେ ବା ନାଟ୍ୟଶାଳାରୁ ନୁହେ ।

 

ବିଭ୍ରାନ୍ତ ଐତିହାସିକଗଣ ଏ ସମ୍ପର୍କରେ ତିନୋଟି କଥା କହିଥାନ୍ତି । ସେମାନଙ୍କର ପ୍ରଥମ ଯୁକ୍ତି ହେଲା, କର୍ପୂରଶ୍ରୀ ଜଣେ ମାହାରୀ ଥିଲେ ଏବଂ ସେଥିପାଇଁ ତାଙ୍କର ମାତାଙ୍କର ନାମ ଥିଲା ମହାରୀମା ହୂଣ ଦେବୀ । ମାହାରୀ ଶବ୍ଦର ଅଥ ‘‘ଦେବ ନର୍ତ୍ତକୀ’’ । (ଗାଇଲେ ମଧୁରେ ଗଙ୍ଗେଶ୍ୱର ଜୟ ମାହାରୀ ଦେବ ବଲ୍ଲଭା–ରାଧାନାଥଙ୍କ ପାର୍ବତୀ କାବ୍ୟ) ଏହା ଏକ ଦେଶଜ ଶବ୍ଦ ଏବଂ କର୍ଣ୍ଣଦେବଙ୍କର ବହୁ କାଳ ପରେ ଏହି ଶବ୍ଦର ଉତ୍ପତ୍ତି ହୋଇଥିବା ଜଣାଯାଏ । ପୁରୀ ଜଗନ୍ନାଥ ମନ୍ଦିରର ନର୍ତ୍ତକୀକୁଳଙ୍କ ପ୍ରତି ସାଧାରଣତଃ ଏହି ଶବ୍ଦ ପ୍ରଯୁଜ୍ୟ ହୋଇଥାଏ ।

 

ଗବେଷକଗଣ ମହାରୀମା ନାମରୁ ମାହାରୀ ଶବ୍ଦ ବାହାର କଲେ ଏବଂ ଯେଉ ଦେଶଜ ଶବ୍ଦର ବ୍ୟବହାର ସେହି ସମୟରେ କଳ୍ପନା କରାଯାଇ ନ ଥିଲା, ତାକୁ ସଂସ୍କୃତ ଅଭିଲେଖରେ ପୁରାଇ ଏକ ସାଂସ୍କୃତିକ ବିଭ୍ରାଟ ସୃଷ୍ଟି କଲେ ।

 

ଦ୍ୱିତୀୟତଃ, ତାମ୍ର ଶାସନରେ କର୍ପୂରଶ୍ରୀଙ୍କର ମାତା ଓ ମାତାମହୀଙ୍କ ନାମ ଉଲ୍ଲେଖ ଥିବାରୁ ମନେ କରି ନିଆଗଲା ଯେ ତାଙ୍କର ପିତୃକୁଳ ଅଜ୍ଞାତ ଥିଲା ଏବଂ ସେ ଜଣେ ବେଶ୍ୟା ଥିଲେ । ଏଥିରେ ସନ୍ଦେହ କରାଯାଇ ନ ପାରେ ଯେ କର୍ପୂରଶ୍ରୀଙ୍କର ସମ୍ମତିକ୍ରମେ ତାଙ୍କର ଏତାଦୃଶ ପରିଚୟ ତାମ୍ର ଶାସନରେ ପ୍ରଦତ୍ତ ହୋଇଥିଲା । ତଦ୍ଦ୍ୱାରା ସେ ପାରମ୍ପରିକ ରୀତିକୁ ଲଂଘନ କରି ମାତୃ-ଜଗତକୁ ସମ୍ମାନ ଦେବାପାଇଁ ଚାହିଁଥିଲେ ବୋଲି ଆଗରୁ ସୂଚିତ ହୋଇଅଛି । ତାଙ୍କର ପିତା ଓ ପିତାମହ ଅଜ୍ଞାତ ଥିଲେ ବୋଲି ଏଥିରୁ ଅନୁମାନ କରାଯାଇ ନ ପାରେ ।

 

ତୃତୀୟତଃ କର୍ପୂରଶ୍ରୀଙ୍କ ନାମରେ ରାଣୀ ପଦବୀଯୁକ୍ତ ଥିବାରୁ ସେ ରାଜା କର୍ଣ୍ଣଦେବଙ୍କ ପତ୍ନୀ ଥିଲେ ବୋଲି ମନେ କରାଗଲା । ରାଜାଙ୍କର ପତ୍ନୀ ଅର୍ଥରେ ‘ରାଣୀ’ ଶବ୍ଦ ସଂସ୍କୃତ ନୁହେ, ବରଂଦେଶଜ । ସଂସ୍କୃତରେ ଏହାର ପ୍ରତିଶବ୍ଦ ରାଜ୍ଞୀ ହେବ । କର୍ପୂରଶ୍ରୀଙ୍କର ତାମ୍ର ଶାସନରେ ମଧ୍ୟ ରାଜ୍ଞୀ ଶବ୍ଦର ବ୍ୟବହାର ଦେଖାଯାଏ । ଯେଉଁମାନଙ୍କର ସମ୍ମୁଖରେ ଏହି ଦାନପତ୍ର ଘୋଷିତ ହେଲା ସେମାନଙ୍କ ମଧ୍ୟରେ ରାଜ୍ଞୀ ଥିଲେ ଅନ୍ୟତମା । ସୁତରାଂ ରାଣୀ କର୍ପୂର ଶ୍ରୀ ରାଜ୍ଞୀ ନ ଥିଲେ । ଏହି ସମୟରେ ତାମ୍ର ଶାସନମାନଙ୍କରେ ରାଣକ ଶବ୍ଦର ବ୍ୟବହାର ଏକ ସାମନ୍ତ ପଦବୀ ରୂପେ ବହୁଳ ଭାବେ ଦେଖିବାକୁ ମିଳେ । ଠିକ୍‌ ସେହିପରି ‘ରାଣୀ’ ଶବ୍ଦ ଏହି ସମୟର ସଂସ୍କୃତ ତାମ୍ର ଶାସନରେ ନାରୀମାନଙ୍କର ସାମନ୍ତ ପଦବୀ ରୂପେ ବ୍ୟବହୃତ ହେଉଥିଲା ଏବଂ ତାହା ରାଜାଙ୍କ ଅଧୀନରେ ଜଣେ ମହିଳା ପ୍ରଶାସିକାଙ୍କୁ ବୁଝାଉଥିଲା । କର୍ପୂରଶ୍ରୀଙ୍କର ରାଣୀ ପଦବୀରୁ ଜଣାଯାଏ ଯେ ସେ ରାଜା କର୍ଣ୍ଣଦେବଙ୍କ ଅଧୀନରେ ଏକ ରାଜ୍ୟର ସାମନ୍ତ ପ୍ରଶାସିକା ଥିଲେ । ‘ରାଣୀ’ ଶବ୍ଦକୁ ରାଜ୍ଞୀ ଅର୍ଥରେ ଗ୍ରହଣ କରି ଗବେଷକଗଣ କର୍ପୂରଶ୍ରୀଙ୍କୁ କଳଙ୍କିତା କରିଅଛନ୍ତି ।

 

ରତ୍ନଗିରି ତାମ୍ରଶାସନ ତତ୍କାଳୀନ ଏକ ଭୌଗୋଳିକ ତଥ୍ୟ ଉପରେ ଆଲୋକପାତ କରେ । ଏଥିରୁ ଜଣାଯାଏ ଯେ କର୍ଣ୍ଣଦେବଙ୍କ ସାମ୍ରାଜ୍ୟ ତିନୋଟି ଦେଶରେ ବିଭକ୍ତ ଥିଲା । ତାହା ହେଲା ଉତ୍କଳ–ଯେଉଁ ଦେଶର ସୋଳନପୁରରୁ କର୍ପୂରଶ୍ରୀ ଆସିଥିଲେ, ଉତ୍ତର-ତୋଷଳୀ, ଯେଉ ଦେଶର ସଙ୍କୋଣ । ଗ୍ରାମ କର୍ପୂରଶ୍ରୀଙ୍କୁ ଦାନ କରାଗଲା ଏବଂ ଓଡ଼୍ର ଦେଶ, ଯେଉଁଠାରେ ରାଜଧାନୀ ଯଯାତିନଗରରୁ କର୍ପୂରଶ୍ରୀଙ୍କର ଦାନପତ୍ର ଘୋଷିତ ହୋଇଥିଲା । ଏହା ପୂର୍ବରୁ ସୋମବଂଶୀ ସାମ୍ରାଜ୍ୟରୁ କଳଚୁରୀମାନେ ପଶ୍ଚିମ କୋଶଳ, ତେଲଗୁ-ଚୋଡ଼ମାନେ ପୂର୍ବକୋଶଳ ଏବଂ ଗଙ୍ଗମାନେ କଳିଙ୍ଗ ଓ କୋଙ୍ଗୋଦ ଜୟ କରି ନେଇ ସାରିଥିଲେ ।

 

ରତ୍ନଗିରି ତାମ୍ରଶାସନ ତତ୍କାଳୀନ ଏକ ଭୌଗୋଳିକ ତଥ୍ୟ ଉପରେ ଆଲୋକପାତ କରେ । ଏଥିରୁ ଜଣାଯାଏ ଯେ କର୍ଣ୍ଣଦେବଙ୍କ ସାମ୍ରାଜ୍ୟ ତିନୋଟି ଦେଶରେ ବିଭକ୍ତ ଥିଲା । ତାହା ହେଲା ଉତ୍କଳ-ଯେଉଁ ଦେଶର ସୋଳନପୁରରୁ ପର୍ପୂରଶ୍ରୀ ଆସିଥିଲେ, ଉତ୍ତର-ତୋଷଳୀ, ଯେଉ ଦେଶର ସଙ୍କୋଣ । ଗ୍ରାମ କର୍ପୂରଶ୍ରୀଙ୍କୁ ଦାନ କରାଗଲା ଏବଂ ଓଡ୍ରଦେଶ, ଯେଉଁଠାରେ ରାଜଧାନୀ ଯଯାତିନଗରରୁ କର୍ପୂରଶ୍ରୀଙ୍କର ଦାନପତ୍ର ଘୋଷିତ ହୋଇଥିଲା । ଏହା ପୂର୍ବରୁ ସୋମବଂଶୀ ସାମ୍ରାଜ୍ୟରୁ କଳଚୁରୀମାନେ ପଶ୍ଚିମ କୋଶଳ, ଚେଲଗୁ-ଚୋଡ଼ମାନେ ପୂର୍ବକୋଶଳ ଏବଂ ଗଙ୍ଗମାନେ କଳିଙ୍ଗ ଓ କୋଙ୍ଗୋଦ ଜୟ କରି ନେଇ ସାରିଥିଲେ । ମେଦିନୀପୁର ଜିଲ୍ଲା ମଧ୍ୟ ବଙ୍ଗରାଜ୍ୟର ପାଳରାଜାଙ୍କ ସାମନ୍ତ ଜୟସିଂହଙ୍କ ଅଧୀନକୁ ଚାଲିଯାଇଥିଲା । କର୍ଣ୍ଣଦେବଙ୍କ ସମୟରେ ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଉତ୍ତର ତୋଷଳୀ ନାମରେ; ଢେଙ୍କାନାଳ, କଟକ ଓ ପୁରୀ ଜିଲ୍ଲାର କେତେକାଂଶ ଉତ୍କଳ ଦେଶ ନାମରେ ଏବଂ ଫୁଲବାଣୀ ଓ ପୁରୀ ଜିଲ୍ଲାର ଅବଶିଷ୍ଟାଂଶ ଓଡ୍ର ଦେଶ ନାମରେ ଅଭିହିତ ଥିଲା । ସଙ୍କୋଣା ଗ୍ରାମ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ନିକଟସ୍ଥ ସାଁଇକୋଳା ଗ୍ରାମ ହୋଇଥାଇପାରେ ବୋଲି ଅନୁମାନ କରାଯାଏ । ସୁତରାଂ କର୍ପୂରଶ୍ରୀ ଆଧୂନିକ କଟକ ଜିଲ୍ଲାର ବ୍ରାହ୍ମଣ ଅଗ୍ରହାର ସୋଳନପୁରର ଅଧିବାସୀ ଥିଲେ; ସେଠାରୁ ସେ ଯଯାତିନଗରକୁ ରାଜସମ୍ମାନ ଗ୍ରହଣ ପାଇଁ ଯାଇଥିଲେ, ତଦନନ୍ତର ସେ ମୟୁରଭଞ୍ଜ ଜିଲ୍ଲାର ଏକ ରାଜ୍ୟର ପ୍ରଶାସନ ଦାୟିତ୍ୱ ଗ୍ରହଣ କଲେ ଏବଂ ଅବଶେଷରେ ରତ୍ନଗିରି ବିହାରରେ ତାଙ୍କର ଜୀବନ-ଦୀପ ନିର୍ବାପିତ ହେଲା ।

 

ଗବେଷକ ଓ ଐତିହାସିକଗଣ ମୌଳିକ ତଥ୍ୟର ବିଶ୍ଲେଷଣ ନ କରି ଓଡ଼ିଶାର ସାଂସ୍କୃତିକ ଇତିହାସର ଅନେକ ଗୌରବବୟ ଘଟଣାକୁ ଅତ୍ୟନ୍ତ ବିକୃତ ରୂପ ଦେଇ ପରିବେଷଣ କରିଛନ୍ତି । କର୍ପୂରଶ୍ରୀଙ୍କର ଚରିତ୍ର ସଂହାର ତାହାର ଏକ ଉଦାହରଣ ମାତ୍ର ।

 

 

ଅଧ୍ୟାପକ

ସରକାରୀ ମହାବିଦ୍ୟାଳୟ

ଅନୁଗୁଳ-ଢେଙ୍କାନାଳ

***

 

ଅମର ଶହୀଦ

ଶ୍ରୀ ରାଧାମୋହନ ଗଡ଼ନାୟକ

 

କଅଣ ଶୁଣୁଚି, ଇଏ ଯେ କଅଣ

ଶୁଣୁଚି ଆଜି ?

ହନ୍ତାରକର ଗୁଳି ବର୍ଷଣେ

ନିହତ ଆମର ଇନ୍ଦିରାଜୀ ।

 

କୋଟି କୋଟି ପ୍ରାଣେ ଶୋକ-କଲ୍ଲୋଳ

ଉଠୁଚି ବାଜି,

ଆମ ଭାରତର ପ୍ରଧାନ ମନ୍ତ୍ରୀ

ଇନ୍ଦିରାଜୀ,

ନିହତ ଆଜି !

 

ଦୁଇଦିନ ଧରି ଘୁରୁଥିଲା ସିଏ

ଆମର ଏ ସାରା ଉତ୍କଳରେ,

ହୃଦୟର ଢେଉ ଉଛୁଳାଉଥିଲା

ଗ୍ରାମ ପୁର ବନ ଅଞ୍ଚଳରେ ।

 

କାହିଁ ସଇଁତଳା, କାହିଁ ଦେବଗଡ଼

ମାଲ୍‍କାନଗିରି, ଯାଜପୁରରୋଡ଼,

ବାଲିଗୁଡ଼ା ଆଉ ଗୋପାଳପୁରେ,

ଗଲା କାଲି ଏଇ ଭୁବନେଶ୍ୱରେ

ଘୂରୁଥିଲୁଁ ଆମେ ତାହାରି ତୁଲେ ।

 

ଶୁଣୁଥିଲୁଁ ତା’ର ମନ୍ଦ୍ର ଭାଷଣ,

ଶୁଣୁଥିଲୁଁ ତା’ର ଉଦ୍‍ବୋଧନ,

ଦେଶ ପାଇଁ, ଆମ ଦେଶ ଜନପାଇଁ

ମାତି ଉଠୁଥିଲା ଆମର ମନ ।

 

ବିଶ୍ୱାସ ମୋର ହେଉନି ତ କାହିଁ

କାଳିମା କଅଣ ଆସୁଛି ଛାଇ,

ଆମ ଭାରତର ପ୍ରଧାନ ମନ୍ତ୍ରୀ

ଆଜି ଆଉ ଆମ ଧରାରେ ନାହିଁ ।

 

ଭାରତର ଥିଲା ପ୍ରଧାନ ମନ୍ତ୍ରୀ

ବିଶ୍ୱର ଥିଲା ନେତ୍ରୀ,

ଦୀନ ଦଳିତର ସେବାରେ ନିୟତ

ବାଢ଼ୁଥିଲା ସ୍ନେହ ମୈତ୍ରୀ ।

 

ଇନ୍ଦିରା ଖାଲି ଲକ୍ଷ୍ମୀ ନ ଥିଲା

ଇନ୍ଦିରା ଥିଲା ସରସ୍ୱତୀ

ଦେଶ ଦୁର୍ଗରେ ଦୁର୍ଗା ଥିଲା ସେ,

ଦୁର୍ଗତି-ନାଶେ ଶକ୍ତିମତୀ

 

ମହାନ୍‍ ଆତ୍ମା ଗାନ୍ଧିବୁଢ଼ାର

ପାଇଥିଲା ସିଏ ମନ୍ତ୍ର,

ଜୀବନ-ପଥରେ ଅହିଂସା ପ୍ରୀତି

କରିଥିଲା ସିଏ ଅସ୍ତ୍ର

 

ଆଣିଥିଲା ପୁଣି ପିତାର ଶକ୍ତି,

ଆଣିଥିଲା ସିଏ ପିତାର ତେଜ

ପିତାଠାରୁ ସିଏ ବଳି ଯାଇଥିଲା

ଯେତିକି ଜାଣିଚ ମନରେ ହେଜ ।

 

କଅଣ ଥିଲା ସେ ଜୀବନରେ ତା’ର

କଅଣ ଥିଲା ସେ ବାଲ୍ୟକାଳୁ,

କୁସୁମ ପରାଏ ସୁକୁମାର ସିଏ,

କଠିନ କଠୋର ବଜ୍ରଠାରୁ ।

 

ବିଶ୍ୱର ପ୍ରାଣେ             ଆଣି ଦେଉଥିଲା

ଯେତିକି ପ୍ରୀତି,

ବିଶ୍ୱର ପ୍ରାଣେ             ଆଣି ଦେଉଥିଲା

ସେତିକି ଭୀତି ।

ଦିଗ-ବିଜୟନୀ            ହୋଇ ପାରିଥିଲା

ଇନ୍ଦିରାଜୀ,

ହନ୍ତାରକର            ଗୁଳି-ବର୍ଷଣେ

ନିହତ ଆଜି ।

ନିହତ ନୁହଇ            ଅମର ଶହୀଦ

ନିହତ ନୁହେ,

ଅମର ଆତ୍ମା            ହତ୍ୟାରେ କେବେ

ନିହତ ହୁଏ ?

ବିଦ୍ୟୁତ କେବେ            ଲୀନ ହୋଇଯାଏ

ତମସା ତଳେ ?

ତମସା ବକ୍ଷ            ବିଦୀର୍ଣ୍ଣ କରି

ଝଳେ ସେ ଝଳେ ।

 

 

ସି/୪୫ (ଫ୍ଲାଟ)

ୟୁନିଟ-୮, ଭୁବନେଶ୍ୱର

***

 

ପଦଚିହ୍ନ

ଶ୍ରୀ ଦୁର୍ଗାଚରଣ କୁଅଁର

 

ସମୟର ଚୋରାବାଲିରେ କେତେ ପଦଚିହ୍ନ ହଜିଯାଏ

ତା’ର ହିସାବ ରଖେନାହିଁ ମହାକାଳ,

ନଈର ଖରସୁଅରେ ଭାସିଯା’ନ୍ତି ଯେତେ ଫୁଲପତ୍ର

କିଏ ବା ତା’ର ଖବର ରଖେ !

ନା’ ତୀର,

ନା’ ଗର୍ଜି ମରୁଥିବା ସାଗର ।

ତଥାପି କେଉ ଯୁଗ-ଯୁଗାନ୍ତରେ

ସମୟର ସୀମାହୀନ ମରୁ ପ୍ରାନ୍ତରରେ

ସର୍ବଗ୍ରାସୀ ବାଲିଝଡ଼କୁ ଉପେକ୍ଷା କରି

କାହାର ପଦଚିହ୍ନ ରହିଯାଏ

ବହୁକାଳ,

ମହାସାଗର ଉଦ୍ଦେଶ୍ୟରେ ଭାସିଯାଉଥିବା

କେଉଁ ଫୁଲର ମୃଦୁ ସୁରଭି

ବହୁ ଯୁଗ ଧରି

ତଟଭୂମିକୁ ଆମୋଦିତ କରେ ।

ସୁରଭି ବିତରଣ କରୁଥିବା ସେ ଫୁଲ

ଅମ୍ଲାନ ସେ ପଦଚିହ୍ନ

ସ୍ପଷ୍ଟ ବାରିହୋଇଯାଏ

ଏ ଦୁନିଆର ଅସମ୍ଭବ ଭିଡ ଭିତରେ ।

ସେ ଫଳ କେବେ ହୁଏତ ଫୁଟିଥିଲା

ବୁଦ୍ଧ, ଯୀଶୁ, ପୟଗମ୍ୱର ରୂପରେ

ସୁବାସ ତା’ର ଏବେ ବି ବିଚ୍ଛୁରିତ,

ଏ ଧୂଳି ମାଟିର ଦୁନିଆରେ

ସେ ହୁଏତ ଦେଖାଦେଇଥଇଲା

ଗାନ୍ଧୀ, ଲେନିନ୍‍, ଲିଙ୍କନ୍‍

ବା ଇନ୍ଦିରା ରୂପରେ

ଅଲିଭା ହୋଇ ରହିଗଲା ସେମାନଙ୍କ ପଦଚିହ୍ନ ।

ତଥାପି ହେ ମୃତ୍ୟୁ !

ହେ ସର୍ବଗ୍ରାସୀ ମହାକାଳ

ତୁମେ ମହାନ୍‍

ତୁମ ଠାରେ ନେଉଛି ଶରଣ

ପ୍ରଣାମ ।

 

 

ଅଶୋକ ନଗର,

ଭୁବନେଶ୍ୱର

***

 

 

ଦେବର୍ଷି ନାରଦ

ଶ୍ରୀ ରାଜକିଶୋର ମିଶ୍ର

 

ବେଦ, ଉପନିଷଦ, ବ୍ରାହ୍ମଣ, ସଂହିତା, ପୌରାଣିକ ଉପାଖ୍ୟାନ, ବିଭିନ୍ନ କିମ୍ୱଦନ୍ତୀ ତଥା ପଲ୍ଲୀ-ଚେତନାରେ କଳିହୁଡ଼ା-ଆଚାର୍ଯ୍ୟ-ଦେବର୍ଷି-ଗନ୍ଧର୍ବ-ନାରଦ ଏକ ବିଚିତ୍ର ସ୍ଥାନ ଅଧିକାର କରିଛନ୍ତି । କଳ୍ପକଳ୍ପାନ୍ତରେ ଲୀଳାମୟଙ୍କର ଅଦ୍ଭୁତ ଲୀଳାର ସାରଥି ସେ, ଏକ ମୂର୍ତ୍ତିମନ୍ତ ନିୟତି । ବିଷ୍ଣୁଙ୍କର ସେ ଜଣେ ବିମୁଗ୍‍ଧ ବାର୍ତ୍ତାବହ । ଯୁଦ୍ଧ ବିଗ୍ରହର ଅଭିସନ୍ଧିକାରୀ ଅସୁମାରୀ ଆଖ୍ୟାନର ପ୍ରବକ୍ତା । ବ୍ରହ୍ମଜ୍ଞାନରେ ସେ ଜଣେ ପ୍ରତିଭାଶାଳୀ ଧୂରୀଣ ବ୍ୟକ୍ତି । ବୀଣାବାଦକ, ସଙ୍ଗୀତଜ୍ଞ, ପରମଯୋଗୀ, ତେଜୋଦ୍ଦୀପ୍ତ ପରମ ବ୍ରହ୍ମଚାରୀ, ଜାତିସ୍ମର, ପୁନଶ୍ଚ ବିଷୟାସକ୍ତ ପରମଗୃହୀ, କୁଟକପଟୀ–ଏକ ଅନବଦ୍ୟ ବ୍ୟକ୍ତିତ୍ୱ । ଦୀର୍ଘକାୟ ବପୁବନ୍ତ ସୌମ୍ୟବଦନ, ଜ୍ୟୋତିର୍ମୟ ଲଲାଟ, ଉତ୍‍ଶିଖ ଜଟାଜୁଟ, ସ୍କନ୍ଧ ଦେଶରେ ଆଲମ୍ୱିତ କଚ୍ଛପଚର୍ମାବୃତ୍ତ ନାରଦୀ ବୀଣା, ବକ୍ଷଦେଶରେ ଉଜ୍ୱଳ ଯଜ୍ଞୋପବୀତ, ଦକ୍ଷିଣ ହସ୍ତରେ ଜପାମାଳ, ବାମ ହସ୍ତରେ କମନୀୟ କମଣ୍ଡଳୁ, ପାଦରେ କଠାଉ ଆଉ କାଖରେ ‘କଳିଧୋକଡ଼ି’ ଧରି ହସ-ହସ ପ୍ରସନ୍ନ ବଦନରେ ‘ନା-ରା-ୟ-ଣ- ନା-ରା-ୟ-ଣ ନା-ରା-’ ଉଚ୍ଚାରଣ ପୂର୍ବକ ମନଯାନରେ ଅନ୍ତରୀକ୍ଷରୁ ଅବତରଣ କରନ୍ତି ତେବର୍ଷି ମର୍ତ୍ତ୍ୟଲୋକକୁ । ଲୀଳାମୟ ଶ୍ରୀକୃଷ୍ଣଙ୍କର ବିଚିତ୍ର ସ୍ମୃତିରେ ବିଜଡ଼ିତ ତାଙ୍କ ଅପାଙ୍ଗ । ଦେବ-ସୁଲଭ ଆତିଥ୍ୟରେ ସେ ହୁଅନ୍ତି ପ୍ରୀତ । ‘କୃଷ୍ଣର ଭାବେ ଭ୍ରମେ ମିତି/ମୋହର ଅଭ୍ୟାଗତ ରୀତି’ (୧) । ଚାହାଣୀରେ ତାଙ୍କର ଦୁର୍ବାସା ବା ବିଶ୍ୱାମିତ୍ର-ସୁଲଭ କ୍ରୋଧ ବା ଅସୟା ନ ଥାଏ । ମର୍ତ୍ତ୍ୟଲୋକରେ ତାଙ୍କ ଆବିର୍ଭାବର କୌଣସି ସମୟ ନିର୍ଘଣ୍ଟ ନ ଥାଏ, ତାଙ୍କ ଉପସ୍ଥିତିରେ ଧରା ପ୍ରକୃତିର କୌଣସି ଆଶୁ ପରିବର୍ତ୍ତନ ଘଟେ ନା, କି ସ୍ୱର୍ଗରୁ ପୁଷ୍ପବୃଷ୍ଟି ହୁଏନା । ସେକ୍‍ସପିଅର୍‍ଙ୍କ ଡାକୁଣୀମାନଙ୍କ ପରି ସେ ଦିବା ଅବସାନରେ ଆସନ୍ତି ନି, ସଙ୍ଗରେ ଝଡ଼ଝଞ୍ଜା ଆଣନ୍ତି ନି । ଅଥଚ ପ୍ରତିଟି ଅନାକାଂକ୍ଷିତ ମୁହୂର୍ତ୍ତରେ ସେ ଭୂଲଗ୍ନ ହୋଇ ପାର୍ଥବ ମନରେ ଭରିଦିଅନ୍ତି ଅସମାହିତ ଦ୍ୱନ୍ଦ, ଅବଳୀଳାକ୍ରମେ ରଚି ଦିଅନ୍ତି ଅମାପ ଝଡ଼ । କ’ଣ ବା ତାଙ୍କ ଉଦ୍ଦେଶ୍ୟ ? ପରମାତ୍ମାଙ୍କର ପ୍ରଶସ୍ତି ଗାନ ପାଇଁ ସତେ କ’ଣ ସେ ଏତେ ବ୍ୟାକୁଳ ? ‘ନାରଂ ପରମାତ୍ମବିଷୟକଂ ଜ୍ଞାନଂ ଦଦାତୀତି ନାରଦଃ’ (୨)–ଏ ଉକ୍ତି କ’ଣ ଯଥାର୍ଥ ? ସତେ କ’ଣ ତାଙ୍କର ଭକ୍ତି-ପୂତ ଗୀତିମୟ ଝଙ୍କୃତିରେ ଅନ୍ତରୀକ୍ଷର ଅସଂଖ୍ୟ ଗ୍ରହନକ୍ଷତ୍ରରାଜି ସତତ ପୁଲକିତ ?

 

‘‘...............ଦେବର୍ଷି ନାରଦ,

ଅନନ୍ତେ ଅନନ୍ତ-ନାମ-କୀର୍ତ୍ତନ-ରସିକ

ଯା’ ସଙ୍ଗୀତେ ପ୍ରେମୋଲ୍ଲାସେ ପ୍ରସ୍ଫୁରଣ ଛଳେ

ଲୋମାଞ୍ଚ ଲଭନ୍ତି ନଭେ ଜ୍ୟୋତିଷ୍କମଣ୍ଡଳୀ ।’’

(ରାଧାନାଥ, ମହାଯାତ୍ରା, ୧ମ ସର୍ଗ)

 

ପ୍ରଜାପତି ବ୍ରହ୍ମାଙ୍କର କନିଷ୍ଠତମ ଅଲିଅଳ ମାନସ-ପୁତ୍ର ନାରଦ । ବ୍ରହ୍ମାଙ୍କର କଣ୍ଠଦେଶରୁ ରୂପ ପରିଗ୍ରହ କଲେ ମରୀଚୀ, ଅତ୍ରି, ଅଙ୍ଗିରସ୍‍, ପୁଲସ୍ତ୍ୟ, ପୁଲହ, କ୍ରତୁ, ପ୍ରଚେତସ, ବଶିଷ୍ଠ, ଭୃଗୁ ଓ ସର୍ବକନିଷ୍ଠ ନାରଦ (୩) । ସୃଷ୍ଟି-ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ପିତାଙ୍କ ଦ୍ୱାରା ସମସ୍ତେ ଆଦିଷ୍ଟ ହୋଇଥିଲେ ହେଁ ନାରଦ ସେ କାର୍ଯ୍ୟରେ ବୀତସ୍ପୃହ ହେଲେ: ଅଝଟ କଲେ ସଙ୍ଗୀତ ଶିଖିବା ପାଇଁ । ପ୍ରଥମେ ପ୍ରଥମେ ବ୍ରହ୍ମା ନିଜେ ଶିକ୍ଷା ଦେଲେ । ସେଥିରେ ନାରଦଙ୍କ ମନ ବୁଝିଲା ନି । ଥରେ ବିଷ୍ଣୁଙ୍କ ସମ୍ମୁଖରେ ତୁମ୍ୱରୁ ନାମକ ଗନ୍ଧର୍ବ ଯେଉଁ ସଙ୍ଗୀତ ପରିବେଷଣ କଲେ, ତାହା ଶୁଣି ନାରଦଙ୍କ ଆତ୍ମଗ୍ଲାନି ଆସିଲା । ପରେ ସେ ବିଷ୍ଣୁଙ୍କୁ ପ୍ରଭାବିତ କରି ଉଲୁକେଶ୍ୱର ନାମକ ସଙ୍ଗୀତ ସମ୍ରାଟ ଜନୈକ ଗନ୍ଧର୍ବଠାରୁ ସଙ୍ଗୀତ ଶାସ୍ତ୍ରରେ ପାରଦର୍ଶିତା ଲାଭ କଲେ । ରସିକନାଗର ନାରଦ ନିଜକୁ ଅପରୂପ ବେଶରେ ସଜେଇ ସୁରସୁନ୍ଦରୀ, ଗାନ୍ଧର୍ବୀ, ଅପ୍‍ସରୀଗଣଙ୍କର ବେଶ୍‍ ପ୍ରିୟଭାଜନ ହୋଇଉଠିଲେ; ତାଙ୍କଠାରେ ଉତ୍‍ଶୃଙ୍ଖଳ ଆଚରଣ ମଧ୍ୟ ଦେଖିବାକୁ ମିଳିଲା । ବ୍ରହ୍ମା ଲଜ୍ଜିତ ହେଲେ-। ଥରେ ଦେବସଭାରେ ଅନିନ୍ଦ୍ୟ ରୂପସୀ ରମ୍ଭା ନୃତ୍ୟ ପରିବେଷଣ କରୁଥିଲା ସମୟରେ ଯୁବକ ନ ରଦ କାମୋନ୍ମତ୍ତ ହୋଇଉଠିଲେ । ତାଙ୍କର ରେତଃ ସ୍ଫଳନ ହେଲା । ବ୍ରହ୍ମା କ୍ରୁଦ୍ଧ ଓ ଲଜ୍ଜିତ ହୋଇ ତାଙ୍କୁ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଗନ୍ଧର୍ବ ପଲ୍ଲୀରେ ଗନ୍ଧର୍ବ ଯୋନିରେ ଉପବର୍ହଣ ନାମକ ଗନ୍ଧର୍ବ ରୂପେ ଜନ୍ମିବାକୁ ଅଭିଶାପ ଦେଲେ । (୪) ଜାତିସ୍ମର ନାରଦ ନିଜ ପ୍ରାକ୍‍ଜନ୍ମର କାହାଣୀ ନିଜ ମୁହଁରେ କହିବାକୁ କୁଣ୍ଠାବୋଧ ବି କରି ନାହାନ୍ତି, ‘‘ମୋର ସ୍ୱଭାବ ଚରିତ୍ର ଅତି ଉନ୍ନତ ଧରଣର ଥିଲା । ରୂପଲାବଣ୍ୟରେ ମୁଁ ଥିଲି ଅତୁଳନୀୟ । ଗାନ୍ଧର୍ବୀ, ଅପ୍‍ସରୀଗଣଙ୍କର ମୁଁ ପ୍ରିୟପାତ୍ର ଥିଲି । ସେମାନଙ୍କ ସାନ୍ନିଧ୍ୟ ମୋତେ ବେଶ ସୁଖକର ବୋଧ ହେଉଥିଲା–‘‘ସ୍ତ୍ରୀଣାଂ ପ୍ରିୟତମୋ ନିତ୍ୟଂ ମତ୍ତସ୍ତୁ ପୁରୁଲମ୍ପଟଃ’’ (୫) । ଥରେ ଦେବଗଣ ଏକତ୍ର ହୋଇ ହରିକୀର୍ତ୍ତନ କରୁଥାନ୍ତି । ମୁଁ ବି ବୀଣା ବଜେଇ ବଜେଇ ନାଚୁଥାଏ ଅପ୍‍ସରୀଗଣଙ୍କ ଗହଣରେ–

 

–ଯୁବତୀ ଜନ ମଧ୍ୟେ ଥାଇ

ଆନନ୍ଦେ ବୀଣା ବାଦ୍ୟ ବାଇ

ଆବୃତ୍ତ ଅପସରା ବୃନ୍ଦେ

ହସ୍ତ ନିବେଶି ତାଙ୍କ କନ୍ଧା (୬)

 

ଏହା ଯେ ଦେବ-ହେଳନ, ମୁଁ ଜାଣିପାରି ନ ଥିଲି । ପିତା କ୍ରୋଧାବିଷ୍ଟ ହୋଇ ମୋତେ ଶୂଦ୍ର କୁଳରେ ଦାସୀପୁତ୍ର ଭାବେ ଜନ୍ମିବାକୁ ଅଭିଶାପ ଦେଲେ–‘‘ଯାହି ତ୍ୱଂ ଶୂଦ୍ରତାମାଶୁ ନଷ୍ଟଶ୍ରୀ କୃତହେଳନଃ’’ (୭)।

 

ଉପରୋକ୍ତ ବିବରଣୀ ଦୁଇଟି ବ୍ରହ୍ମବୈବର୍ତ୍ତ ପୁରାଣ ଓ ଶ୍ରୀମଦ୍‍ ଭାଗବତରୁ ଆନୀତ; ଅଭିଶପ୍ତ ନାରଦ ସ୍ୱର୍ଗରୁ ଅଧଃପତିତ ହୋଇ ମଧ୍ୟଲୋକରେ ଗନ୍ଧର୍ବ ଓ ମର୍ତ୍ତ୍ୟଲୋକରେ ମାନବ ରୂପରେ ଜନ୍ମ ହେବାର ଅନୁଭୂତି ବହନ କରିଛନ୍ତି । ବ୍ରହ୍ମାଙ୍କ ଅଭିଶାପରେ ସେ ଉପବର୍ହଣ ନାମକ ଗନ୍ଧର୍ବ ଭାବେ ଜନ୍ମ ଲାଭ କରି ଗନ୍ଧର୍ବରାଜ ଚିତ୍ରରଥଙ୍କର ପଚାଶଟି କନ୍ୟାଙ୍କୁ ବିବାହ କଲେ (୮) । ଶାପମୁକ୍ତି ପରେ ସେ ଗୋପରାଜ ଦୃମିଲଙ୍କର ପତ୍ନୀଙ୍କ ଗର୍ଭରେ କଶ୍ୟପ ଋଷିଙ୍କର ଔରଷରୁ ମାନବ ଜନ୍ମ ପ୍ରାପ୍ତହେଲେ । ଦୃମିଲଙ୍କ ପତ୍ନୀ କଳାବତୀ ବନ୍ଧ୍ୟା ଥିଲେ, କିନ୍ତୁ ସନ୍ତାନବାସନା ଥିଲା ତାଙ୍କର ପ୍ରବଳ । ସ୍ୱାମୀଙ୍କର ଅନୁମତି ନେଇ ବନରେ ତପସ୍ୟାରତ ଥିବା କଶ୍ୟପଙ୍କ ନିକଟକୁ ଋତୁସ୍ନାତା କଳାବତୀ ଗଲେ ବୀର୍ଯ୍ୟଭିକ୍ଷା କରି–

 

ପୁତ୍ରାର୍ଥନୀ ଚାଗତଽହଂ ତନ୍ମୂଳଂ ଭର୍ତ୍ତୃରାଜ୍ଞୟା

ବୀର୍ଯ୍ୟାଧାନଂ କୁରୁମୟି ସ୍ତ୍ରୀ ନୋପେକ୍ଷ୍ୟାହ୍ୟୁପସ୍ଥିତା (୯)

 

ବୃଷଳୀ ସ୍ୱୈରାଚାରିଣୀର ଏ ଅଭିନୟରେ ଋଷି କ୍ରୁଦ୍ଧ ହେଲେ । କଳାବତୀର କଣ୍ଠ, ତାକୁ ମଧ୍ୟ ଶୁଷ୍କ ହୋଇଗଲା, ସେ ପୁତ୍ରାର୍ଥିନୀ ଓ କାମୋନ୍ମତ୍ତା । ଦୈବଯୋଗେ ଠିକ୍‍ ସେହି ମୁହୂର୍ତ୍ତରେ ରୂପସୀ ମେନକା ଆକାଶ ପଥରେ ବିପର୍ଯ୍ୟସ୍ତ ବେଶଭୂଷାରେ ଉଡ଼ି ଉଡ଼ି ଯାଉଥାନ୍ତି । ତାହାର ଆପାତଃ ଉଲଗ୍ନ ଜାନୁଯୌବନ ଦର୍ଶନରେ କଶ୍ୟପଙ୍କର ବୀର୍ଯ୍ୟ ସ୍ଖଳନ ହେଲା । କଳାବତୀ ଏହାକୁ ପରମ ସୌଭାଗ୍ୟ ମଣି କଶ୍ୟପଙ୍କ ବିଚ୍ଛୁରିତ ବୀର୍ଯ୍ୟକୁ ପାନ କରି ଗର୍ଭବତୀ ହେଲେ :

 

ଏତସ୍ମିନ୍ନନ୍ତରେ ତେନ ପଥା ଯାସ୍ୟତି ମେନକା

ତସ୍ୟା ଉରୁସ୍ଥଳଂ ଦୃଷ୍ଟ୍ୱା ମୁନି ବୀର୍ଯ୍ୟଂ ପପାତ ହ

ଋତୁସ୍ନାତା ଚ ବୃଷଳୀ କୃତ୍ୱା ତଦ୍‍ ଭକ୍ଷଣଂ ମୁଦା (୧୦) ।

 

ଯଥା ସମୟରେ କଳାବତୀ ପ୍ରସବ କଲେ ସୁକୁମାର ସନ୍ତାନଟିଏ । ଅନାବୃଷ୍ଟି ହେତୁ ସେ ରାଜ୍ୟରେ ଦୁର୍ଭିକ୍ଷ ଆସନ୍ନ-ପ୍ରାୟ; ରାଜକୁମାର ଭୂମିଷ୍ଠ ହେବାମାତ୍ରେ ଚତୁର୍ଦ୍ଦିଗ ବୃଷ୍ଟି ଜଳରେ ଭରିଗଲା । ଉଲ୍ଲସିତ ରାଜନ୍ୟମଣ୍ଡଳୀ ନବଜାତ ରାଜକୁମାରକୁ ଅଭିନନ୍ଦନ ଜଣେଇ କହି ଉଠିଲେ : ‘ନାରଂ ଦଦୌ ଜନ୍ମକାଳେ ତେନାୟଂ ନାରଦାଭିଧଃ (୧୧) ‘ନାର’ ଅର୍ଥାତ୍‍ ଜଳ ପ୍ରଦାନ କରିଥିବାରୁ ଏହି ଶିଶୁର ନାମ ନାରଦ ରଖାଯାଉ’ ।

 

ପିତୃ ଅଭିଶାପରୁ ନାରଦ ଜଣେ ଦାସୀପୁତ୍ର ଭାବେ ଜନ୍ମନେଲେ । ଜନୈକ ବ୍ରାହ୍ମଣ ଗୃହରେ ତାଙ୍କର ମା’ ଦାସୀରୂପେ କାର୍ଯ୍ୟ କରୁଥାନ୍ତି । ଥରେ ବର୍ଷା ଋତୁର ପ୍ରାରମ୍ଭରେ ବିପ୍ର ଅତିଥି ଜଣେ ସେହି ବ୍ରାହ୍ମଣ ଗୃହରେ ପଦାର୍ପଣ କଲେ ଓ ଗୃହକର୍ତ୍ତାଦ୍ୱାରା ଅନୁରୁଦ୍ଧ ହୋଇ ସେଠାରେ ଚାତୁର୍ମାସ୍ୟ ବ୍ରତ ପାରାୟଣ ପାଇଁ ସ୍ୱୀକୃତି ଦେଲେ । ତାଙ୍କର ଚାରିମାସର ରହଣି ମଧ୍ୟରେ ପାଞ୍ଚବର୍ଷର ଶିଶୁ ନାରଦ ଅତିଥିଙ୍କର ସେବାଯତ୍ନରେ ନିବିଷ୍ଟ ଥା’ନ୍ତି ।

 

ତାହାଙ୍କ ଭୋଜନର ଅନ୍ତେ

ପତ୍ରେ ଉଚ୍ଛିଷ୍ଟ ରହେ ଯେତେ ।

ତାହା ଭୁଞ୍ଜଇ ନିତ୍ୟେ ମୁହିଁ

ଅନ୍ୟ ଭୋଜନ ମୋର ନାହିଁ । (୧୨)

 

ଚାରିମାସ ପରେ ସେହି ବିପ୍ରଗୁରୁ ଅନ୍ୟତ୍ର ପ୍ରସ୍ଥାନ କଲେ । ପରେ ପରେ ନାରଦଙ୍କ ମାତା କୌଣସି ଏକ ରାତ୍ରିରେ ଗୋ-ଦୋହନ ନିମିତ୍ତ ଯିବା ପଥରେ ସର୍ପଦଷ୍ଟା ହୋଇ ମୃତ୍ୟୁ ବରଣ କଲେ । ମାତୃହୀନ ନାରଦଙ୍କ ପକ୍ଷେ ଏହା ଥିଲା ଆକାଂକ୍ଷିତ ପାରମାର୍ଥିକ ମୁହୂର୍ତ୍ତ । ଗୃହତ୍ୟାଗ କରି ସେ ଉପରୋକ୍ତ ବିପ୍ରଗୁରୁଙ୍କ ଅନ୍ୱେଷଣରେ ବିଭିନ୍ନ ସ୍ଥାନକୁ ଗଲେ । ତାଙ୍କଠାରୁ ସେ ଯେତିକି ଭଗବଦ୍‍ ଜ୍ଞାନ ଲାଭ କରିଥିଲେ, ତାହା ଆଧ୍ୟାତ୍ମିକ ପଥରେ ତାଙ୍କୁ ପ୍ରଭୁତ ସାହାଯ୍ୟ କରିପାରିଥିଲା । ବହୁ ପଥ ଅତିକ୍ରମ କରି ସେ ଶେଷରେ ଜନମାନବଶୂନ୍ୟ ଏକ ଘଞ୍ଚ ଅରଣ୍ୟରେ ପହଞ୍ଚିଲେ । ସନ୍ନିକଟସ୍ଥ ନଦୀରେ ସ୍ନାନ କରି ନଦୀତଟ ସମୀପବର୍ତ୍ତୀ ଏକ ଅଶ୍ୱତ୍‍ଥ ବୃକ୍ଷମୂଳେ ସେ ଧ୍ୟାନମଗ୍ନ ହେଲେ, ଠିକ୍‍ ବୁଦ୍ଧଦେବ ନିରଞ୍ଜନା ନଦୀତଟସ୍ଥ ପିପ୍‍ପଳ ବୃକ୍ଷମୂଳେ ଧ୍ୟାନସ୍ଥ ହେବାଭଳି–

 

ତସ୍ମିନ୍‍ ନିର୍ମନୁଜେଽରଣ୍ୟେ ପିପ୍‍ପଳୋପସ୍ଥ ଆସ୍ଥିତଃ

ଆତ୍ମନାତ୍ମାନମାତ୍ମସ୍ଥଂ ଯଥାଶ୍ରୁତମଚିନ୍ତୟମ୍‍ । (୧୩)

 

ସ୍ୱର୍ଗବାଣୀ ହେଲା :

‘ମୁଁ ତୋର ଚିତ୍ତେ ନିତ୍ୟେ ଥାଇ

ତୋ’ ଦେହେ ଅମଙ୍ଗଳ ନାହିଁ

ଅନ୍ତେ ପଶିବୁ ମୋ’ ଭୁବନେ

ଏ ଦେହ ଛାଡ଼ି ମୋର ଧ୍ୟାନେ (୧୪)

 

ନାରଦ ବୁଦ୍ଧତ୍ୱ ପ୍ରାପ୍ତ ହେଲେ ଓ ପରକଳ୍ପରେ ପୁନର୍ବର ବ୍ରହ୍ମାଙ୍କର ମାନସପୁତ୍ର ଭାବେ ଜନ୍ମଲାଭ କଲେ । ତତ ପୂର୍ବରୁ କ୍ଷୀରାବ୍‍ଧିଶାୟୀ ମହାବିଷ୍ଣୁ ଅନନ୍ତଶୟନ କରୁଥିବା ସମୟରେ ନାରଦ-ଆତ୍ମା ବିଷ୍ଣୁଙ୍କର ନିର୍ଲେପ ନିର୍ମଳ ଶରୀରର ଅଭ୍ୟନ୍ତରେ ପ୍ରବେଶ କରି ପାରିଥିଲା । ବୋଧହୁଏ ସେଥିପାଇଁ ନାରଦଙ୍କୁ ବିଷ୍ଣୁଙ୍କର ଅଭିନ୍ନଦେହୀ ତୃତୀୟ ଅବତାର ବୋଲି କୁହାଯାଏ–

 

ତୃତୀୟମୃଷି ସର୍ଗଂତ ଦେବର୍ଷି ତ୍ୱମୁପେତ୍ୟ ସଃ

ତନ୍ତ୍ରଂ ସାସ୍ୱତମାଚଷ୍ଟ ନୈଷ୍କର୍ମ୍ୟଂ କର୍ମଣା ଯତଃ । (୧୫)

 

ଶ୍ରୀକୃଷ୍ଣଙ୍କର ପରମଭକ୍ତ ବୋଲି ଗୀତାରେ ନାରଦଙ୍କର ପ୍ରାଧାନ୍ୟ ଉପସ୍ଥାପିତ କରିବାକୁ ଯାଇ ଶ୍ରୀକୃଷ୍ଣ କହିଛନ୍ତି–

 

ଦେବର୍ଷୀଣାଂତ ନାରଦଃ (୧୬)

 

ନାରଦ ଥିଲେ ଜାତିସ୍ମର, ଏକ ଅଦ୍ୱିତୀୟ ‘ପ୍ରତିଜି’ । ବହୁବାର ତାଙ୍କର ‘ସମୁଦ୍ର-ସ୍ନାନ’ ଘଟିଛି । ବିବର୍ତ୍ତନ-ପ୍ରକ୍ରିୟାରେ ସେ ଏବେ ବି ଜଣେ ସ୍ନାତକ । କଳ୍ପ-ମନ୍ୱନ୍ତର-ଯୁଗାବଧି ସମୟ-ସ୍ରୋତରେ ସେ ବହୁବାର କବଳିତ ହୋଇଛନ୍ତି । ତାଙ୍କ ଜୀବନର ଆତ୍ମଲିପି ବିଚିତ୍ର ଅନୁଭୂତିର ଛଟାରେ ବର୍ଣ୍ଣାଢ଼୍ୟ, ଦାସୀପୁତ୍ର ଭାବେ ଶୈଶବର ସ୍ମୃତି, ଯୌବନ କାଳରେ ମଦଗନ୍ଧା ଅପ୍‍ସରୀଗଣଙ୍କ ଗାନ୍ଧର୍ବ-ଉତ୍ସବରେ ମଜ୍ଜି ହଜିଯିବାର ଅନୁଭୂତି, ପ୍ରୌଢ଼ାବସ୍ଥାରେ ପରମ ଭାଗବତ, ଆଚାର୍ଯ୍ୟ, ଯୋଗଭାସ୍କର ରୂପେ ସର୍ବଭାରତୀୟ ସ୍ୱୀକୃତି ପ୍ରାପ୍ତି, ପ୍ରଜାପତି-ସୁତଭାବେ ଦେବଗଣଙ୍କ ଦ୍ୱାରା ଅତୁଟ ସମ୍ମାନ ଲାଭ ପ୍ରକୃତିର ବିଚିତ୍ର ଅନୁଭୂତିରେ ସନ୍ତୁଳିତ ତାଙ୍କର ଅନୁପମ ଜୀବନ ।

 

ନାରଦଙ୍କର ପ୍ରଥମ ଜ୍ଞାନୀଗୁରୁ ଥିଲେ ବ୍ରହ୍ମାଙ୍କର ଅନ୍ୟତମ ମାନସ-ପୁତ୍ର ସନତ୍‍ କୁମାର, ଯେ ଚିରକୁମାର ରହି ନାରଦଙ୍କୁ ବ୍ରହ୍ମବିଦ୍ୟାରେ ଦୀକ୍ଷିତ କରାଇଥିଲେ (୧୭) । ତାଙ୍କର ବିଦ୍ୟାଗୁରୁ ଥିଲେ ବାଚସ୍ପତି ବୃହସ୍ପତି (୧୮) । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ସେ କଠୋର ବ୍ରହ୍ମଚର୍ଯ୍ୟ ଧାରଣପୂର୍ବକ ବେଦବେଦାନ୍ତରେ ଜଣେ ଧୂରୀଣ ବ୍ୟକ୍ତି ହୋଇ ପାରିଥିଲେ । ସେ ଥିଲେ ପ୍ରାଚୀନ ଯୁଗର ଜଣେ ଶ୍ରେଷ୍ଠତମ ଆଚାର୍ଯ୍ୟ (୧୯,କ) ନିଜର ନିଷ୍ଠା ବଳରେ ସେ ସୋମକ ସାହଦେବଙ୍କର ଗୁରୁ (୧୯, ଖ) ଓ ହରିଶ୍ଚନ୍ଦ୍ରଙ୍କର ଅନ୍ୟତମ ପୁରୋହିତ (୨୦) ଭାବେ ଗୌରବ ଅର୍ଜନ କରିଥିଲେ-। ଚିକିତ୍ସା-ଶାସ୍ତ୍ରରେ ସେ ଧନ୍ୱନ୍ତରୀ, ଅଙ୍ଗିରସ୍‍ କପିଳଙ୍କ ତୁଲ୍ୟ ଅଗାଧ ଜ୍ଞାନ ଅର୍ଜନ କରିଥିଲେ (୨୧)। ଗୋ-ଶାସ୍ତ୍ରରେ ମଧ୍ୟ ତାଙ୍କର ଅସାଧାରଣ ବିଦ୍‍ବତ୍ତା ଥିଲା । ବ୍ରାହ୍ମଣମାନଙ୍କ ପାଇଁ ଉପଯୁକ୍ତ ଧେନୁ ନିର୍ବାଚନରେ ତାଙ୍କର ଯଥେଷ୍ଟ ଖ୍ୟାତିଥିଲା (୨୨) । ଗୃହାସ୍ଥାଶ୍ରମକୁ ଅଧିକ କାଳୋପଯୋଗୀ ଓ ସୁସଂହତ କରିବା ପାଇଁ ସେ ମନୁ-ସ୍ମୃତିକୁ ଆଧୁନିକୀକରଣ କରି ନାରଦ-ସ୍ମୃତି ରଚନା କରିଥିଲେ, ଯେଉଁଥିରେ ସନ୍ତାନପ୍ରାପ୍ତି ପାଇଁ ବିଧବା ନାରୀର ପୁନର୍ବିବାହ, ଅବିବାହିତା କନ୍ୟାର ପୈତୃକ ସମ୍ପତ୍ତିରେ ଅଧିକାର, ଜ୍ୟେଷ୍ଠ ସନ୍ତାନ ଅପେକ୍ଷା ଯୋଗ୍ୟତର କନିଷ୍ଠ ସନ୍ତାନର ପୈତୃକ ସମ୍ପତ୍ତିରେ ଅଧିକାର ଓ ମନୋରଞ୍ଜନ ନିମିତ୍ତ ସର୍ବସାଧାରଣ ସ୍ଥଳରେ ଜୁଲ ଖେଳିବା ପାଇଁ ନିର୍ଦ୍ଦିଷ୍ଟ ପ୍ରମୋଦ-କକ୍ଷର ଆବଶ୍ୟକତା ସମ୍ପର୍କରେ ସେ ପରାମର୍ଶ ଦେଇଯାଇଛନ୍ତି । ଏପରିକି ତଦାନୀନ୍ତନ ସମାଜର ନୈତିକ ଅଧୋଗତିକୁ ଚକ୍ଷୁ ସମ୍ମୁଖରେ ରଖି ସମ୍ମତା, ଗୃହଦାସୀ ସହ ସଂଗମ ନୀତି-ବହିର୍ଭୁତ ନୁହେଁ ବୋଲି ସ୍ପଷ୍ଟ ଭାବେ ସେ ଉଲ୍ଲେଖ କରିଛନ୍ତି । ମନୁଷ୍ୟର ଭବିଷ୍ୟତ ଯେ ପ୍ରାରବ୍‍ଧ ଦ୍ୱାରା ନିୟନ୍ତ୍ରିତ, ବୋଧହୁଏ ନିଜ ଅଭିଜ୍ଞତାରୁ ତାଙ୍କର ଏ ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା ଓ ସେଥିପାଇଁ ସେ ରଚନା କରିଥିଲେ ‘ନାରଦୀୟ କର୍ମବିପାକ’ (୨୩)

 

ନାରଦଙ୍କ ପ୍ରଜ୍ଞା-ମାନସ ଥିଲା ଅଦ୍ୱିତୀୟ । ବହୁ ବ୍ୟକ୍ତିଙ୍କର ଜୀବନ-ନାଟିକାରେ ସେ ଜଣେ ଖଳନାୟକ ରୂପେ ଦେଖା ଦେଇଥିଲେ ମଧ୍ୟ ପ୍ରେମ-ଭକ୍ତିର ସେ ଯେ ଥିଲେ ଆଦ୍ୟତମ ଉଦ୍‍ଗାତା, ବୋଧହୁଏ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅବଶ୍ୟ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହେବା ତାଙ୍କର ଏକ ମାନବୀୟ ବା ଗାନ୍ଧର୍ବୀୟ ଦୁର୍ବଳତା ଥିଲା । ଶିଶୁମାନଙ୍କୁ ଭଗବତ୍‍ ରାଜ୍ୟକୁ ପ୍ରଲୁବ୍‍ଧ କରିବା, ପ୍ରଣୟୀ-ପ୍ରଣୟିନୀଙ୍କ ନିକଟରେ ହଠାତ୍‍ ଆବିର୍ଭୁତ ହୋଇ ସେମାନଙ୍କ ହୃଦୟରେ ଝଡ଼ ସୃଷ୍ଟି କରିବା, ଯୁଦ୍ଧ-ବିଗ୍ରହରେ ଅଯାଚିତ ଦୌତକାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଓ ଅନାବଶ୍ୟକ କୌତୁହଳ ପ୍ରଦର୍ଶନ କରିବା ଥିଲା ତାଙ୍କର ସ୍ପୃହଣୀୟ ବିଚ୍ୟୁତି ।

 

ସାବତ ମା’ ଦ୍ୱାରା ଅପମାନିତ ହୋଇ ବ୍ୟାଘ୍ରସିଂହ ପରିପୂର୍ଣ୍ଣ ଜଙ୍ଗଲରେ ଭଗବାନଙ୍କର ଦର୍ଶନ ଲାଳନାରେ ଧ୍ରୁବ ଏକାକୀ ବୁଲୁଥିଲା ବେଳେ ନାରଦ ଆସି ଉପସ୍ଥିତ ହୋଇଛନ୍ତି । ଦାସୀପୁତ୍ର ଭାବେ ପିଲାଦିନେ ସେ କିଭଳି ନିର୍ଯ୍ୟାତିତ ହୋଇଥିଲେ ତାହା ହୁଏତ ନାରଦଙ୍କର ହଠାତ୍‍ ମନେ ପଡ଼ିଯାଇଛି । ରାଜପୁତ୍ର ଧ୍ରୁବ ନିକଟକୁ ସେ ଧାଇଁ ଆସିଛନ୍ତି ସେହି ସ୍ମୃତି-ସଜଳ-ବ୍ୟଥିତ ମୁହୂର୍ତ୍ତରେ-। ‘ମନ୍ତ୍ରାଧିନାଃ ଦେବତାଃ’, ଯେଉଁ ଗୁପ୍ତ ମନ୍ତ୍ର ମାଧ୍ୟମରେ ଭଗବାନ ବାସୁଦେବ ଉପଲବ୍‍ଧ ହେବେ, ସେହି ମନ୍ତ୍ର ସେ ଧ୍ରୁବଙ୍କୁ ଅକାତରେ ଦାନ କରିଛନ୍ତି । (୨୪) ଦୈତ୍ୟରାଜ ହିରଣ୍ୟକଶିପୁର ରାଜପ୍ରାସାଦରେ ପ୍ରହ୍ଲାଦର ହରିନାମ ଉଚ୍ଚାରଣ ଠିକ୍‍ ‘ଲଙ୍କାରେ ହରି ଶବ୍ଦ’ ଭଳି । ରାଜ-ନିର୍ବାଚିତ ଶିକ୍ଷକ, ଅମାତ୍ୟବର୍ଗ, ଅନ୍ତଃପୁର ଲଳନାଗଣ, ପ୍ରହ୍ଲାଦର ସାଥୀସମୂହ–ଏ ସମସ୍ତଙ୍କୁ ତାଗିଦ୍‍ କରାଯାଇଥିଲା ପ୍ରହ୍ଲାଦର ଶିଶୁ-ମନରେ ଆଧ୍ୟାତ୍ମିକ ବିଷ ନ ପୂରେଇବା ପାଇଁ । ଅଥଚ ନିରୁଦ୍‍ବିଗ୍ନ ଚିତ୍ତରେ ଅଭ୍ୟସ୍ତ ଶୁଆ ଭଳି ପ୍ରହ୍ଲାଦ ହରିନାମ ରଟି ବସିଲେ । ଏହି ନାଟର ଗୌବର୍ଦ୍ଧନ ମହର୍ଷି ବାଲ୍ମୀକି ତୁଲ୍ୟ ଦେବର୍ଷି ନାରଦ । ହିରଣ୍ୟକଶିପୁ ଅଜର-ଅମର ବରଲାଭ ପାଇଁ ମନ୍ଦିରଗିରିରେ ସାଧନା କରିବାକୁ ଚାଲିଗଲାବେଳେ ତାଙ୍କ ରାଣୀ ଥିଲେ ଅନ୍ତଃସତ୍ତ୍ୱା । ଦେବରାଜ ଇନ୍ଦ୍ର ତ ସବୁବେଳେ ଭୀତତ୍ରସ୍ତ, କାଳେ ସାଧାରଣ ତ୍ରୁଟି-ବିଚ୍ୟୁତିରେ ଇନ୍ଦ୍ରପଦ ଚାଲିଯିବ ! ତାଙ୍କର ଧାରଣା ହେଲା ହିରଣ୍ୟକଶିପୁର ଔରସରୁ ବୋଧହୁଏ ଏକ ବରପ୍ରାପ୍ତ ଅପ୍ରତିଦ୍ୱନ୍ଦୀ ଦାନବପ୍ରତିଭୁ ଜନ୍ମ ହେବାକୁ ଯାଉଛି, ଯେ କି ଭବିଷ୍ୟତରେ ତାଙ୍କର ପ୍ରତିସ୍ପର୍ଦ୍ଧା ହୋଇପାରେ । ଏହି ଭୟରେ ଦେବରାଜ ଇନ୍ଦ୍ର ତାଙ୍କର ଅନୁଗତ ଦେବଗଣଙ୍କ ସହିତ ମର୍ତ୍ତ୍ୟଲୋକକୁ ଆସି ହିରଣ୍ୟକଶିପୁଙ୍କର ରାଜପ୍ରାସାଦ ଛାରଖାର କରିଦେଲେ ଓ ସଙ୍ଗରେ ଗର୍ଭବତୀ ରାଜରାଣୀଙ୍କୁ ବଳତ୍କାର ପୂର୍ବକ ନେଇଗଲେ । ରୋରୁଦ୍ୟମାନା ଜାନକୀଙ୍କୁ ରାବଣ ନେଲା ଭଳି ଅନ୍ତଃସତ୍ତ୍ୱା ରାଣୀ ଇନ୍ଦ୍ରଙ୍କ ଦ୍ୱାରା ଅତ୍ୟାଚାରିତା ହେଉଥାନ୍ତି । ସୌଭାଗ୍ୟକ୍ରମେ ଋଷି ନାରଦ ହଠାତ୍‍ ଉପସ୍ଥିତ ହୋଇ ଦେବରାଜଙ୍କ ଆଶଙ୍କା ଦୂର କରି ସତୀରାଣୀଙ୍କୁ ନିଜ ଆଶ୍ରମକୁ ନେଇଗଲେ ଓ ହିରଣ୍ୟ ତପଶ୍ଚରଣରୁ ଫେରିବା ପର୍ଯ୍ୟନ୍ତ ତାଙ୍କୁ ଆଶ୍ରମରେ ଆଶ୍ରୟ ଦେଲେ । ଗର୍ଭବାସ କାଳରେ ରାଣୀଙ୍କ ମନ ପ୍ରଫୁଲ୍ଲ ରଖିବାକୁ (?) ନାରଦ ପରମକରୁଣାମୟ ଭଗବାନଙ୍କର ମହିମା ତାଙ୍କୁ ଶୁଣେଇଥିଲେ । ମାତୃ ଜଠରରେ ରହି ଭ୍ରୁଣାୟିତ ପ୍ରହ୍ଲାଦ ସବୁ ଶୁଣୁଥାନ୍ତି । ଜନ୍ମ ପରେ ସଯତ୍ନ-ନିହିତ ଆଧ୍ୟାତ୍ମିକ ବୀଜଟି ସ୍ୱତଃ ଅଙ୍କୁରିତ ହୋଇ ଦାନବକୁଳକୁ ବେଶ୍‍ ବିସ୍ମିତ କରିଦେଇଥିଲା । (୨୫) ପ୍ରଜାପତି ବ୍ରହ୍ମାଙ୍କ ତୁଲ୍ୟ ଦକ୍ଷ ସୃଷ୍ଟି-ପ୍ରକ୍ରିୟାରେ ସାହାଯ୍ୟ କରିବାପାଇଁ ଆଦିଷ୍ଟ ହୋଇଥିଲେ । ତାଙ୍କର ଅନ୍ୟୁନ ପାଞ୍ଚ ହଜାର ସନ୍ତାନ ଥିଲେ । ସେ ଆଶା କରିଥିଲେ ଯେ ଏହି ସନ୍ତାନଗଣ ଗୃହାସ୍ଥାଶ୍ରମ ଗ୍ରହଣ କରି ପୃଥିବୀରେ ଜନ୍ମ ସଂଖ୍ୟା ବୃଦ୍ଧି କରିବେ । ତାଙ୍କର ସମସ୍ତ ସ୍ୱପ୍ନକୁ ଚୂର୍ଣ୍ଣ କରିଦେଲେ ନାରଦ । କୁମାରଗଣଙ୍କୁ ଆଧ୍ୟାତ୍ମକ ଦୀକ୍ଷା ଦେଇ ସେ ବୈରାଗୀ କରିଦେଲେ । ବ୍ୟଥା ଓ କ୍ରୋଧ ବିଜଡ଼ିତ କଣ୍ଠରେ ଦକ୍ଷ ଅଭିଶାପ ଦେଲେ ନାରଦଙ୍କୁ–ହେ ସାଧୁବେଶଧାରୀ ଭଣ୍ଡତପସ୍ୱୀ ! ମୋ’ ସନ୍ତାନମାନଙ୍କୁ ତୁମେ ଶେଷରେ ପରିବ୍ରାଜକ କରିଦେଲ ! ତମର ଏ ଭଳି ଅଭଦ୍ର ଆଚରଣ ପାଇଁ ମୁଁ ତୁମକୁ ଅଭିଶାପ ଦେଉଛି–‘ଲୋକେଷ ତେ ମୂଢ଼ ନ ଭବେତ୍‍ ଭ୍ରମତଃ ପଦମ୍‍’ । (୨୬) ଦକ୍ଷଙ୍କ ଅଭିଶାପରୁ ସେହିଦିନଠାରୁ ତିନିଲୋକରେ ନାରଦ କେଉଁ ସ୍ଥାନରେ ସ୍ଥିର ହୋଇ ରହିପାରନ୍ତି ନି, ପରିବ୍ରାଜକ ଭଳି ଇତସ୍ତତଃ ଭାବେ ସେ ଘୂରି ବୁଲନ୍ତି ।

 

ତ୍ରେତାଯୁଗର କାହାଣୀ । ତ୍ରିଶଂକୁଙ୍କ ପୁତ୍ର ରାଜା ହରିଶ୍ଚନ୍ଦ୍ର ହେଲେ ଅପୁତ୍ରିକ । ‘ପ୍ରଜାୟୈ ଗୃହମେଧିନାମ୍‍’ ସନ୍ତାନଟିଏ ପାଇଁ କାହା ମନ ବ୍ୟାକୁଳ ନ ହୁଏ ? ଏହି ଦୁର୍ବଳତାର ସୁଯୋଗ ନେଇ ପୁରୋଧା ନାରଦ ତାଙ୍କୁ ବୁଦ୍ଧି ଦେବାକୁ ଆଗେଇ ଆସିଲେ । ବରୁଣଙ୍କୁ ଆରାଧନା କରି ତାଙ୍କୁ ପୁତ୍ରଟିଏ ମାଗିବାକୁ ସେ ପ୍ରବର୍ତ୍ତାଇଲେ । ତା’ସାଙ୍ଗେ ସାଙ୍ଗେ ଆଉ ଏକ କୁତ୍ସିତ ଉପଦେଶ ମଧ୍ୟ ହରିଶ୍ଚନ୍ଦ୍ରଙ୍କୁ ସେ ଦେଲେ; ଯଦ୍ୱାରା ନିଜ ପୁତ୍ରକୁ ସେ ବରୁଣଙ୍କୁ ବଳି ଦେବେ । ସନ୍ତାନ-ବିଧୂର ରାଜା ପ୍ରତିଜ୍ଞାବଦ୍ଧ ହେଲେ । ରୋହିତର ଜନ୍ମ ପରେ ପିତାଙ୍କର ଅନପତ୍ୟ ଦୋଷ କଟିଗଲା । ବରୁଣଦେବଙ୍କୁ ରାଜକୁମାର ରୋହିତଙ୍କର ମୁଣ୍ଡ ବଳି ଦିଆଯିବା କଥା ଉଠିଲା । ରାଜକୁମାର ଏ ଆତ୍ମୋତ୍ସର୍ଗ ପାଇଁ ନିଜର ଅସମ୍ମତି ପ୍ରକାଶ କରି ଦେଶାନ୍ତର ହେଲେ । ରାଜା ରୋଗଗ୍ରସ୍ତ ହେଲେ । ପିତାଙ୍କର ଆସନ୍ନ ମୃତ୍ୟୁ ଜାଣି ତାଙ୍କୁ ସତ୍ୟଭ୍ରଷ୍ଟ ହେବାର ମାନସିକ ଯନ୍ତ୍ରଣାରୁ ମୁକ୍ତ କରିବା ଲାଗି ରୋହିତ ଅଜିଗର୍ତ୍ତ ନାମକ ଜଣେ ଲୋଭୀ ବ୍ରାହ୍ମଣର ମଧ୍ୟମପୁତ୍ର ଶୁନଃଶେଫକୁ ଏକ ଶହ ଧେନୁ ବଦଳରେ କିଣିଆଣି ରାଜଦରବାରରେ ଉପସ୍ଥିତ ହେଲେ ଓ ତାଙ୍କ ପ୍ରତିବଦଳରେ ଶୁନଃଶେଫକୁ ବରଣଙ୍କୁ ବଳି ସ୍ୱରୂପ ପ୍ରଦାନ କରିବା ପାଇଁ ବିଶ୍ୱାମିତ୍ରାଦି ଆଚାର୍ଯ୍ୟଗଣଙ୍କୁ ଅନୁରୋଧ କଲେ । ଆଚାର୍ଯ୍ୟଗଣଙ୍କର ନରବଳି ପାଇଁ ଅନ୍ତିମ ଅସମ୍ମତି ଓ ଶୁନଃଶେଫଙ୍କର ଅଭୂତପୂର୍ବ ତିତିକ୍ଷା ଏ କାହାଣୀର ଏକ ନାଟକୀୟ ପରିସମାପ୍ତି ଆଣି ଦେଇଥିଲା । (୨୭) ଅଥଚ ଏ ସବୁର ପ୍ରଥମ ମନ୍ତ୍ରଣାଦାତା ଥିଲେ ମନ୍ତ୍ରଦ୍ରଷ୍ଟା ମହର୍ଷି ନାରଦ ।

 

ପ୍ରବଳ ପରାକ୍ରମୀ କଂସ ତାଙ୍କ ଜ୍ଞାତିକୁଟୁମ୍ୱଙ୍କ ବିରୋଧରେ କାହିଁକି ଏତେ ସଂଗ୍ରାମ କଲେ ? ନଟିଆ ନାରଦ କଂସକୁ ତା’ର ପୂର୍ବଜନ୍ମ ବୃତ୍ତାନ୍ତ ଶୁଣେଇବା ପାଇଁ ପ୍ରଗଲ୍‍ଭ ହୋଇଉଠିଲେ । କଂସ ଯେ ଜାରଜ (ଦୃମିଲ ଗନ୍ଧର୍ବ ବୀର୍ଯ୍ୟରୁ ଜନ୍ମ) ଓ ସ୍ୱୀୟ କୁଟୁମ୍ୱଙ୍କ ବିରୋଧ କରିବା ପାଇଁ ତା’ର ଜନ୍ମ–ଏ କଥା ନାରଦ କଂସକୁ ତନ୍ନ ତନ୍ନ କରି ବୁଝେଇଦେଲେ (୨୮) ଏବଂ ଗୋପପୁରେ ଯେ ତା’ର ଶତ୍ରୁ ‘କହ୍ନେଇ’ ବଢ଼ୁଛି ଏ ବିଷୟରେ ନାରଦ କଂସକୁ ଯଥେଷ୍ଟ ପୂର୍ବରୁ ସତର୍କ କରି ଦେଇଥିଲେ (୨୯) ।

 

ଧୃତରାଷ୍ଟ୍ରଙ୍କ ମୃତ୍ୟୁ ସମ୍ୱାଦ ସେ ପ୍ରଥମେ ଯୁଧିଷ୍ଠିରଙ୍କୁ ଜଣାଇଥିଲେ । (୩୦) ଶିଶୁପାଳର ଦୁରଭିସନ୍ଧି ସେ ଯଥା ସମୟରେ ପ୍ରକାଶ କରି ପାରିଥିଲେ (୩୧)। ‘ଅଙ୍ଗାରଃ ଶତଧୌତେନ ମଳି ସତ୍ତ୍ୱଂ ନ ଜାୟତେ’ । ନାରଦଙ୍କ ଉଜ୍ୱଳ ଲଲାଟରେ ଅପବାଦର ଟୀକା ସେମିତି ଅମ୍ଲାନ ରହିଛି, ପ୍ରଭୁଙ୍କର ବିଦୂଷକ ରୂପେ ସେ ହୁନ୍ଦର ଦେଖିବାକୁ ଥରେ ଥରେ ମନ ବଳେଇଛନ୍ତି । ନାରଦ ଶବ୍ଦକୁ ବ୍ୟାଖାକାରମାନେ କହନ୍ତି ‘ନାରଂ ନରସମୂହଂ ଦାତି ଖଣ୍ଡୟତି କଳହେନ ଇତି’ ଅର୍ଥାତ୍‍ ନାର ବା ନରସମୂହକୁ କଳହ ମାଧ୍ୟମରେ ଦାତି ବା ଖଣ୍ଡନ କରନ୍ତି ବୋଲି ତାଙ୍କୁ ନାରଦ କୁହାଯାଏ । ସତ୍ୟବାନଙ୍କୁ ପତି ରୂପେ ବରଣ କରି ସାବିତ୍ରୀ ସ୍ୱପ୍ନରାଜ୍ୟରେ ହଜି ଯାଇଥିବାବେଳେ ଅତର୍କିତ ଭାବେ ନାରଦ ଉପସ୍ଥିତ ହୋଇ ତରୁଣୀ ସ୍ୱପ୍ନକୁ ଧୂଳିସାତ୍‍ କରି ଦେଇଛନ୍ତି–‘ସଂବତ୍ସରେଣ କ୍ଷୀଣାୟୁର୍ଦେହତ୍ୟାଗଂ’ (୩୨) । ନଗାଧିରାଜ ହିମବାନ୍‍ଙ୍କ କନ୍ୟା ପାର୍ବତୀ ମହାଦେବଙ୍କୁ ପତି ରୂପରେ ପାଇବା ପାଇଁ କି କଠୋର ବ୍ରତ ଆଚରଣ କରି ନ ଥଲେ ? ହିମବାନ୍‍ଙ୍କ ନିକଟରେ ଉପସ୍ଥିତ ହେଲେ ମହର୍ଷି । ଆଖିରେ ଭରି ରହିଥିଲା ଅସୁମାରୀ ଦୁଷ୍ଟାମି, ହସି ହସି ଆରମ୍ଭ କଲେ, ‘‘ହେ ଶୈଳେନ୍ଦ୍ର, ମୋତେ ସ୍ୱୟଂ ବିଷ୍ଣୁ ଆପଣଙ୍କ ନିକଟକୁ ପଠାଇଛନ୍ତି । ଆପଣଙ୍କ କନ୍ୟାରତ୍ନଟିକୁ ଆପଣ ତାକୁ ସମର୍ପଣ କରନ୍ତୁ, ଯେହେତୁ–

 

‘‘ବାସୁଦେବ ସମୋନାସ୍ତି ବ୍ରହ୍ମା-ବିଷ୍ଣୁ-ଶିବାଦିଷୁ

ତସ୍ମୈ ଦେୟା ତ୍ୱୟା କନ୍ୟା ଅତ୍ରାର୍ଥେ ସମ୍ମତଂ ମମ’ (୩୩)

 

କେବଳ ସେତିକି ନୁହେଁ, ନାରଦ ହିମବାନ୍‍ଙ୍କୁ ତ୍ରିବାର ସତ୍ୟ ମଧ୍ୟ କରେଇନେଲେ । ଏ ଦୁଃଖସମ୍ୱାଦରେ ପାର୍ବତୀ ହଠାତ୍‍ ତଳେ ପଡ଼ିଗଲେ, ଜୀବନ ଝାସ ଦେବାପାଇଁ ସଖି ସହ ମନ୍ତ୍ରଣା କଲେ ଓ ଶେଷରେ ପିତାଙ୍କ ଅଜ୍ଞାତସାରରେ ଘଞ୍ଚ ଜଙ୍ଗଲରେ ପ୍ରବେଶ କରି ନିରାହାରପୂର୍ବକ କଠୋର ବ୍ରତ ଆଚରଣ ଆରମ୍ଭ କଲେ । ବହୁ କଷ୍ଟରେ ନାରଦ-ପ୍ରଭାବିତ ବିଷ୍ଣୁ ତାଙ୍କର ସଂକଳ୍ପ ତ୍ୟାଗ କଲେ, ହିମବାନ୍‍ ସତ୍ୟଭ୍ରଷ୍ଟ ହେବାର ଦୁଶ୍ଚିନ୍ତାରୁ ମୁକ୍ତି ପାଇଲେ ଓ ପାର୍ବତୀ ମହାଦେବଙ୍କ ଅର୍ଦ୍ଧାଙ୍ଗିନୀ ହେଲେ ।

 

ନାରଦ ଏକ ଲୋଭନୀୟ ବ୍ୟକ୍ତିତ୍ୱ । ତାଙ୍କର ଗାନ୍ଧର୍ବ ଅଭୀପ୍‍ସା ପାରମାର୍ଥିକ ଜୀବନକୁ ବେଶ ବାଙ୍‍ମୟ ଓ ରସାପ୍ଲୁତ କରିତୋଳିଛି । କାବ୍ୟିକତା ତାଙ୍କର ଅନ୍ୟତମ ଆଲେଖ୍ୟ । ଷୋଳସହସ୍ର ଗୋପନାରୀଙ୍କର ନାୟକ ଶ୍ରୀକୃଷ୍ଣଙ୍କର ସେ ପରମପ୍ରିୟ ହୋଇ ପଡ଼ିଛନ୍ତି ଆପେ ଆପେ । ଥରେ କୌତୁହଳ ବଶତଃ ନାରଦ ଦ୍ୱାରକାଧିପତି ସାର୍ବଭୌମ ଶ୍ରୀକୃଷ୍ଣଙ୍କର ଅତିଥି ହୋଇଥାନ୍ତି । ତାଙ୍କର ଇଚ୍ଛା ହେଲା ପ୍ରଭୁଙ୍କର ଅନ୍ତଃପୁର ଦେଖିବେ । ପ୍ରତିଟି କକ୍ଷରେ ଏକ ସମୟରେ ସେ ଶ୍ରୀକୃଷ୍ଣ ଓ ତାଙ୍କର ପତ୍ନୀଙ୍କୁ ଦେଖି ବିସ୍ମିତ ହୋଇ ଯାଇଛନ୍ତି । ଏ ବିଚିତ୍ର ଅନୁଭୂତିରେ ତ୍ରିକାଳଦର୍ଶୀ ମହର୍ଷି ବିମୂଢ଼ (୩୪) । ଅନ୍ୟ ଏକ ଉପାଖ୍ୟାନରେ ନାରଦ ଶ୍ରୀକୃଷ୍ଣଙ୍କ ନିକଟରେ ଅଳି କରିଛନ୍ତି ଯେ, ସେ ଆଉ ଏତେ ବୁଲାବୁଲି କରି ପାରିବେ ନି । ସେ କ୍ଲାନ୍ତ । ଇଚ୍ଛା ହେଉଛି ଟିକେ ସଂସାର କରିବାପାଇଁ, ଆଉ କରୁଣାମୟ କୃଷ୍ଣ ଯଦି ତାଙ୍କ ଷୋଳହଜାର ଗୋପରମଣୀଙ୍କ ମଧ୍ୟରୁ ଜଣଙ୍କୁ ନାରଦଙ୍କୁ ଦିଅନ୍ତେ, ତେବେ ସେ ଗୃହାସ୍ଥାଶ୍ରମରେ ବ୍ରତୀ ହୁଅନ୍ତେ । ନାରଦଙ୍କର ଏହା ରସିକତା ନଥିଲା; ସେ ପ୍ରକୃତରେ ଚାହିଥିଲେ ଗୃହସ୍ଥ ଭାବେ ଧୀର-ସ୍ଥିର ଜୀବନଯାପନ ପାଇଁ । ଅଘଟନ ଘଟନ ପଟ୍ଟୀୟାନ୍‍ ଶ୍ରୀକୃଷ୍ଣ ମୃଦୁ ହସି ଉତ୍ତର ଦେଲେ–‘‘ଦେବର୍ଷି, ତୁମର ଇଚ୍ଛା ପୁରଣ ହେଉ । ଆସନ୍ତାକାଲି ମୋର ଷୋଳହଜାର ପ୍ରିୟତମାଙ୍କ ମଧ୍ୟରୁ ତୁମେ ଯାହାଙ୍କୁ ଏକାକିନୀ ଥିବା ଦେଖିବ, ତାଙ୍କୁ ତୁମେ ପତ୍ନୀ ରୂପେ ଗ୍ରହଣ କରିପାରେ’’ । ନାରଦ ହେଲେ ବିଭ୍ରାନ୍ତ । ସମସ୍ତ ଉଦ୍ୟମ ସତ୍ତ୍ୱେ କୃଷ୍ଣବିଲଗ୍ନା କୌଣସି ଗୋଟିଏ ହେଲେ ଗୋପାଙ୍ଗନାକୁ ସେ ଆବିଷ୍କାର କରି ନ ପାରି, ନିଜ ମନକୁ ବୁଝେଇ ଶୁଝେଇ ଗଙ୍ଗା ସ୍ନାନ ପାଇଁ ଗଲେ । ସ୍ନାନାନ୍ତେ ବ୍ରହ୍ମଚାରୀ ପରମଯୋଗୀ ନାରଦ ପାଲଟିଗଲେ ଉଦ୍ଭିନ୍ନ ଯୌବନା, ଅବନତାଙ୍ଗୀ ସୁଶ୍ରୀ ତରୁଣୀଟିଏ-। ଗଙ୍ଗାତୀରରେ ଏକାକିନୀ ଦଣ୍ଡାୟମାନା ରହି ଅତି ସନ୍ତର୍ପଣରେ ଚତୁର୍ଦ୍ଦିଗକୁ ସେ ଚାହୁଁଥାନ୍ତି । ଏକ ଅଭିନବ ‘ସମୁଦ୍ର-ସ୍ନାନ’ରେ ପୂର୍ବସ୍ମୃତି ତାଙ୍କର ହଜିଯାଇଥାଏ । ସୌଭାଗ୍ୟକ୍ରମେ ଜଣେ ଋଷି ସେଠାରେ ହଠାତ୍‍ ଉପସ୍ଥିତ ହୋଇ ‘ଆୟୁଷ୍ମତୀ-ନାରଦ’ଙ୍କୁ ନିଜ ଆଶ୍ରମକୁ ନେଇଗଲେ ଓ କାଳକ୍ରମେ ତାଙ୍କୁ ବିବାହ କରି ଷାଠିଏ ବର୍ଷରେ ତାଙ୍କୁ ଷାଠିଏଟି ସନ୍ତାନର ଜନନୀ କରେଇଲେ । ‘ଜନନୀ-ନାରଦ’ଙ୍କର ହେତୁ ଉଦୟ ହେଲା, ତାଙ୍କର ବିକଳ ପ୍ରାର୍ଥନାରେ ଋଷି-ସ୍ୱାମୀ ଉଭା ହେଲେ ସ୍ୱୟଂ ଶ୍ରୀକୃଷ୍ଣଙ୍କ ରୂପରେ । ନାରୀ-ଜନ୍ମରୁ ମୁକ୍ତି ପାଇଲେ ନାରଦ ଏକ ଶୁଭମୁହୂର୍ତ୍ତରେ ଭାଦ୍ରବ ମାସ କୃଷ୍ଣପକ୍ଷ ଷଷ୍ଠୀ ଦିନ (୩୫) ।

 

ଶ୍ରୀକୃଷ୍ଣଙ୍କର ନର୍ମ-ସହଚର ରୂପେ ନାରଦଙ୍କ ଭୂମିକା ଅତି ସୀମିତ; କିନ୍ତୁ ପ୍ରେମ-ଭକ୍ତିର ଆଦ୍ୟତମ ପ୍ରବକ୍ତା ରୂପେ ସେ ସୁବିଦିତ । ତାଙ୍କ ରଚିତ ନାରଦ ପଞ୍ଚରାତ୍ର, ଭକ୍ତିସୂତ୍ର ପ୍ରଭୃତି ଐକାନ୍ତିକୀ ଭକ୍ତିର ପ୍ରାଧାନ୍ୟ ପ୍ରତିପାଦନ କରିଛି । ପଦ୍ମପୁରାଣର ବର୍ଣ୍ଣନାନୁଯାୟୀ ଭକ୍ତିରୂପିଣୀ ଜନନୀ, ଜ୍ଞାନ ଓ ବୈରାଗ୍ୟ ନାମକ ଦୁଇଟି ପୁତ୍ର ସହ ଥରେ ବୃନ୍ଦାବନରେ ପହଞ୍ଚି ବିଳାପ କରୁଥିବା ଅବସ୍ଥାରେ ନାରଦଙ୍କୁ ସାକ୍ଷାତ କରିଛନ୍ତି । ନାରଦଙ୍କୁ ଯୁବତୀ-ଜନନୀ (ଭକ୍ତି) ପଚାରିଛନ୍ତି ଯେ ସେ କାହିଁକି ହଠାତ୍‍ ବୃଦ୍ଧାବସ୍ଥାରୁ ବୃନ୍ଦାବନରେ ତରୁଣୀ ପାଲଟିଗଲେ ବୋଲି (୩୬) । ବ୍ରଜଭୂମିର ମାହାର୍ମ୍ୟ ବର୍ଣ୍ଣନରେ ନାରଦ ଶତମୁଖ ହୋଇ ଉଠିଛନ୍ତି । ମହର୍ଷି ବ୍ୟାସଦେବଙ୍କ ପ୍ରଣୀତ ଅଠର ହଜାର ଶ୍ଳୋକ ସମ୍ୱଳିତ ଶ୍ରୀମଦ୍‍ଭାଗବତର ଆଦ୍ୟସ୍ରଷ୍ଟା ଦେବର୍ଷି ନାରଦ । ଶ୍ରୀମଦ୍‍ ଭାଗବତର ଭାବକଳ୍ପ ପ୍ରଥମେ ଚାରିଟି ଶ୍ଳୋକରେ ନାରଦ ହିଁ ଶୁଣେଇ ଥିଲେ–

 

ତଦ ତ୍ୱୟା ପୁରାପ୍ରୋକ୍ତଂ ଚତୁଃଶ୍ଳୋକ ସମନ୍ୱିତମ୍‍

ତଦୀୟଶ୍ରବଣାତ୍‍ସଦ୍ୟୋ ନିର୍ବାଧୋ ବାଦରାୟଣଃ (୩୭)

 

ବ୍ରହ୍ମାତନୟ ପରମ ବୈଷ୍ଣବ ଦେବର୍ଷି ନାରଦଙ୍କର ଭାରତବର୍ଷରେ କୌଣସି ଆଶ୍ରମ ବା ଅନୁଷ୍ଠାନ ଥିବା ଜଣାଯାଏ ନାହିଁ । ମନ୍ଦିରଗାତ୍ରରେ ସ୍ଥଳବିଶେଷରେ ଅନ୍ୟ ଋଷିଗଣଙ୍କ ସହିତ ତାଙ୍କର ଗୀତାଭିନୟ-ମୁଦ୍ରା ମାତ୍ର ଦେଖିବାକୁ ମିଳିଥାଏ । ତାଙ୍କ ଜୀବନର କାବ୍ୟିକତା ଆଧୁନିକ କବିମାନଙ୍କୁ ଏତେ ବେଶି ସ୍ପର୍ଶ କରିପାରିନାହିଁ । ଅବଶ୍ୟ ସାରଳା ଦାସ, ଦୀନକୃଷ୍ଣ, ରାଧାନାଥ ଏବଂ ପରବର୍ତ୍ତୀକାଳର କବି ଭ୍ରମରବର ରାୟ ଓ ବୈଷ୍ଣବ ପାଣି ପ୍ରଭୃତିଙ୍କୁ ନାରଦଙ୍କ ଚରିତ୍ରର କମନୀୟ ଅସାଧାରଣତା ସ୍ଥଳବିଶେଷରେ ଆକୃଷ୍ଟ କରିଥିବା ଜଣାଯାଏ । ପଲ୍ଲୀ-ଚେତନାରେ ନାରଦଙ୍କର ଆଧ୍ୟାତ୍ମିକତା ବା ପ୍ରେମ-ଦର୍ଶନର ସ୍ଥାନ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ବରଂ ସେ ଜଣେ ‘ଭଲ୍ଲୋକ’ (ମଧ୍ୟସ୍ଥି, ଭଦ୍ରଲୋକ) ଓ ତାଙ୍କର ବାହନ ହେଉଛି ‘ଢିଙ୍କି’ (୩୮) । ଅଭିମନ୍ୟୁଙ୍କର ‘ଟାଣ ଚଣା ଚର୍ବଣ ନାରଦ କଲା ପରି’କୁ ଯଦି କେହି ନ ବୁଝି ‘ନାରଦ ଟାଣ ଚଣା ଚୋବାଇବାକୁ ସମର୍ଥ’ ବୋଲି ବୁଝିବା ଯାହା, ଢିଙ୍କି-ବାହାନାରୂଢ଼ କଳିହୁଡ଼ା ବିକୃତ କାଳ୍ପନିକ ବ୍ୟକ୍ତିକୁ ନାରଦ ରୂପେ ଅଭିହତ କରିବା ଠିକ୍‍ ସେଇୟା ।

 

ପାଦଟୀକା:–

ଜଗନ୍ନାଥ ଦାସଙ୍କ ଭାଗବତ

୨.

ଶବ୍ଦକଳ୍ପଦ୍ରୁମ

୩.

ଶ୍ରୀମଦ୍‍ ଭାଗବତ

୪.

ବ୍ରହ୍ମବୈବର୍ତ୍ତ ପୁରାଣ

୫.

ଶ୍ରୀମଦ୍‍ ଭାଗବତ (୭/୧୫/୭୦)

୬.

ଭାଗବତ (୭ମ ସ୍କନ୍ଧ) ୧୫ ଅଧ୍ୟାୟ ୬୯-୭୩

୭.

ଶ୍ରୀମଦ୍‍ ଭାଗବତ (୭/୧୫/୭୩)

୮.

ବ୍ରହ୍ମବୈବର୍ତ୍ତ ପୁରାଣ

୯.

ବ୍ରହ୍ମବୈବର୍ତ୍ତ ପୁରାଣ (ବ୍ରହ୍ମଖଣ୍ଡ ୨୧-୨୨ ଅଧ୍ୟାୟ)

୧୦.

ବ୍ରହ୍ମବୈବର୍ତ୍ତ ପୁରାଣ (ବ୍ରହ୍ମଖଣ୍ଡ ୨୧-୨୨ ଅଧ୍ୟାୟ)

୧୧.

ବ୍ରହ୍ମବୈବର୍ତ୍ତ ପୁରାଣ (ବ୍ରହ୍ମଖଣ୍ଡ ୨୧-୨୨ ଅଧ୍ୟାୟ)

୧୨.

ଭାଗବତ (୧ମ ସ୍କନ୍ଧ)

୧୩.

ଶ୍ରୀମଦ୍‍ ଭାଗବତ (୧/୬/୧୬)

୧୪.

ଭାଗବତ (୧ମ ସ୍କନ୍ଧ)

୧୫.

ଶ୍ରୀମଦ୍‍ ଭାଗବତ (୧/୩/୮)

୧୬.

ଶ୍ରୀମଦ୍‍ ଭଗବତ୍‍ ଗୀତା (ଅ ୧୦)

୧୭.

ଛାନ୍ଦୋଗ୍ୟ ଉପନିଷଦ୍‍ (୭/୧/୧)

ଅନୁଗୀତା (ମହାଭାରତ ଅଶ୍ୱମେଧ ପର୍ବ ୧୬-୫୧ରେ ନାରଦ ଦେବମାତାଙ୍କୁ ପଞ୍ଚପ୍ରାଣ ସମ୍ପର୍କରେ ଦେଇଥିବା ତାତ୍ତ୍ୱିକ ଉପଦେଶ ମଧ୍ୟ ଦ୍ରଷ୍ଟବ୍ୟ) ।

୧୮.

ଷଡ଼ବିଂଶ ବ୍ରାହ୍ମଣ (୩-୯)

୧୯.

(କ) ମୈତ୍ରାୟଣୀ ସଂହିତା (୧/୫/୮)

 

(ଖ) ଐତରେୟ ବ୍ରାହ୍ମଣ (୭, ୩୪)

୨୦.

ଐତରେୟ ବ୍ରାହ୍ମଣ (୭-୧୩)

୨୧.

ବୌଦ୍ଧଗ୍ରନ୍ଥ ରାଜା ମିଳିନ୍ଦଙ୍କ ପ୍ରଶ୍ନାବଳୀ ଦ୍ରଷ୍ଟବ୍ୟ । ଆୟୁର୍ବେଦୀୟ କେତେକ ଐଷଧ ମଧ୍ୟ ନାରଦଙ୍କ ନାମରେ ଅଭିହିତ, ଯଥା-ନାରଦୀୟ ମହାଲକ୍ଷ୍ମୀ ବିଳାସ ।

୨୨.

ଅର୍ଥବ ବେଦ (୮/୧୨/୪)

୨୩.

ଏହା ଏକ ଦୁଷ୍ପ୍ରାପ୍ୟ ଗ୍ରନ୍ଥ । ଶୁଣାଯାଏ ଏହାର ଏକ ପାଣ୍ଡୁଲିପି କେବଳ ନେପାଳରେ ହିଁ ଉପଲବ୍‍ଧ ।

୨୪.

ଶ୍ରୀମଦ୍‍ ଭଗବତ୍‍

୨୫.

ଶ୍ରୀମଦ୍‍ ଭଗବତ୍‍

୨୬.

ଶ୍ରୀମଦ୍‍ ଭଗବତ୍‍ (୬/୫/୪୩)

୨୭.

ଶତପଥ ବ୍ରାହ୍ମଣ

୨୮.

ଶ୍ରୀମଦ୍‍ ଭଗବତ୍‍ (୧୦/୩୫/୩)

୨୯.

ଶ୍ରୀମଦ୍‍ ଭଗବତ୍‍ (୧୦/୩୬/୧୬)

୩୦.

ଶ୍ରୀମଦ୍‍ ଭଗବତ୍‍ (୧/୧୩/୧୩-୫୬)

୩୧.

ଶ୍ରୀମଦ୍‍ ଭଗବତ୍‍ (୬/୫/୫-୪୪)

୩୨.

ବଟସାବିତ୍ରୀ କଥା

୩୩.

ହରିତାଲିକାବ୍ରତ କଥା

୩୪.

ଶ୍ରୀମଦ୍‍ ଭଗବତ୍‍

୩୫.

P. Thomas, Hindu Religion, Customs & Manners, 1956

୩୬.

ପଦ୍ମପୁରାଣ

୩୭.

ପଦ୍ମପୁରାଣ (ଉତ୍ତରାଖଣ୍ଡ ୨/୭୩)

୩୮.

ପୌରାଣିକ ଅଭିଧାନ ।

 

 

ଅଧ୍ୟାପକ, ଇଂରାଜୀ ବିଭାଗ

ବି.ଜେ.ବି. କଲେଜ

ଭୁବନେଶ୍ୱର–୧୪

***

 

ଓଡ଼ିଶୀ ନୃତ୍ୟ ସମ୍ପର୍କରେ କେତେକ ଭ୍ରମାତ୍ମକ

ତଥ୍ୟର ପ୍ରତିବାଦ

ଶ୍ରୀ ନୀଳମାଧବ ପାଣିଗ୍ରାହୀ

 

କୋଣାର୍କ (୧୯୮୪)ର ଦ୍ୱିପଞ୍ଚାଶତ୍ତମ ସଂଖ୍ୟା ପୃ: ୨୦ରୁ ୨୫ ମଧ୍ୟରେ ପ୍ରକାଶିତ ‘ଓଡ଼ିଆ ସାହିତ୍ୟରେ ନୃତ୍ୟ ଶୀର୍ଷକ ଏକ ଲେଖାରେ ନୃତ୍ୟ ସମ୍ପର୍କରେ କେତେକ ଉପାଦେୟ ତଥ୍ୟ ପରିବେଷିତ ହୋଇଥିଲେ ହେଁ ଏପରି କେତେକ ମାରାତ୍ମକ ଅତଥ୍ୟ ଓ ତ୍ରୁଟି ତହିଁରେ ରହିଛି; ଯାହା ଓଡ଼ିଶୀ ନୃତ୍ୟ ପକ୍ଷରେ ମାନହାନିକର । ଏହି ଅତଥ୍ୟ ଓ ତ୍ରୁଟି ସମେତ ଅନ୍ୟ କେତୋଟି ବିଭ୍ରାନ୍ତିକର ଅତଥ୍ୟ ପାଠକ ଚିତ୍ତରେ ବଦ୍ଧମୂଳ ଓ ବିସ୍ତାରଶୀଳ ହେବା ଆଗରୁ ଉତ୍ପାଟିତ ହେବା ଦରକାର । ତଳେ ପ୍ରୋକ୍ତ ଲେଖାରୁ ଅଂଶବିଶେଷକୁ ଉଦ୍ଧୃତି ଆକାରରେ ରଖା ହୋଇ ତଦନ୍ତର୍ଗତ ଅତଥ୍ୟ ଦୂର କରିବା ଉଦ୍ଦେଶ୍ୟରେ ଆବଶ୍ୟକ ତଥ୍ୟ ଉପସ୍ଥାପିତ ହେଉଛି ।

 

(ଏକ)

 

‘‘ଏହାଛଡ଼ା ‘ରସରକେଲି’, ‘ଘୁମୁରା’, ‘ଦାସକାଠିଆ’, ‘ଗୋଟିପୁଅ‘, ‘ରାସ’ ଓ ଅନ୍ୟାନ୍ୟ ଶତାଧିକ ଲୋକନୃତ୍ୟ ଓଡ଼ିଶାର ଗାଁ ଗହଳିରେ ପୂରି ରହିଛି ।’’ –ପୃ: ୨୧–୨ୟ ପାରା ।

 

ଏ ମନ୍ତବ୍ୟରୁ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇପାରେ ଯେ ‘ଗୋଟିପୁଅ’ ନାମକ ନୃତ୍ୟ ମଧ୍ୟ ‘ଅନ୍ୟାନ୍ୟ ଶତାଧିକ ଲୋକନୃତ୍ୟ’ ପରି ଗୋଟିଏ ‘ଲୋକନୃତ୍ୟ’ । ମାତ୍ର ବାସ୍ତବରେ ତାହା କେବେ ଲୋକନୃତ୍ୟ ନ ଥିଲା କିମ୍ୱା ତାହାର ସାମ୍ପ୍ରତିକ ଅବକ୍ଷତ ଓ ଦୁର୍ଗତ ସ୍ଥିତିରେ ବି ଲୋକନୃତ୍ୟ ସ୍ତରକୁ ଖସି ନାହିଁ । ମାର୍ଗ ନୃତ୍ୟ (ଶାସ୍ତ୍ରୀୟ ନୃତ୍ୟ)ର ତତ୍ତ୍ୱ ଓ କଳାକୌଶଳ ଉପରେ ହିଁ ଗୋଟିପୁଅ ନୃତ୍ୟ ପ୍ରତିଷ୍ଠା ଓ ବିକାଶ ଲାଭ କରିଛି । ଦୀନକୃଷ୍ଣ, ଉପେନ୍ଦ୍ର, ବନମାଳୀ, ବଳଦେବ, ଗୋପାଳକୃଷ୍ଣ ପ୍ରମୁଖ ପ୍ରଖ୍ୟାତ ଓଡ଼ିଆ କବିମାନଙ୍କ ସାଙ୍ଗୀତିକ ରଚନାଗୁଡ଼ିକୁ ରାଗ ବା ରାଗଭିତ୍ତିକ ସ୍ୱର ସମାବେଶ ଦ୍ୱାରା ମଧୁର ଭାବେ ଏକତାଳୀ, ଝମ୍ପା, ତ୍ରିପୁଟା, ଯତି ପ୍ରଭୃତି ଶାସ୍ତ୍ରସମ୍ମତ ତାଳରେ ବୋଲାଯାଇ ତଦନୁସାରେ ପଦବିନ୍ୟାସପୂର୍ବକ ନୃତ୍ୟଶାସ୍ତ୍ରର ନାନାବିଧ ହସ୍ତକ, ଦୃଷ୍ଟି ପ୍ରଭୃତିର ବିନିଯୋଗରେ ସେଭଳି ରଚନାର ଅର୍ଥାଭିନୟ କଳାସମ୍ମତ ଭାବେ ପ୍ରଦର୍ଶିତ ହୁଏ ଗୋଟିପୁଅ ନୃତ୍ୟରେ ।

 

ଏଇ ପରିପ୍ରେକ୍ଷୀରେ ଗୋଟିପୁଅ ନୃତ୍ୟକୁ ଲୋକନୃତ୍ୟ ବୋଲି କୁହାଗଲେ ଆମ ଓଡ଼ିଶାର ନୃତ୍ୟକଳାର ଇତିହାସ ବିଡ଼ମ୍ୱିତ ହେବ ଏବଂ ନୃତ୍ୟ କ୍ଷେତ୍ରରେ ଓଡ଼ିଶାର ଗୌରବ ଓ ସୁନାମ କ୍ଷୁର୍ଣ୍ଣ ହେବ । ନାନା କାରଣରୁ ଓଡ଼ିଶାର ଗୌରବ ଓ ସୁନାମ କ୍ଷୁର୍ଣ୍ଣ ହେବ । ନାନା କାରଣରୁ ଓଡ଼ିଶାର ସ୍ୱନାମଧନ୍ୟ ଦେବଦାସୀ ବା ମାହାରୀ ନୃତ୍ୟର ଧ୍ୱନି ଯେତେବେଳେ ବିକୃତ, ସଙ୍କୁଚିତ ଓ ଅସ୍ପଷ୍ଟ ହେବାକୁ ବସିଲା, ସେତେବେଳେ ଓ ସେ କାଳରୁ ଗୋଟିପୁଅ ନୃତ୍ୟ ହିଁ ଓଡ଼ିଶାରେ ‘ଉନ୍ନତ ନୃତ୍ୟକଳା’କୁ କୌଣସିମତେ ବଞ୍ଚାଇ ରଖିବାର କୃତିତ୍ୱରେ ଗୌରବାନ୍ୱିତ ।

 

ଓଡ଼ିଶାର ନୃତ୍ୟ ସମ୍ପର୍କରେ ନିର୍ଭରଯୋଗ୍ୟ ଓ ବିଧିବଦ୍ଧ ଗବେଷଣାପୂର୍ବକ ଶ୍ରୀ ଧୀରେନ୍ଦ୍ରନାଥ ପଟ୍ଟନାୟକ ‘ଓଡ଼ିଶୀ ନୃତ୍ୟ’ ନାମକ ଯେଉଁ ବହି ଖଣ୍ଡକ ଲେଖିଛନ୍ତି ତାହାର ୧୯୭୪-ପରିବର୍ଦ୍ଧିତ ଓ ପରିମାର୍ଜିତ ସଂସ୍କରଣର ପୃ: ୫୨ରୁ ଆରମ୍ଭ ହୋଇ ‘ଗୋଟିପୁଅ ନୃତ୍ୟ’ ସମ୍ପର୍କରେ ଯେଉଁ ତଥ୍ୟ ପରିବେଷିତ ହୋଇଛି, ତାହା ଦେଖିବାର କଷ୍ଟ ସ୍ୱୀକୃତ ହୋଇଥିଲେ ‘କୋଣାର୍କ’ ପ୍ରକାଶିତ ପ୍ରୋକ୍ତ ଲେଖାରେ ‘ଗୋଟିପୁଅ ନୃତ୍ୟ’କୁ ଲୋକନୃତ୍ୟ କୁହାଯାଇ ଲାଞ୍ଛିତ କରାଯାଇ ନଥାନ୍ତା । ଲୋକନୃତ୍ୟର ସ୍ୱକୀୟ ମୂଲ୍ୟ ଅଛି ମାତ୍ର ଗୋଟିପୁଅ ନୃତ୍ୟର ମୁଲ୍ୟ ମର୍ଯ୍ୟାଦା ତା’ଅପେକ୍ଷା ଢେର ଅଧିକ । କଳାର ମୂଲ୍ୟ ବିଚାର ଆଜିର ‘କଳାବଚାର’ରେ ବି ଲୋପ ପାଇନାହିଁ, ପାଇବା ଅନୁଚିତ ।

 

ଦୁଇ

 

‘‘ଆଜି ଆମେ ଯାହାକୁ ଓଡ଼ିଶୀ-ନୃତ୍ୟ ବୋଲି କହୁଛୁ ତାହା ମୁଖ୍ୟତଃ ‘ଭରତ ନାଟ୍ୟମ୍‍’ ଉପରେ ନିର୍ଭର କରିଛି ଓ ବିଭିନ୍ନ ସମୟରେ ଓଡ଼ିଶାର ନୃତ୍ୟଶିଳ୍ପୀମାନଙ୍କର କେତେକ ବୈଶିଷ୍ଟ ଗର୍ଭସ୍ଥ କରିଛି । ଆମେ ଆଜି ତାହାକୁ ‘ଓଡ଼ିଶୀ ନୃତ୍ୟ’ ବୋଲି ଅଭିହିତ କରୁଥାଉଁ ।’

–ଏଜନ-ପୃ: ୨୧ଶ-୬ଷ୍ଠ ପାରା ।

 

‘‘ତେଣୁ ପ୍ରାଚୀନ ଓଡ଼ିଶାରେ ‘ଭରତ ନାଟ୍ୟମ୍‍’ ଓ ଭରତ ନାଟ୍ୟଶାସ୍ତ୍ରର ବିଶେଷ ପ୍ରଚଳନ ଥିଲା ।’’

–ଏଜନ-ପୃ: ୨୨ଶ

 

‘ଭରତ ନାଟ୍ୟମ୍‍’ ବୋଲି ଯେଉ ଶବ୍ଦର ନିକ୍ୱଣ ଆମ କର୍ଣ୍ଣରେ ଆଜି ଧ୍ୱନିତ ହେଉଛି, ପ୍ରାଚୀନ ଓଡ଼ିଶାର କଥା ତେଣିକି ଥାଉ, ଶହେ ବର୍ଷ ଆଗର ଓଡ଼ିଶା କିମ୍ୱା ଭାରତରେ ସେ ଶବ୍ଦଟିର ଉଦ୍ଭବ ମଧ୍ୟ ହୋଇ ନଥିଲା; କୌଣସି ଅଭିଧାନରେ ବା ନୃତ୍ୟଶାସ୍ତ୍ରରେ କିମ୍ୱା ନୃତ୍ୟଗ୍ରନ୍ଥରେ ବା ଆସିବ କାହୁଁ ? ଏପରି କି ଖ୍ରୀ: ୧୯୫୧ରେ ଦାକ୍ଷିଣାତ୍ୟର ସୁପଣ୍ଡିତ ଏମ୍‍. ରାମକୃଷ୍ଣ କବି ‘ଭରତ କୋଷ’ ନାମକ ପ୍ରାୟ ଏକ ହଜାର ପୃଷ୍ଠାର ଯେଉଁ ଗ୍ରନ୍ଥ ସଂକଳନ କରି ତିରୁପତି ବେଙ୍କଟେଶ୍ୱର ଓରିୟେଣ୍ଟେଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ରୁ ପ୍ରକାଶିତ କରିଥିଲେ, ତହିଁରେ ବି ଭରତ-ନାଟ୍ୟମ୍‍ ବୋଲି ଗୋଟିଏ ଶବ୍ଦ ଦେଖିବାକୁ ମିଳେ ନାହିଁ ।

 

ଏପରିସ୍ଥଳେ ପ୍ରାଚୀନ ଓଡ଼ିଶାରେ ‘ଭରତ ନାଟ୍ୟମ୍‍’ର ବିଶେଷ ପ୍ରଚଳନ ଥିଲା ବୋଲି କହିବା ଅମୂଳକ ।

 

ଦାକ୍ଷିଣାତ୍ୟରେ ପ୍ରଚଳିତ ପ୍ରାଚୀନ ଦେବଦାସୀ ନୃତ୍ୟର ପୁନରୁଦ୍ଧାର କରାଯାଇ ଗତ କେତେବର୍ଷ ତଳେ ସେଇ ‘ଦାସୀ ଅଟ୍ଟମ୍‍’କୁ ‘ଭରତ ନାଟ୍ୟମ୍‍’ ପରି ଏକ ସମ୍ମାନାସ୍ପଦ ନାମ ଦିଆଯାଇ ପ୍ରଚାର କରାଯାଇଛି । ‘ଓଡ଼ିଶୀ ନୃତ୍ୟ’ ନାମଟି ମଧ୍ୟ ସାମ୍ପ୍ରତିକ ସମୟର ସୃଷ୍ଟି । ମାତ୍ର ସେଇ ନାମରେ ଯେଉଁ ପ୍ରକରର ନୃତ୍ୟ ପ୍ରଦର୍ଶିତ ହୁଏ ତାହା ‘ଭରତ ନାଟ୍ୟଶାସ୍ତ୍ର’ ବର୍ଣ୍ଣିତ ତତ୍ତ୍ୱ ଉପରେ କେତେକାଂଶରେ ପ୍ରତିଷ୍ଠିତ ଏଥିରେ ସନ୍ଦେହ ନାହିଁ; ମାତ୍ର ତାହା ଦକ୍ଷିଣର ଦାସୀ ଅଟ୍ଟମର ଆଧୁନିକ ସଂସ୍କରଣ ଭରତ ନାଟ୍ୟମ୍‍ ଉପରେ ‘ନିର୍ଭର’ କରିଛି-କହିବା ସତ୍ୟର ଘୋର ଅପଳାପ ଏବଂ ଆମ ଓଡ଼ିଶା ପକ୍ଷରେ ଏକ ନିଷ୍ଠୁର, ଅପମାନକର ଆଘାତ । ସେପରି ଉକ୍ତି ଅତ୍ୟନ୍ତ ଦାୟିତ୍ୱହୀନ ଓ ଅକ୍ଷମଣୀୟ । ମନେରଖିବା ଦରକାର, ଦାକ୍ଷିଣାତ୍ୟର ‘ଭରତ ନାଟ୍ୟମ୍‍’ ତେଣିକି ଥାଉ, ଖୋଦ୍‍ ‘ଭରତ ନାଟ୍ୟଶାସ୍ତ୍ର’ ସଂକଳିତ ହେବା ଆଗରୁ ହାତୀଗୁମ୍ଫା ପ୍ରଭୃତି ଖାରବେଳ ଖୋଦିତ ଭିତ୍ତି ଭାସ୍କର୍ଯ୍ୟରେ ଖ୍ରୀ:ପୂ: ୧ମ ଶତାବ୍ଦୀରେ ମଧ୍ୟ ଓଡ଼ିଶାରେ ଉନ୍ନତ ନୃତ୍ୟର ଚର୍ଚ୍ଚା ହେଉଥିବାର ଚାକ୍ଷୁଷ ନିଦର୍ଶନ ରହିଛି । ନାଟ୍ୟ ଓ ନୃତ୍ୟର ଯେଉଁ ସବୁ ତତ୍ତ୍ୱ ଓ ଲକ୍ଷଣ ଭରତ ନାଟ୍ୟଶାସ୍ତ୍ରରେ ସ୍ଥାନ ପାଇଛି ତାହା ପ୍ରାଚୀନ ଓଡ଼ିଶାର ଅବଦାନ ହୋଇଥିବା ଅସମ୍ଭବ ନୁହେ । ମଧ୍ୟଯୁଗରେ ବି ଓଡ଼ିଶାରେ ଯେଉଁସବୁ ମନ୍ଦିର ନିର୍ମିତ ହେଲା, ସେସବୁର ଗାତ୍ର ମଣ୍ଡନ ପାଇଁ ନଟନଟୀଙ୍କ ନୃତ୍ୟଭଙ୍ଗିମ ପ୍ରସ୍ତର ମୂର୍ତ୍ତି ପ୍ରଭୃତି ଉପରେ ଓଡ଼ିଶୀନୃତ୍ୟ ନିର୍ଭର ନ କରି ବିଂଶ ଶତାବ୍ଦୀର ମାତ୍ର ଦ୍ୱିତୀୟାର୍ଦ୍ଧରେ ଖ୍ୟାତି ଲାଭ କରିଥିବା ‘ଭରତ ନାଟ୍ୟମ’ ଉପରେ ଯଦି ନିର୍ଭର କରିଛି ବୋଲି କୁହାଯାଏ, ତେବେ ‘ଉତ୍କଳ’ ଉନ୍ନତ କଳାର ଦେଶ ନୁହେ, ‘ନକଳ’ର ଦେଶ ବୋଲି ପରିଚିତ କରିବାରେ ଖୁବ୍‍ ସାହାଯ୍ୟ କରିବ ସିନା ।

 

ତିନି

‘‘ଚଉଷଠି କୋଟି ବିଦ୍ୟାଧରମାନେ

ମର୍ଦ୍ଦଳ ତାଳ କଂସାଳ କାହାଳ ବିଧାନେ ।

ଚମ୍ପପୁଟ ଚାପୁଟ ଘଟିତ ଉଦେଘଟି

ନବମ ପଞ୍ଚମ ଆରକତ ଆରମ୍ଭ ଖଣ୍ଡନଟୀ ।’’

 

‘‘ଚମ୍ପପୁଟ, ଚାପୁଟ, ଉଦେଘଟି ପ୍ରଭୃତି ନୃତ୍ୟକଳାର ବଳିଷ୍ଠ ଭଙ୍ଗୀ । ନୃତ୍ୟର ଏହି ବିଶେଷ ଭଙ୍ଗୀ ସମସାମୟିକ ମୈଥିଳୀ କବି ଜ୍ୟୋତିଶେଖରାଚାର୍ଯ୍ୟଙ୍କର ବର୍ଣ୍ଣ ରତ୍ନାକରରେ ଦେଖିବାକୁ ମିଳିଥାଏ ।’’

–ଏଜନ-ପୃ: ୨୨ଶ-୨ୟ ଓ ୩ୟ ପାରା ।

 

ରକ୍ଷା ହୋଇଛି, ‘ବର୍ଣ୍ଣରତ୍ନାକର’ ଉପରେ ‘ନିର୍ଭର କରି’ ମହାକବି ସାରଳା ଦାସ ତାଙ୍କ ମହାଭାରତର ଉପରିଉଦ୍ଧୃତ ପଦାବଳୀ ରଚନା କରିଛନ୍ତି ବୋଲି ‘କୋଣାର୍କ’ ଲେଖାରେ କୁହା ହୋଇନାହିଁ ! ନତୁବା ଓଡ଼ିଶାର ନିନ୍ଦୁକମାନେ କହିଥାଆନ୍ତେ ଯେ ଓଡ଼ିଶୀ-ନୃତ୍ୟ ଦକ୍ଷିଣରେ ପ୍ରଚଳିତ ‘ଭରତନାଟ୍ୟମ୍‍’ ଏବଂ ଉତ୍ତରରେ ଥିବା ମିଥିଳା ଦେଶୀୟ କବିଙ୍କ ବର୍ଣ୍ଣନା ଉପରେ ନିର୍ଭର କରିଛି !

 

ହେଲେ, କହି ହେଉ ନାହିଁ, ସାରଳା ଦାସଙ୍କ ମୂଳ ଲେଖାରେ ଚମ୍ପପୁଟ, ଚାପୁଟ, ଘଟିତ ଉଦେଘଟି ପ୍ରଭୃତି ଅପଭ୍ରଷ୍ଟ ବା ଭ୍ରଷ୍ଟ ଶବ୍ଦମାନ ଥିଲା କି ନା । ଯଦି ବା ଥିଲା, ତେବେ ମୂଳ ସଂସ୍କୃତରୁ ଅପଭ୍ରଂଶ ପ୍ରକ୍ରିୟାରେ ରୂପାନ୍ତରିତ ସେଭଳି ଶବ୍ଦମାନଙ୍କର ପ୍ରୟୋଗ ଆଦୌ ଦୋଷାବହ ନୁହେ ଏବଂ ଅଜ୍ଞ ନକଲକାର ଓ ବିଜ୍ଞମନ୍ୟ ପ୍ରକାଶକମାନଙ୍କ ଅସୀମ କୃପାରୁ ସାରଳା ମହାଭାରତ ବିକଳ ହୋଇଥିବା ମଧ୍ୟ ସେତେ ଦୁଃଖାବହ ନୁହେ; ଯେତେ ଦୁଃଖବହ ହୋଇଛି ଚମ୍ପପୁଟ, ଚାପୁଟ, ଉଦେଘଟି ପ୍ରଭୃତ ନୃତ୍ୟକଳାର ବଳିଷ୍ଠ ଭଙ୍ଗୀବିଶେଷ ବୋଲି କହିବା । ଏହାର କାରଣ, ଚମ୍ପପୁଟ, ଚାପୁଟ, ଉଦେଘଟି ପ୍ରଭୃତି କୌଣସି ‘ଭଙ୍ଗୀ’ ନୁହେ, ସେଗୁଡ଼ିକ ସଙ୍ଗୀତଗ୍ରନ୍ଥମାନଙ୍କରେ ଉଲ୍ଲିଖିତ ଗୋଟିଏ ଗୋଟିଏ ତାଳର ନାମ, ଯାହା ମୂଳ ସଂସ୍କୃତରୁ ହୁଏତ ଅପଭ୍ରଷ୍ଟ ହୋଇ ଓଡ଼ିଆରେ ସେପରି ରୂପାନ୍ତରିତ ହୋଇଛି । ସଂସ୍କୃତ ସଙ୍ଗୀତଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ :

 

ଚଞ୍ଚତ୍‍ପୁଟଶ୍ଚାଚପୁଟଃ ଷଟ୍‍ପିତାପୁତ୍ରକସ୍ତଥା ।

ସଂପକ୍ୱେଷ୍ଟକ ଉଦ୍‍ଘଟ ଆଦିତାଳଶ୍ଚ ଦର୍ପଣଃ

ଶ୍ରୀରଙ୍ଗୋ ରଙ୍ଗଲୀଳଶ୍ଚ ରଙ୍ଗତାଳଃ ପରିକ୍ରମଃ.....ପ୍ରଭୃତି ।

ସଙ୍ଗୀତ କଳ୍ପଲତିକା–(ହଳଧର ମିଶ୍ର)

 

ଏଥିରେ ଥିବା ଚଞ୍ଚତ୍‍ପୁଟ ହୁଏତ ଅପଭ୍ରଷ୍ଟ ହୋଇଛି ଚମ୍ପପୁଟରେ, ଚାଚପୁଟ ହୋଇଯାଇଛି ଚାପୁଟ; ଉଦଘଟ୍ଟ ହୋଇଯାଇଛି ଉଦେଘଟି । ‘ନବମ’ର ତାତ୍ପର୍ଯ୍ୟ ହଠାତ୍‍ କହି ହଉନାହିଁ । ‘କୋକିଳାରବ’ ନାମକ ଅନ୍ୟ ଏକ ଶାସ୍ତ୍ରୋକ୍ତ ତାଳକୁ ପ୍ରତିଭାଧର ମହାକବି ସାରଳା ଦାସ ‘ପଞ୍ଚମ’ କହିଛନ୍ତି; କାରଣ କୋକିଳ-ରବକୁ ‘ପଞ୍ଚମ’ କୁହାଯାଏ । ସେହିପରି ‘ରଙ୍ଗବିଦ୍ୟାଧର’ ରଙ୍ଗ ବା ଶ୍ରୀରଙ୍ଗ ନାମକ ସଙ୍ଗୀତ ଶାସ୍ତ୍ରୋକ୍ତ ତାଳକୁ ମହାକବି ଆରକତ (ଅର୍ଥାତ୍‍ ଆରକ୍ତ) କହିଥାଇ ପାରନ୍ତି । ତାଙ୍କ ପକ୍ଷରେ ଏ ସବୁ ଲେଖିବା ଆଦୌ ଦୋଷାବହ ନୁହେଁ: କାରଣ ସେ ସଙ୍ଗୀତଶାସ୍ତ୍ର ଲେଖୁନଥିଲେ, ଲେଖୁଥିଲେ ‘ମହାଭାରତ’, ତା’ବି ଓଡ଼ିଆରେ ।

 

ମାତ୍ର ସଙ୍ଗୀତର ‘ତାଳ’ମାନଙ୍କୁ ‘ନୃତ୍ୟର ଭଙ୍ଗୀବିଶେଷ’ ବୋଲି ଅନାବଶ୍ୟକ ଭାବେ ଯାହା ଶଂସିତ ‘କୋଣାର୍କ’ ଲେଖାଟିରେ କୁହାହୋଇଛି ତାହା ଦୁଃଖଦାୟକ ।

 

ଚାରି

‘‘ସଙ୍ଗୀତ ସଦାନନ୍ଦ, କୃଷ୍ଣଦାସ ବଡ଼ଜେନାକୃତ ‘ଗୀତପ୍ରକାଶ’, ଲୋକନାଥ ଖଡ୍‍ଗରାୟଙ୍କର ‘ଗୀତ ଗୌରୀଶ’ ପ୍ରଭୃତି ଅନେକ ଗ୍ରନ୍ଥରେ ଓଡ଼ିଶୀ ନୃତ୍ୟକଳାର ଯେଉଁ ସବୁ ଚଳଣି ରହିଛି ସେ ସବୁର ଯଥାର୍ଥ ଗବେଷଣା ଏ ପର୍ଯ୍ୟନ୍ତ ହୋଇ ନାହିଁ ।’’

–ଏଜନ–ପୃ : ୨୩ଶ

 

ଦୁଃଖର କଥା, କୃଷ୍ଣଦାସ ବଡ଼ଜେନାକୃତ ଯେଉଁ ‘ଗୀତ ପ୍ରକାଶ’ ଗ୍ରନ୍ଥଟି ସମ୍ପାଦିତ ହୋଇ ୧୯୮୩ରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରୁ ପ୍ରକାଶିତ ହୋଇଛି, ତାହା ବୋଧହୁଏ ସେହି ଭୁବନେଶ୍ୱରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାରରେ ସ୍ଥାନ ପାଇବା ଭଳି ସୌଭାଗ୍ୟ ଲାଭ କରି ନାହିଁ କିମ୍ୱା ଓଡ଼ିଆ ସାହିତ୍ୟରେ ‘ନୃତ୍ୟ’ର ବିଜ୍ଞ ଲେଖକଙ୍କ ଗବେଷଣାତ୍ମିକା ଦୃଷ୍ଟି କେବେହେଲେ ପ୍ରକାଶିତ ବା ପୋଥିଗତ ଗୀତପ୍ରକାଶ ଗ୍ରନ୍ଥରେ ପଡ଼ିନାହିଁ । ଏପରି କ୍ରୁର ଅନୁମାନ କରିବା କାରଣ–‘ଗୀତପ୍ରକାଶ’ରେ ଓଡ଼ିଶୀ ନୃତ୍ୟକଳାର ଚଳଣି ତେଣିକି ଥାଉ ନୃତ୍ୟଶବ୍ଦର ଉଲ୍ଲେଖ ବି ନାହିଁ । ତାହା ଏକ ବିଶୁଦ୍ଧ ଗୀତବିଷୟକ ଗ୍ରନ୍ଥ, ତହିଁରେ ଓଡ଼ିଶୀ ନୃତ୍ୟର ଚଳଣି ଆସିବ କାହୁଁ ?

 

ପରିଶେଷରେ ଦୁଃଖର ସହିତ କହିବାକୁ ପଡ଼ୁଛି, ସଙ୍ଗୀତ ଓ ନୃତ୍ୟ ବିଷୟକ ଗ୍ରନ୍ଥ ନ ପଢ଼ି ବା ନ ବୁଝି କୌଣସି କୌଣସି ବିଜ୍ଞ ଓଡ଼ିଆ ଅଧ୍ୟାପକ ମଝିରେ ମଝିରେ ଏପରି ଲେଖା ପ୍ରକାଶ କରୁଛନ୍ତି ଯାହା ସଙ୍ଗୀତ ଓ ନୃତ୍ୟକଳା ପକ୍ଷରେ ଘୋର କ୍ଷତିକାରକ ହେବା ସୁନିଶ୍ଚିତ । ଅନଧିକାରୀ ବ୍ୟକ୍ତି ନୀରବ ରହିବା ହିଁ ଶୋଭନୀୟ ତଥା କ୍ଷେମଙ୍କର ।

 

 

ଗୁଲୁଣ୍ଡା

ପୋ : ମାନେଶ୍ୱର

ଜି : ସମ୍ୱଲପୁର

***

 

ଏକାଡେମୀ ସମାଚାର

 

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟିକ ଅଭିଲେଖାଗାର ପ୍ରତିଷ୍ଠା

ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟାଳୟରେ ଏକ ସାହିତ୍ୟିକ ଅଭିଲେଖାଗାର ପ୍ରତିଷ୍ଠା କରି ଓଡ଼ିଆ ସାହିତ୍ୟ ସମ୍ପର୍କୀୟ ଦୁଷ୍ପ୍ରାପ୍ୟ ସାହିତ୍ୟିକ ଉପାଦାନ, ସାହିତ୍ୟିକ ଦଲିଲ-ଦସ୍ତାବିଜ୍‍, ବିଶିଷ୍ଟ ଲେଖକ ଓ ଲେଖା ସମ୍ପର୍କୀୟ ଦୁଷ୍ପ୍ରାପ୍ୟ ତଥ୍ୟ, ଲେଖକମାନଙ୍କର ହସ୍ତଲିପି, ଆଲୋକଚିତ୍ର ବା ଅଙ୍କିତ ଚିତ୍ର ଏବଂ କଣ୍ଠସ୍ୱର ତଥା ଓଡ଼ିଆ ସାହିତ୍ୟର ଇତିହାସ ସହିତ ସଂଯୁକ୍ତ ଉପାଦେୟ ଦୁଷ୍ପ୍ରାପ୍ୟ ସାମଗ୍ରୀ ଇତ୍ୟାଦି ସଂଗ୍ରହ କରି ଏହି ଅଭିଲେଖାଗାରରେ ସଂରକ୍ଷଣ କରାଯିବା ସ୍ଥିର ହୋଇଛି । ଏକାଡେମୀ କାର୍ଯ୍ୟକାରୀ ସମିତିଙ୍କ ସିଦ୍ଧାନ୍ତ ଅନୁଯାୟୀ ଏହି ଅଭିଲେଖାଗାରର ପ୍ରତିଷ୍ଠାର ପ୍ରାଥମିକ ଆୟୋଜନ ଚଳିତବର୍ଷର ଯୋଜନା କାର୍ଯ୍ୟକ୍ରମର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି-

 

ଓଡ଼ିଶା ସାହିତ୍ୟ ଏକାଡେମୀ ଉପାୟନ ପ୍ରଦାନ ଉପଲକ୍ଷେ ସ୍ୱତନ୍ତ୍ର ଉତ୍ସବ

୧୯୮୦ ମସିହାଠାରୁ ୧୯୮୩ ମସିହା ପର୍ଯ୍ୟନ୍ତ ଚାରିବର୍ଷର ପୁରସ୍କାର ପ୍ରଦାନ ଉପଲକ୍ଷେ ୧୯୭୭ ମସିହାଠାରୁ ୧୯୮୨ ମସିହା ମଧ୍ୟରେ ଛଅଗୋଟି ବିଭାଗରେ ପ୍ରକାଶିତ ଓଡ଼ିଆ ପୁସ୍ତକଗୁଡ଼ିକ ମଧ୍ୟରୁ ସମୀକ୍ଷକମାନଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ପୁସ୍ତକଗୁଡ଼ିକର ଲେଖକମାନଙ୍କୁ ୨୫/୧/୮୫ ତାରିଖ ଅପରାହ୍ନ ୬ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାମ୍ରଲେଖ ଓ ଉପାୟନ ପ୍ରଦାନ କରାଯିବା ସ୍ଥିର ହୋଇଛି । ଏହି ଉତ୍ସବରେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ପୌରୋହିତ୍ୟ କରିବେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଲେଖକମାନଙ୍କୁ ତାମ୍ରଲେଖ ତଥା ଉପାୟନ ପ୍ରଦାନ କରିବା ପାଇଁ ସଦୟ ସ୍ୱୀକୃତି ଜ୍ଞାପନ କରିଅଛନ୍ତି । ପୁରସ୍କୃତ ଲେଖକ ଓ ପୁସ୍ତକ ଗୁଡ଼ିକ ହେଲା –

 

୧୯୮୦ ମସିହା

ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ରମ୍ୟ ରଚନା ବିଭାଗ

 

 

ମୋ ସ୍ୱପ୍ନର ସହର–ଶ୍ରୀ ଲକ୍ଷ୍ମୀଧର ନାୟକ

କାବ୍ୟ ଓ କବିତା ବିଭାଗ

 

 

ସ୍ରୋତର ନାମ ଋତ–ଶ୍ରୀ କମଳାକାନ୍ତ ଲେଙ୍କା

ପ୍ରବନ୍ଧ ଓ ସମାଲୋଚନା ବିଭାଗ

 

 

ଅଳଙ୍କାର ପ୍ରସଙ୍ଗ–ଶ୍ରୀ ଗୋବିନ୍ଦଚନ୍ଦ୍ର ଉଦ୍‍ଗାତା

ନାଟକ ଓ ଏକାଙ୍କିକା ବିଭାଗ

 

 

ସ୍ନାୟୁ ସଂହାର–ଶ୍ରୀ ପ୍ରାଣବନ୍ଧୁ କର

ଜୀବନୀ, ଆତ୍ମଜୀବନୀ, ଭ୍ରମଣ ବୃତ୍ତାନ୍ତ ଓ ବୈଜ୍ଞାନିକ ସାହିତ୍ୟ ବିଭାଗ

 

 

ନାହଂତିଷ୍ଠାମି ବୈକୁଣ୍ଠେ–ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

ଶିଶୁ ସାହିତ୍ୟ ବିଭାଗ

 

 

ଛାତିକି ପଥର କରି–ଶ୍ରୀ ବିନୋଦ କାନୁନ୍‍ ଗୋ

 

୧୯୮୧ ମସିହା

ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ରମ୍ୟରଚନା ବିଭାଗ

 

 

ନିଶାନ୍ତ–ଶ୍ରୀ ବିଭୁତିଭୂଷଣ ତ୍ରିପାଠୀ

କାବ୍ୟ ଓ କବିତା ବିଭାଗ

 

 

ଯେ ଯାହାର ନିର୍ଜନତା–ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ

ପ୍ରବନ୍ଧ ଓ ସମାଲୋଚନା ବିଭାଗ

 

 

ନିଃସଙ୍ଗ ମଣିଷ–ଡକ୍ଟର ସୀତାକାନ୍ତ ମହାପାତ୍ର

ନାଟକ ଓ ଏକାଙ୍କିକା ବିଭାଗ

 

 

ଧର୍ମାର ଅଭିଶାପ–ଶ୍ରୀ ଆନନ୍ଦଶଙ୍କର ଦାସ

ଜୀବନୀ, ଆତ୍ମଜୀବନୀ, ଭ୍ରମଣ ବୃତ୍ତାନ୍ତ ଓ ବୈଜ୍ଞାନିକ ସାହିତ୍ୟ ବିଭାଗ

 

 

ଶତାବ୍ଦୀର ଆହ୍ୱାନ–ଡକ୍ଟର ଦେବକାନ୍ତ ମିଶ୍ର

ଶିଶୁ ସାହିତ୍ୟ ବିଭାଗ

 

 

ଆମ ଖେଳଣା–ଶ୍ରୀ ନିକୁଞ୍ଜ କିଶୋର କାନୁନଗୋ

୧୯୮୨ ମସିହା

ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ରମ୍ୟରଚନା ବିଭାଗ

 

 

ନିଷାଦର ନିଃଶବ୍ଦ ବାରଣ–ଶ୍ରୀ ଦୁର୍ଗାମାଧବ ମିଶ୍ର

କାବ୍ୟ ଓ କବିତା ବିଭାଗ

 

 

ନିଃଶବ୍ଦ ନୁପୂର–ଶ୍ରୀ ଉମାଶଙ୍କର ପଣ୍ଡା

ପ୍ରବନ୍ଧ ଓ ସମାଲୋଚନା ବିଭାଗ

 

 

ହାଟ ବଜାରର ବ୍ରହ୍ମଜ୍ଞାନ–ଶ୍ରୀ ମନମୋହନ ଚୌଧୁରୀ

ନାଟକ ଓ ଏକାଙ୍କିକା ବିଭାଗ

 

 

ନାଟକ ରୀତିମତ–ଶ୍ରୀ ରାମଚନ୍ଦ୍ର ମିଶ୍ର

ଜୀବନୀ, ଆତ୍ମଜୀବନୀ, ଭ୍ରମଣ ବୃତ୍ତାନ୍ତ ଓ ବୈଜ୍ଞାନିକ ସାହିତ୍ୟ ବିଭାଗ

 

 

ଗାନ୍ଧୀ ମହାରାଜାଙ୍କ ଶିଷ୍ୟ–ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

ଶିଶୁ ସାହିତ୍ୟ ବିଭାଗ

 

 

ଗପ ଗଣ୍ଠିଲି–ଶ୍ରୀ ରମେଶ ଚନ୍ଦ୍ର ଭଞ୍ଜ

୧୯୮୩ ମସିହା

ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ରମ୍ୟରଚନା ବିଭାଗ

 

 

ସ୍ନାହୁ ଓ ସନ୍ୟାସୀ–ଶ୍ରୀ ଅଚ୍ୟୁତାନନ୍ଦ ପତି

କାବ୍ୟ ଓ କବିତା ବିଭାଗ

 

 

ଦୃଷ୍ଟିର ଦ୍ୟୁତି–ଶ୍ରୀମତୀ ବ୍ରହ୍ମୋତ୍ରୀ ମହାନ୍ତି

ନାଟକ ଓ ଏକାଙ୍କିକା ବିଭାଗ

 

 

ଏକାଙ୍କିକା ତରଙ୍ଗ–ଶ୍ରୀ କମଳଲୋଚନ ମହାନ୍ତି

ଜୀବନୀ, ଆତ୍ମଜୀବନୀ, ଭ୍ରମଣ ବୃତ୍ତାନ୍ତ ଓ ବୈଜ୍ଞାନିକ ସାହିତ୍ୟ ବିଭାଗ

 

 

ମୋ’ ଜୀବନ ଓ ଜଞ୍ଜାଳ କାହାଣୀ–ଶ୍ରୀ ନନ୍ଦକିଶୋର ଦାସ

ଶିଶୁ ସାହିତ୍ୟ ବିଭାଗ

 

 

ବିଲାତରେ ବାପୁ ଓ ପାପୁ–ଡକ୍ଟର ଗଣେଶ୍ୱର ମିଶ୍ର

 

***